Latest Odisha News

BREAKING NEWS

ବାବା ବାଞ୍ଛାନିଧି

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’

ଅନିତ୍ୟ ମହାପାତ୍ର ତା ପୁଅ ବାହାଘର ପାଇଁ ନିଜ ପରିବାର ଓ କୁଟୁମ୍ବଙ୍କୁ ଏକାଠି କରିବାକୁ ଚାହୁଁଥିଲା। ପୁଅ ବାହାଘରରେ ସମସ୍ତେ ଏକାଠି ହୋଇ ତାକୁ ସହଯୋଗ କରନ୍ତୁ, ସେଇଆ ଆଶା ରଖିଥିଲା ସେ। ସେଥିପାଇଁ ସେ ଓ ତାର ଦୁଇ ପୁଅ ଘର ଘର ବୁଲି ବିସ୍ତାରିତ ପରିବାରର ମୁରବି ସ୍ଥାନୀୟ ଲୋକମାନଙ୍କୁ ଡାକୁଥିଲେ। ଗୋବିନ୍ଦ ମହାପାତ୍ର ଏବଂ ବାଞ୍ଛାନିଧି ମହାପାତ୍ର ବି ଅନିତ୍ୟର ପରିବାର ଲୋକ। ଗୋବିନ୍ଦ ବାବୁ ସରକାରୀ ଚାକିରି କରି ଅବସର ନେଇଛନ୍ତି। ବୟସରେ ଅନ୍ୟମାନଙ୍କଠୁ ବଡ଼। ବାଞ୍ଛାନିଧି ସାନ। ବାଞ୍ଛାନିଧି ଗାଁର ଅନ୍ୟତମ ମୁଖରା ବ୍ୟକ୍ତି। ପାଟି ଖୋଲିଲେ ପୂରା ଗାଁ କମ୍ପେ। ସେ କଥା କହିଲେ ଗାଁରେ ଆଉ କେବେ ଡାକବାଜି ଯନ୍ତ୍ରର ଆବଶ୍ୟକତା ପଡ଼େ ନାହିଁ। ଯଦି ଚରିତ୍ର ଦୃଷ୍ଟିରୁ ଦେଖିବା, ଲୋକଟି ଚରଣଚୁଟିଆ ମଣିଷର ଏକ ପ୍ରକୃଷ୍ଟ ଉଦାହରଣ। ଯଦି ଆବଶ୍ୟକତା ଅଛି ତାହେଲେ ସେ ଗଧର ବି ପାଦ ଧରିଦେବ। କିନ୍ତୁ ଯେତେବେଳେ ତା କାମ ସରିଯାଏ, ସେତେବେଳେ ସେ ସେହି ଲୋକର ଚୁଟି ଧରିବାକୁ ପଛାଏ ନାହିଁ। ସେଥିପାଇଁ ତା ନିଜ ମାଆପେଟର ଭାଇ ସାଙ୍ଗରେ ବି ସମ୍ପର୍କ ଭଲ ନାହିଁ। ତାରି ଆଖି ସାମ୍ନାରେ ଯଦି କେହି ନିଜ ଜୀବନରେ ଉନ୍ନତି କରିଦେଲା, ସେଇଟା ତା ଦେହରେ ଯାଏନି। ଗୋଟାତୁଲେ ଈର୍ଷ୍ୟାରେ ଜଳିଯାଏ ସେ। ଅନ୍ୟମାନଙ୍କ ସଫଳତାକୁ ସେ ଭାବେ କେହି ଯେମିତି ସେମାନଙ୍କୁ ଦୟାରେ ଦେଇ ଦେଇଛି। ତା ନହୋଇଥିଲେ, ତା ସାନଭାଇର ପୁଅ ଯେତେବେଳେ ପରିବାରରୁ ପ୍ରଥମ କରି ଚାକିରି କଲା, ସେ ଲୋକଙ୍କ ଆଗରେ କହିବୁଲିନଥାନ୍ତା ଯେ, କେହି ଜଣେ ବଡ଼ ଅଫିସରକୁ ଦି ଲକ୍ଷ ଟଙ୍କା ଲାଞ୍ଚ ଦେବାରୁ ଏ ଚାକିରି ମିଳିଛି।

ଗୋବିନ୍ଦ ବାବୁଙ୍କ ପିଲାମାନେ ବି ନିଜ ଜୀବନରେ ଏକ ନିର୍ଦ୍ଦିଷ୍ଟ ଶୀର୍ଷରେ ପହଞ୍ଚିଛନ୍ତି। ସେମାନେ ଆତ୍ମନିର୍ଭରଶୀଳ। ଅତ୍ୟନ୍ତ ସ୍ୱାଭିମାନର ସହ ବଞ୍ଚିଛନ୍ତି ଗୋବିନ୍ଦବାବୁ ଏବଂ ତାଙ୍କ ପିଲାମାନେ। କିନ୍ତୁ ସେ କଥାକୁ ବି ସହଜରେ ଗ୍ରହଣ କରିପାରିନି ବାଞ୍ଛାନିଧି। ବାଞ୍ଛାନିଧି ନିଜର ଅଭାବ ଅସୁବିଧା କଥା ଅତି ସହଜରେ ଭୁଲିଯାଏ। ତା ଦୁର୍ଦ୍ଦିନରେ ଯେଉଁମାନେ ସହଯୋଗର ହାତ ବଢ଼ାଇଥାନ୍ତି, ସେମାନଙ୍କୁ ମାତ୍ର କିଛି ମୁହୂର୍ତ୍ତ ଭିତରେ ଅଚିହ୍ନା ଲୋକଙ୍କ ଭଳି ବ୍ୟବହାର କରେ ସେ। ଲାଗେ ସତେ ଯେମିତି ସେ ସେମାନଙ୍କୁ ପୂର୍ବରୁ କେବେ ଜାଣିନି କି ଚିହ୍ନିନି। ସେମାନଙ୍କଠାରୁ ସାହାଯ୍ୟ ନେବା ତ ଦୂରର କଥା, ସେ ଯେ ସାହାଯ୍ୟ ନେଇ ଉପକୃତ ହୋଇସାରିଛି, ସେକଥା ବି ତାର ମନେ ନଥାଏ।

ସେଦିନ ଅନିତ୍ୟ ଓ ତାର ଦୁଇ ପୁଅ ଯେତେବେଳେ ଗୋବିନ୍ଦ ବାବୁଙ୍କୁ ପାରିବାରିକ ବୈଠକ ପାଇଁ ଡାକିଲେ, ସେ ଖୁସିରେ ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ, ବୈଠକକୁ ଯିବା ପାଇଁ ସହମତି ବି ଦେଇଦେଲେ। ତା ପରେ ବାଞ୍ଛାନିଧି ଘରକୁ ଗଲେ ସେମାନେ ବୈଠକ ଲାଗି ନିମନ୍ତ୍ରଣ ପାଇଁ। କିନ୍ତୁ ଘରେ ନଥିଲା ବାଞ୍ଛାନିଧି। ତା ପରେ ଅନ୍ୟ ମୁରବିମାନଙ୍କୁ ଡକାଡକି କରି ଶେଷରେ ଗାଁ ମୁଣ୍ଡ ମନ୍ଦିର ପାଖରେ ଭେଟିଲେ ବାଞ୍ଛାନିଧିକୁ। ତାକୁ ଯେତେବେଳେ ସେମାନେ ବୈଠକ ପାଇଁ ନିମନ୍ତ୍ରଣ କରିଛନ୍ତି, ସଙ୍ଗେ ସଙ୍ଗେ ସେ ପାଲଟିଗଲା ଅଗ୍ନିଶର୍ମା। ଅନିତ୍ୟର ପୁଅ ବାହାଘର କଥାକୁ ପଛରେ ପକାଇ, ସେ ଗାଇ ଚାଲିଲା ତା ମନରେ ସାଇତି ହୋଇରହିଥିବା ଅନେକ ପୁରାଣ। ତା ମୂଳ ଉଦ୍ଦେଶ୍ୟ ଥିଲା ଗୋବିନ୍ଦ ବାବୁଙ୍କୁ ଅପମାନିତ କଲାଭଳି କହିବା। ତେଣୁ ଗୋବିନ୍ଦ ବାବୁ ଓ ତାଙ୍କ ପିଲାମାନଙ୍କ ବିଷୟରେ ଅନର୍ଗଳ ବିଷ ଓଗାଳି ଚାଲିଲା ବାଞ୍ଛାନିଧି। ସେ ଏତେ ଜୋରରେ ଗର୍ଜୁଥିଲା ଯେ, ସେଇ ବାଟ ଦେଇ ଯିବା ଆସିବା କରୁଥିବା ସମସ୍ତେ ଅବାକ୍ ହୋଇ ଅନାଇଥିଲେ ତା ମୁହଁକୁ। ବାଞ୍ଛାନିଧି କହିଲା, ଗୋବିନ୍ଦ ମହାପାତ୍ର ତା ପୁଅ ବାହାଘର ବେଳେ ଆମକୁ ପଚାରିନଥିଲା। ସେ ନିଜକୁ ବଡ଼ଲୋକ ବୋଲି ଭାବୁଛି। ସେ ଯାହା କରିବ ତାହା ଠିକ୍। ତୋ ପୁଅ ବାହାଘରକୁ ମୁଁ କାହିଁକି ଯିବି? ଗୋବିନ୍ଦ ମହାପାତ୍ର ଯେତେବେଳେ ଆମକୁ ପଚାରିନଥିଲା, ସେତେବେଳେ ପରିବାର ଭାବେ ତମେମାନେ ତ କିଛି କହିନଥିଲ।

ଅନିତ୍ୟ କିନ୍ତୁ ଏହାର ଉପଯୁକ୍ତ ଜବାବ ଦେଲା। କହିଲା, ତମେ ତମ ପିଲାମାନଙ୍କ ବାହାଘର ବେଳେ କାହାକୁ ପଚାରିନଥିଲ। ଗୋବିନ୍ଦ ବାବୁ ତ ସେମିତି କିଛି କରିନାହାନ୍ତି। ବରଂ କେହି ଯଦି ତାଙ୍କ ଦୁଆରେ ଠିଆ ହେଲାନି, ତାର ହାତ ଓଠ ଆଉଁସି, ଗୋଡ଼ ଧରି, ମୁଣ୍ଡିଆ ମାରି ସେ ତାକୁ ନେଇଛନ୍ତି। ତା ଛଡ଼ା ଗୋବିନ୍ଦ ବାବୁଙ୍କ ସହିତ ତମ ସମ୍ପର୍କ ଯାହା ଥାଉନା କାହିଁକି, ଆମେ ତ ତମ ସାଙ୍ଗେ କେବେ କୌଣସି ମନାନ୍ତର କି ମତାନ୍ତର କରିନୁ। ମୋ ପୁଅ ବାହାଘରକୁ ତମକୁ ଡାକିଲା ବେଳେ, ତମେ ଗୋବିନ୍ଦ ବାବୁଙ୍କ ଉଦାହରଣ ଦେଇ ଏମିତି କହିବା ମାନେ କଣ? ବାଞ୍ଛାନିଧି ପାଖରେ ଆଉ କୌଣସି ଜବାବ ନଥିଲା। ସେ ରାଗରେ ଫଁ ଫଁ ହୋଇ ସେଠାରୁ ଚାଲିଗଲା ଏବଂ ଗଲା ବେଳେ କହିଦେଇ ଗଲା, ମୁଁ ତମର ବାହାଘରେ ଆସିବାର ନାହିଁ। ଯାହା କରିବାର ଅଛି କର।

ସନ୍ଧ୍ୟାବେଳେ ଅନିତ୍ୟର ଘରେ ବୈଠକ ବସିଲା। ଅନିତ୍ୟ ପୁଅର ବାହାଘର କେମିତି ସୁରୁଖୁରୁରେ ହେବ, ସମସ୍ତେ କିଭଳି ସାହାଯ୍ୟ ସହଯୋଗ କରିବେ ସେ ନେଇ ଆଲୋଚନା ହେଲା। ସେହି ବୈଠକରେ ଅନିତ୍ୟର ଭାଇ ଯେତେବେଳେ ବାଞ୍ଛାନିଧି କଥା ଉଠାଇଲା ଏବଂ ସେ ଦିନବେଳେ କିଭଳି ଗୋବିନ୍ଦ ବାବୁଙ୍କ ନାଁ ନେଇ ଚିତ୍କାର କରୁଥିଲା, ସେକଥା କହିଲା, ଗୋବିନ୍ଦ ବାବୁ ତାକୁ ଅଟକାଇଲେ। ସେ କହିଲେ, ଏବେ ଏଠାରେ ସେ ପ୍ରସଙ୍ଗରେ ଆଲୋଚନା କରିବାର କୌଣସି ଆବଶ୍ୟକତା ନାହିଁ। ଅନିତ୍ୟର ପୁଅ ବାହାଘର ସାଙ୍ଗରେ ସେ କଥାର କୌଣସି ସମ୍ପର୍କ ନାହିଁ। ତେଣୁ ଏକ ଅପ୍ରସଙ୍ଗ ଉଠାଇ ଏଭଳି ଏକ ଶୁଭକାର୍ଯ୍ୟରେ ଆମେ ବାଧା ଉପୁଜାଇବା ଠିକ୍ କଥା ନୁହେଁ। ସମସ୍ତେ ଗୋବିନ୍ଦ ବାବୁଙ୍କ କଥାରେ ସହମତ ହେଲେ। ବୈଠକ ସରିଲା। ଅନିତ୍ୟ, ତା ସ୍ତ୍ରୀ ଓ ଦୁଇ ପୁଅ ବାହାଘର କାର୍ଯ୍ୟ ସୁରୁଖୁରୁରେ କରିବା ପାଇଁ ସଂକଳ୍ପ ବି କରିଦେଲେ।

ଏଣେ ଘରକୁ ଆସିବା ପରେ ବାଞ୍ଛାନିଧି କଥା ଚିନ୍ତା କରୁଥାନ୍ତି ଗୋବିନ୍ଦ ବାବୁ। ପାଖ ବଜାରରୁ ଫେରୁଥିଲା ବେଳେ ସେହି ଦିନ ସକାଳେ ହିଁ ବାଟରେ ତାଙ୍କୁ ଭେଟିଥିଲା ବାଞ୍ଛାନିଧି। ଭଲମନ୍ଦ ପଚାରିଥିଲା। କିନ୍ତୁ ତାର ମାତ୍ର ପାଞ୍ଚ ମିନିଟ୍ ପରେ ଗୋବିନ୍ଦ ବାବୁଙ୍କ ପଛରେ ସେ ଅନ୍ୟମାନଙ୍କ ସାମ୍ନାରେ ଏଭଳି କଥାବାର୍ତ୍ତା କରିଛି, ସେ କଥା ଜାଣିଲା ପରେ ସାମାନ୍ୟ ବ୍ୟଥିତ ହୋଇଥିଲେ ଗୋବିନ୍ଦ ବାବୁ। ଭାବୁଥିଲେ, କେଉଁ ସବୁ ପରିସ୍ଥିତିରେ ସେ ବାଞ୍ଛାନିଧି ପ୍ରତି ସାହାଯ୍ୟର ହାତ ବଢ଼ାଇଛନ୍ତି। ତା ଛଡ଼ା ରାତି ପାହିଲେ ହସି ହସି କଥା ହେବା ସହ ତାଙ୍କୁ ନିୟମିତ ନମସ୍କାର କରୁଥିବା ବାଞ୍ଛାନିଧି ତାଙ୍କ ପଛରେ ଏଭଳି କଟୁକଥା କେମିତି କହିପାରେ, ସେ କଥା ଭାବୁଥିଲେ ସେ। ସେ ବର୍ଷ ଚାକିରିରୁ ଅବସର ନେଇଥାନ୍ତି ଗୋବିନ୍ଦ ବାବୁ। ଅବଶ୍ୟ ଅବସର ପୂର୍ବରୁ ସେ ବଡ଼ପୁଅ ଏବଂ ଝିଅ ବାହାଘର କରାଇ ଦେଇଥାନ୍ତି। ମୁଣ୍ଡରେ କେବଳ ଗୋଟିଏ ଚିନ୍ତା, ସାନ ପୁଅଟା ଚାକିରିବାକିରି କରିଦେଲେ, ତାକୁ ବି ବାହାଘର କରାଇଦିଅନ୍ତେ।

ଏତିକିବେଳେ ଘର ଭିତରକୁ ପଶିଆସିଲା ବାଞ୍ଛାନିଧି। ସାମ୍ନାରେ ଗୋଟିଏ ମିନିଟ୍ ବସିଛି କି ନାହିଁ, ଗୋବିନ୍ଦଙ୍କ ପାଦ ତଳେ ସିଧା ନବଦଣ୍ଡା ହୋଇ ପଡ଼ିଗଲା ସେ। ଧାର ଧାର ଲୁହଗଡ଼ାଇ କହିଲା, ଭାଇନା, ମତେ ଟଙ୍କା ଦି ଲକ୍ଷ ଦିଅ। ମୋ ଝିଅ ବାହାଘର କରିବି। ମତେ ଆଉ କେହି ସାହାଯ୍ୟ କରୁନାହାନ୍ତି। ଯଦି ତମେ ସାହାଯ୍ୟ ନକରିବ, ତାହେଲେ ମୁଁ ଆତ୍ମହତ୍ୟା କରିଦେବି। ଗୋବିନ୍ଦ ବାବୁ କହିଲେ, ଏମିତି ମୂର୍ଖଙ୍କ ଭଳି କଣ କଥାବାର୍ତ୍ତା କରୁଛୁ। ପଇସା ଯୋଗାଡ଼ ହୋଇପାରିବନି ବୋଲି କଣ କେହି କେବେ ଆତ୍ମହତ୍ୟା କରିଦିଏ? ହଉ ତୁ ଯା। ମୁଁ କଣ ଗୋଟେ ବ୍ୟବସ୍ଥା କରୁଛି। କିନ୍ତୁ ଦେଖ, ମୋର ଏ ଭଙ୍ଗା ଘରଟାକୁ ମରାମତି କଲେ, ମୁଁ ମୋ ସାନପୁଅର ବାହାଘର କରାଇବି। ତେଣୁ ତା ବାହାଘର ପୂର୍ବରୁ ତତେ ପଇସା ଫେରାଇବାକୁ ପଡ଼ିବ। ସେ ସବୁ କଥାରେ ରାଜି ହୋଇଗଲା ବାଞ୍ଛାନିଧି। ଗୋବିନ୍ଦ ବାବୁ ତାକୁ ଦି ଲକ୍ଷ ଟଙ୍କା ଦେଲେ। ବାଞ୍ଛାନିଧିର ଝିଅ ବାହାଘର ସୁରୁଖୁରୁରେ ସରିଲା। ତେଣେ ବାଞ୍ଛାନିଧିର ତିନି ତିନିଟା ରୋଜଗାରିଆ ପୁଅ କିନ୍ତୁ ବାପା ଆଣିଥିବା ଋଣ ସୁଝିବା ଦିଗରେ କୌଣସି ଉତ୍ସାହ ଦେଖାଉନଥିଲେ। ବାଞ୍ଛାନିଧି ପଇସା ନେବାର ଦୁଇବର୍ଷ ବିତିଯାଇଥିଲେ ବି, ସେ ବାବଦରେ ଆଉ କୌଣସି ଆଲୋଚନା ହେଉନଥିଲା। ଏପରିକି ଗୋବିନ୍ଦ ବାବୁଙ୍କୁ ଦେଖିଲେ ବାଟକାଟି ଚାଲି ଯାଉଥିଲା ବାଞ୍ଛାନିଧି।
ଏଣେ ନିଜ ପୁଅ ବାହାଘର ପାଖେଇ ଆସୁଥିବାରୁ, ଗୋବିନ୍ଦ ବାବୁ ଓ ତାଙ୍କ ପତ୍ନୀ ଦିନେ ବାଞ୍ଛାନିଧିକୁ, ସେ ନେଇଥିବା ଟଙ୍କା ଫେରାଇବା ପାଇଁ କହିଲେ। ବାସ୍, ସେତିକି ହିଁ ଥିଲା ଗୋବିନ୍ଦ ବାବୁଙ୍କ ଭୁଲ୍। କଥାଟା ବାଞ୍ଛାନିଧିର ସ୍ୱାଭିମାନକୁ ଭାରି ବାଧିଲା। କଥା କଥାରେ ସେ ଅସଭ୍ୟ ଭାଷାରେ ଗୋବିନ୍ଦ ବାବୁ ଓ ତାଙ୍କ ପତ୍ନୀଙ୍କୁ ଗାଳିଗୁଲଜ କରିବାକୁ ବି ପଛାଇଲା ନାହିଁ। କହିବାକୁ ଗଲେ, ବାଞ୍ଛାନିଧିକୁ ସାହାଯ୍ୟ କରି ନିଜକୁ ଅସହାୟ ଓ ଅପରାଧୀ ଭଳି ମନେ କରୁଥିଲେ ସପତ୍ନୀକ ଗୋବିନ୍ଦ। କିଛି ଦିନ ଭିତରେ ଯଦିଓ ବାଞ୍ଛାନିଧି ନେଇଥିବା ପଇସା ଫେରାଇ ଦେଲା, କିନ୍ତୁ ସେବେଠାରୁ ଉଭୟ ପରିବାର ଭିତରେ କଥାବାର୍ତ୍ତା ପ୍ରାୟତଃ ବନ୍ଦ କହିଲେ ଚଳେ। ଏପରିକି ଗୋବିନ୍ଦଙ୍କ ମୁହଁ ଚାହୁଁନଥିଲା ବାଞ୍ଛାନିଧି। କିନ୍ତୁ ଗୋବିନ୍ଦଙ୍କ ମନରେ ସେମିତି କୌଣସି ଭାବନା ନଥିଲା। ଚିରାଚରିତ ଶୈଳୀରେ ଚାଲିଥିଲା ଜୀବନ। ସେ କେବଳ ଭାବୁଥିଲେ, କେଡ଼େ ଚରଣଚୁଟିଆ ଲୋକଟା ଏଇ ବାଞ୍ଛାନିଧି।

ଦିନେ ଖବର ଆସିଲା, ଗୋବିନ୍ଦଙ୍କ ପୁଅ ଅଫିସର ହୋଇଛି। ଏବେ ସେ ଉପଜିଲ୍ଲାପାଳ। କିଛି ଦିନ ପରେ ଜିଲ୍ଲାପାଳ ହେବ। ଏଇ କଥାଟା ଗାଁରେ ସମସ୍ତେ ଜାଣିଲା ପରେ ଅଧିକାଂଶ ଲୋକ ଗୋବିନ୍ଦ ବାବୁଙ୍କ ଘରକୁ ଆସି ଶୁଭେଚ୍ଛା ଜଣାଇଲେ। ବାଞ୍ଛାନିଧି ଭାବୁଥିଲା ଏବେ ଗୋବିନ୍ଦ ବାବୁଙ୍କ ସହିତ ସମ୍ପର୍କ ରଖିବା ଜରୁରୀ। ତା ନହେଲେ ତାଙ୍କ ପୁଅଠୁ ତ କୌଣସି ଫାଇଦା ନେଇହେବ ନାହିଁ। ଦିନେ ବରଫ ପାହାଡ଼ ଭାଙ୍ଗିଲା ଭଳି ହଠାତ୍ ଗୋବିନ୍ଦଙ୍କ ଦୁଆର ମୁହଁକୁ ଆସି ତାଙ୍କୁ ଜୁହାର ହେଲା ବାଞ୍ଛାନିଧି। ସେଦିନଠୁ ପ୍ରତିଦିନ ରାତି ପାହିଲେ ସେ ଗୋବିନ୍ଦ ବାବୁଙ୍କୁ ଜୁହାର ହୁଏ। ତାଙ୍କ ପରିବାର ସହିତ ପୁଣିଥରେ ଭଲ ସମ୍ପର୍କ ରଖିବାକୁ ଚେଷ୍ଟା କରେ। ତେବେ ନିର୍ବିକାର ଗୋବିନ୍ଦ ବାବୁଙ୍କ ଉପରେ ଏ ସବୁ କଥାର କୌଣସି ପ୍ରଭାବ ପଡ଼େନାହିଁ। ବରଂ ସେ କହିଲେ, ବାଞ୍ଛାର ଏ ଅହେତୁକ ପରିବର୍ତ୍ତନ ପଛରେ ବି କୌଣସି ଗୋଟିଏ ଦୂରଭିସନ୍ଧି ରହିଛି। ସେ ଯାହା କରୁଛି କରୁ, ଏଥିରେ ଆମେ ଅଧିକ ପ୍ରଭାବିତ ହେବାର କୌଣସି ଆବଶ୍ୟକତା ନାହିଁ। ଗୋବିନ୍ଦ ବାବୁଙ୍କ ପିଲାମାନେ ଘରକୁ ଆସିଲେ, ଅତି ଆନନ୍ଦରେ ହସି ହସି ସେମାନଙ୍କ ସହିତ କଥା ହୁଏ ବାଞ୍ଛାନିଧି। ସେମାନେ ବି ଉପଯୁକ୍ତ ସମ୍ମାନ ଦିଅନ୍ତି ବାଞ୍ଛାନିଧିକୁ। ନିଜ ବାପାମାଆଙ୍କୁ ଅସମ୍ମାନିତ କରିଥିବା କଥା ଜାଣିଥିଲେ ବି, ସେମାନେ କେବେ ବାଞ୍ଛାନିଧିକୁ ଅସମ୍ମାନିତ କରିନାହାନ୍ତି କିମ୍ବା ତାକୁ ଜାଣିବାକୁ ଦେଇନାହାନ୍ତି ଯେ, ସେମାନେ ଏ ସବୁ କଥା ଜାଣିଛନ୍ତି।

ସେଦିନ ଅନିତ୍ୟ ଓ ତା ଦୁଇ ପୁଅଙ୍କ ଆଗରେ ବାଞ୍ଛାନିଧିର ବିଷୋଦଗାର କଥା ଶୁଣିବା ପରେ ଗୋବିନ୍ଦ ବାବୁ ନିଜ ପିଲାମାନଙ୍କ ସହିତ ଫୋନରେ କଥା ହେଲେ। ବାଞ୍ଛାନିଧିର ଏଭଳି କାମରେ ଅତ୍ୟନ୍ତ ମର୍ମାହତ ଥିଲେ ଗୋବିନ୍ଦ ବାବୁ। କିନ୍ତୁ ପିଲାମାନେ ହସରେ ଉଡ଼ାଇ ଦେଲେ କଥାଟାକୁ। ପରିସ୍ଥିତିକୁ ହାଲୁକା କରିବାକୁ ଯାଇ, ଗୋବିନ୍ଦଙ୍କ ବଡ଼ପୁଅ କହିଲା, ସେ ଲୋକଠୁ ଆଉ ଅଧିକ କଣ ଆଶା କରାଯାଇପାରେ। ଏଇକଥାଟା ଅପ୍ରତ୍ୟାଶିତ ନୁହେଁ। ଆମେ ଜାଣିଥିଲୁ, ପ୍ରକୃତି ନୈବ ମୁଚ୍ୟତେ। ତେଣୁ ଏଭଳି ବ୍ୟବହାର ବାଞ୍ଛାନିଧିଠୁ ପାଇବା କିଛି ନୂଆ କଥା ନୁହେଁ। ସେଥିପାଇଁ ଏଥିରେ ଦୁଃଖ କରିବାର କିଛି ନାହିଁ। ବରଂ ଈଶ୍ୱରଙ୍କୁ ପ୍ରାର୍ଥନା କର, ତାକୁ ସଦବୁଦ୍ଧି ଦିଅନ୍ତୁ। ନହେଲେ ତା ମୁହଁ ଯେମିତି ଚାଲୁଛି, ସମସ୍ତେ ତ ଆଉ ଗୋବିନ୍ଦ ମହାପାତ୍ର ନୁହନ୍ତି, କୌଣସି ଦିନ କିଏ ଧରି ଉତ୍ତମ ମଧ୍ୟମ କରିଦେବ ତାର ହିସାବ ମିଳିବନି। ତା ନହେଲେ ତାରି ପିଲାମାନେ ହିଁ ତାକୁ ଜବାବ ଦେବେ। ପୁଅଠୁ ଏ କଥା ଶୁଣିଲା ପରେ, ଗୋବିନ୍ଦ ବାବୁ କହିଲେ, ବାବା ବାଞ୍ଛାନିଧିଙ୍କର .. ଜୟ … ବାବା ବାଞ୍ଛାନିଧିଙ୍କର .. ଜୟ … ।

ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି
ମୋହାଲି, ପଞ୍ଜାବ, ପିନ୍- ୧୪୦୪୨୩
ଫୋନ୍- ୯୯୩୭୨୫୨୪୬୪

Leave A Reply

Your email address will not be published.