Latest Odisha News

BREAKING NEWS

 ରାଗିଂ ପାଇଁ ପୁଣି ଜଣେ ମେଧାବୀ ଛାତ୍ରୀଙ୍କ ଜୀବନ ଗଲା!

ଦୃଢ଼ ଆଇନ ସହ, କଠାେର କାର୍ଯ୍ୟାନୁଷ୍ଠାନ ଆବଶ୍ୟକ

ଭୁବନେଶ୍ବର: ବିଜେବି କଲେଜ୍ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାକୁ ନେଇ ମିଳିଛି ସୁସାଇଡ ନୋଟ୍ । ସିଧା ସିଧା ସେଥିରେ ଲେଖା ଅଛି ସିନିୟର ଛାତ୍ରୀଙ୍କ ରାଗିଂ ପାଇଁ ସେ ଜୀବନ ହାରୁଛନ୍ତି । ସେଥିରେ ଯଦିଓ ସେ କାହାର ନାମ ଲେଖିନାହାଁନ୍ତି କିନ୍ତୁ କଲେଜରେ ଯେ ରାଗିଂ ହେଉଛି ଏବଂ ତାହା ଅସହ୍ୟ ତାଙ୍କ ଚିଠିରୁ ଏହା ହିଁ ଅନୁମାନ କରାଯାଇପାରେ ।

ବିଜେବି କଲେଜର ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତଦେହ ଆଜି ଲେଡିଜ ହଷ୍ଟେଲରୁ ଉଦ୍ଧାର ହେବା ପରେ ତାଙ୍କ ସୁସାଇଡ୍ ନୋଟ ଏବେ ଭାଇରାଲ ହେବାରେ ଲାଗିଛି ।  ଝିଅର ମୃତ୍ୟୁକୁ ନେଇ  ରୁଚିକାଙ୍କ ବାପା କଲେଜ୍ କର୍ତ୍ତୃପକ୍ଷଙ୍କ ବିରୋଧରେ ବରଗଡ଼ ଥାନାରେ ଅଭିଯୋଗ ଆଣିଛନ୍ତି। ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ କରୁଛି। କିନ୍ତୁ ରୁଚିକାଙ୍କୁ ସୁସାଇଡ ନୋଟ ପଢ଼ିଲେ ଅନେକ ପ୍ରଶ୍ନ ଉଠୁଛି । ଯାହାର ଉତ୍ତର ସରକାର ଏବଂ କଲେଜ କତୃପକ୍ଷଙ୍କ ପାଖରେ ନାହିଁ ।

ରୁଚିକା ଚିଠିରେ ଉଲ୍ଲେଖ ‌କରିଛନ୍ତି ଯେ, ମୁଁ ଜୀବନରେ ବହୁତ ଥକିଗଲିଣି ।  ମୋ ବାପା ବୋଉ ମୋତେ ଏତେ କଷ୍ଟ କରି ପାଠ ପଢ଼େଇଲେ ।  ଆମ ଘରର ଲୋକଙ୍କର ମୋ ପାଠପଢା ପାଇଁ ଚଳିବା କଷ୍ଟ । ହେଲେ ହଷ୍ଟେଲରେ ମୋ ସିନିୟର ମୋତେ ବହୁତ କଷ୍ଟ ଦେଲେ। ୩ ଜଣ ସିନିୟର ମୋତେ ମାନସିକ ଭାବେ ନିର୍ଯାତନା ଦେଇଛନ୍ତି। ଆଉ ସହି ପାରିଲିନି କି ଘରେ କହି ପାରିଲିନି । ମୋତେ ମୋ ବାପା, ବୋଉ, ଅଜା, ଆଇ, ମାମୁ, ମାଇଁ ମଉସା, ମାଉସୀ ସମସ୍ତେ ବହୁତ ଭଲ ପାଆନ୍ତି । ବହୁତ ଆଶା କରିଥିଲେ କି ମୁଁ କଲେକ୍ଟର ହେବି । ବାପା, ମା ମୋତେ ବହୁତ ପଇସା ଖର୍ଚ୍ଚ କରି ମୋତେ ପାଠ ପଢିବାକୁ ଛାଡିଲେ । ହେଲେ ତାଙ୍କ ପଇସାର କିଛି ମୂଲ୍ୟ ରହିଲା ନାହିଁ। ଏଭଳି ଲେଖି ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ ରୁଚିକା ।

 ୩ ଜଣ ସିନିଅର ଛାତ୍ରୀ ତାଙ୍କୁ ରାଗିଂ କରୁଥିଲେ ।  କିନ୍ତୁ ରୁଚିକା ଏକଥା ବାପା-ମା’ ଅଥବା ନିଜ ରୁମ୍‌ମେଟକୁ ମଧ୍ୟ କହିପାରି ନଥିବା ଚିଠିରେ ଲେଖିଛନ୍ତି । ତେଣୁ ଶେଷରେ ଜୀବନ ହାରିବା ପାଇଁ ବାଧ୍ୟ ହୋଇଥିଲେ। ବଡ଼ ହୋଇ ସେ କଲେକ୍ଟର ହୋଇଥାନ୍ତେ କିନ୍ତୁ ତାଙ୍କ ସ୍ବପ୍ନ ଅଧାରେ ରହିଗଲା ବୋଲି ସେ ଲେଖିଛନ୍ତି  । ଏହା ସହ  ତାଙ୍କ ବାପା-ମା’ଙ୍କ ଲୁହରେ ସେମାନେ ଭାସିଯିବେ ବୋଲି ଉଲ୍ଲେଖ କରିଛନ୍ତି ରୁଚିକା ।

ଏଠାରେ ସୂଚନାଯୋଗ୍ୟ ଓଡ଼ିଶାରେ ରାଗିଂ ନୂଆ କଥା ନୁହେଁ । କିନ୍ତୁ ରାଗିଂ ରୋକିବା ପାଇଁ ଯେଉଁଭଳି ପଦକ୍ଷେପ ନିଆଯିବା କଥା ତାହା ନିଆଯାଇନାହିଁ । ରାଜଧାନୀର ବିଜେବି କଲେଜରେ ଯଦି ଏଭଳି ରାଗିଂ ହେଉଛି ତେବେ ଅନ୍ୟ ଯାଗାରେ ଯେଉଁ ଅଭିଯୋଗ ଆସୁଛି ତାହାକୁ ମଧ୍ୟ ବିଶ୍ବାସ କରାଯାଇପାରେ ।

ସବୁଠୁ ବଡ଼ କଥା ହେଉଛି ହଷ୍ଟେଲରେ ହେଉଥିବା ରାଗି ନେଇ ରୁଚିକା ମୁହଁ ଖୋଲିପାରିଲେନି କି ଅନ୍ୟମାନେ ମଧ୍ୟ ଖୋଲୁନାହାଁନ୍ତି । ରୁଚିକା ମଧ୍ୟ ଏକଥା ନିଜ ସାଙ୍ଗ ସାଥିକୁ ଜଣାଇପାରିଲେନି ବୋଲି ଲେଖିଛନ୍ତି। ଯାହାକୁ ନେଇ କଲେଜରେ ରୁଚିକାର ବାପା ଓ ମା ଙ୍କ ସହ କିଛି ପିଲା  କଲେଜ ସମ୍ମୁଖରେ ପ୍ରତିବାଦ କରିବା ସହ  ନ୍ୟାୟ ଦାବି କରିଛନ୍ତି ।  ତେବେ ଏହି ରାଗିଂ ନେଇ କଲେଜ ବିରୋଧରେ କଣ ପଦକ୍ଷେପ ନିଆଯାଉଛି ଓ ପୋଲିସ ସେହି ତିନି ସିନିୟରଙ୍କୁ କିପରି  ଠାବ କରୁଛି ତାହା ଦେଖିବାକୁ ବାକି ରହିଲା ।

ଏଠାରେ କୁହାଯାଇପାରେ ରୁଚିକାର ମୃତ୍ୟୁ ଅତ୍ୟନ୍ତ ଦୁଖଦାୟକ ଘଟଣା । ଏଭଳି ଘଟଣାରେ କ୍ରାଇମ ବ୍ରାଂଚ ତଦନ୍ତର ଆବଶ୍ୟକତା ଅଛି । ରାଗିଂ କିଏ କରୁଛି କାହିଁକି କରୁଛି କିପରି ନିରାକାରଣ ହେବ ସେଥିପାଇଁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ।

ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନର ହଷ୍ଟେଲଗୁଡିକରେ ବାରମ୍ବାର ଘଟି ଚାଲିଥିବା ରାଗିଂ ମୃତ୍ୟୁ ଘଟଣାରେ ସେଭଳି କିଛି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଏହା ବଢ଼ିବାରେ ଲାଗିଛି ।

ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜର ଛାତ୍ର ନିଶାନ୍ତ ମୃତ୍ୟୁ ଘଟଣାରେ ରାଗିଂ ହୋଇଥିବା ସାମ୍ନାକୁ ଆସିଥିଲା । ମୃତ୍ୟୁ ପୂର୍ବରୁ ନିଶାନ୍ତ ତାଙ୍କ ବନ୍ଧୁଙ୍କ ସହ କରିଥିବା ଚାଟରୁ ଜଣାପଡିଥିଲା କଲେଜରେ ସିନିୟରମାନେ ରାଗିଂ କରୁଥିଲେ ଆଉ ସେ ମାନସିକ ଚାପରେ ଥିଲେ । ସେପରି ଜଣେ ଛାତ୍ରୀ ମଧ୍ୟ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ମଧ୍ୟ 2018ରେ  ରାଗିଂ ଅଭିଯୋଗ ଆସିଥିଲା ।  ଯୁକ୍ତ ୩ର ପ୍ରଥମ ବର୍ଷର ଛାତ୍ରଙ୍କୁ ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ର ରାଗିଂ କରିଥିବା ସେ  ଅଭିଯୋଗ ଆଣି କୁଳ ସଚିବଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ।

ସମ୍ବଲପୁରର ଶାସନସ୍ଥିତ ବେଦିକ କଲେଜରେ ଜଣେ ଯୁକ୍ତ ଦୁଇର ପ୍ରଥମ ବର୍ଷ କଳା ଛାତ୍ର ଅଭିଶେକ ମିଶ୍ରଙ୍କୁ ତାର ଚାରି ଜଣ ସହପାଠୀ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଅଭିଶେକଙ୍କୁ ହାତ ଗୋଡ଼ ବାନ୍ଧି ମୁହଁରେ ପଟି ଲଗାଇ ତଣ୍ଟିକୁ ଜାବୁଡି ଧରି ବାଥ୍‌ରୁମ୍‌ ଭିତରେ ଲୁହା ରଡ଼ରେ ଅତି ନିର୍ମମ ଭାବେ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । କିନ୍ତୁ କଲେଜ ପ୍ରିନସପାଲ ଏହାକୁ ଏଡାଇ ଯାଇଥିଲେ ।

 

ଏପରିକି ରାଜ୍ୟସ୍ତରରେ ଆଣ୍ଟିଂ ରାଗିଂ ଟାକ୍ସ ଫୋର୍ସ ଗଠନ କରିବାର ସମୟ ଆସିଛି । ରାଗିଂ ରୋକିବା ପାଇଁ କେନ୍ଦ୍ର, ରାଜ୍ୟ ସରକାର ତଥା ଘରୋଇ ଶିକ୍ଷାନୁଷ୍ଠାନ ପାଇଁ ସୁପ୍ରିମ କୋର୍ଟ ଜାରି କରିଥିବା ଗାଇଡଲାଇନକୁ ରାଜ୍ୟ ସରକାର କାର୍ଯ୍ୟକାରୀ କଲେ ନିଶ୍ଚୟ ରାଗିଂ ରୋକାଯିବାରେ ସହାୟକ ହେବ ।

ଏବେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ କେବଳ ନାମକୁ ମାତ୍ର ଆଣ୍ଟି ରାଗିଂ କମିଟି ରହିଛି । ଯେଉଁମାନେ କି ଏହି ଘଟଣା ହେଲେ ତାକୁ ଅସ୍ବୀକାର କରିବା ସହ ଘଟଣାକୁ ଚପାଇ ଦେଉଛନ୍ତି । ଯେଉଁଠି ଦଣ୍ଡ ଦିଆ ଯାଉଛି ତାହା ଏତେ କମ ଯେ ତାହାର କୌଣସି ପ୍ରଭାବ ରାଗିଙ୍ଗ ରୋକିବାରେ ସଫଳ ହେଉନାହିଁ  ।

Leave A Reply

Your email address will not be published.