Latest Odisha News

BREAKING NEWS

ଭାରତ ବନ୍ଦର ଦ୍ୱିତୀୟ ଦିନ: ବ୍ୟାଙ୍କିଂ ଓ ପରିବହନ ସେବା ପ୍ରଭାବିତ

ଓଡ଼ିଶାରେ ଧର୍ମଘଟର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି

ଭୁବନେଶ୍ୱର: ଟ୍ରେଡ୍ ୟୁନିୟନ୍ ପକ୍ଷରୁ ଦିଆଯାଇଥିବା ସର୍ବଭାରତୀୟ ଧର୍ମଘଟର ଆଜି ଦ୍ୱିତୀୟ ଦିନ । ସାରା ଦେଶରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଧର୍ମଘଟ ବନ୍ଦର ରୂପ ନେଇଛି । ଆଜି ଦ୍ୱିତୀୟ ଦିନରେ ବିଭିନ୍ନ ସ୍ଥାନରେ ଶ୍ରମିକ ସଂଗଠନ ପକ୍ଷରୁ ପିକେଟିଂ କରି ରାସ୍ତାରୋକ କରାଯାଇଛି । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଟ୍ରେନ୍ ଅଟକାଇଛନ୍ତି ଆନ୍ଦୋଳନକାରୀ । ପଶ୍ଚିମବଙ୍ଗ, କେରଳ ଓ କର୍ଣ୍ଣାଟକରେ ଅଧିକ ପ୍ରଭାବ ଦେଖିବାକୁ ମିଳିଛି ।

ଦେଶର ବ୍ୟାଙ୍କିଂ ଓ ପରିବହନ ସେବା ପ୍ରଭାବିତ ହୋଇଛି । ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ତାମିଲନାଡ଼ୁ ଓ ହରିୟାଣାର ସୂତାକଳ କର୍ମଚାରୀମାନେ ସଂପୂର୍ଣ୍ଣ ଭାବେ ଧର୍ମଘଟରେ ସାମିଲ ହୋଇଛନ୍ତି ।

କୋଇଲା ଉତ୍ପାଦନ ଓ ପରିବହନ ବ୍ୟାହତ ହୋଇଛି । ରାଜ୍ୟରେ ବି ଭାରତ ବନ୍ଦର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି । ପରିବହନ ସେବା ପ୍ରଭାବିତ ହୋଇଥିଲେ ବି ସକାଳ ୧୦ଟାରେ ପରେ ସ୍ୱାଭାବିକ ଭାବରେ ଗାଡ଼ିମୋଟର ଚଳାଚଳ କରୁଛି ।

କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତିକୁ ବିରୋଧ କରି ୧୨ ଦଫା ଦାବିରେ ଦୁଇ ଦିନିଆ ଧର୍ମଘଟ ଡାକରା ଦେଇଛି ଟ୍ରେଡ ୟୁନିୟନ । ଏଥିରେ ସାମିଲ ହୋଇଛନ୍ତି ବିଭିନ୍ନ ବ୍ୟାଙ୍କ କର୍ମଚାରୀ ସଂଘ । କେନ୍ଦ୍ରର ଘରୋଇକରଣ ନୀତି ବିରୋଧରେ ବ୍ୟାଙ୍କ କର୍ମଚାରୀମାନେ ନିଜକୁ ସାମିଲ କରିଛନ୍ତି । ଫଳରେ ଦୁଇ ଦିନ ହେବ ବ୍ୟାଙ୍କ ସେବା ପ୍ରଭାବିତ ହୋଇଛି ।

Leave A Reply

Your email address will not be published.