Latest Odisha News

BREAKING NEWS

ପୁଣି ନାଟକ କରିପାରନ୍ତି ନକବୀ : ମହିଳା ଏସିଆ କପ୍ ଫାଇନାଲରେ ମୁଖ୍ୟ ଅତିଥି !

ମୁମ୍ବାଇ: ମହିଳା ଏସିଆ କପ୍ ୨୦୨୬ର ଫାଇନାଲ୍ ମ୍ୟାଚ୍‌ରେ ପୁଣି ଥରେ ଟ୍ରଫି ପ୍ରଦାନକୁ ନେଇ ବିବାଦ ଦେଖାଦେବାର ଆଶଙ୍କା ପ୍ରକାଶ ପାଇଛି। ଏସିଆନ୍ କ୍ରିକେଟ୍ କାଉନ୍ସିଲ୍ ର ସଭାପତି ତଥା ପାକିସ୍ତାନ କ୍ରିକେଟ୍ ବୋର୍ଡ ର ଅଧ୍ୟକ୍ଷ ମୋହସିନ୍ ନକଭୀ ସେପ୍ଟେମ୍ବର ୧୩ରେ ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ରିପୋର୍ଟ ଅନୁସାରେ, ସେ ବିଜେତା ଦଳକୁ ଟ୍ରଫି ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି।

ଏହି ଖବର ପରେ କ୍ରିକେଟ୍ ଜଗତରେ ପୁଣି ଚର୍ଚ୍ଚା ଜୋର୍ ଧରିଛି, କାରଣ ଗତବର୍ଷ ପୁରୁଷ ଏସିଆ କପ୍‌ରେ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା। ପୁରୁଷ ଏସିଆ କପ୍ ଫାଇନାଲରେ ଭାରତୀୟ ଦଳ ପାକିସ୍ତାନକୁ ହରାଇ ଚାମ୍ପିଅନ୍ ହୋଇଥିଲେ ସୁଦ୍ଧା, ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ମୋହସିନ୍ ନକଭୀଙ୍କ ହାତରୁ ଟ୍ରଫି ଗ୍ରହଣ କରିବାକୁ ସିଧାସଳଖ ମନା କରିଦେଇଥିଲା। ଏହାପରେ ନକଭୀ ଟ୍ରଫି ନେଇ ଚାଲିଯାଇଥିଲେ ଏବଂ ଏପର୍ଯ୍ୟନ୍ତ ସେହି ଟ୍ରଫି ଏସିସି ଦୁବାଇ କାର୍ଯ୍ୟାଳୟରେ ରହିଛି।

ବର୍ତ୍ତମାନ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା କ୍ରିକେଟ୍ ଦଳ ଭଲ ପ୍ରଦର୍ଶନ କରି ସେମିଫାଇନାଲ୍‌ରେ ପହଞ୍ଚିବା ସହ ଟାଇଟଲ୍ ଜିତିବାର ପ୍ରମୁଖ ଦାବିଦାର ରହିଛି। ଗ୍ରୁପ୍ ପର୍ଯ୍ୟାୟରେ ଭାରତୀୟ ଦଳ ପାକିସ୍ତାନକୁ ୭ ୱିକେଟ୍‌ରେ ଶୋଚନୀୟ ଭାବେ ପରାସ୍ତ କରି ନିଜର ଦବ୍‌ଦବା ଜାହିର କରିସାରିଛି। ଯଦି ଭାରତୀୟ ମହିଳା ଦଳ ଫାଇନାଲରେ ଚାମ୍ପିଅନ୍ ହୁଏ, ତେବେ ସେମାନେ ନକଭୀଙ୍କଠାରୁ ଟ୍ରଫି ଗ୍ରହଣ କରିବେ ନା ପୁରୁଷ ଦଳ ପରି ନିଷ୍ପତ୍ତି ନେବେ , ତାହା ଉପରେ ସାରା କ୍ରିକେଟ ପ୍ରେମୀଙ୍କ ନଜର ରହିଛି। ତେବେ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ବୟାନ ଆସିନାହିଁ।

Leave A Reply

Your email address will not be published.