ଯୋଦ୍ଧା
ସୁସ୍ମିତା ମହାପାତ୍ର
ଯୋଦ୍ଧା ଭାବେ ଅବା ଜନହିତେ କେବେ
ହାରିଲେ ଜୀବନ,
ପଠାଇବ ମୋ ଶରୀର ଜନମ ମାଟିକୁ ମୋର
ଏହି ନିବେଦନ ।
ବକ୍ଷରେ ସଜାଇ ବୀର ପଦକ ମୋହର
ଶୁଣାଇବ ମାଆକୁ ମୋ ସୁକରମ ଗାଥା,
ଦେଶ ପାଇଁ ଦେଇଅଛି ପ୍ରାଣ ସୁପୁତ୍ର ତାହାର
କାହା ଆଗେ କେବେ ସିଏ ନତ
ନକରିବ ମଥା ।
ଆଶ୍ୱାସିବ ବାପାଙ୍କୁ ମୋ ସଳଖିବେ ଅଣ୍ଟା
ଇହଧାମେ ଥିବି କାହୁଁ ଯାହାପାଇଁ ତାଙ୍କୁ ଆଉ
ଘାରିବ ଦୁଶ୍ଚିନ୍ତା?
ଭାଇକୁ କହିବ ଯାଇ ପଢିବାକୁ ମନଦେଇ,
ମୋ ପ୍ରିୟ ବାଇକ୍ ଚାବି ଏବେ ତା’ର
ସବୁଦିନ ପାଇଁ ।
ଭଉଣୀକୁ ବୁଝାଇବ ନହେବାକୁ ଦୁଃଖୀ,
ପଥଶ୍ରମେ ଶ୍ରାନ୍ତ ହୋଇ ସୁଖେ ଶୋଇଅଛି ଭାଇ
ଭାବି ହେବ ସୁଖୀ ।
ଦୃଢକଣ୍ଠେ କହିବ ପତ୍ନୀକୁ ପକାଇ ମୋ ରାଣ,
ତିଆରିବ ବାବୁକୁ ସେ ଜାତି ହିତେ କରି ପଣ
ଯାଉପଛେ ପ୍ରାଣ ।
ବୁଝାଇବ ଦେଶ ମାତୃକାକୁ ନଝାରିବ ଲୁହ,
ବୀର ସୈନ୍ୟ ସିନା ସିଏ ଅନ୍ୟପାଇଁ ମରେ ଯିଏ
ଏ ଯେ ମାଟି ମୋହ ।
……………………………
Comments are closed.