ନୂଆଦିଲ୍ଲୀ: ମିକ୍ସଡ୍ ମାର୍ଶାଲ୍ ଆର୍ଟସ ଖେଳାଳି ସୁଚିକା ତାରିୟାଲ୍ ଏସିଆନ୍ ଗେମ୍ସରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛନ୍ତି । ହେଲେ ତାଙ୍କର ଗୋଲ୍ଡ ମେଡାଲ୍ ଜିତିବାର ସ୍ୱପ୍ନ ଅଧାରେ ରହିଯାଇଛି । ଖରାପ ପ୍ରଦର୍ଶନ ପାଇଁ ନୁହେଁ, ବରଂ ଏକ ଅଜବ ନିୟମ ଯୋଗୁଁ ସେ ସେମିଫାଇନାଲରୁ ବାହାରିଛନ୍ତି । ପଏଣ୍ଟ ପରିବର୍ତ୍ତେ କେବଳ ୭୦୦ ଗ୍ରାମ୍ ଅଧିକ ଓଜନ ହେତୁ ତାଙ୍କୁ ଏହି ହାର୍ ସହିବାକୁ ପଡ଼ିଛି । ୬୦ କିଗ୍ରା ବର୍ଗ ସେମିଫାଇନାଲରେ ସୁଚିକା ସିଙ୍ଗାପୁରର ହୁଇ ହୁନ୍ ତେଓଙ୍କ ସହ ମୁହାଁମୁହିଁ ହୋଇଥିଲେ। ନିର୍ଦ୍ଧାରିତ ସମୟ ଏବଂ ଓଭରଟାଇମ୍ ପରେ ମଧ୍ୟ ମ୍ୟାଚ୍ ବରାବର (ଡ୍ର’) ରହିଥିଲା । ପ୍ରଥମେ ଜଜ୍ମାନେ ସିଙ୍ଗାପୁରର ତେଓଙ୍କୁ ବିଜେତା ଘୋଷଣା କରିଥିଲେ । କିନ୍ତୁ ଭାରତୀୟ ଦଳ ୧୦୦୦ ଆମେରିକୀୟ ଡଲାର୍ ଦେଇ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲା । ଭିଡିଓ ଫୁଟେଜ୍ର ପୁନଃ ସମୀକ୍ଷା ପରେ ଜଜ୍ମାନେ ମ୍ୟାଚ୍କୁ ଅଫିସିଆଲି ‘ଡ୍ର’ ବୋଲି ଘୋଷଣା କରିଥିଲେ ।
ଏସିଆନ୍ ମିକ୍ସଡ୍ ମାର୍ଶାଲ୍ ଆର୍ଟସ୍ ଆସୋସିଏସନ୍ର ନିୟମ ଅନୁସାରେ, ମ୍ୟାଚ୍ ଡ୍ର’ ରହିବା ପରେ ଅନ୍ୟ ଟାଇ-ବ୍ରେକର୍ ସମାନ ରହିଲେ, ସକାଳେ ନିଆଯାଇଥିବା ଆନୁଷ୍ଠାନିକ ଓଜନ ଆଧାରରେ ନିଷ୍ପତ୍ତି ନିଆଯାଏ । ଯାହାର ଓଜନ କମ୍ ଥାଏ, ତାଙ୍କୁ ବିଜେତା ବୋଲାଯାଏ । ସୁଚିକାଙ୍କ ଓଜନ ତେଓଙ୍କଠାରୁ ପ୍ରାୟ ୭୦୦ ଗ୍ରାମ୍ ଅଧିକ ଥିବାରୁ, ତେଓଙ୍କୁ ଫାଇନାଲ୍ ଟିକେଟ୍ ମିଳିଲା ଏବଂ ସୁଚିକାଙ୍କୁ ବ୍ରୋଞ୍ଜ ମେଡାଲରେ ସନ୍ତୁଷ୍ଟ ହେବାକୁ ପଡ଼ିଲା । ମ୍ୟାଟ୍ରେ କାନ୍ଦିପକାଇଲେ ସୁଚିକାଏହି ନିଷ୍ପତ୍ତିରେ ଅତ୍ୟନ୍ତ ଦୁଃଖୀ ଓ ନିରାଶ ହୋଇ ସୁଚିକା ମ୍ୟାଟ୍ ଉପରେ ହିଁ କାନ୍ଦି ପକାଇଥିଲେ । ପ୍ରାରମ୍ଭରେ ସେ ରେଫରୀ ଓ ବିପକ୍ଷ ଖେଳାଳିଙ୍କ ସହ ହାତ ମିଶାଇବାକୁ ମଧ୍ୟ ମନା କରିଦେଇଥିଲେ । ଯଦିଓ ୭୦୦ ଗ୍ରାମ୍ ଓଜନର ଏହି ନିୟମ ଯୋଗୁଁ ଗୋଲ୍ଡ ମେଡାଲ୍ ସ୍ୱପ୍ନ ଭାଙ୍ଗିଗଲା, ତଥାପି ଏସିଆନ୍ ଗେମ୍ସରେ ଭାରତ ପାଇଁ ପ୍ରଥମ ପଦକ ଜିତି ସେ ଇତିହାସ ରଚିଛନ୍ତି ।

