Latest Odisha News

BREAKING NEWS

ବିଜେଡିର ଲକ୍ଷ୍ୟ କେବଳ ନିର୍ବାଚନ ଜିତିବା, କିଏ ମଲା କିଏ ଗଲା କିଛି ଯାଏ ଆସେନି: ସୁବାସ ପାଣିଗ୍ରାହୀ

ଭୁବନେଶ୍ୱର: ଶାସକ ବିଜୁ ଜନତା ଦଳ ସବୁବେଳେ ନିର୍ବାଚନ କିଭଳି ଜିତିବ ତାହା ଦେଖେ । କିଏ ମରିଗଲା, କିଏ ହଜିଗଲା ତାଙ୍କର ଦଳର ଲୋକ, କିଏ ବିଧାୟକ ସେମାନେ କିଛି ଦେଖୁ ନାହାଁନ୍ତି । ସେମାନେ ଦେଖୁଛନ୍ତି କିଏ ମରିଗଲା, ସେଠି ନିର୍ବାଚନ କରି କିଭଳି ଜିତିବେ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପରେ ଉପନିର୍ବାଚନ ଚର୍ଚ୍ଚାକୁ ନେଇ ଶାସକ ବିଜେଡିକୁ ଏଭଳି କଟୁ ଭାଷାରେ ସମାଲୋଚନା କରିଛନ୍ତି ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ।

ସୁବାସ ପାଣିଗ୍ରାହୀ କହିଛନ୍ତି, ଦଶ ସରିନି ସେଠି କିଭଳି ଉପନିର୍ବାଚନ ହେବ ସେ କଥା ବିଜେଡି ଚିନ୍ତା କରୁଛି । ତେବେ ନବ ଦାସଙ୍କୁ ହତ୍ୟା ପଛରେ ବ୍ୟବସାୟ ସାମ୍ରାଜ୍ୟ ଷଡ଼ଯନ୍ତ୍ର ଥାଇପାରେ । ହତ୍ୟା ପଛରେ ରାଜନୈତିକ ଷଡ଼ଯନ୍ତ୍ର ବି ରହିଛି । ଗୋଟିଏ ଗୋଟିଏ ଖଣିର ମାଲିକ ରାଜନେତା । ସେହି ଖଣି ଟଙ୍କାରେ ନିର୍ବାଚନ ଲଢ଼ୁଛନ୍ତି । ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ଥିଲେ ନବ ଦାସ । ତାଙ୍କ ସାମ୍ରାଜ୍ୟକୁ ଶେଷ କରି ଆଉ ଜଣେ କିଏ ନବ ଦାସ ହେବା ଲାଗି ଏଭଳି କରିଥିବା ଲାଗୁଛି ବୋଲି କହିଛନ୍ତି ସୁବାସ ।

ଷଡ଼ଯନ୍ତ୍ର କରି ନବ ଦାସଙ୍କୁ ମାରି ଦିଆଯାଇଛି । ବ୍ୟବସାୟ ଓ ରାଜନୀତିକୁ ନେଇ ହତ୍ୟା କରାଯାଇଛି । ବିଜେଡି ଦଳର କେହି ନେତା ତାଙ୍କୁ ମାରି ଦେଇଥିବା ସଙ୍ଗୀନ ଅଭିଯୋଗ କରିଛନ୍ତି ସୁବାସ ପାଣିଗ୍ରାହୀ । ଇଙ୍ଗିତ କରି କହିଛନ୍ତି ନେତା ଜଣଙ୍କ ଉପକୂଳ ଓଡ଼ିଶାର । ତେବେ କିଏ ସେହି ବିଜେଡି ନେତା ? କାହା ନାଁ ନେଇ ନାହାଁନ୍ତି ସୁବାସ ପାଣିଗ୍ରାହୀ । ସିବିଆଇ ତଦନ୍ତ କଲେ ସମ୍ପୂର୍ଣ୍ଣ ସତ ପଦାକୁ ଆସିବ ବୋଲି କହିଛନ୍ତି ।

ଗତ ଜାନୁଆରୀ ୨୯ ତାରିଖରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ବ୍ରଜରାଜନଗରର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ସେଠାରେ କାରରୁ ଓହ୍ଲାଇବା ବେଳେ ଏଏସ୍ଆଇ ଗୋପାଳ ଦାସ, ନବଙ୍କୁ ଗୁଳି ମାରିଥିଲେ । ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବା ବେଳେ ୮ ଦିନ ବିତିଲାଣି । ତଥାପି ଗୋପାଳ କାହିଁକି ଗୁଳି କଲା ତାହା ଜଣାପଡ଼ିନି ।

Leave A Reply

Your email address will not be published.