Latest Odisha News

BREAKING NEWS

କେବଳ ପାକିସ୍ତାନରେ: ଅର୍ଡର୍ କଲେ ଘରେ ପହଂଚୁଛି ଏକେ-୪୭

ଭୁବନେଶ୍ୱର: ଘରେ ରହି ବନ୍ଧୁକ ଅର୍ଡର୍ କରିବା ପିଜ୍ଜା ମଗାଇବା ଭଳି ଖୁବ ସହଜ । ତେବେ ଏହି ସୁବିଧା କେବଳ ପାକିସ୍ତାନୀଙ୍କ ପାଇଁ ଉଦ୍ଧିଷ୍ଟ । ବାସ୍ ତାଲିକା ମଧ୍ୟରୁ ନିଜ ମନ ପସନ୍ଦର ବନ୍ଧୁକ ଚୟନ କରନ୍ତୁ, ଫୋନ୍ କରନ୍ତୁ । ଦାମ୍ ମୁଲଚାଲ୍ ହେବା ପରେ ହୋମ୍ ଡେଲିଭରୀ ହେବ ଭଳିକିଭଳି ଅସଲି ବନ୍ଧୁକ ।

ପଢିବାକୁ ଗପ ଭଳି ଲାଗୁଥିଲେ ବି ଏହି ଖବର ଶତ ପ୍ରତିଶତ ସତ । ପାକିସ୍ତାନୀର ସ୍ଥାନୀୟ ଗଣମାଧ୍ୟମ ସଂସ୍ଥା ସମା ଟିଭି ଦାବି କରିଛି ସମଗ୍ର ପାକିସ୍ତାନରେ ବନ୍ଧୁକ ହୋମ୍ ଡେଲିଭରୀର ସୁବିଧା ରହିଛି । ଅନେକ ଭାବୁଥିବେ ବୋଧ ହୁଏ ଏପରି ବନ୍ଧୁକ କାରବାର ଲୁଚାଛପାରେ ହେଉଥିବ । ହେଲେ ପାକିସ୍ତାନରେ କିନ୍ତୁ ଫେସବୁକ୍ ପେଜ୍ ଓ ହ୍ୱାଟ୍ସଆପ୍ ଗ୍ରୁପରେ ଏହି କାରବାର ଖୁଲମ୍‌ଖୁଲା ଚାଲିଛି ।

ସମା ଟିଭିକୁ ସାକ୍ଷାତକାର ଦେଇଥିବା ଜଣେ ପାକିସ୍ତାନୀ ନାଗରିକଙ୍କ ଅନୁଯାୟୀ, ମୁଁ ଗୋଟିଏ ବନ୍ଧୁକ ଅନ୍‌ଲାଇନ୍‌ରେ ଅର୍ଡର କରିଥିଲି । ବନ୍ଧୁକଟି ଖାଇବର୍ ପଖତୁନ୍‌ୱାର ଦାରା ଅଦମଖେଲରୁ ମୁଁ ରହୁଥିବା କରାଚୀକୁ ଆସିଥିଲା । ଏଥିପାଇଁ ମୋତେ ଆଡଭାନ୍ସ ଓ ଆଫ୍ଟର୍ ଡେଲିଭରୀ ପେମେଣ୍ଟ ବାବଦକୁ ୩୮ ହଜାର ଟଙ୍କା ଦେବାକୁ ପଡିଥିଲା ।

ମିଳିଥିବା ରିପୋର୍ଟ ଅନୁଯାୟୀ ବନ୍ଧୁକ କିଣିବା ପୂର୍ବରୁ କିମ୍ବା ଡଲିଭରୀ ସମୟରେ ବିକ୍ରେତା ଆର୍ମ ଲାଇସେନ୍ସ ମାଗିନଥାନ୍ତି । ସମସ୍ତ କାରବାର କେବଳ ଫୋନ୍ ଜରିଆରେ ହିଁ ହୋଇଥାଏ । ତେବେ ଖାସ କରି କରାଚୀରେ ରହୁଥିବା ଲୋକଙ୍କୁ ବନ୍ଧୁକ ଡେଲିଭରୀ ଚାର୍ଜ ସାମାନ୍ୟ କମ୍ ଦେବାକୁ ପଡିଥାଏ । ବନ୍ଧୁକ କାରବାରରେ ମୁଖ୍ୟତଃ ବିକ୍ରେତା ଓ କୋରିଅର୍ ଭିନ୍ନଭିନ୍ନ ନେଟୱାର୍କ ଦ୍ୱାରା ପରିଚାଳିତ ।

ପାକିସ୍ତାନରେ ଏଭଳି ବନ୍ଧୁକ କାରବାରରେ ଆଜି ପର୍ଯ୍ୟନ୍ତ କେହି ଠକାମୀର ଶିକାର ହୋଇନଥିବା ଜଣାପଡିଛି । ସଉକ ହେଉ ଅବା ଆବଶ୍ୟକତା ଅନୁଯାୟୀ ବେଆଇନ୍ ଭାବେ ଯେ କେହି ୯ ଏମ୍‌ଏମ୍ ପିସ୍ତଲ୍‌ଠାରୁ ଆରମ୍ଭ କରି ଏକେ-୪୭ ବନ୍ଧୁକ ଘରେ ବସି ଅର୍ଡର୍ କରିପାରିବେ । ଏଥିପାଇଁ କୌଣସି ପ୍ରକାର ସର୍ତ୍ତ କିମ୍ବା ବାଧାବନ୍ଧନ ନାହିଁ ।

Comments are closed, but trackbacks and pingbacks are open.