Latest Odisha News

BREAKING NEWS

ପତ୍ନୀ ହନ୍ତା ସ୍ୱାମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଭଦ୍ରକ ଅତିରିକ୍ତ ଜିଲ୍ଲା ଜଜ୍

ଭଦ୍ରକ: ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ ଜେଲ୍ । ଏକ ହତ୍ୟା ମାମଲାର ଶୁଣାଣି କରି ଭଦ୍ରକ ଅତିରିକ୍ତ ଜିଲ୍ଲା ଜଜ୍ ଅଭିଯୁକ୍ତ ସ୍ୱାମୀଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ଆଜୀବନ ଜେଲ୍ ସହ ୫ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି କୋର୍ଟ । ଜରିମାନା ଅନାଦେୟ ରହିଲେ ଆଉ ୩ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲା ଜଜ୍ ।

ସୂଚନା ଅନୁସାରେ, ବନ୍ତ ଥାନା ତରାଗ ଗାଁର ପୂର୍ଣ୍ଣଚନ୍ଦ୍ର ବେହେରା ସେହି ଗାଁର ରବିନ୍ଦ୍ର ବାରିକଙ୍କ ଝିଅ ମିନାକ୍ଷୀଙ୍କୁ ଗତ ୨୦୧୨ ମସିହାରେ ବିବାହ କରିଥିଲେ । ବିବାହ ସମୟରେ ଦାବି ମୁତାବକ ସମସ୍ତ ଯୌତୁକ ଦେଇଥିଲେ ମିନାକ୍ଷୀଙ୍କ ବାପା । ପରେ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ଏକ ବାଇକ୍ କିଣିବା ପାଇଁ ୫୦ ହଜାର ଟଙ୍କା ବାପ ଘରୁ ଆଣିବାକୁ ମିନାକ୍ଷୀଙ୍କୁ କହିଥିଲେ । ମିନାକ୍ଷୀ ରାଜି ନ ହେବାରୁ ତାଙ୍କୁ ଶ୍ୱଶୁର ଘର ଲୋକ ନିର୍ଯାତନା ଦେଉଥିଲେ । ଉଭୟଙ୍କ ଗୋଟିଏ ଛୁଆ ମଧ୍ୟ ହୋଇଥିଲା ।

ତଥାପି ପୂର୍ଣ୍ଣଚନ୍ଦ୍ର, ମିନାକ୍ଷୀଙ୍କୁ ଘରୁ ପଳାଇ ଯିବା ପାଇଁ ବାରମ୍ବାର ଧମକ ଦେଉଥିଲେ । ୨୦୧୬ ମାର୍ଚ୍ଚ ମାସ ୯ ତାରିଖରେ ମିନାକ୍ଷୀଙ୍କୁ ନିଆଁ ଲଗାଇ ଜାଳି ଦେଉଥିବା ବେଳେ ପରିବାର ଲୋକେ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରା ଯାଇଥିଲା । ଏନେଇ ମିନାକ୍ଷୀଙ୍କ ବାପା ଥାନାରେ ଏତଲା ଦେଇଥିଲେ । ବନ୍ତ ଥାନା କେସ ନମ୍ବର୨୬/୨୦୧୬ ଦଫା ୪୯୮ (କ), ୨୯୪, ୩୦୭ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

ପରେ ମିନାକ୍ଷୀର ମୃତ୍ୟୁକାଳୀନ ଜମାନ ବନ୍ଦୀ ରେକର୍ଡ କରାଯାଇଥିଲା । ଯେଉଁଥିରେ ତାଙ୍କୁ ସ୍ୱାମୀ କିରୋସିନ ଢାଳି ନିଆଁ ଲଗାଇ ଦେଇଥିବା କଥା କହିଥିଲେ ମିନାକ୍ଷୀ । ମାମଲାରେ ପୋଲିସ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ଓ ଶାଶୂ ଶ୍ୱଶୁରଙ୍କୁ ଗିରଫ କରିଥିଲା । ସେବେଠୁ ପୂର୍ଣ୍ଣଚନ୍ଦ୍ର ବିଚାରାଧିନ ବନ୍ଦୀ ଭାବେ ଜେଲରେ ଥିଲେ । ପ୍ରମାଣ ଅଭାବରୁ ଶାଶୂ ଶ୍ୱଶୁର ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଅଭିଯୋଗକାରୀଙ୍କ ତରଫରୁ ସରକାରୀ ଓକିଲ ଅରୁଣ ମିଶ୍ର, ସୂର୍ଯ୍ୟକାନ୍ତ କୁଅଁର ମାମଲା ପରିଚାଳନା କରୁଥିଲେ ।

Leave A Reply

Your email address will not be published.