Latest Odisha News

BREAKING NEWS

ବିଷୁବ ସଂକ୍ରାନ୍ତି ବନାମ ଦଣ୍ତ ପାଟୁଆ ପର୍ବ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ

ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଇଛି । ଏହା ସାଧାରଣତଃ ଅପ୍ରେଲ ୧୪ (ବୈଶାଖ ୧) ତାରିଖରେ ପଡ଼େ । ଏହି ଦିନଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମ ଋତୁର ଆରମ୍ଭ ହୋଇଥାଏ । ତେଣୁ ଦିନଟିକୁ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯାଏ । ବର୍ଷାରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କ ଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ । ଏହି ସମୟରେ ସୂର୍ଯ୍ୟଙ୍କ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ଗରିଷ୍ଠ ଖାଦ୍ୟ ହଜମ ହେଉଥିବାରୁ ବୁଟଛତୁ ପରି ଗରିଷ୍ଠ ଖାଦ୍ୟପଦାର୍ଥ ଗ୍ରହଣ ପାଇଁ ଆୟୋଜନ ଥାଏ । ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା ଅଛି । ତେଣୁ ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ ଛତୁ ଓ ପଣା ଭୋଗର ବିଧି ରହିଛି । ଏହି ଦିନ ସାଇପଡ଼ିଶା, ବନ୍ଧୁବାନ୍ଧବ ଓ ବ୍ରାହ୍ମଣମାନଙ୍କୁ ପଣା ଦିଆଯାଏ । ତେଣୁ ଏହି ଦିନକୁ ପଣାସଂକ୍ରାନ୍ତି ମଧ୍ୟ କୁହାଯାଇଥାଏ ।


ପଣାସଂକ୍ରାନ୍ତିଠାରୁ ରାସ୍ତାକଡ଼ରେ ଅସହ୍ୟ ଗ୍ରୀଷ୍ମ ତାତିରୁ ପଥିକମାନଙ୍କର ତୃଷ୍ଣା ନିବାରଣ ପାଇଁ ଜଳଛତ୍ରମାନ ଖୋଲାଯାଏ । ଆମ ସମାଜରେ ବୃକ୍ଷମୁଳରେ ଜଳଦାନର ପ୍ରଥା ପ୍ରଚଳିତ ଅଛି । ସେଥିପାଇଁ ହିନ୍ଦୁ ପରିବାରରେ ଚଉଁରାରେ ପୁଜା ପାଉଥିବା ତୁଳସୀ ବୃକ୍ଷ ଉପରେ ଛାମୁଡ଼ିଆ କରି ଘଡ଼ିରେ ଜଳ ରଖି ତାର ନିମ୍ନ ଅଂଶରେ ସରୁ କଣାକରି ସୂକ୍ଷ୍ମ ଧାରରେ ଜଳଦାନ କରାଯାଇଥାଏ । ଟୋପା ଟୋପା ଜଳ ତୁଳସୀ ବୃକ୍ଷ ମୂଳରେ ପଡ଼ି ଥାଏ । ତୁଳସୀ ବୃକ୍ଷରେ ସୂର୍ଯ୍ୟକିରଣ ନପଡ଼ିବା ପାଇଁ ଛାମୁଣ୍ଡିଆ ମଧ୍ୟ କରିଥାନ୍ତି । ଏହି ସଂକ୍ରାନ୍ତି ଠାରୁ ବୃକ୍ଷଜଗତ ଓ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହି ସଂକ୍ରାନ୍ତିର ଅନ୍ୟ ନାମ ଜଳସଂକ୍ରାନ୍ତି ବୋଲି କହିଥାନ୍ତି । ଏହି ସଂକ୍ରାନ୍ତି ପରେ ପରେ ବାୟୁର ଗତି ମଧ୍ୟ ପ୍ରଖର ହୁଏ । ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷାପାଇବା ପାଇଁ ହନୁମାନ ଜୟନ୍ତି ମଧ୍ୟ ପାଳନ କରାଯାଏ । ଏହିଦିନ ପବିତ୍ର ଝାମୁ ବ୍ରତର ଉଦ୍‌ଯାପନ କରାଯାଏ । ଯେଉଁମାନେ ଏହି ବ୍ରତ ପାଳନ କରନ୍ତି ତାଙ୍କୁ ପାଟୁଆ ବୋଲି କୁହାଯାଏ । ବ୍ରତ ଉଦ୍‌ଯାପନ ଦିନ ବ୍ରତଧାରୀ କଣ୍ଟା ବା ଜଳନ୍ତା ଅଗ୍ନିରେ ଚାଲନ୍ତି । ଓଡ଼ିଶାର ଅନେକ ଅଞ୍ଚଳରେ ଏହି ବ୍ରତ ଉପଲକ୍ଷେ ଯାତ୍ରା ହୁଏ , ଏହାକୁ ଝାମୁ ବା ପାଟୁଆ ଯାତ୍ରା କହନ୍ତି । ବ୍ରତଧାରୀମାନେ ସମାଜକୁ କଠୋର ତାପ ସହ୍ୟ କରିବାର ଶକ୍ତି ସମ୍ପର୍କରେ ଶିକ୍ଷା ପ୍ରଦାନ କରିଥାନ୍ତି ।

କେବଳ ସ୍ଥାନରେ ଏହି ପଣା ସଂକ୍ରାନ୍ତି ଠାରୁ ଆଗରୁ ସୂଚେଇ ଥିବା ଏକ ଛୋଟ ମାଠିଆରେ ପଣା ରଖି ତୁଳସୀ ଚଉରା ମୂଳରେ ବାନ୍ଧିଦିଆଯାଏ । ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରେ ଯାହା ବର୍ଷାକୁ ସୂଚାଇଥାଏ । ଏହି ଠେକିକୁ ବସୁନ୍ଧରା ଠେକି କହାଯାଏ । ଛତୁଆ, ଦହି, ଗୁଡ଼, କଦଳୀ ଓ ନଡିଆକୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ ଲଗାଯାଏ । ବେଲ ପଣାରେ ବଟା ଭାଙ୍ଗ ମିଶାଇ ଭାଙ୍ଗ ପଣା ସେବନ ମଧ୍ୟ କରାଯାଇଥାଏ । ଚଣ୍ଡୀ, ସାରଳା, ବିରଜା ଆଦି ଠାକୁରାଣୀ ମନ୍ଦିରମାନଙ୍କରେ ଏହି ଦିନ ଝାମୁ ଯାତ୍ରା ପାଳନ କରାଯାଏ । ଘଣ୍ଟ ପାଟୁଆମାନେ ଘଣ୍ଟ ମୁଣ୍ଡେଇ, କାଠ ଗୋଡ଼ ପିନ୍ଧି ଠାକୁରାଣୀ ମନ୍ଦିର ଆଗରେ ନିଆଁ ଉପରେ ଚାଲିବାର ପ୍ରଥା ରହିଛି । ଦକ୍ଷିଣ ଓଡ଼ିଶାରେ ମାସାଧିକ କାଳ ଧରି ଚାଲିଥିବା ଦଣ୍ଡ ନାଟର ଅନ୍ତ ଭାବେ ଏହି ଦିନ ମେରୁ ଯାତ ପାଳନ କରାଯାଏ । ଲୋକେ ବେଲ ପଣା ଓ ଛତୁଆ ସହ ଏହାକୁ ପାଳନ କରନ୍ତି । ଉତ୍ତର ଓଡ଼ିଶାରେ ଏହି ଦିନକୁ ଚଡ଼କପର୍ବ ନାମରେ ପାଳନ କରିଥାନ୍ତି । ଏହି ଦିନ ପାଟୁଆ ମାନେ ନିଷ୍ଠାର ସହିତ ଦେବୀ ପୀଠରେ ସେମାନଙ୍କ ଭକ୍ତି ଭାବ ଅର୍ପଣ କରନ୍ତି ।


ପାଟୁଆ ଯାତ୍ରାର ଧାର୍ମିକ ଭିତ୍ତିଭୂମି ସମ୍ପର୍କରେ ଭିନ୍ନ ଭିନ୍ନ ମତ ଥିଲେ ମଧ୍ୟ ଏଥିରେ ତନ୍ତ୍ରର ବିଶେଷ ପ୍ରଭାବ ପଡିଥିବା ଗ୍ରହଣ କରାଯାଏ । ଓଡ଼ିଶାରେ ବାମମାର୍ଗ ତନ୍ତ୍ରର ଉତ୍ପତି ଖ୍ରୀଷ୍ଟୀୟ ୬ଷ୍ଟ/୭ମ ଶତାବ୍ଦୀରୁ ଆରମ୍ଭ ହୋଇଥିବା ଖ୍ରୀଷ୍ଠୀୟ ୬ଷ୍ଠ/୭ମ ଶତାବ୍ଦୀରୁ ଆରମ୍ଭ ହୋଇଥିବାର- ଅନୁମାନ କରାଯାଇଥାଏ । ଯୋଗାଚାର ପନ୍ଥୀମାନେ ଜପ, ଯଜ୍ଞ ପ୍ରକ୍ରିୟାରେ ମହାମାୟାଙ୍କୁ ସନ୍ତୁଷ୍ଟ କରିବାରେ ବିଶ୍ୱାସ କରୁଥିଲାବେଳେ ବାମମାର୍ଗୀମାନେ ହଠଯୋଗ ପ୍ରକ୍ରିୟାରେ ଦେବୀଙ୍କୁ ଆରାଧନା କରିବାରେ ମନ ବଳାଇଥିଲେ । ଖ୍ରୀଷ୍ଟୀୟ ୮ମ, ୯ମ ଶତାବ୍ଦୀରେ ବାମପନ୍ଥୀ ତାନ୍ତ୍ରିକମାନଙ୍କର ପ୍ରାଧାନ୍ୟ ବୃଦ୍ଧି ପାଇଥିଲା । ଠିକ୍ ସେତବେଳକୁ ତାନ୍ତ୍ରିକ ମତରେ ଶ୍ରୀ ବିମଳାଙ୍କୁ ଭୈରବୀ ଓ ଶ୍ରୀ ଜଗନ୍ନାଥଙ୍କୁ ତନ୍ତ୍ରର ଅଧିଷ୍ଠାତା ଭୈରବ ରୂପେ ସ୍ୱୀକାର କରି ଓଡ଼ିଶାକୁ ଉଡ୍ରପୀଠ ରୂପେ ତନ୍ତ୍ର ସ୍ୱୀକୃତି ମିଳିଲା । ବୌଦ୍ଧ ଧର୍ମର ଜାତିଭେଦ ବିରୋଧୀ ସ୍ୱର ଓ ତାନ୍ତ୍ରିକଧାରା ଯୋଗୁଁ ଏହା ଜନ ସାଧାରଣଙ୍କ ମଧ୍ୟରେ ଲୋକପ୍ରିୟ ହୋଇଥିଲା । ସ୍ୱାଭିବିକ ପ୍ରତିକ୍ରିୟା ଭାବେ ହିନ୍ଦୁଧର୍ମର ଶୈବ ଓ ଶାକ୍ତ ଗୋଷ୍ଠୀ ଏଥିରେ ପ୍ରଭାବିତ ହେଲା । ଯାହା ଫଳରେ ସମଗ୍ର ଓଡ଼ିଶାରେ ହଠଯୋଗ ମାଧ୍ୟମରେ ଶିବ ଓ ଶକ୍ତିଙ୍କର ଆରାଧନା କରାଗଲା । ଏହି ଆରାଧନା କୁଳୀନ ବ୍ରାହ୍ମଣମାନଙ୍କ ମଧ୍ୟରେ କେବଳ ସୀମିତ ରହିଲା ନଥିଲା । ବରଂ ସମାଜର ନିମ୍ନ ଜାତିର ଲୋକମାନଙ୍କୁ ମଧ୍ୟ ଆକୃଷ୍ଟ କରାଗଲା । ହଠଯୋଗ ଓ କାୟାକ୍ଲେଶ ସାଧନା ଫଳରେ ଶିବ ଓ ଶକ୍ତିଙ୍କୁ ଆରାଧନା କରିବା ନିମନ୍ତେ ଏ ଯେଉଁ ପ୍ରଚେଷ୍ଟା ଆରମ୍ଭ ହେଲା, ତାହାର ଫଳଶ୍ରୁତି ହେଲା ‘ପାଟୁଆଯାତ୍ରା’ । ଶିବ ହେଉଛନ୍ତି ପାଟୁଆଯାତ୍ରାର ମୁଖ୍ୟ ଦେବତା । ଏହି ଯାତ୍ରାରେ ଭାଗ ନେଉଥୁବା ଭକ୍ତମାନଙ୍କୁ ଭକ୍ତା ବୋଲି କୁହାଯାଇଥାଏ । ଏହି ଭକ୍ତାମାନେ ନିଜକୁ ଶିବପ୍ରିୟା ପାର୍ବତୀ ଭାବେ ନିଜକୁ

ମନେକରି କଠିନ କାୟକ୍ଲେଶ ସାଧନ ପୂର୍ବକ ଶିବକୃପା ଲାଭ କରିବାର ପ୍ରଚେଷ୍ଟା କରନ୍ତି । ସେଥିପାଇଁ ଭକ୍ତା ନିଜକୁ ନାରୀ ଭାବେ ସଜାଇ ଏହି ଯାତ୍ରାରେ ଅଂଶଗ୍ରହଣ କରିଥାଏ । ବାସ୍ତବରେ କୌଣସି ପ୍ରକୃତ ନାରୀ ଏଥିରେ ଅଂଶ ନେଇପାରନ୍ତି ନାହିଁ । ଉତ୍ତର ଓଡ଼ିଶାର ବିଭିନ୍ନ ଶୈବ କ୍ଷେତ୍ରରେ ପାଟୁଆ ଯାତ୍ରା ହେବାର ଲକ୍ଷ୍ୟ କରାଯାଏ । ବହୁ ସ୍ଥାନରେ ଶିବଙ୍କ ସହିତ ଶକ୍ତିକୁ ମଧ ଆରାଧନା କରାଯାଇଥାଏ । ମୂଖ୍ୟତଃ ଶିବ କୃପା ଲାଭ ନିମନ୍ତେ ଶକ୍ତିଙ୍କୁ ମାଧ୍ୟମ ରୂପେ ଗ୍ରହଣ କରି ନିଜ ମଧ୍ୟରେ ଶକ୍ତିଙ୍କର ସମାବେଶ ଘଟାଇବା ନିମନ୍ତେ ଭକ୍ତ ତାଙ୍କର ଶରଣ ପଶିଥାଏ । ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଚରମ୍ପା ‘ପାଟୁଆଯାତ୍ରା’, ମୟୂରଭଞ୍ଜର ‘ରରୁଆଁ’ ଓ ‘ଠାକୁରମୁଣ୍ଡା’ର, ପୁରୀଜିଲ୍ଲାର ‘କାକଟପୁର’, କଟକ ଜିଲ୍ଲାର ‘ବାଙ୍କୀ’, ‘ଝଙ୍କଡ଼’ ପ୍ରଭୃତି ସ୍ଥାନରେ ଅନୁଷ୍ଠିତ ହେଉଥିବା ପ୍ରସିଦ୍ଧ ପାଟୁଆ ଯାତ୍ରା ମାନଙ୍କରେ ଆରାଧ୍ୟା ହେରହନ୍ତି ‘ଶକ୍ତି’ ।

ଦେଖିବାକୁ ଗଲେ ଓଡ଼ିଶାର ସମାଜିକ ଜୀବନରେ ପାଟୁଆଯାତ୍ରାର ପ୍ରଭାବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜାତି ବର୍ଣ୍ଣ ନିର୍ବିଶେଷରେ ଲୋକେ ଏହିଯାତ୍ରାରେ ସାମିଲ ହୁଅନ୍ତି । ଶିବ ଓ ଶକ୍ତିଙ୍କ ଭୟରେ କେହି ଏହି ଯାତ୍ରାରେ ସାମିଲ ହୋଇଥିବା ଯୋଗୁଁ କାହାରିକୁ ଜାତି ପାଟକରୁ ଅଲଗା କରିପାରି ନଥାନ୍ତି । କେତେକ ଯାଗାରେ ଦେବୀଙ୍କୁ ନୈବେଦ୍ୟ ଦିଆଯାଇଥିବା ଅନ୍ନ କେବଳ ନୀଚ ଜାତିର ଲୋକେ ଖାଇଥାନ୍ତି । ମାତ୍ର ଉଡ଼ା ପାଟୁଆମାନେ ଫିଙ୍ଗୁଥିବା ମିଷ୍ଟାନ୍ନ ସକଳକୁ ସମସ୍ତେ ଆଗ୍ରହର ସହ ଗ୍ରହଣ କରିଥାନ୍ତି । ଅଦ୍ୟାବଧି ଓଡ଼ିଶାର ତନ୍ତ୍ର ସଂସ୍କୃତିର କ୍ଷୀଣଧାରାକୁ ପାଟୁଆଯାତ୍ରା’ ବଞ୍ଚାଇ ରଖିଛି । ପାଟୁଆ ମାନେ ଆରାଧ୍ୟ ଦେବଦେବୀ ଉପରେ ଅଖଣ୍ଡ ବିଶ୍ୱାସ ରଖି କଠିନ ସାଧନା କରନ୍ତି । ପାଟୁଆ ଯାତ୍ରାରେ ଭକ୍ତମାନେ ଅନେକ ଗୀତ ଗାଇଥାନ୍ତି । ପାଟୁଆଯାତ୍ରାର ସାହିତ୍ୟ ହେଉଛି ଲୋକସାହିତ୍ୟ । ଗାଁ ଗଣ୍ଡାରେ ପାଟୁଆମାନେ ମାଗଣ କଲାବେଳେ ଅନେକ କ୍ଷେତ୍ରରେ ଲୋକକବିମାନଙ୍କ ରଚିତ ପଦ ଆବୃତି ବି ସ୍ତୁତି କରିଥାନ୍ତି । ବେଳେବେଳେ ପଦ ମନେ ନପଡ଼ିଲେ ନିଜେ ମନରୁ ଫାନ୍ଦି ବୋଲିଥାନ୍ତି – ” ଗୋହିରୀର ବେତ, ମାଆ ମଙ୍ଗଳାଙ୍କୁ ମୋ ଦଣ୍ଡବତ, ଅନୁକୂଳ ହେଲା ଗୀତ / ଚିରିଚିରି ଗଲା ବତା, ପତ୍ରଶୁଣୀ ବୋଲି ବଡ଼ ଦେବତା, ଶୂନ୍ୟେ ଉଡ଼େ ପାଟଛତା । ଚିରିଦେଲି ଚିରାବତା, ସ୍ୱର୍ଗରେ ବନ୍ଦିଲି ସ୍ୱର୍ଗ ଦେବତା/ ତଳେ ବନ୍ଦେ ବସୁମାତା । ଶିଝୁକାଠ ପୋଳି ପୋଳି/ କ୍ଷେତ୍ରରେ ବନ୍ଦିଲି ମା’ ବିମଳୀ, ବନ୍ଦେ କଲିକତା କାଳୀ ” । ଭକ୍ତା ପାଟୁଆ ଗାଁ ପରିକ୍ରମା କଲାବେଳେ ଦେବ ଦେବୀ ଜଣାଣ , ସ୍ତୁତି ସହିତ ନିଜର ବ୍ୟକ୍ତିଗତ ସୁଖଦୁଃଖ ହସକାନ୍ଦର ଜୀବନ ସମ୍ପର୍କରେ ଯେଉଁ ସୂଚନା ଦେଇ ଗାଇଥାଏ ତାହା ବେଶ୍ ହୃଦୟସ୍ପର୍ଶୀ ।
ବାସ୍ତବରେ କହିବାକୁ ଗଲେ ପାଟୁଆ ଯାତ୍ରା ଓଡ଼ିଶାର ଏକ ପ୍ରମୁଖ ଲୋକନୃତ୍ୟ । ଓଡ଼ିଶା ବାହାରେ ମଧ୍ୟ ଏହା ବିଭିନ୍ନ ନାମରେ ପାଳିତ ହୋଇଥାଏ । ପାଟୁଆ ଯାତ୍ରା ଚୈତ୍ର ମାସରେ ଆରମ୍ଭ ହୋଇ ବୈଶାଖ ସଂକ୍ରାନ୍ତି ଦିନ ଶେଷ ହୁଏ । ଏଥିରେ ଭକ୍ତମାନେ ନିଷ୍ଠାର ସହିତ କଠୋର କାୟକ୍ଳେଶ ବରଣ କରିଥାନ୍ତି । ଏହାକୁ ଗଣ୍ଡ ଜାତିର ଲୋକମାନେ ‘ମେଘନାଦ’, ବିହାରର ଛୋଟନାଗପୁର ଅଞ୍ଚଳର ଲୋକମାନେ ‘ମାଣ୍ଡା’, ତାମିଲନାଡୁରେ ‘ଚେଡ଼ତୁଲ’, ଦାକ୍ଷିଣାତ୍ୟର ଅନ୍ୟ କେତେକ ଅଞ୍ଚଳରେ ‘ବାଗଡ଼’, ବଙ୍ଗଳାରେ ‘ଚଡକ ପୂଜା’, ପ୍ରଭୃତି ନାମରେ ନାମିତ ହୋଇଛି । ଉତ୍ତର ଓଡ଼ିଶାରେ ଏହାକୁ ‘ପାଟୁଆ ଯାତ୍ରା’ କୁହାଯାଇଥିଲା ବେଳେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଏହାକୁ ଦଣ୍ଡନାଟ ଓ ଝାମୁ ଯାତ୍ରା ବୋଲି କୁହାଯାଏ । ପୁଣି ପାଟୁଆ ଯାତ୍ରା, ଦଣ୍ଡ ଯାତ୍ରା ଓ ଝାମୁ ଯାତ୍ରା ମଧ୍ୟରେ ବିଶେଷ ପାର୍ଥକ୍ୟ ଦେଖା ଯାଇନଥିଲେ ମଧ୍ୟ ଏହି ତିନି ପ୍ରକାର ଯାତ୍ରା ଆଞ୍ଚଳିକ ବୈଷମ୍ୟ ଦେଖାଯାଏ । କାରଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଦଣ୍ଡପୂଜା ହୋଇ ଆସୁଛି । କଟକ, ଢେଙ୍କାନାଳ, ଗଂଜାମ, ନୟାଗଡ଼ ଆଦି ଦଣ୍ଡ ପୂଜା ବହୁ ପୁରୁଷ ଧରି ଚାଲିଛି । ଦଣ୍ଡନାଚର ପାଳନରେ ଭିନ୍ନ‌ତା ପରିଲକ୍ଷିତ ହୋଇଥାଏ । ଶୈବ ଧର୍ମରୁ ଏହାର ଉତ୍ପ‌ତ୍ତି । ରଣ ଶିବ ସକଳ ନାଟ୍ୟପ୍ରକଟ ଶାସ୍ତ୍ର ମୂଳ ଦେବତା ।

କୋଠର ନିୟମରେ ରହି ଶିବ ପାର୍ବତୀଙ୍କ କଥା ପ୍ରଚାର କରିବା ଦଣ୍ଡ ନାଟର ଲକ୍ଷ୍ୟ । ମାନସିକ ପୂରଣ ପାଇଁ ସାଧାରଣତଃ ଏହା କରାଯାଏ । ଏହାର ସୃଷ୍ଟି ସମ୍ପର୍କରେ ଶିବ ପୁରାଣରେ ବର୍ଣ୍ଣନା ଅଛି । ଚୈତ୍ର ବୈଶାଖ ମାସ ଶିବଶକ୍ତି ଉପାସନା ପାଇଁ ଉପଯୁକ୍ତ୍ୟ ସମୟ । ଏହି ଦଣ୍ଡ ବ୍ରତ ୧୩ କିମ୍ବା୨୧ ଦିନ ଧରି ଆରମ୍ଭ ହୋଇ ପଣା ସଂକ୍ରାନ୍ତି ଦିନ ଶେଷ ହୁଏ । ତେଣୁ ଉତ୍ତର ଓଡ଼ିଶାରେ ଏହାକୁ ‘ପାଟୁଆ ଯାତ୍ରା’ କୁହାଯାଇଥିବା ବେଳେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଏହାକୁ ଦଣ୍ଡନାଟ ଓ ଝାମୁ ଯାତ୍ରା କୁହାଯାଏ । ଏସବୁକିଛି ମୂଳ ଗୋଟିଏ ବୋଲି ଗ୍ରହଣ କରାଯାଇଛି..!!!

© ଅଧ୍ୟକ୍ଷ, ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ , କଟକ -୪
ଦୂରଭାଷା: ୯୦୪୦୧୫ ୧୪୭୫
laxmansahoo9040@gmail.com

Leave A Reply

Your email address will not be published.