ପାରାଦୀପ: ଗଭୀର ଅବପାତ ଯୋଗୁଁ ସମୁଦ୍ର ଅଶାନ୍ତ ରହିଛି। ଯାହା ଫଳରେ ଆନ୍ଧ୍ରପ୍ରଦେଶର ୨୪୮ ଜଣ ମତ୍ସ୍ୟଜୀବୀଙ୍କୁ ନେଇ ଆସିଥିବା ୨୮ଟି ଟ୍ରଲର୍ ଜଗତସିଂହପୁର ଜିଲ୍ଲାର ପାରାଦୀପ ବନ୍ଦରରେ ଆଶ୍ରୟ ନେଇଛନ୍ତି।
ସୂଚନା ଅନୁଯାୟୀ, ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ମତ୍ସ୍ୟଜୀବୀ ଏବଂ ସେମାନଙ୍କ ଟ୍ରଲରଗୁଡ଼ିକୁ ବନ୍ଦର ଭିତରେ ଆଶ୍ରୟ ନେଇ ଅନୁମତି ଦେଇଛନ୍ତି। ବର୍ତ୍ତମାନର ପାଣିପାଗ ସ୍ଥିତିକୁ ଦୃଷ୍ଟିରେ ରଖି ସୁରକ୍ଷା ଦୃଷ୍ଟିକୋଣରୁ ସେମାନଙ୍କୁ EQ-1 ବର୍ଥ ରେ ରହିବା ବ୍ୟବସ୍ଥା କରାଯାଇଛି।
ଏହାପୂର୍ବରୁ ଅଶାନ୍ତ ସମୁଦ୍ର ଯୋଗୁଁ ଆନ୍ଧ୍ରପ୍ରଦେଶର ୨୭ଟି ମତ୍ସ୍ୟଜୀବୀ ଟ୍ରଲର୍ ଗଞ୍ଜାମ ଉପକୂଳ ନିକଟରେ ଅଟକି ରହିଥିଲେ। ପରେ ସେମାନେ ଗଞ୍ଜାମ ଜିଲ୍ଲାର ଆର୍ଯ୍ୟପଲ୍ଲୀ ମତ୍ସ୍ୟଜୀବୀ ଜେଟିରେ ଆଶ୍ରୟ ନେଇଥିଲେ।
ଉଲ୍ଲେଖନୀୟ ଯେ, ପାରାଦୀପ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ବଳବତ୍ତର ରହିଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବନ୍ଦର ମଧ୍ୟକୁ ଜାହାଜ ପ୍ରବେଶ ଉପରେ କଟକଣା ଲଗାଯାଇଛି।
ବର୍ତ୍ତମାନ ମାଲ୍ ବୋଝେଇ କାର୍ଯ୍ୟରେ ନିୟୋଜିତ ଥିବା ଜାହାଜଗୁଡ଼ିକୁ ତୁରନ୍ତ କାର୍ଯ୍ୟ ଶେଷ କରି ସମୁଦ୍ର ଭିତରେ ଏକ ସୁରକ୍ଷିତ ଦୂରତାକୁ ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ଦର କର୍ତ୍ତୃପକ୍ଷ ଜାହାଜଗୁଡ଼ିକୁ ବନ୍ଦର ବାହାରକୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛନ୍ତି।
ଅପରପକ୍ଷରେ ଅଧିକାରୀମାନେ କହିଛନ୍ତି ଯେ, ଝଡ଼ ଓ ବର୍ଷାର ପ୍ରଭାବ ତଥା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଠାରୁ ମିଳିଥିବା ସୂଚନା ଆଧାରରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।

