Latest Odisha News

BREAKING NEWS

ନିକଟବର୍ତ୍ତୀ ଜଳାଶୟରେ କୁମ୍ଭୀର ଦେଖିଲେ ହେଲ୍ପଲାଇନରେ ସୂଚନା ଦେବାକୁ ବନ ବିଭାଗର ଅନୁରୋଧ

ଭୁବନେଶ୍ୱର: ମଣିଷ-କୁମ୍ଭୀର ସଂଘର୍ଷର ବିପଦକୁ ହ୍ରାସ କରିବା ପାଇଁ ଲୁଣାଜଙ୍ଗଲ ବନଖଣ୍ଡ (ବନ୍ୟପ୍ରାଣୀ), ରାଜନଗର ବନ ବିଭାଗ ପକ୍ଷରୁ ଏକ ଜରୁରୀକାଳୀନ ହ୍ୱାଟ୍ସଆପ୍ ହେଲ୍ପଲାଇନ୍ ନମ୍ବର ୯୯୩୮୯୧୪୧୦୧ ସକ୍ରିୟ କରାଯାଇଛି। ବର୍ଷା ଋତୁରେ ବ୍ରାହ୍ମଣୀ, ମହାନଦୀ ଏବଂ ବୈତରଣୀ ନଦୀ ପ୍ରଣାଳୀରେ ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆ ଯାଇଛି। ବନ୍ୟାଜଳ ବୃଦ୍ଧି ହେତୁ ନଦୀକୂଳିଆ ଅଞ୍ଚଳରୁ କୁମ୍ଭୀରମାନେ ଜନବସତି କିମ୍ବା ଲୋକମାନେ ବ୍ୟବହାର କରୁଥିବା ନଦୀଘାଟ ନିକଟକୁ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି ।

ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବିପଦସଙ୍କୁଳ ଗ୍ରାମଗୁଡ଼ିକରେ ‘ଘରକୁ ଘର ବୁଲି’ (Door-to-Door) ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ ହୋଇଛି । ବନ ବିଭାଗର କ୍ଷେତ୍ର କର୍ମଚାରୀମାନେ ବନ୍ୟାପ୍ରବଣ ଗ୍ରାମଗୁଡ଼ିକ ପରିଦର୍ଶନ କରି କୁମ୍ଭୀର ସହିତ ସମ୍ଭାବ୍ୟ ମୁକାବିଲା ଏବଂ ଏଥିରୁ ରକ୍ଷା ପାଇବା ପାଇଁ ସତର୍କତାମୂଳକ ପଦକ୍ଷେପ ବିଷୟରେ ଲୋକଙ୍କୁ ସଚେତନ କରାଯାଉଅଛି।

ବାସିନ୍ଦାମାନଙ୍କୁ ପରାମର୍ଶ ଦିଆଯାଉଛି ଯେ, ବର୍ଷା ଋତୁରେ ଅତି ଆବଶ୍ୟକ ନଥିଲେ ନଦୀ, କେନାଲ କିମ୍ବା ନାଳକୁ ପ୍ରବେଶ କରନ୍ତୁ ନାହିଁ। ପାଣି ସଂଗ୍ରହ, ମାଛ ଧରିବା କିମ୍ବା ଗାଧୋଇବା ସମୟରେ ବିଶେଷ ସତର୍କ ରୁହନ୍ତୁ । ଏହା ସହିତ ପିଲାମାନଙ୍କୁ ବୟସ୍କଙ୍କ ତତ୍ତ୍ୱାବଧାନ ବିନା ଜଳାଶୟ ନିକଟକୁ ନଛାଡ଼ିବା ଏବଂ କୁମ୍ଭୀର ପ୍ରବଣ ଅଞ୍ଚଳରେ ଗୃହପାଳିତ ପଶୁଙ୍କୁ ଚରାଇବା କିମ୍ବା ପାଣି ପିଆଇବା ସମୟରେ ସତର୍କ ରହିବାକୁ ଅନୁରୋଧ କରାଯାଇଛି। ଯଦି କୌଣସି ଆବାସିକ ଅଞ୍ଚଳ କିମ୍ବା ନିକଟବର୍ତ୍ତୀ ଜଳାଶୟରେ କୁମ୍ଭୀର ଦେଖାଯାଏ, ତେବେ ବନ ବିଭାଗ ତରଫରୁ ତ୍ଵରିତ ପଦକ୍ଷେପ ନିମନ୍ତେ ବନ ବିଭାଗର ହ୍ୱାଟ୍ସଆପ୍ ହେଲ୍ପଲାଇନ୍ (୯୯୩୮୯୧୪୧୦୧) ମାଧ୍ୟମରେ ସୂଚନା ଦେବାକୁ କୁହାଯାଇଛି।

ମାନବ ଜୀବନ ଏବଂ ବନ୍ୟପ୍ରାଣୀ ଉଭୟଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବନ ବିଭାଗ ଦ୍ୱାରା ଜାରି ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରିବାକୁ ଏବଂ ବନ କର୍ମଚାରୀଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.