ଭୁବନେଶ୍ୱର: MMDR ପ୍ରସଙ୍ଗକୁ ନେଇ ବିଜେଡିର ବଡ଼ ଘୋଷଣା। ଆଇନ ପ୍ରତ୍ୟାହାର ନକଲେ ଅର୍ଥନୈତିକ ଅବରୋଧ କରିବ ଦଳ। ପ୍ରେସମିଟ୍ କରି ଏହି ଚେତାବନୀ ଦେଇଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ଅର୍ଥନୈତିକ ଅବରୋଧ, ବାଣିଜ୍ୟିକ ଅବରୋଧ ସହ ଆନ୍ଦୋଳନ। ୨୦୦୫ରୁ ୨୦୨୬ ଯାଏ ବାକିଆ ଲକ୍ଷେ ୨୦ ହଜାର କୋଟି ରାଜ୍ୟ ହରାଇଲା। ଖଣି, ଖଣିଜ ସମ୍ପଦ ଥିଲା ବୋଲି ପୁଞ୍ଜି ନିବେଶକାରୀ ରାଜ୍ୟକୁ ଆସୁଥିଲେ। ସେ କ୍ଷମତା ଯେତେବେଳେ କେନ୍ଦ୍ର ପାଖକୁ ଗଲା, ଆଉ ରାଜ୍ୟକୁ ଆସିବେ ତ ବୋଲି ପ୍ରଶ୍ନ କରିଛି ବିଜେଡି ।
ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ୨୪ ବର୍ଷର ମୁଖ୍ୟମନ୍ତ୍ରୀ ଏବେକାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏ ବିଷୟରେ ଜଣାଇଲେ । ତାଙ୍କୁ ପ୍ରସ୍ତାବ ଦେଲେ । ହେଲେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ସୌଜନ୍ୟତା ଦୃଷ୍ଟିରୁ ଚିଠିର କୌଣସି ଉତ୍ତର ଦେଲେ ନାହିଁ । ଏମଏମଡିଆର ଆଇନ ସଂଶୋଧନ କରି ରାଜ୍ୟର ଅଧିକାର ଛଡାଇ ନେଲେ । ସର୍ବଦଳୀୟ ବୈଠକ ଓ ସ୍ଵତନ୍ତ୍ର ବିଧାନସଭା ଡାକିବାକୁ ନବୀନ ପରାମର୍ଶ ଦେଇଥିଲେ । ହେଲେ ବିଜେପି ତାହା ଶୁଣିଲା ନାହିଁ । ରାଜ୍ୟର ଖଣିଜ ସମ୍ପଦ କେନ୍ଦ୍ର ହାତକୁ ଚାଲିଗଲା । କେନ୍ଦ୍ର ହାତକୁ ସବୁ ଚାଲିଗଲେ ଓଡ଼ିଶାକୁ ପୁଞ୍ଜି ନିବେଶକାରୀ ଆସିବେ ତ ?
ସେପଟେ MMDR ସଂଶୋଧନ ପ୍ରସଙ୍ଗକୁ ନେଇ କଡ଼ା ଜବାବ ରଖିଲେ ବିଜେପି ନେତା ଅମର ପଟ୍ଟନାୟକ । ସେ କହିଛନ୍ତି ଯେ, ବିଜେଡି ଅର୍ଥନୈତିକ ଅବରୋଧ କରିବା ଦ୍ୱାରା ଓଡ଼ିଶାର ଅଧିକ ଅର୍ଥନୈତକ କ୍ଷତି ହେବ । ବିଜେଡି ରାଜନୈତିକ ଫାଇଦା ହାସଲ କରିବା ପାଇଁ ଲୋକଙ୍କୁ ବିଭ୍ରାନ୍ତି କରୁଛି । ବିଜେଡି ଔଷଧ ବିକଳରେ ତାଟିଆ କାମୁଡୁଛି । ଜଣେ ସରକାର ୨୪ ବର୍ଷ ଶାସନରେ ରହିବା ପରେ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତି କରିବା ପାଇଁ ଗୋଟିଏ ମିଥ୍ୟା କାହାଣୀ ରଚନା କରୁଛନ୍ତି । ଏମଏମଡିଆର ଆକ୍ଟ ଦ୍ୱାରା ସ୍ବଳ୍ପ ମିଆଦି ପାଇଁ କ୍ଷତି ହୋଇପାରେ କିନ୍ତୁ ଦୀର୍ଘ ମିଆଦି କ୍ଷେତ୍ରରେ ଓଡ଼ିଶାର ଲାଭ ହେବ । କେବଳ ଓଡ଼ିଶା ପାଇଁ ନୁହେଁ ବରଂ ସବୁ ରାଜ୍ୟ ଏପରିକି ସାରା ଭାରତବର୍ଷ ପାଇଁ ଅର୍ଥନୈତିକ ଲାଭ ହେବ । ଏହାଦ୍ବାରା ଟାକ୍ସ ସ୍ଥିର ରହିବ । ବେଶୀ ଲୋକ ଓଡ଼ିଶାକୁ ଆସି ଅକ୍ସନରେ ଭାଗୀଦାର ହେବେ । ଏହା ଓଡ଼ିଶା ଅର୍ଥନୀତି ପାଇଁ ଲାଭଦାୟକ ହେବ ।

