Latest Odisha News

BREAKING NEWS

ବିଜେପି ସରକାର ଆସିବା ପରେ ରାଜ୍ୟକୁ ଛୁଟୁଛି ନିବେଶର ସୁଅ:ଶିଳ୍ପ ମନ୍ତ୍ରୀ

ଭୁବନେଶ୍ବର:ୟୁଏଇ ଗସ୍ତ ଓଡିଶାର ଶିଳ୍ପ ଜଗତ ପାଇଁ ଏକ ଐତିହାସିକ ଏବଂ ଅତ୍ୟନ୍ତ ସଫଳ ଅଧ୍ୟାୟ ହୋଇ ରହିବ ବୋଲି ରାଜ୍ୟ ଶିଳ୍ପ ମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି । ଏହା ଆଲୁମିନିୟମ୍ ଏବଂ ଡାଉନଷ୍ଟ୍ରିମ୍ ଶିଳ୍ପ, କ୍ରିଟିକାଲ ମିନେରାଲ୍ସ, ଗ୍ରୀନ ଏନର୍ଜି, ଲଜିଷ୍ଟିକ, ଫୁଡ୍ ପ୍ରୋସେସିଂ, ଟେକ୍ସଟାଇଲ୍ସ କେମିକାଲ୍ସ ଏବଂ ଅନ୍ୟାନ୍ୟ ବିକଶିତ କ୍ଷେତ୍ରରେ ନୂତନ ସୁଯୋଗର ବାଟ ଫିଟାଇଛି ।

ଓଡିଶାର ଶିଳ୍ପ ବିକାଶ, ରାଜ୍ୟକୁ ବୈଦେଶିକ ପୁଞ୍ଜିନିବେଶ ଆକୃଷ୍ଟ କରିବା ତଥା ଯୁବବର୍ଗଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୃଷ୍ଟି କରିବା ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ‘ଓଡିଶା ଇନଭେସର୍ଟସ୍‌’ ମିଟ୍ – ୟୁଏଇ ୨୦୨୬’ ପାଇଁ ତିନିଦିନିଆ ୟୁଏଇ (ସଂଯୁକ୍ତ ଆରବ ଏମିରେଟ୍ସ) ଗସ୍ତରେ ଯାଇଥିଲେ । ୟୁଏଇ ତଥା ବିଶ୍ୱର ୧୬୦ଜଣ ପ୍ରମୁଖ ନିବେଶକ, ଶିଳ୍ପ ନେତୃବୃନ୍ଦ ଏବଂ ପ୍ରତିଷ୍ଠିତ ବାଣିଜ୍ୟିକ ସଂସ୍ଥାଗୁଡିକ ସହ ପାଖାପାଖି ୫୨ଟି ବୈଠକରେ ଯୋଗ ଦେଇ ଏହି ନିବେଶକ ସମ୍ମିଳନୀରେ ମୋଟ ୨୪ଟି ପୁଞ୍ଜିନିବେଶ ପ୍ରସ୍ତାବ ରାଜ୍ୟକୁ ଆସିପାରିଛି ।

ଏହି ପ୍ରସ୍ତାବଗୁଡିକ ମାଧ୍ୟମରେ ରାଜ୍ୟକୁ ପ୍ରାୟ ୨ଲକ୍ଷ ୪୩ହଜାର ୧୬୨ କୋଟି ଟଙ୍କାର ପୁଞ୍ଜିନିବେଶ ଆସିବ ଏବଂ ଏହାଦ୍ୱାରା ୮ଲକ୍ଷ ୯୫ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।

ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶିଳ୍ପ ମନ୍ତ୍ରୀ ସଂପଦ ଚନ୍ଦ୍ର କହିଛନ୍ତି ଯେ; ନିବେଶ ପ୍ରସ୍ତାବଗୁଡିକୁ ପ୍ରକଳ୍ପରେ ପରିଣତ କରିବା, ଶିଳ୍ପ ପ୍ରତିଷ୍ଠାକୁ ସହଜ କରିବା ଏବଂ ଯୁବପିଢିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ହେଉଛି ଆମ ସରକାରଙ୍କ ମୂଳ ଲକ୍ଷ୍ୟ । ବର୍ତ୍ତମାନ ଓଡିଶାର ଶିଳ୍ପ ଅଗ୍ରଗତି ବେଶ୍ ଉଲ୍ଲେଖନୀୟ ହୋଇପାରିଛି । ଆମ ସରକାର ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଆମେ ପାଖାପାଖି ୧୦ଲକ୍ଷ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ଏବଂ ୬ଲକ୍ଷ ୩୦ ହଜାରରୁ ଅଧିକ ନିଯୁକ୍ତି ସମ୍ଭାବନା ଥିବା ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ୨୫ବର୍ଷର ଓଡିଶା ଶିଳ୍ପ ଇତିହାସରେ ଏହି ରେକର୍ଡ କେବେ ଦେଖିବାକୁ ମିଳିନଥିଲା ।
ଆମେ ୧୦ଟି ପ୍ରମୁଖ ସେକ୍ଟରାଲ୍ ଗ୍ରୁପରେ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରିଛୁ । ଆମ ସରକାରଙ୍କ ଲକ୍ଷ୍ୟ ସାମଗ୍ରିକ ବିକାଶ ।

ମାଲକାନଗିରିରୁ ମୟୁରଭଞ୍ଜ ଏବଂ ସୁନ୍ଦରଗଡରୁ ଜଗତସିଂହପୁର ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଶିଳ୍ପାୟନକୁ ପ୍ରୋତ୍ସାହନ ଦେଉଛୁ । କେବଳ ଶିଳ୍ପ ପ୍ରକଳ୍ପ ଅନୁମୋଦନ ନୁହେଁ, ପ୍ରକଳ୍ପ ଗୁଡିକୁ ବାସ୍ତବରେ ରୂପ ଦେବା ଉପରେ ଆମ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି । ଏପର୍ଯ୍ୟନ୍ତ ପାଖାପାଖି ୩ଲକ୍ଷ ୧୨ହଜାର କୋଟି ଟଙ୍କାର ୧୫୧ଟି ଶିଳ୍ପ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ହୋଇସାରିଛି ଯେଉଁଥିରେ ୨ଲକ୍ଷ ୪୦ହଜାରରୁ ଅଧିକ ନିଯୁକ୍ତି ସମ୍ଭାବନା ରହିଛି ବୋଲି ସଂପଦ ସ୍ୱାଇଁ କହିଛନ୍ତି ।

ପୂର୍ବ ସରକାରଙ୍କ ଦାୟିତ୍ଵହୀନତା ଏବଂ ଶିଳ୍ପ ପ୍ରତିଷ୍ଠା ପାଇଁ ଆନ୍ତରିକ ଇଚ୍ଛାଶକ୍ତି ଅଭାବ କାରଣରୁ ରାଜ୍ୟରୁ ଫେରି ଯାଇଥିବା ଶିଳ୍ପ ପ୍ରକଳ୍ପକୁ ଆମ ସରକାର ପୁଣି ଫେରାଇ ଆଣିବାରେ ସକ୍ଷମ ହୋଇପାରିଛନ୍ତି । ପୋସ୍କୋ ଏହାର ଜ୍ୱଳନ୍ତ ଉଦାହରଣ । ଆଗାମୀ ଦିନରେ କେନ୍ଦୁଝର ଓ ଢେଙ୍କାନାଳ ଠାରେ ଜେଏସଡବ୍ଲ୍ୟୁ ଏବଂ ପୋସ୍କୋ ମିଳିତ ଭାବେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଯାଉଛନ୍ତି । ଏହା କ’ଣ ପରିବର୍ତିତ ଓଡିଶାର ବାସ୍ତବ ଚିତ୍ର ନୁହେଁ କି ବୋଲି ମନ୍ତ୍ରୀ ସ୍ୱାଇଁ ପ୍ରଶ୍ନ କରିଛନ୍ତି ।

ଶିଳ୍ପ ବିକାଶର ପ୍ରସଙ୍ଗରେ ପୂର୍ବ ସରକାର ଦିନରେ ଲଣ୍ଠନ ଦେଖାଇ ମନଗଢା କାହାଣୀ କହୁଥିଲେ । ଆମ ସରକାରଙ୍କ ପ୍ରତ୍ୟେକ ପଦକ୍ଷେପକୁ ଫଟୋ-ଅପ୍ ବୋଲି କହିବା ବିଜେଡିର ରାଜନୈତିକ ହତାଶାକୁ ପ୍ରତିଫଳିତ କରୁଛି । ପ୍ରଶ୍ନ କରିବା ଗଣତନ୍ତ୍ରର ଅଧିକାର, କିନ୍ତୁ ଉତ୍ତର ଶୁଣିବା ମଧ୍ୟ ଗଣତନ୍ତ୍ରର ଦାୟିତ୍ୱ । ବିଜେଡି ପାଖରେ ପର୍ଯ୍ୟାପ୍ତ ସୁଯୋଗ ଥିଲା, କିନ୍ତୁ କାମ କଲେ ନାହିଁ । କିନ୍ତୁ ଆମ ସରକାର କଥାରେ ନୁହେଁ ବରଂ କାମରେ ବିଶ୍ୱାସ କରୁ । ଆମର ଉତ୍ତର ସ୍ପଷ୍ଟ – ପ୍ରକଳ୍ପ ଆସୁଛି, ନିବେଶ ହେଉଛି ଓ ନିଯୁକ୍ତି ସୃଷ୍ଟି ହେଉଛି ।

ସଦ୍ୟ ପ୍ରକାଶିତ ସିଏମଆଇ ରିପୋର୍ଟ ତଥ୍ୟାନୁଯାୟୀ, ନିବେଶକଙ୍କୁ ଆତ୍କୃଷ୍ଟ କରିବାରେ ଓଡିଶା ଦ୍ୱିତୀୟ ସ୍ଥାନରେ ଥିବାବେଳେ ନୀତି ଆୟୋଗ ରିପୋର୍ଟ ଅନୁଯାୟୀ ଓଡିଶା ହେଉଛି ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ । ବର୍ତ୍ତମାନ ଦ୍ରୁତ ଶିଳ୍ପାୟନ ମାଧ୍ୟମରେ ଆମେ ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ସ୍ୱପ୍ନ ସାକାର କରିବୁ ବୋଲି ମନ୍ତ୍ରୀ ସ୍ୱାଇଁ କହିଛନ୍ତି ।

ଏହି ଅବସରରେ ରାଜ୍ୟ ମୁଖପାତ୍ର ତପନ ଚାନ୍ଦ, ଅନିଲ ବିଶ୍ୱାଳ ଏବଂ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.