Latest Odisha News

BREAKING NEWS

ପରିବାରରୁ ଜଣଙ୍କୁ ଟିକେଟ୍, ବିଜେଡିର ନିୟମ ବଢାଇଛି ପଲିଟିକାଲ ପରିବାରଙ୍କ ଚିନ୍ତା

ଭୁବନେଶ୍ଵର: ପରିବାରରୁ ଜଣଙ୍କୁ ଟିକେଟ୍ । ବିଜେଡିର ନିୟମ ବଢାଇଛି ପଲିଟିକାଲ ପରିବାରଙ୍କ ଚିନ୍ତା । ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ପରିବାରରୁ ଆରମ୍ଭ ହୋଇଥିବା ଅସନ୍ତୋଷର ଏହି ନିଆଁ ଏବେ ଅନ୍ୟ ପରିବାରରେ ରାଜନୈତିକ ଭବିଷ୍ୟତରୁ ଅନ୍ଧାରକୁ ଠେଲି ଦେବନି ତ ? କୁହୁଳିଲାଣି ଆଶଙ୍କା ଓ ଅସନ୍ତୋଷ । ଟିକେଟ୍ ନମିଳିଲେ କଣ କରିବେ ? ଦଳ ପରେ ପଦ ପଦବୀର ଥଇଥାନ କରିବ କି ? ନା ରାଜନୀତି କ୍ୟାରିୟରରେ ଲାଗିବ ପୂର୍ଣ୍ଣଚ୍ଛେଦ ।

ଚବିଶ ନିର୍ବାଚନରେ ବିଜେଡିର ଗୋଟିଏ ପରିବାରକୁ ଗୋଟିଏ ଟିକେଟ୍ ନିୟମ । ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ଦଳର ଏହି ନିୟମ ଏବେ ଅନେକ ପରିବାର ପାଇଁ ବାଧା ସାଜିଛି । କଟକ-ବାରବାଟୀ ଆସନ ପାଇଁ ଅନେକ ଦିନ ହେଲା ଆଶାୟୀ ଥିଲେ ଅରିନ୍ଦମ । କୁହାଯାଉଛି, ସିଟ ପାଇଁ ଆଶାୟୀ ଦେବାଶିଷ ସାମନ୍ତରାୟଙ୍କୁ ରାଜ୍ୟସଭା ପଠାଇ ଅରିନ୍ଦମଙ୍କ ରାସ୍ତା କ୍ଲିୟର କରିଥିଲା ଦଳ । ହେଲେ ବିଜେଡିର ପରିବାରରୁ ଜଣଙ୍କୁ ଟିକେଟ୍ ନିୟମ ଅରିନ୍ଦମଙ୍କ ରାସ୍ତାରେ ବାଧା ହୋଇଥିବା କୁହାଯାଉଛି । ବିଜେଡିର ପାୱାରଫୁଲ୍ ପ୍ରଣବ ପ୍ରକାଶ ଦାସଙ୍କ ଭିଣୋଇ ହୋଇ ବି ଅରିନ୍ଦମଙ୍କୁ ବିଜେଡି ଛାଡି ବିଜେପି ବାଟରେ ଯିବାକୁ ପଡିଲା ।

ବିଜେଡିରୁ ଅରିନ୍ଦମଙ୍କ ଏଗଜିଟ୍ ବୟାନ କରୁଛି ଦଳର ନିୟମ କେମିତି ରାଜନୈତିକ ଆକାଂକ୍ଷା ଉପରେ ଅଙ୍କୁଶ ଲଗାଇପାରେ । ଅରିନ୍ଦମଙ୍କ ପାଇଁ ଯେଉଁ ନିୟମ ବାଧା ହେଲା ଅନ୍ୟ ପରିବାର ପାଇଁ ବି ସମାନ ସ୍ଥିତି ସୃଷ୍ଟି କରିପାରେ । ବଲାଙ୍ଗୀରରେ ଅନଙ୍ଗ ଉଦୟ ସିଂହଦେଓଙ୍କ ଦୁଇ ପୁଅ କଳିକେଶ ଓ ଅର୍କେଶ ଏଥର ବି ବିଜେଡି ଟିକେଟରୁ ଆଶାୟୀ ରହିଛନ୍ତି । କଳିକେଶ ୨୦୦୯ ଓ ୨୦୧୪ରେ ବଲାଙ୍ଗୀରରୁ ସାଂସଦ ନିର୍ବାଚିତ ହୋଇଥିଲେ । ୨୦୧୯ରେ ସଂଗୀତା ସିଂହଦେଓଙ୍କଠାରୁ ହାରିଥିଲେ କଳିକେଶ । ସେହିପରି ବଲାଙ୍ଗୀର ବିଧାନସଭା ପାଇଁ ଆଶାୟୀ ଅର୍କେଶ ନାରାୟଣ ସିଂହଦେଓ । ଗତଥର ସେ ଭେଟେରାନ ନରସିଂହ ମିଶ୍ରଙ୍କଠାରୁ ପରାଜିତ ହୋଇଥିଲେ । ତେବେ ପରିବାରକୁ ଗୋଟିଏ ଟିକେଟ୍ ମିଳିଲେ ଦୁଇ ଭାଇଙ୍କ ମଧ୍ୟରୁ ଜଣଙ୍କୁ ଟିକେଟ୍ ମିଳିପାରେ ।

ପଶ୍ଚିମ ଓଡିଶାରୁ ବିଜେଡିର ପ୍ରମୁଖ ଚେହେରା ପ୍ରସନ୍ନ ଆଚାର୍ଯ୍ୟ । ବିଧାନସଭାରୁ ସଂସଦ ପ୍ରସନ୍ନଙ୍କ ପଲିଟିକାଲ୍ କ୍ୟାରିୟର ବେଶ୍ ଲମ୍ବା । ପ୍ରସନ୍ନଙ୍କ ପୁତୁରା ଦେବେଶ ଆଚାର୍ଯ୍ୟ ବରଗଡ ବିଧାନସଭାରୁ ବିଧାୟକ ରହିଛନ୍ତି । ଗତଥର ବରଗଡ ଲୋକସଭା ଆସନରୁ ବିଜେପିର ସୁରେଶ ପୂଜାରୀଙ୍କଠାରୁ ପରାଜିତ ହୋଇଥିଲେ । ଏଥର ବି ନିର୍ବାଚନ ମଇଦାନକୁ ଓହ୍ଲାଇବେ କି ପ୍ରସନ୍ନ ଆଚାର୍ଯ୍ୟ ? ଦୁର୍ଘଟଣା ପରେ ସ୍ୱାସ୍ଥ୍ୟାବସ୍ଥା ଦେଖି ନେଇପାରନ୍ତି ନିଷ୍ପତି । ସେପଟେ ଦେବେଶ ଆଚାର୍ଯ୍ୟ ପୁଣି ବିଧାନସଭାରୁ ଲଢିବାକୁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି । ତେବେ ବିଜେଡି ନିୟମ ପାଇଁ ଜଣେ ଟିକେଟ୍ ପାଇବାରୁ ବଂଚିତ ହୋଇପାରନ୍ତି ।

ବାଲେଶ୍ୱର ଲୋକସଭାରୁ ପୁଣି ପ୍ରାର୍ଥୀ ହେବାକୁ ଆଗ୍ରହୀ ରବୀନ୍ଦ୍ର କୁମାର ଜେନା । ୨୦୧୯ରେ ବିଜେଡିର ରବୀନ୍ଦ୍ର ଜେନାଙ୍କୁ ମାତ୍ ଦେଇ ବାଲେଶ୍ୱର ଜିତିଥିଲେ ପ୍ରତାପ ଷଡଙ୍ଗୀ । ୪୧.୭୯ପ୍ରତିଶତ ଭୋଟ୍ ସହ ୪ଲକ୍ଷ ୮୩ହଜାର ୮୫୮ଭୋଟ୍ ପାଇଥିଲେ ପ୍ରତାପ ଷଡଙ୍ଗୀ । ରବୀନ୍ଦ୍ର ଜେନା ୪୦.୬୭ପ୍ରତିଶତ ଭୋଟ୍ ସହ ୪ଲକ୍ଷ ୭୦ହଜାର ୯୦୨ ଭୋଟ୍ ପାଇଥିଲେ । ତେଣୁ ୧୯ ହାରର ବଦଲା ନେବାକୁ ସଂଗଠନ ସୁଦୃଢ କରୁଛନ୍ତି ରବୀନ୍ଦ୍ର ଜେନା । ସେପଟେ ତାଙ୍କ ପତ୍ନୀ ସୁବାସିନୀ ଜେନା ବସ୍ତା ବିଧାନସଭା ପାଇଁ ଆଶାୟୀ । ବିଜେଡିର ନିୟମ ଲାଗୁ ହେଲେ ଲୋକସଭା କିମ୍ବା ବିଧାନସଭା ଗୋଟିଏରୁ ରବୀନ୍ଦ୍ରଙ୍କ ପରିବାରକୁ ମିଳିପାରେ ଟିକେଟ୍ ।

ଚିଲିକା ବିଧାନସଭା ଆସନରୁ ବିଜେଡିରୁ ପ୍ରାର୍ଥୀ ହୋଇପାରନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ବିଜେପିରେ ସାମିଲ ହେବା ପରେ ପାଟ୍ଟଶାଣୀଙ୍କୁ ବିଜେଡି ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ହେଉଛି । ସେମିତି ହେଲେ ପାଟ୍ଟଶାଣୀଙ୍କ ଜ୍ୱାଇଁ ପ୍ରିୟଦର୍ଶୀ ମିଶ୍ରଙ୍କୁ ଟିକେଟ୍ ମିଳିନପାରେ । ୨୦୧୪ରେ ଭୁବନେଶ୍ୱର ଉତର ଆସନରୁ ନିର୍ବାଚିତ ହୋଇଥିଲେ ପ୍ରିୟଦର୍ଶୀ । ବିଜେଡିର ପରିବାରକୁ ଗୋଟିଏ ଟିକେଟ୍ ନିୟମ ଅନୁସାରେ ପାଟ୍ଟଶାଣୀ କିମ୍ବା ପ୍ରିୟଦର୍ଶୀ ଜଣଙ୍କୁ ଟିକେଟ୍ ମିଳିପାରେ ।

ନବରଙ୍ଗପୁର ରାଜନୀତିରେ ବି ହୋଇପାରେ ଅଦଳବଦଳ । ଗତ ନିର୍ବାଚନରେ ଡାବୁଗାଁରୁ ମନୋହର ରନ୍ଧାରୀ ଓ କୋଟପାଡରୁ ତାଙ୍କ ଭଉଣୀ ପଦ୍ମିନୀ ଦିଆନ ଜିତି ବିଧାନସଭାକୁ ଆସିଥିଲେ । କଂଗ୍ରେସ ଗଡରେ ଶଙ୍ଖନାଦ କରିଥିଲେ ଭାଇଭଉଣୀ । ହେଲେ ବିଜେଡିର ନୂଆ ନିୟମ ଲାଗୁ ହେଲେ ଏଥର ଜଣଙ୍କର ଟିକେଟ୍ କଟିପାରେ ।

ନିର୍ବାଚନ ରାଜନୀତିରେ ଗେମଚେଞ୍ଜର ହେବ କି ଗୋଟିଏ ପରିବାରକୁ ଗୋଟିଏ ଟିକେଟ୍ ଗୋଟି ? ନା ବଢାଇବ ଅସନ୍ତୋଷ, ଆଶଙ୍କା, ବିଦ୍ରୋହ?

 

Leave A Reply

Your email address will not be published.