Latest Odisha News

BREAKING NEWS

ପୋଲିସ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ, କାଲି ସବୁ ଥାନାରେ ଏତଲା ଦେବ ବିଜେପି

ଭୁବନେଶ୍ୱର: ବିଜେପି ଯୁବମୋର୍ଚ୍ଚାର ବିଧାନସଭା ଘେରାଉ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିଜେପି ବିରୋଧ କରିଛି । ପ୍ରତିବାଦରେ ଦଳ ଆସନ୍ତାକାଲି ରାଜ୍ୟର ସବୁ ଥାନାରେ ଏତଲା ଦେବ । ଏନେଇ ଆଜି ପ୍ରେମସିଟରେ ସୂଚନା ଦେଇଛନ୍ତି ଦଳର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।

ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ରାଜ୍ୟର ସମସ୍ତ ଥାନାରେ ଆସନ୍ତାକାଲି ଦଳ ପକ୍ଷରୁ ଏତଲା ଦିଆଯିବ ଏବଂ ୪ ତାରିଖରେ ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରତିବାଦ ସଭା କରିବ ବିଜେପି । ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଏବଂ ଷଡ଼ଯନ୍ତ୍ର ପ୍ରତିବାଦରେ ଆସନ୍ତାକାଲି ବିଜେପି ରାଜ୍ୟର ସମସ୍ତ ଥାନାରେ ପୋଲିସ ଡିଜି, କଟକ-ଭୁବନେଶ୍ଵର ପୋଲିସ କମିଶନର ଏବଂ ଭୁବନେଶ୍ଵର ଡିସିପିଙ୍କ ବିରୋଧରେ ଏଫ୍ଆଇଆର ଦାଖଲ କରିବ ।

ପ୍ରେସମିଟରେ ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିବାରୁ ରାଜ୍ୟ ସରକାର ଏବଂ ଓଡ଼ିଶା ପୋଲିସ ଯୋଜନାବଦ୍ଧ ଭାବେ ଯୁବମୋର୍ଚ୍ଚାର କଣ୍ଠରୋଧ କରିବା ପାଇଁ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଓଡ଼ିଶା ପୋଲିସକୁ ବିଧା ଗୋଇଠା ମାରିବା ପାଇଁ କିଏ ଅନୁମତି ଦେଇଥିଲା ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।

ରାଜ୍ୟ ସରକାରଙ୍କ ଅପାରଗତା ତଥା ଓଡ଼ିଶା ପୋଲିସର ପାରିବାପଣିଆର ଅଭାବ ଯୋଗୁଁ ରାଜ୍ୟରେ ମହିଳା ନିର୍ଯ୍ୟାତନାରେ ଦେଶରେ ଏକ ନମ୍ବର ଥିବାବେଳେ ଚୋରି ଡକାୟତି ବୃଦ୍ଧି ପାଉଛି। ରାଜ୍ୟର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ହତ୍ୟା ଘଟଣାରେ ରାଜ୍ଯ ସରକାର ମୁହଁ ଖୋଲୁ ନାହାନ୍ତି ।

ଓଡ଼ିଶା ସରକାରଙ୍କ ଅହଂକାରର ଚରମ ସୀମାରେ ପହଞ୍ଚିଛି । ରାଜ୍ୟରେ ଅରାଜକତା ଏବଂ କୁଶାସନ ବିରୋଧରେ ସ୍ଵର ଉତ୍ତୋଳନ କରିଥିବା ଯୁବମୋର୍ଚ୍ଚାକୁ ଆତଙ୍କର ବାତାବରଣ ସୃଷ୍ଟି କରି ଡରାଇବାର ପ୍ରୟାସ କରୁଛନ୍ତି ରାଜ୍ୟ ସରକାର ବୋଲି କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ ।

Leave A Reply

Your email address will not be published.