ବଡ଼ମ୍ବାର ପ୍ରସିଦ୍ଧ ଭଟ୍ଟାରିକା ମନ୍ଦିରର ଗର୍ଭଗୃହରେ ପଶିଲା ବନ୍ୟାଜଳ: ରୋଷେଇ ଘରକୁ ସ୍ଥାନାନ୍ତର ହେଲା ଦେବୀଙ୍କ ମୂର୍ତ୍ତି
କଟକ: ବଡ଼ମ୍ବା ସ୍ଥିତ ପ୍ରସିଦ୍ଧ ମା’ ଭଟ୍ଟାରିକା ମନ୍ଦିରରେ ପୁଣିଥରେ ବନ୍ୟା ଜଳ ପ୍ରବେଶ କରିଛି। ହୀରାକୁଦ ଡ୍ୟାମରୁ ବନ୍ୟା ଜଳ ନିଷ୍କାସନ ହେବା ପରେ ଏଭଳି ସ୍ଥିତି ଉପୁଜିଛି। ମହାନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଏହି ବନ୍ୟା ଜଳ ମନ୍ଦିରର ଗର୍ଭଗୃହ ଗର୍ଭଗୃହରେ ପଶିଯାଇଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ମା’ ଭଟ୍ଟାରିକାଙ୍କ ବିଗ୍ରହକୁ ଗର୍ଭଗୃହରୁ ସ୍ଥାନାନ୍ତର କରାଯାଇ ମନ୍ଦିରର ରୋଷେଇ ଘରେ ରଖାଯାଇଛି।
ଏଭଳି ଜଟିଳ ପରିସ୍ଥିତି ସତ୍ତ୍ୱେ ମନ୍ଦିରରେ ଦୈନନ୍ଦିନ ନୀତିକାନ୍ତି ଓ ପୂଜାବିଧି ଅବ୍ୟାହତ ରହିଛି। ପୂଜକମାନେ ଅସ୍ଥାୟୀ ସ୍ଥାନରେ ପରମ୍ପରା ଅନୁଯାୟୀ ସମସ୍ତ ନୀତିକାନ୍ତି ସମ୍ପାଦନ କରୁଛନ୍ତି। ଅନ୍ୟପକ୍ଷରେ, ବର୍ତ୍ତମାନର ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଉପ-ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଠଗଡ଼ ସ୍ଥିତ ବାବା ଧବଳେଶ୍ୱର ମନ୍ଦିର ପରିସରରେ ଧାରା ୧୬୩ ଅନୁଯାୟୀ ନିଷେଧାଦେଶ ଜାରି କରାଯାଇଛି।
ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ମନ୍ଦିର ପରିସରକୁ ଭକ୍ତ ଓ ଦର୍ଶନାର୍ଥୀଙ୍କ ପ୍ରବେଶ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି। ମହାନଦୀରେ ଜଳସ୍ତର ବୃଦ୍ଧି ଏବଂ ଆଗକୁ ବନ୍ୟା ପରିସ୍ଥିତି ଗମ୍ଭୀର ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲାର ନଦୀକୂଳରେ ଅବସ୍ଥିତ ଅନ୍ୟାନ୍ୟ ଧାର୍ମିକ ସ୍ଥଳ ଓ ମନ୍ଦିରଗୁଡ଼ିକରେ ମଧ୍ୟ କଟକଣା ଲାଗୁ କରାଯାଇଛି। ପ୍ରଶାସନ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ଏବଂ ଲୋକଙ୍କୁ ନଦୀକୂଳରୁ ଦୂରେଇ ରହିବା ସହ ବନ୍ୟା ପ୍ରଭାବିତ ଅଞ୍ଚଳକୁ ନଯିବା ପାଇଁ ପରାମର୍ଶ ଦେଇଛି।

