ନୂଆଦିଲ୍ଲୀ:ପ୍ରାୟ ୧୦୦ ବର୍ଷରୁ ଅଧିକ ସମୟ ପରେ ବିଲେଇର ଏକ ସମ୍ପୂର୍ଣ୍ଣ ନୂଆ ଜୀବନ୍ତ ପ୍ରଜାତିର ସନ୍ଧାନ ମିଳିଛି, ଯାହାର ବୈଜ୍ଞାନିକ ନାମ ଲିଓପାର୍ଡସ ତିଲକାୟୋ ରଖାଯାଇଛି । ୨୦୧୭ ମସିହାରେ ଦକ୍ଷିଣ ଆମେରିକାର ବୋଲିଭିଆରେ ଜଣେ ସ୍ଥାନୀୟ ବ୍ୟକ୍ତି ରାସ୍ତା କଡ଼ ଜଙ୍ଗଲରୁ ଏକ ଛୋଟ ବିଲେଇ ଛୁଆ ପାଇ ନିଜ ଘରକୁ ଆଣିଥିଲେ । ବର୍ଷେ ପରେ ଏହା ଏକ ବନ୍ୟଜନ୍ତୁ ବୋଲି ଜାଣିପାରି ସେଣ୍ଡା ଭର୍ଡେ ଆନିମଲ ରିଫ୍ୟୁଜ୍ ଶରଣାପନ୍ନ ସଂସ୍ଥାକୁ ହସ୍ତାନ୍ତର କରିଥିଲେ । ନ୍ୟାସନାଲ ଜିଓଗ୍ରାଫିକ୍ ରିପୋର୍ଟ ଅନୁସାରେ, ଜୀବବିଜ୍ଞାନୀ ପାଓଲା ନୋଗାଲେସ୍-ଆସ୍କାରୁଞ୍ଜ ଏହି ବିଲେଇର ଶରୀରରେ ଥିବା ଚିତାବାଘ ଭଳି ବଡ଼ ବଡ଼ ଦାଗ ଦେଖି ସନ୍ଦେହ କରିଥିଲେ ।
ପରେ ବ୍ରାଜିଲ୍ ଓ ବେଲଜିୟମ୍ର ବୈଜ୍ଞାନିକମାନେ ଏହାର ଡିଏନଏ ଏବଂ ଜିନୋମ୍ ପରୀକ୍ଷା କରି ଜାଣିବାକୁ ପାଇଲେ ଯେ ଏହା ୧୪ ଲକ୍ଷ ବର୍ଷ ପୂର୍ବରୁ ଅନ୍ୟ ପ୍ରଜାତିଠାରୁ ଅଲଗା ହୋଇସାରିଥିବା ଏକ ସମ୍ପୂର୍ଣ୍ଣ ନୂଆ ପ୍ରଜାତି । ଏହି ବିଲେଇର ଲମ୍ବ ମୁଣ୍ଡରୁ ଲାଞ୍ଜ ଯାଏଁ ମାତ୍ର ୧୮ ଇଞ୍ଚ (୪୬ ସେମି) ଏବଂ ଓଜନ ପ୍ରାୟ ୧.୩ ରୁ ୧.୪ କିଲୋଗ୍ରାମ, ଯାହା ସାଧାରଣ ଗୃହପାଳିତ ବିଲେଇଠାରୁ ମଧ୍ୟ କମ। ସ୍ଥାନୀୟ ଲୋକେ ଏବଂ ତାକୁ ପାଇଥିବା ବ୍ୟକ୍ତି ଏହି ବିଲେଇକୁ ତିଲକାୟୋ ବୋଲି ଡାକୁଥିଲେ, ଯାହାକୁ ସମ୍ମାନ ଦେଇ ବୈଜ୍ଞାନିକମାନେ ଏହାର ଅଫିସିଆଲ୍ ନାମ ଲିଓପାର୍ଡସ ଟିଲକାୟୋ ରଖିଛନ୍ତି । ପୂର୍ବରୁ ଏହି ଅଞ୍ଚଳରେ ଗୋଟିଏ ପ୍ରକାରର ଟାଇଗର କ୍ୟାଟ୍ ଅଛନ୍ତି ବୋଲି ଧାରଣା ଥିଲା, ମାତ୍ର ଏହି ନୂଆ ଗବେଷଣା ପରେ ଜଣାପଡ଼ିଛି ଯେ ସେଠାରେ ୫ଟି ଅଲଗା ଅଲଗା ପ୍ରଜାତି ରହିଛନ୍ତି ।

