Latest Odisha News

BREAKING NEWS

ଆସୁଛି ପାର୍ବଣ, କିଏ ସମ୍ଭାଳିବେ କମିଶନରେଟ୍ ପୋଲିସର ମଙ୍ଗ? ନୂଆ ଡିସିପି ପଦ ପାଇଁ ଏକାଧିକ ଆଇପିଏସଙ୍କ ନାଁ ଚର୍ଚ୍ଚାରେ

ଭୁବନେଶ୍ୱର: ଭୁବନେଶ୍ୱର ଡେପୁଟି କମିଶନର ଅଫ୍ ପୋଲିସ ତଥା ୨୦୧୩ ବ୍ୟାଚର ବରିଷ୍ଠ ଆଇପିଏସ୍ ଅଧିକାରୀ ଜଗମୋହନ ମୀନାଙ୍କ ଇସ୍ତଫା ପତ୍ରକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ବିଜ୍ଞପ୍ତି ଜାରି କରାଯାଇ ଏହି ସୂଚନା ଦିଆଯାଇଛି । ସେପ୍ଟେମ୍ବର ୧୧ ତାରିଖରୁ ତାଙ୍କର ଇସ୍ତଫାକୁ ବିଧିବଦ୍ଧ ମଞ୍ଜୁରୀ ମିଳିଛି । ଏହି ବିଦାୟୀ ଆଦେଶ ପରେ ଏବେ ରାଜ୍ୟ ପୋଲିସ ମହଲରେ ଗୋଟିଏ ବଡ଼ ଚର୍ଚ୍ଚା ଜୋର ଧରିଛି, ଭୁବନେଶ୍ୱରର ପରବର୍ତ୍ତୀ ଡିସିପି ହେବେ କିଏ?

ସୂଚନାଯୋଗ୍ୟ ଯେ, ବ୍ୟକ୍ତିଗତ କାରଣ ଦର୍ଶାଇ ଗତ ଜୁଲାଇ ମାସ ୬ ତାରିଖରେ ରାଜ୍ୟ ସରକାରଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେ ଜଗମୋହନ ମୀନା । ପ୍ରାୟ ୧୩ ବର୍ଷ ଧରି ଓଡ଼ିଶା ପୋଲିସରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବା ପରେ ଭବିଷ୍ୟତରେ ଘରୋଇ କ୍ଷେତ୍ରରେ କାର୍ଯ୍ୟ କରିବା ନେଇ ସେ ନିଜର ଇଚ୍ଛା ପ୍ରକାଶ କରିଥିଲେ । ଏବେ ତାଙ୍କ ଇସ୍ତଫା ଆନୁଷ୍ଠାନିକ ଭାବେ ଗୃହୀତ ହେବା ପରେ, ରାଜଧାନୀର ସୁରକ୍ଷା ଓ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଖୁବଶୀଘ୍ର ଏକ ନୂଆ ଏବଂ ଦକ୍ଷ ମୁହଁ ଖୋଜୁଛନ୍ତି ରାଜ୍ୟ ସରକାର ।

ନୂଆ ଡିସିପି ପଦବୀ ପାଇଁ ଏକାଧିକ ଆଇପିଏସ୍ ଅଫିସରଙ୍କ ନାଁ ସମ୍ଭାବ୍ୟ ତାଲିକାରେ ଚର୍ଚ୍ଚାକୁ ଆସିଛି । ବିଶେଷ କରି ୨୦୧୫ ଏବଂ ୨୦୧୬ ବ୍ୟାଚର କିଛି ଯୁବ ତଥା ଦକ୍ଷ ଆଇପିଏସ୍ ଅଧିକାରୀ ଏହି ରେସ୍‌ରେ ଆଗରେ ଅଛନ୍ତି । ବ୍ରହ୍ମପୁରର ବର୍ତ୍ତମାନର ଏସପି ଡ. ଶ୍ରବଣ ବିବେକ ଏମ୍., କେନ୍ଦୁଝର ଏସପି କୁସଲକର ନିତିନ ଦାଗଡୁ ଏବଂ ଅନୁଗୁଳ ଏସପି ରାହୁଲ ଜୈନଙ୍କ ନାଁ ଟପ୍ କଣ୍ଟେଣ୍ଡର ଭାବେ ଶୁଣିବାକୁ ମିଳୁଛି । ଏହା ବ୍ୟତୀତ କଟକ ଡିସିପି ଋଷିକେଶ ଖିଲାରୀ, ଖୋର୍ଦ୍ଧା ଏସପି ପରମାର ସ୍ମିତ ପୁରୁଷୋତ୍ତମଦାସ ଏବଂ ସମ୍ବଲପୁର ଏସପି ମୁକେଶ କୁମାର ଭାମୁଙ୍କ ନାମ ଉପରେ ମଧ୍ୟ ସରକାର ବିଚାର କରୁଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ।

ଆଗକୁ ଦୁର୍ଗା ପୂଜା ଭଳି ବଡ଼ ପାର୍ବଣ ଆସୁଛି । ରାଜଧାନୀରେ ପୂଜା ସମୟରେ ଟ୍ରାଫିକ୍ ନିୟନ୍ତ୍ରଣଠାରୁ ଆରମ୍ଭ କରି ଭିଡ଼ ପରିଚାଳନା, ସୁରକ୍ଷା ବନ୍ଦୋବସ୍ତ ଏବଂ ଆଇନଶୃଙ୍ଖଳା ରକ୍ଷା କରିବା କମିଶନରେଟ୍ ପୋଲିସ ପାଇଁ ଏକ ବଡ଼ ଆହ୍ୱାନ ହୋଇଥାଏ । ତା’ଛଡ଼ା ସହରରେ ବଢ଼ୁଥିବା ଅପରାଧ, ଛିନତାଇ ଘଟଣାଗୁଡ଼ିକ ଉପରେ ରୋକ୍ ଲଗାଇବାକୁ ହେଲେ ଜଣେ ଫିଲ୍ଡ-ଓରିଏଣ୍ଟେଡ୍ ତଥା ଅଭିଜ୍ଞ ଅଫିସରଙ୍କୁ ଏହି ଦାୟିତ୍ୱ ଦେବା ନିହାତି ଜରୁରୀ ହୋଇପଡିଛି । ତେଣୁ ଏସପି ସ୍ତରରେ ଏକ ଅଦଳବଦଳ କରି ରାଜ୍ୟ ସରକାର ଖୁବଶୀଘ୍ର ଭୁବନେଶ୍ୱର ପାଇଁ ନୂଆ ଡିସିପିଙ୍କ ନାମ ଘୋଷଣା କରିବେ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.