Latest Odisha News

BREAKING NEWS

ବିଧାୟକଙ୍କ ଗାଡ଼ିକୁ ବୋମାମାଡ଼ ଘଟଣା: ୯ବିଜେପି ବିଧାୟକଙ୍କ ବିକ୍ଷୋଭ ପ୍ରଦର୍ଶନ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ବିଧାୟକ ମୋହନ ମାଝିଙ୍କ ଗାଡ଼ିକୁ ବୋମାମାଡ଼ ଘଟଣା। ୭୨ଘଣ୍ଟା ବିତିଯାଇଥିଲେ ବି ପୁଲିସ୍ ହାତ ଖାଲି। ଏହାକୁ ପ୍ରତିବାଦ କରି ୯ଜଣ ବିଜେପି ବିଧାୟକଙ୍କ ସମେତ ଶତାଧିକ କର୍ମୀ ଜାତୀୟ ରାଜପଥ ଅବରୋଧ କରିଥିଲେ।

ଗାନ୍ଧୀ ଛକରେ ବିଜେପି କର୍ମୀମାନେ ରାସ୍ତାରୋକ କରିଥିବାବେଳେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରେଙ୍ଗାଳି ବିଧାୟକ ନାଉରି ନାଏକ, ବାରିପଦା ବିଧାୟକ ପ୍ରକାଶ ସୋରେନ୍, ଯସିପୁର ବିଧାୟକ ଗଣେଶ ରାମ ଖୁଣ୍ଟିଆ, ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ, ଲୁଇସିଙ୍ଗା ବିଧାୟକ ମୁକେଶ ମହାଲିଙ୍ଗ, ବଡ଼ସାହି ବିଧାୟକ ସନାତନ ବିଜୁଳି, ରାଇରଙ୍ଗପୁର ବିଧାୟକ ନବଚରଣ ମାଝି, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ବିକ୍ଷୋଭରେ ସାମିଲ ହୋଇଥିଲେ। ୭ଦିନ ମଧ୍ୟରେ ଅଭିଯୁକ୍ତକୁ ଗିରଫ ନକଲେ ସାରା ରାଜ୍ୟରେ ଆନ୍ଦୋଳନର ଚେତାବନୀ ଦେଲା ବିଜେପି।

କେନ୍ଦୁଝର ଏସପି ସ୍ଥାନୀୟ ସର୍କଟ ହାଉସରେ ଏମାନଙ୍କୁ ଭେଟି ଆଲୋଚନା କରିଥିଲେ। ତଦନ୍ତ ଚାଲିଛି କହିବା ସହ ୭ଦିନ ମଧ୍ୟରେ ଗିରଫ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଦୁଇ ଦୁର୍ବୁତ୍ତଙ୍କ ଫଟୋ ଜାରି କରି ଗଣମାଧ୍ୟମର ସହାୟତା ନେବେ ବୋଲି ଏସପି କହିଛନ୍ତି। ତେବେ ଏତଲାରେ ନାମ ଥିବା ଅଭିଯୁକ୍ତକୁ କେନ୍ଦୁଝର ଏସପି ଘଣ୍ଟ ଘୋଡ଼ାଉଥିବା କହିବା ସହ ତାଙ୍କ ବଦଳି ଦାବି କରିଛି ବିଜେପି।

ଅନ୍ୟପଟେ ଏହି ଘଟଣାକୁ ନିନ୍ଦା କରିଛି ବିଜେଡ଼ି। ଏଥିରେ ବିଜେଡ଼ି ନେତାଙ୍କ ସମ୍ପୃକ୍ତି ଆରୋପକୁ ଖଣ୍ଡନ କରିବା ସହ ଦୋଷୀକୁ ଗିରଫ କରିବା ପାଇଁ ଦାବି ରଖିଲେ ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା ସଭାପତି ମାଧବ ସର୍ଦ୍ଦାର।

Leave A Reply

Your email address will not be published.