Latest Odisha News

BREAKING NEWS

ଚାରିଆଡୁ ସିଲ୍ ପୁରୀ, ରାଜପଥରେ ଅସମ୍ଭାଳ ଜାମ୍! ସୁନାବେଶ ଦେଖିବାକୁ ଯାଉଥିବା ଲକ୍ଷ ଲକ୍ଷ ଭକ୍ତ ବାଟରେ ନାକେଦମ୍

ଭୁବନେଶ୍ୱର: ରଥ ଉପରେ ଆଜି ମହାପ୍ରଭୁଙ୍କ ଅପୂର୍ବ ସୁନାବେଶ ଦେଖିବାକୁ ମିଳିବ। ଶ୍ରୀକ୍ଷେତ୍ରକୁ ଏଥିପାଇଁ ଛୁଟିଛି ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ। କିନ୍ତୁ ଭକ୍ତିଭାବରେ ବିଭୋର ହୋଇ ପୁରୀ ଅଭିମୁଖେ ବାହାରିଥିବା ଶ୍ରଦ୍ଧାଳୁଙ୍କୁ ବାଟରେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ପ୍ରବଳ ଜନସମାଗମ ଏବଂ ଶନିବାର ଛୁଟିଦିନ ଥିବାରୁ ଏବେ ପୁରୀ ମୁହାଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ଅତ୍ୟଧିକ ଗାଡ଼ିମୋଟର ଚଳାଚଳ ଯୋଗୁଁ ଭୁବନେଶ୍ୱର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥରେ ଏକ ଅଭାବନୀୟ ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଛି, ଯାହା ଫଳରେ ଯାତ୍ରୀମାନେ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଫସି ରହିଛନ୍ତି।

ସୂଚନା ଅନୁଯାୟୀ, ଶନିବାର ଭୋରରୁ ହିଁ ପୁରୀ ଅଭିମୁଖେ ଯାନବାହନ ସଂଖ୍ୟାରେ ଅହେତୁକ ବୃଦ୍ଧି ଦେଖିବାକୁ ମିଳିଛି। ସ୍ଥିତି ଏପରି ହୋଇଥିଲା ଯେ ସକାଳ ୭ଟା ୩୦ ସୁଦ୍ଧା ସହର ଭିତରେ ଥିବା ପ୍ରାୟ ୬,୫୦୦ ଗାଡ଼ି ରଖିବା କ୍ଷମତା ବିଶିଷ୍ଟ ସମସ୍ତ ନିର୍ଦ୍ଧାରିତ ପାର୍କିଂ ସ୍ଥଳ ସମ୍ପୂର୍ଣ୍ଣ ଭର୍ତ୍ତି ହୋଇଯାଇଛି। ଏହାପରେ ଟ୍ରାଫିକ୍ ପରିଚାଳନା ପୋଲିସ ପ୍ରଶାସନ ପାଇଁ ଏକ ବିରାଟ ଆହ୍ୱାନ ପାଲଟିଛି। ବିଶେଷ କରି ମାଳତୀପାଟପୁର, ବାଟଗାଁ ଏବଂ ମଙ୍ଗଳାଘାଟ ଛକ ନିକଟରେ ବହୁ କିଲୋମିଟର ଧରି କେବଳ ଗାଡ଼ିର ଲମ୍ବା ଧାଡ଼ି ଦେଖିବାକୁ ମିଳିଛି। ଯେଉଁ ରାସ୍ତା ଅତିକ୍ରମ କରିବାକୁ ମାତ୍ର କିଛି ମିନିଟ୍ ଲାଗେ, ସେଠାରେ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଲୋକଙ୍କୁ ଛିଡ଼ା ହେବାକୁ ପଡ଼ୁଛି।

ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ପ୍ରଶାସନ ତୁରନ୍ତ ଆକ୍ସନ ମୋଡ଼କୁ ଆସି ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରିଛି। ପୂର୍ବରୁ ଜାରି କରାଯାଇଥିବା ଅନେକ ଭିଆଇପି ଓ ସାଧାରଣ ଯାନବାହନ ପାସ୍‌କୁ ବାତିଲ କରାଯିବା ସହ ଗାଡ଼ିଗୁଡ଼ିକର ରୁଟ୍ ଡାଇଭର୍ଟ କରାଯାଉଛି। ଭୁବନେଶ୍ୱର ପଟୁ ଆସୁଥିବା ଗାଡ଼ିଗୁଡ଼ିକୁ ମାଳତୀପାଟପୁର ଓଭରବ୍ରିଜ୍ ଦେଇ ତାଳବଣିଆ ଓ ଅନ୍ୟାନ୍ୟ ଅସ୍ଥାୟୀ ପାର୍କିଂ ସ୍ଥାନକୁ ପଠାଯାଉଛି। ପୋଲିସ ମହାନିର୍ଦ୍ଦେଶକ ନିଜେ ସ୍ଥିତିର ସମୀକ୍ଷା କରିବା ସହ ଆଇନଶୃଙ୍ଖଳା ନିୟନ୍ତ୍ରଣ ପାଇଁ ଅଧିକ ଫୋର୍ସ ମୁତୟନ କରିଛନ୍ତି। କେବଳ ଭୁବନେଶ୍ୱର ନୁହେଁ, ବ୍ରହ୍ମଗିରି ଓ କୋଣାର୍କ ପଟୁ ମଧ୍ୟ ପ୍ରବଳ ଭିଡ଼ ଯୋଗୁଁ ଚାରିଆଡୁ ପୁରୀ ସହରକୁ ସଂଯୋଗ କରୁଥିବା ରାସ୍ତା ସିଲ୍ ହେଲା ଭଳି ପରିସ୍ଥିତି ଉପୁଜିଛି।

Leave A Reply

Your email address will not be published.