Latest Odisha News

BREAKING NEWS

ରୋଗ ପ୍ରତିରୋଧକ ଶକ୍ତି ବଢାଏ ପଖାଳ !

ଭୁବନେଶ୍ୱର: ବଢିଚୁରା ସାଙ୍ଗକୁ ମାଛ ଭଜା ହେଉ କି ଭର୍ତ୍ତା, ଗରମ ଦିନରେ ଦହି ପଖାଳର ମଜ୍ଜା ଏବେ ସମସ୍ତେ ନେବାରେ ଲାଗିଛନ୍ତି । ମୁଣ୍ଡଫଟା ଖରା ସାଙ୍ଗକୁ ଅସହ୍ୟ ଗରମରେ ଓଡ଼ିଶାର ଘରେ ଘରେ ସକାଳୁ କଂସାଏ ପଖାଳ ଖୋଜାପଡ଼ିଥାଏ । ସାଧାରଣ ଦିନ ଅପେକ୍ଷା ଖରାଦିନରେ ପଖାଳର ମଜ୍ଜା ପ୍ରକୃତରେ ନିଆରା । ଏବେ କରୋନା ମହାମାରୀ ଯୋଗୁଁ ଲକ୍‌ଡ଼ାଉନର କବଜାରେ ସମସ୍ତେ । ଡହଡହ ଖରା ଦିନରେ ପଖାଳ ଉପକାରୀତା ଯାହା ଥାଉନା କାହିିଁକି କିନ୍ତୁ କରୋନା ମହାମାରୀରେ ଏହି ପଖାଳ ହିଁ ଜରୁରୀ ହୋଇପଡ଼ିଛି । ପଖାଳରେ ରହିଛି ପ୍ରଚୁର ରୋଗ ପ୍ରତିରୋଧକ ଶକ୍ତି ।

ପୂର୍ବରୁ ଆଇଏଚଏମରେ ଅଧ୍ୟୟନ କରିଥିବା ଦେଶର ପ୍ରସିଦ୍ଧ ସେଫ୍ ହରପାଲ୍ ସିଂହ ସୋଖି ମଧ୍ୟ ‘ଓଡ଼ିଆ ପଖାଳ’କୁ ପ୍ରଶଂସା କରିଛନ୍ତି । ସେ ପଖାଳକୁ ବେଶ୍ ପ୍ରଶଂସା କରି କହିଛନ୍ତି ଯେ, ଏହା ଏକ ‘ଆମୋଦଦାୟକ ଭୋଜନ’ । ପ୍ରକୃତରେ ପଖାଳ ଏପରି ପୋଷଣ ରହିଛି ଯାହାକି ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଢେର୍ ମାତ୍ରାରେ ବୃଦ୍ଧି କରିଥାଏ । ଏବେ କେବଳ ଦେଶ କାହିିଁକି ସାରା ବିଶ୍ୱରେ କରୋନା ମହାମାରୀ ସାଂଘାତିକ ଭାବେ ବ୍ୟାପିଥିବା ବେଳେ ଏହି ପଖାଳ ହିଁ ରୋଗ ପ୍ରତିରୋଧ ଶକ୍ତି ବଢାଇ କରୋନା ସହିତ ଲଢି ପାରିବ ।

“ଦେଶରେ ଯେତେସବୁ ଖାଦ୍ୟ ରହିଛି ସେଥିମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିପାରିବାର କ୍ଷମତା କେବଳ ପଖାଳରେ ହିଁ ରହିଛି । ସମସ୍ତେ ପଖାଳକୁ ଅତିକମରେ ସପ୍ତାହକୁ ଦୁଇଥର ଖାଇବା ଆବଶ୍ୟକ ।” ଫେସବୁକରେ ଏକ ପୋଷ୍ଟ ମାଧ୍ୟମରେ ଶ୍ରୀ ସୋଖି ଏହା କହିଛନ୍ତି ।

ସୋଖି ଆହୁରି ମଧ୍ୟ କହିଛନ୍ତି ଯେ, “ସାଧାରଣତଃ ଖରାଦିନରେ ଦେହ ଥଣ୍ଡା ରଖିବା ଲାଗି ଏହି ପଖାଳ ଖିଆଯାଇଥାଏ । କିଛି ଲୋକ ଏହାକୁ ଖାଲି କଞ୍ଚାଲଙ୍କା ଦେଇ ଖାଉଥିବା ବେଳେ ଆଉ କିଛି ଲୋକ ଭଜା ସାଙ୍ଗକୁ ମାଛ ଫ୍ରାଏ ସହିତ ମଧ୍ୟ ଖାଇଥାଆନ୍ତି ।”

ସୋଖି ପିଲାଦିନର କଥା ମନେ ପକାଇ କହିଛନ୍ତି, ତାଙ୍କ ମାଆ ପିଲାଦିନେ ତାଙ୍କୁ ଏହି ପଖାଳ ପ୍ରଥମେ ଖାଇବାକୁ ଦେଉଥିଲେ । ପଖାଳରେ ଲେମ୍ବୁ, ଲୁଣ ଦେଇ ସେ ଖାଇଥିବାର କହିଛନ୍ତି ।

ଓଡ଼ିଶା ବ୍ୟତୀତ ଦେଶର ଆଉକିଛି ରାଜ୍ୟରେ ମଧ୍ୟ ପଖାଳ ଖିଆଯାଇଥାଏ । ଯେମିତିକି ପଶ୍ଚିମବଙ୍ଗରେ ପାନତା ଭାତ୍‌, ଆସାମରେ ପୋଇତା ଭାତ୍‌, ଛତିଶଗଡ଼ରେ ବୋରେ ଭାତ୍ ଏବଂ ତାମିଲନାଡୁରେ ପଖାଳ ପଝାଇଆ ସଦମ୍ ଭାବେ ପରିଚିତ ।

ତେବେ ଯାହାବି ହେଉ ଓଡ଼ିଶାରେ ଓଡ଼ିଆଙ୍କ ଦହି ପଖାଳ ସାଙ୍ଗକୁ ଶାଗ ଭଜା, ବଢିଚୁରା, ଚଟଣି ସାଙ୍ଗକୁ ଗରମ୍ ଗରମ୍ ମାଛ ଭଜାର ସ୍ୱାଦ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିପାରିଛି । ପ୍ରବାସୀ ଓଡ଼ିଆମାନେ ଯେଉଁମାନେ ଏବେ ଆମେରିକା, ଇଂଲଣ୍ଡ କି ଅଷ୍ଟ୍ରେଲିଆରେ ରହିଛନ୍ତି ସେମାନେ ମଧ୍ୟ ସେଠାରେ ଖରାଦିନେ ପଖାଳ ଖାଉଥିବାର ବିଭିନ୍ନ ସୋସିଆଲ୍ ମିଡ଼ିଆରେ ପୋଷ୍ଟ କରୁଥିବାର ଜଣାପଡ଼ିଛି ।

Leave A Reply

Your email address will not be published.