Latest Odisha News

BREAKING NEWS

“ଭୟ ମୋର କର୍ତ୍ତବ୍ୟ ସ୍ଥିର କରିପାରିବ ନାହିଁ”: ମୃତ୍ୟୁଦଣ୍ଡ ଏବଂ ଗିରଫଦାରୀର ଆଶଙ୍କା ସତ୍ତ୍ୱେ ବାଂଲାଦେଶ ଫେରିବାକୁ ଶେଖ୍ ହସିନାଙ୍କ ଘୋଷଣା

ନୂଆଦିଲ୍ଲୀ: ଗିରଫଦାରୀ, ଜେଲ୍ ଯିବା କିମ୍ବା ମୃତ୍ୟୁଦଣ୍ଡର ଆଶଙ୍କା ଥିଲେ ମଧ୍ୟ ସେ ଆସନ୍ତା ଡିସେମ୍ବର ମାସରେ ସ୍ୱଦେଶ ଫେରିବେ ବୋଲି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ନୂଆଦିଲ୍ଲୀସ୍ଥିତ ଫରେନ୍ କରେସପଣ୍ଡେଣ୍ଟସ୍ କ୍ଲବ୍ ଅଫ୍ ସାଉଥ୍ ଏସିଆ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ହସିନା ସ୍ପଷ୍ଟ ଭାବରେ କହିଛନ୍ତି ଯେ, “ଭୟ ମୋର କର୍ତ୍ତବ୍ୟ ସ୍ଥିର କରିପାରିବ ନାହିଁ”। ଗତ ୨୦୨୪ ମସିହା ଅଗଷ୍ଟ ୫ ତାରିଖରେ ବାଂଲାଦେଶରେ କ୍ଷମତାଚ୍ୟୁତ ହେବା ପରେ ଏହା ଥିଲା ତାଙ୍କର ପ୍ରଥମ ସାର୍ବଜନୀନ ଉଦବୋଧନ ।

ନିଜର ଦୁଇ ବର୍ଷର ନିର୍ବାସନ ପରେ ହସିନା କହିଛନ୍ତି ଯେ, ସେ ତାଙ୍କ ଭାଗ୍ୟ ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ଅଛନ୍ତି । ଦେଶକୁ ଫେରିଲେ ତାଙ୍କୁ ହତ୍ୟା କରାଯାଇପାରେ, ଜେଲ୍ ପଠାଯାଇପାରେ କିମ୍ବା ଗିରଫ କରାଯାଇପାରେ, ତଥାପି ସେ ଫେରିବାକୁ ଚାହୁଁଛନ୍ତି କାରଣ ତାଙ୍କ ଦେଶର ଲୋକମାନେ ତାଙ୍କୁ ଡାକୁଛନ୍ତି ବୋଲି ସେ ହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ନଭେମ୍ବର ମାସରେ ଢାକାର ଏକ ଅଦାଲତ ତାଙ୍କୁ ଗଣବିକ୍ଷୋଭ ବେଳେ ମାନବିକତା ବିରୋଧୀ ଅପରାଧ ପାଇଁ ମୃତ୍ୟୁଦଣ୍ଡାଦେଶ ଶୁଣାଇଥିଲେ । କିନ୍ତୁ ହସିନା ଏହି ରାୟକୁ ଆଇନର ଆଢୁଆଳରେ ଏକ “ରାଜନୈତିକ ପ୍ରତିଶୋଧ” ବୋଲି ଆଖ୍ୟା ଦେଇଛନ୍ତି ।

ଅନ୍ୟପକ୍ଷରେ ହସିନାଙ୍କ ଏହି ଘୋଷଣା ପରେ ବାଂଲାଦେଶର ଆଇନ ମନ୍ତ୍ରୀ ଏମ୍. ଅସାଦୁଜ୍ଜମାନ କଡ଼ା ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଜଣେ ନାଗରିକ ଭାବେ ଦେଶକୁ ଫେରିବାର ତାଙ୍କର ଅଧିକାର ରହିଥିଲେ ମଧ୍ୟ ଆଇନ ନିଜ ବାଟରେ ଯିବ ଏବଂ ଆତ୍ମସମର୍ପଣ କରିବା ପୂର୍ବରୁ ହିଁ ତାଙ୍କୁ ଗିରଫ କରାଯିବାର ସମ୍ଭାବନା ରହିଛି । ହସିନାଙ୍କ ପାସପୋର୍ଟ ବାତିଲ୍ କରାଯାଇଥିବାରୁ ସେ କିପରି ଫେରିବେ ସେ ନେଇ ପ୍ରଶ୍ନ ଉଠିବାରୁ ଏହା ହସିନାଙ୍କ ବ୍ୟକ୍ତିଗତ ସମସ୍ୟା ବୋଲି ଆଇନ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ତେବେ ବାଂଲାଦେଶ ସୀମାରେ ପ୍ରବେଶ କରିବା କ୍ଷଣି ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

୨୦୨୪ ମସିହାର ଜନଆନ୍ଦୋଳନ ସମ୍ପର୍କରେ ମତ ରଖି ହସିନା କହିଛନ୍ତି ଯେ, ତାହା କୌଣସି ସାଧାରଣ ଛାତ୍ର ଆନ୍ଦୋଳନ ନଥିଲା ବରଂ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ମାଧ୍ୟମରେ ଗଣତାନ୍ତ୍ରିକ ପ୍ରକ୍ରିୟା ବାହାରେ ତାଙ୍କ ସରକାରଙ୍କୁ ହଟାଇବାର ପ୍ରୟାସ ଥିଲା । ନିଜ ଦଳ ଆୱାମୀ ଲିଗ୍ ଉପରେ ଲାଗିଥିବା ପ୍ରତିବନ୍ଧକ ସତ୍ତ୍ୱେ ସେ ଆଗାମୀ ଡିସେମ୍ବର ମାସରେ ଦେଶକୁ ଫେରିବା ସହିତ କୋର୍ଟରେ ଆତ୍ମସମର୍ପଣ କରିବେ ବୋଲି ସୂଚନା ଦେଇଛନ୍ତି । ହସିନାଙ୍କ ଏହି ପ୍ରତ୍ୟାବର୍ତ୍ତନ ଘୋଷଣା ବାଂଲାଦେଶ ରାଜନୀତିରେ ପୁଣି ଏକ ନୂଆ ଝଡ଼ ସୃଷ୍ଟି କରିବାର ସମ୍ଭାବନା ଦେଖାଦେଇଛି ।

Leave A Reply

Your email address will not be published.