Latest Odisha News

BREAKING NEWS

ଅପହଞ୍ଚ ଇଲାକାର ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରୁଛି ଟିପିଏସ୍ଓଡିଏଲ୍

ବ୍ରହ୍ମପୁର: ଅପହଞ୍ଚ ଇଲାକାରେ ଲୋକଙ୍କ ପାଇଁ ଦେବଦୂତ ସାଜୁଛି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏସ୍ଓଡିଏଲ୍) । ଘରେ ଘରେ ପହଞ୍ଚାଉଛି ସ୍ୱାସ୍ଥ୍ୟସେବା । ଟିପିଏସ୍ଓଡିଏଲ୍, ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ତରଫରୁ ଓଡ଼ିଶାର ସ୍ୱାସ୍ଥ୍ୟ ସେବାକୁ ଆହୁରି ବ୍ୟାପକ କରାଯାଇଛି ।

ଏହି କ୍ରମରେ କମ୍ପାନୀର “ଲ୍ୟାବ୍ ଅନ୍ ହ୍ୱିଲ୍ସ” ଅଭିଯାନ ମାଧ୍ୟମରେ ଦକ୍ଷିଣ ଓଡ଼ିଶାର ୪୧୪ଟି ଦୂରବର୍ତ୍ତୀ ଗାଁରେ ୮,୯୪୩ରୁ ଅଧିକ ରୋଗ ନିଦାନ ପରୀକ୍ଷା କରାଯାଇଛି । ଏହି ମୋବାଇଲ୍ ଡାୟାଗ୍ନୋଷ୍ଟିକ୍ ସେବା ଦକ୍ଷିଣ ଓଡ଼ିଶାର ପାହାଡ଼ି ଓ ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଜନଜାତି ସମୁଦାୟଙ୍କୁ ବିଶେଷ ଭାବରେ ସହାୟକ ହେଉଛି । ଯାହା ସେମାନଙ୍କ ନିକଟରେ ପ୍ରତ୍ୟକ୍ଷ ଭାବେ ଲ୍ୟାବୋରେଟୋରୀ ସୁବିଧା ପହଞ୍ଚାଇବା ସାଙ୍ଗକୁ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସେବାର ଅଭାବକୁ ପୂରଣ କରିବାରେ ସମର୍ଥ ହୋଇଛି ।

ଏହି ଉଦ୍ୟମ ଦକ୍ଷିଣ ଓଡ଼ିଶାର ଦୂରବର୍ତ୍ତୀ, ପାହାଡ଼ି ଓ ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଜନଜାତି ସମୁଦାୟ, ବରିଷ୍ଠ ନାଗରିକ, ମହିଳା ଏବଂ ଅନ୍ୟାନ୍ୟ ଗ୍ରାମୀଣ ବାସିନ୍ଦାଙ୍କ ନିକଟରେ ସିଧାସଳଖ ଗୁଣାତ୍ମକ ଡାୟାଗ୍ନୋଷ୍ଟିକ୍ ସେବା ପହଞ୍ଚାଉଛି । କମ୍ପାନୀ ତରଫରୁ ଯୋଗାଇ ଦିଆଯାଉଥିବା ଏହି ସେବା ମାଲକାନଗିରି ଜିଲ୍ଲାର ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ (ପିଭିଟିଜି) ତଥା ବୋଣ୍ଡା ଓ ଦିଦାୟୀ ଜନଜାତିଙ୍କ ପାଇଁ ବିଶେଷ ଭାବେ ଲାଭଦାୟକ ହୋଇଛି । ଯେଉଁଠାରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇବା ଏକ ବଡ଼ ଆହ୍ୱାନ ଭାବେ ରହି ଆସିଛି ।

ସେପ୍ଟେମ୍ବର ୨୦୨୫ରେ କୋରାପୁଟ ଜିଲ୍ଲାର ବୈପାରିଗୁଡାରୁ ପ୍ରାଥମିକ ସ୍ତରରେ ଆରମ୍ଭ ହୋଇଥିବା ଏହି ଅଭିଯାନ ବର୍ତ୍ତମାନ କୋରାପୁଟ, ମାଲକାନଗିରି ଓ କନ୍ଧମାଳ ଜିଲ୍ଲାରେ ସେବା ଯୋଗାଉଛି । ଯାହା ଓଡ଼ିଶାର ତିନୋଟି ଜନଜାତି ବହୁଳ ଜିଲ୍ଲା ଭାବେ ଜଣା । ପୂର୍ବ ଘାଟ ପର୍ବତମାଳାର ଘନ ଜଙ୍ଗଲ, ବିକ୍ଷିପ୍ତ ଜନବସତି ଓ କଷ୍ଟକର ଯୋଗାଯୋଗ ବ୍ୟବସ୍ଥା ଥିବା ଭାବେ ଜଣା ଏହି ଜିଲ୍ଲାଗୁଡ଼ିକ ବିଭିନ୍ନ ଜନଜାତି ସମୁଦାୟଙ୍କର ବାସସ୍ଥାନ । କୋରାପୁଟରେ ଗଦବା, ପରଜା ପ୍ରଭୃତି ଅନୁସୂଚିତ ଜନଜାତି ବସବାସ କରନ୍ତି । ସେହିଭଳି କନ୍ଧମାଳ ହେଉଛି ମୁଖ୍ୟତଃ କନ୍ଧ ଜନଜାତିର ଘର; ଏବଂ ମାଲକାନଗିରିରେ ଭାରତର ସବୁଠାରୁ ଦୁର୍ବଳ ଆଦିବାସୀ ସମୁଦାୟ ତଥା ବୋଣ୍ଡା ଓ ଦିଦାୟୀଙ୍କ ଭଳି ପିଭିଟିଜିଙ୍କ ଏହା ହେଉଛି ବାସସ୍ଥାନ।

‘ଲ୍ୟାବ୍ ଅନ୍ ହ୍ୱିଲ୍ସ’ ଏକ ସମ୍ପୂର୍ଣ୍ଣ ସଜ୍ଜିତ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା (ଏମ୍ଏଚ୍‌ଡି) ମାଧ୍ୟମରେ କାର୍ଯ୍ୟ କରୁଛି । ଯେଉଁଥିରେ ଏକ ଏକୀକୃତ ଲ୍ୟାବୋରେଟୋରୀର ସୁବିଧା ସାଙ୍ଗକୁ ଜଣେ ଡାକ୍ତର, ଲ୍ୟାବୋରେଟୋରୀ ଟେକ୍ନିସିଆନ୍, ଫାର୍ମାସିଷ୍ଟ ଓ ଷ୍ଟାଫ୍ ନର୍ସଙ୍କୁ ନେଇ ଏକ ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟ ସେବା ଦଳ ରହିଛି । ରୋଗୀମାନଙ୍କୁ ପ୍ରଥମେ ଡାକ୍ତର ପରୀକ୍ଷା କରନ୍ତି, ତା’ପରେ କ୍ଲିନିକାଲ୍ ମୂଲ୍ୟାଙ୍କନ ଆଧାରରେ ଲ୍ୟାବୋରେଟୋରୀ ପରୀକ୍ଷା ନିର୍ଦ୍ଦେଶ ଦିଆଯାଏ । ଏହି ଏକୀକୃତ ମଡେଲ୍ ମାଧ୍ୟମରେ ପରାମର୍ଶ, ରୋଗ ନିରୂପଣ, ଲ୍ୟାବୋରେଟୋରୀ ପରୀକ୍ଷା ଏବଂ ଔଷଧ ବିତରଣ ଆଦି କରାଯାଇଥାଏ । ଯାହା ରୋଗୀମାନଙ୍କୁ ଦୀର୍ଘ ଦୂରତ୍ୱ ପଥ ଅତିକ୍ରମ କରିବାରେ ରୋକିଥାଏ । ଅର୍ଥାତ୍ ଏହି ସେବା ଯୋଗୁଁ ସମସ୍ତ ସୁବିଧା ସେମାନଙ୍କ ପାଖରେ ଉପଲବ୍ଧ ହୋଇଥାଏ ।

ଏହି ଏମଏଚଡି ମାଧ୍ୟମରେ ଲ୍ୟାବୋରେଟୋରୀ କିଟ୍-ଆଧାରିତ ଡାୟାଗ୍ନୋଷ୍ଟିକ୍ ପରୀକ୍ଷା ହୋଇଥାଏ । ଯାହା ଦ୍ୱାରା ଅଳ୍ପ ସମୟ ମଧ୍ୟରେ ରିପୋର୍ଟ ପ୍ରସ୍ତୁତ ହୋଇପାରେ । ଏଥିସହିତ ଚିକିତ୍ସା ତୁରନ୍ତ ଆରମ୍ଭ କରାଯାଇପାରେ । ଏହି ସୁବିଧା ମାଲେରିଆ ସ୍କ୍ରିନିଂ, ହିମୋଗ୍ଲୋବିନ୍ ପରୀକ୍ଷା, ଟାଇଫଏଡ୍ ପରୀକ୍ଷା, ହେପାଟାଇଟିସ୍-ସି (ଏଚ୍‌ସିଭି) ସ୍କ୍ରିନିଂ, ଏଚ୍‌ଆଇଭି ସ୍କ୍ରିନିଂ, ଭିଡିଆର୍‌ଏଲ୍ ପରୀକ୍ଷା, ଡେଙ୍ଗୁ ସ୍କ୍ରିନିଂ, ବ୍ଲଡ୍ ଗ୍ରୁପ୍ ଟେଷ୍ଟ, ରେଣ୍ଡମ୍ ବ୍ଲଡ୍ ସୁଗର୍ (ଆର୍‌ବିଏସ୍), ସିକଲ୍ ସେଲ୍ ଆନିମିଆ ସ୍କ୍ରିନିଂ ଏବଂ ଟ୍ରୋପୋନିନ୍-ଆଇ (ଟ୍ରପ୍-ଆଇ) ପରୀକ୍ଷା ସମେତ ବିସ୍ତୃତ ପ୍ୟାଥୋଲୋଜିକାଲ୍ ପରୀକ୍ଷା ପ୍ରଦାନ କରେ । ଏହି ସେବାଗୁଡ଼ିକ ଡାକ୍ତରମାନଙ୍କୁ ରୋଗକୁ ପ୍ରାରମ୍ଭିକ ସ୍ତରରୁ ଚିହ୍ନଟ କରିବା ଏବଂ ସମୟାନୁସାରେ ଚିକିତ୍ସା ଆରମ୍ଭ କରିବାରେ ସାହାଯ୍ୟ କରେ । ବିଶେଷକରି ଋତୁ ଅନୁସାରେ ବ୍ୟାପୁଥିବା ରୋଗ ଓ ତାର ଚିକିତ୍ସା ତଥା ଜରୁରୀକାଳୀନ ପରିସ୍ଥିତିରେ ଏହା ବିଶେଷ ଭାବରେ ସହାୟକ ହୋଇଥାଏ ।

ଗାଁ ଗାଁରେ ଡାୟାଗ୍ନୋଷ୍ଟିକ୍ ସେବା ଉପଲବ୍ଧ କରାଇ, ଏହି ଉଦ୍ୟମ ଜନଜାତି ପରିବାର, ବରିଷ୍ଠ ନାଗରିକ ଏବଂ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଥିବା ସମୁଦାୟଙ୍କ ଉପରେ ଥିବା ସ୍ୱାସ୍ଥ୍ୟସେବାର ବୋଝକୁ ହ୍ରାସ କରିଛି । ଡାୟାଗ୍ନୋଷ୍ଟିକ୍ ସୁବିଧା ଉପଲବ୍ଧ ହେବା ଦ୍ୱାରା ଏହି ଅଞ୍ଚଳରେ ଚିକିତ୍ସା ସେବା ଉନ୍ନତ ହୋଇଛି । ଏଥିସହିତ ସ୍ୱାସ୍ଥ୍ୟସେବାର ଭିତ୍ତିଭୂମି ସୀମିତ ଥିବା ଏହି ଅଞ୍ଚଳରେ ଚିକିତ୍ସା ସେବା ଆହୁରି ସୁଦୃଢ଼ ହୋଇ ପାରିଛି ।

ଏ ସମ୍ପର୍କରେ ଅମିତ କୁମାର ଗର୍ଗ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପିଏସ୍ଓଡିଏଲ୍ କହିଛନ୍ତି, “ଭୌଗୋଳିକ ଅବସ୍ଥାନକୁ ନେଇ ଥିବା ଆହ୍ୱାନ ସତ୍ତ୍ୱେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚିବା ଦରକାର । ‘ଲ୍ୟାବ୍ ଅନ୍ ହ୍ୱିଲ୍ସ’ ମାଧ୍ୟମରେ ଆମେ ଦୂରବର୍ତ୍ତୀ ଜନଜାତି ଓ ଗ୍ରାମୀଣ ସମୁଦାୟଙ୍କ ନିକଟରେ ଆବଶ୍ୟକୀୟ ଡାୟାଗ୍ନୋଷ୍ଟିକ୍ ସେବା ପହଞ୍ଚାଉଛୁ । ଯାହା ପ୍ରାରମ୍ଭିକ ରୋଗ ନିର୍ଣ୍ଣୟ ଓ ସମୟାନୁକୂଳ ଚିକିତ୍ସାକୁ ସମ୍ଭବ କରାଉଛି । ଏହି ଉଦ୍ୟମ ଆମେ ସେବା ଯୋଗାଉଥିବା ଅଞ୍ଚଳର ଶେଷ ସ୍ତର ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଏବଂ ଜୀବନଯାପନର ମାନ ଉନ୍ନତ କରିବା ପ୍ରତି ଥିବା ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।”

‘ଲ୍ୟାବ୍ ଅନ୍ ହ୍ୱିଲ୍ସ’ ଅଭିଯାନ ମାଧ୍ୟମରେ ଟିପିଏସ୍‌ଓଡିଏଲ୍ ଭ୍ରାମ୍ୟମାଣ ଚିକିତ୍ସା ଭିତ୍ତିଭୂମିକୁ ବ୍ୟବହାର କରି ଓଡ଼ିଶାର ଦୂରବର୍ତ୍ତୀ ଜନଜାତି ଅଞ୍ଚଳରେ ସହଜ ଓ ଗୁଣାତ୍ମକ ଡାୟାଗ୍ନୋଷ୍ଟିକ୍ ସେବା ପ୍ରଦାନ କରି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଅଭାବକୁ ପୂରଣ କରିବାରେ ବିଶେଷ ଭୂମିକା ନିର୍ବାହ କରୁଛି । ଏହି ଉଦ୍ୟମ ସମୁଦାୟର ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ଏବଂ ସେବା ଯୋଗାଉଥିବା ଅଞ୍ଚଳରେ ପ୍ରତିରୋଧକ ଓ ପ୍ରାଥମିକ ସ୍ୱାସ୍ଥ୍ୟସେବାକୁ ପ୍ରୋତ୍ସାହିତ କରିବା ପ୍ରତି ଟିପିଏସ୍ଓଡିଏଲର ଥିବା ପ୍ରତିବଦ୍ଧତାକୁ ଦର୍ଶାଏ ।

Leave A Reply

Your email address will not be published.