Latest Odisha News

BREAKING NEWS

ଆଦିତ୍ୟ ଏଲ-୧: ପ୍ରସ୍ତୁତି ପାଇଁ କେତେ ହୋଇଛି ଖର୍ଚ୍ଚ ? କେତେ ବାଟ ଯିବ ?

ଭୁବନେଶ୍ୱର: ଚନ୍ଦ୍ର ପୃଷ୍ଠରେ ଚନ୍ଦ୍ରାୟନ-୩ର ସଫଳତା ପୁର୍ବକ ଲ୍ୟାଣ୍ଡିଂ ପରେ ଭାରତୀୟ ସ୍ପେସ୍ ଏଜେନ୍ସି, ଇସ୍ରୋର ବୈଜ୍ଞାନିକମାନେ ଏବେ ସୂର୍ଯ୍ୟ ଉପରେ  ନଜର ରଖିଛନ୍ତି। ସୌର ଅନୁସନ୍ଧାନ ପାଇଁ ବିଚାର ବିମର୍ଶ କରିବା ସହିତ ବିଶେଷ ତର୍ଜମା ଆରମ୍ଭ ହୋଇଛି । ଏଥି ପାଇଁ ଶ୍ରୀହରିକୋଟାରେ ଆଦିତ୍ୟ-ଏଲ୍-୧ ମିଶନ୍ ଲଞ୍ଚ୍ କରିବା ପାଇଁ ପ୍ରସ୍ତୁତି ଜାରି ରହିଛି ।

ଆଦିତ୍ୟ-ଏଲ୍-୧ ମହାକାଶଯାନ ସୂର୍ଯ୍ୟଙ୍କ ବାହ୍ୟ ସ୍ତରର ସଠିକ୍ ନିରୀକ୍ଷଣ କରିବା ସହିତ ସୌରମଣ୍ଡଳର ବାତାବରଣକୁ ଅନୁଧ୍ୟାନ କରିବା ପାଇଁ ଡିଜାଇନ୍ କରାଯାଇଛି | ଏହା ସୌରମଣ୍ଡଳର ସ୍ଥିତିକୁ ବ୍ୟାପକ ଭାବରେ ଅଧ୍ୟୟନ କରିବ ।  ଏହି ମିଶନ ମୂଳ ଲକ୍ଷ୍ୟ ହେଉଛି   ପୃଥିବୀର ଜଳବାୟୁ ଉପରେ ସୂର୍ଯ୍ୟଙ୍କ ପ୍ରଭାବକୁ ଭଲ ଭାବରେ ବୁଝିବା।

ଏନେଇ ଇସ୍ରୋର ମୁଖ୍ୟ ଏସ୍ ସୋମନାଥ କହିଛନ୍ତି ଯେ ଉପଗ୍ରହ ପ୍ରସ୍ତୁତ ହୋଇସାରିଛି ଓ ଶ୍ରୀହରିକୋଟାରେ ମଧ୍ୟ ପହଞ୍ଚି ସାରିଛି। ସ୍ପେସ୍ ଏଜେନ୍ସି ସେପ୍ଟେମ୍ବର ୨ରେ ଏହାର ଲଞ୍ଚିଂକୁ ନେଇ ଯୋଜନା ରଖିଛି । ଶ୍ରୀହରିକୋଟାରେ ସେପ୍ଟେମ୍ବର ୨ ସକାଳ ୧୧ ଟା ୫୦ମିନିଟ୍ ସମୟରେ ଏହା ଲଞ୍ଚ୍ ହେବ। ଏଥି ସହିତ ଶ୍ରୀହରିକୋଟା ଲଞ୍ଚ୍ ଭ୍ୟୁ ଗ୍ୟାଲେରୀରୁ ସାଧାରଣ ଲୋକଙ୍କୁ ଏହାର ଲଞ୍ଚିଂ ଦେଖିବା ପାଇଁ ଅନୁମତି ମିଳିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ଆଦିତ୍ୟ-ଏଲ୍-୧   ଯାନ ପି.ଏସ୍.ଏଲ୍.ଭି ଦ୍ୱାରା ୧.୫ ମିଲିୟନ୍ କିଲୋମିଟର ଯାତ୍ରା କରିବ  । ୪ ମାସ ମଧ୍ୟରେ ସେ ଏହି ରାସ୍ତା ଅତିକ୍ରମ କରିବ । ଲଞ୍ଚ୍ ପରେ ପୃଥିବୀରୁ ଲଂଗ୍ରେଞ୍ଜ୍ ପଏଣ୍ଟ୍ ୧ (ଏଲ୍-୧) ରେ ପହଞ୍ଚିବାକୁ ୧୨୫ ଦିନ ସମୟ ଲାଗିବ ଏବଂ ଆମକୁ ସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ବୋଲି ‘ଏସ୍ ସୋମନାଥ’ କହିଛନ୍ତି । ବିଶ୍ୱ ଦରବାରରେ ସ୍ପେସ୍ ଇଞ୍ଜିନିୟରିଂର ମୂଲ୍ୟାଙ୍କନ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଇସ୍ରୋ  ସୁନାମ ଅର୍ଜନ କରିଛି  ।

ଚନ୍ଦ୍ରାୟନ-୩ ମିଶନ ପାଇଁ କେବଳ ମାତ୍ର ୬୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ହେଲେ ଚନ୍ଦ୍ରାୟନ-୩ର ପ୍ରାୟ ଅଧା ମୂଲ୍ୟରେ ଆଦିତ୍ୟ-ଏଲ୍-୧ ନିର୍ମାଣ କରାଯାଇଛି । ସୌରମଣ୍ଡଳର ଗତିବିଧିକୁ ଅନୁଧ୍ୟାନ କରିବା ପାଇଁ ୨୦୧୯ ମସିହାରେ ସରକାର ୩୭୮କୋଟି ଟଙ୍କା ମଞ୍ଜୁର ପ୍ରଦାନ କରିଥିଲେ । କିନ୍ତୁ ବର୍ତ୍ତମାନ ସୁଧା ଇସ୍ରୋ,ଏହାର ଖର୍ଚ୍ଚକୁ ନେଇ ଆନୁଷ୍ଠାନିକ ଭାବେ କୌଣସି ସ୍ପଷ୍ଟୀକରଣ ଦେଇନାହିଁ ।

ଇସ୍ରୋର ସୁଚନା ଅନୁଯାୟୀ, ଆଦିତ୍ୟ-ଏଲ୍-୧ ସାତୋଟି ପେଲୋଡ୍ ବହନ କରିବ, ଯାହା ଫଟୋସ୍ପିୟର (ସୂର୍ଯ୍ୟର ଦୃଶ୍ୟମାନ ପୃଷ୍ଠ), କ୍ରୋମୋସ୍ପିୟର (ଦୃଶ୍ୟମାନ ପୃଷ୍ଠର ଉପର) ଏବଂ ସୂର୍ଯ୍ୟର ବାହ୍ୟ ସ୍ତର କରୋନାକୁ ପୃଥକ ଭାବରେ ଦେଖିବାରେ ସାହାଯ୍ୟ କରିବ |

Leave A Reply

Your email address will not be published.