Latest Odisha News

BREAKING NEWS

ରାଜସ୍ଥାନରେ ‘ହାତ’ ହତିଆର, ଗେହଲଟ ହଟିବେ ନା ପାଇଲଟ କଟିବେ ?

ଭୁବନେଶ୍ୱର: ସମାଧାନ ହେବ କି ରାଜସ୍ଥାନ କଂଗ୍ରେସ କଳି ? ଗେହଲଟ ପାଇଲଟ ବିବାଦରେ ପଡିବ କି ପୂର୍ଣ୍ଣଛେଦ ? ହାଇକମାଣ୍ଡ ଉଭୟଙ୍କ ମଧ୍ୟରେ ସମାଧାନର ରାସ୍ତା ବାହାର କରିପାରିବେ କି ? ଯଦି କିଛି ସମାଧାନ ନ ହୁଏ ତେବେ କଂଗ୍ରେସକୁ କଣ କ୍ଷତି ହେବ। ଆଗକୁ ରାଜସ୍ଥାନ ବିଧାନସଭା ନିର୍ବାଚନ ଥିବାବେଳେ ଏମିତି କିଛି କଳ୍ପନାଜଳ୍ପନା ପ୍ରକାଶ ପାଇଛି।

ଏମିତି ସ୍ଥିତିରେ କଂଗ୍ରେସ ହାଇକମାଣ୍ଡଙ୍କ ପକ୍ଷରୁ ଏହାର ସମାଧାନ ପାଇଁ ଶେଷ ଉଦ୍ୟମ ଆରମ୍ଭ ହୋଇଥିବା କୁହାଯାଉଛି। ପାଇଲଟ ଗେହଲଟ ବିବାଦ ଅଢେଇ ବର୍ଷ ତଳୁ ତୀଵ୍ର ହେବା ଦେଖାଯାଇଛି। ତେଣୁ ଏବେ ଦଳୀୟ ନେତୃତ୍ୱ ନିକଟରେ କଣ ବିକଳ୍ପ ଅଛି ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି।

ସେପଟେ ଗେହଲଟ ଓ ପାଇଲଟଙ୍କ ମଧ୍ୟରେ କାହାର ପଲ୍ଲା ଭାରି ତାକୁ ନେଇ ଆକଳନ ଆରମ୍ଭ ହୋଇଛି। ଗେହଲଟଙ୍କ ପାଖରେ ସଂଖ୍ୟାବଳ ରହିଛି। ସେପଟେ ପାଇଲଟଙ୍କର ମଧ୍ୟ ଯୁବପିଢ଼ି ମଧ୍ୟରେ ଗ୍ରହଣୀୟତା ରହିଛି। ଉଭୟଙ୍କୁ ମଧ୍ୟ ରାହୁଲ ଗାନ୍ଧୀ ଦଳର ସମ୍ପତ୍ତି ବୋଲି କହିଛନ୍ତି।

ପାଇଲଟ ଗୋଷ୍ଠୀଙ୍କ କହିବା କଥା ନିର୍ବାଚନ ପୂର୍ବରୁ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଏ ଯାଏ ତାହା ପୂରଣ ହେଲା ନାହିଁ। ୨୦୨୨ ମସିହା ସେପ୍ଟେମ୍ବର ୨୫ ତାରିଖରେ ଦଳର ଜୟପୁର ବୈଠକରେ ରିଜୋଲୁସନ ପାସ ପାଇଁ ଉଦ୍ୟମ ହୋଇଥିଲା କିନ୍ତୁ ଗେହଲଟଙ୍କୁ ସମର୍ଥନ କରୁଥିବା ୮୯ ବିଧାୟକ ବୈଠକରେ ସାମିଲ ହୋଇ ନ ଥିଲେ।

ଏହି ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ଗେହଲଟ କ୍ଷମା ପ୍ରାର୍ଥନା କରିଥିଲେ କିନ୍ତୁ ବିଦ୍ରୋହୀ ବିଧାୟକଙ୍କ ଉପରେ କିଛି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା। ଏପରିକି ସଚିନ ପାଇଲଟ ଗୋଷ୍ଠୀର କହିବା କଥା ବସୁନ୍ଧରା ରାଜେ ସରକାରଙ୍କ ଦୁର୍ନୀତିର କଥା କହି କଂଗ୍ରେସ ସରକାରକୁ ଆସିଥିଲା। କିନ୍ତୁ ଏହା ଉପରେ ଗେହଲଟ ସରକାର କିଛି ପଦକ୍ଷେପ ନେଲେ ନାହିଁ।

ଏଥିପାଇଁ ଲୋକଙ୍କ ନିକଟରେ କଂଗ୍ରେସ ସରକାର ବଦନାମ ହେଉଛି ବୋଲି ପାଇଲଟ ଗୋଷ୍ଠୀ ଅଭିଯୋଗ କରିଛନ୍ତି। ସେପଟେ ପାଇଲଟଙ୍କ ସବୁ ଉଦ୍ୟମ ସତ୍ତ୍ୱେ ମଧ୍ୟ ଗେହଲଟ ନିଜ ସପକ୍ଷରେ ସଂଖ୍ୟା ରଖିବାରେ ସମର୍ଥ ହୋଇଛନ୍ତି। ଜୁଲାଇ ୨୦୨୨ ମସିହାରେ ପାଇଲଟ ନିଜ ସମର୍ଥିତ ୨୦ ଜଣ ବିଧାୟକଙ୍କୁ ନେଇ ହରିୟାଣା ପଳେଇଲେ। ସେହି ସମୟରେ ଗେହଲଟ ସରକାର ଭାଙ୍ଗିବାର ସମ୍ଭାବନା ସୃଷ୍ଟି ହୋଇଥିଲା।

କିନ୍ତୁ ଗେହଲଟଙ୍କ ମ୍ୟାନେଜମେଣ୍ଟ ଯୋଗୁ ଆବଶ୍ୟକ ୧୦୨ ସଂଖ୍ୟା ରଖିବାକୁ ଗେହଲଟ ସମର୍ଥ ହୋଇଥିଲେ। ତେଣୁ ବର୍ତ୍ତମାନ ପ୍ରତିଶ୍ରୁତି ଅନୁଯାୟୀ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ନେଇ ଚର୍ଚ୍ଚା ହେଉଛି।

ନିର୍ବାଚନ ବର୍ଷରେ ଏଭଳି କରି ଦଳୀୟ ନେତୃତ୍ୱ ବିବାଦର ସମାଧାନ ଚାହୁଁଛନ୍ତି। କିନ୍ତୁ ଗତ ସେପ୍ଟେମ୍ବର ଘଟଣା ପରେ ଗେହଲଟଙ୍କ ଠାରୁ ମୁଖ୍ୟମନ୍ତ୍ରୀ ପଦ ନେବା ଏତେ ସହଜ ନୁହେଁ। ବିଧାୟକ ସଂଖ୍ୟା ଗେହଲଟଙ୍କ ସହ ଥିବାବେଳେ ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ତାଙ୍କ ପାଇଁ ଏକ ସମ୍ମାନର ପ୍ରଶ୍ନ ହୋଇ ଛିଡା ହୋଇଛି।

ଆଗାମୀ ନିର୍ବାଚନ ପାଇଁ ପାଇଲଟଙ୍କୁ ଆଗକୁ ଆଣିବା ସହ ନିର୍ବାଚନ ଜିତିଲେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିବ ବୋଲି କହି ବୁଝାଯାଇପାରେ। ଏହା କରାଗଲେ ଗେହଲଟଙ୍କ ପାଇଁ ଆଗାମୀ ରାସ୍ତା ବନ୍ଦ ହୋଇଯାଇପାରେ। ଯାହାକି ଗେହଲଟ ହେବାକୁ ଦେବେନି ବୋଲି କୁହାଯାଉଛି।

ଗେହଲଟଙ୍କ ଚେହେରାକୁ ନେଇ ନିର୍ବାଚନ ଲଢ଼ିବାକୁ ଦଳ ଯୋଜନା କରିପାରେ। କିନ୍ତୁ ଗେହଲଟ ମୁଖ୍ୟମନ୍ତ୍ରୀ ଭାବେ ରହି ନିର୍ବାଚନ ଲଢ଼ିଥିଲେ ମଧ୍ୟ ଦୁଇଥର ଦଳ ହାରିଛି। ଗେହଲଟଙ୍କୁ ଆଗକୁ ଆଣି ନିର୍ବାଚନ ଲଢ଼ିଲେ ରାଜସ୍ଥାନର ଗୁଜ୍ଜର ସମ୍ପ୍ରଦାୟ ସମେତ ଅନ୍ୟ କିଛି ଜାତିର ଭୋଟ ଦଳକୁ ନ ଆସିପାରେ।

ଗୁଜ୍ଜର ଭୋଟ ବିଜେପିକୁ ଯାଉଥିବା ବେଳେ ୨୦୧୮ ନିର୍ବାଚନରେ କଂଗ୍ରେସକୁ ଅଧିକ ଭୋଟ ଦେଇଥିଲେ। ରାଜ୍ୟର ୩୦ ରୁ ୪୦ ଟି ସିଟରେ ଗୁଜ୍ଜର ସମ୍ପ୍ରଦାୟର ପ୍ରଭାବ ରହିଛି। କିନ୍ତୁ ପାଇଲଟଙ୍କ ଦାବି ପୂରଣ ନ ହେଲେ ସେ କଂଗ୍ରେସ ଛାଡି ନୂଆ ଦଳ ଗଢିବେ ବୋଲି କୁହାଯାଉଛି।

ପାଇଲଟ ଗେହଲଟ ସରକାରକୁ ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି। କିନ୍ତୁ ଦଳ ନ ଛାଡି ଦଳ ଭିତରେ ରହି ଲଢେଇ ଲଢ଼ିବେ ବୋଲି କହିଛନ୍ତି ପାଇଲଟ। ତେଣୁ ହାଇକମାଣ୍ଡ ଗେହଲଟ ଙ୍କ ପକ୍ଷ ନେଲେ ପାଇଲଟଙ୍କ ଉପରେ କୋୖଣସି କାର୍ଯ୍ୟାନୁଷ୍ଠାନ ହେଲେ ସେ ଲୋକଙ୍କ ସହାନୁଭୂତି ପାଇପାରିବେ। ତେଣୁ ଯଦି ଏମିତି ହୁଏ ତେବେ ରାଜସ୍ଥାନ ରାଜନୀତିର ଚିତ୍ରକୁ ନେଇ ଆକଳନ ଆରମ୍ଭ ହୋଇଛି।

୨୦୧୩ ମସିହା ନିର୍ବାଚନରେ ରାଜସ୍ଥାନରେ କଂଗ୍ରେସର ପରାଜୟ ପରେ ପାଇଲଟଙ୍କୁ ରାଜସ୍ଥାନ ପ୍ରଦେଶ କଂଗ୍ରେସ ସଭାପତି କରାଯାଇଥିଲା। ଏହା ପରଠୁ ପାଇଲଟ ରାଜସ୍ଥାନରେ ପ୍ରଭାବ ବିସ୍ତାର କରିଛନ୍ତି। ସଭାପତି ଭାବେ କାର୍ଯ୍ୟ କରି ପାଇଲଟ ବସୁନ୍ଧରା ରାଜେଙ୍କ ଗଡ଼ ବୋଲି କୁହାଯାଉଥିବା ପୂର୍ବ ରାଜସ୍ଥାନରେ ଦଳକୁ ଦୃଢ଼ କରିଥିଲେ।

ପୂର୍ବ ରାଜସ୍ଥାନର ୮ ଟି ଜିଲ୍ଲାରେ ୫୮ ଟି ବିଧାନସଭା ସିଟ ରହିଛି। ୨୦୧୩ ରେ ବିଜେପି ସେଠାରେ ୪୪ ସିଟ ଜିତିଥିଲା। କିନ୍ତୁ ୨୦୧୮ ରେ ପାଇଲଟଙ୍କ ଉଦ୍ୟମ ଯୋଗୁ ବିଜେପି ମାତ୍ର ୧୧ ଟି ସିଟ ଜିତିପାରିଥିଲା।

କଂଗ୍ରେସକୁ ୪୪ ଆସନ ମିଳିଥିଲା। ଯେଉଁଠି ପାଇଲଟଙ୍କ ସମର୍ଥକ ବିଧାୟକଙ୍କ ସଂଖ୍ୟା ଅଧିକ। ତେଣୁ ପାଇଲଟ କଂଗ୍ରେସ ଛାଡିଲେ ଏହି ୫୮ ସିଟରେ କଂଗ୍ରେସ ଅତି ଦୁର୍ବଳ ହୋଇଯିବ। ଏଥିସହିତ ଆଜମେର, ନାଗୌର ଏବଂ ବାଡ଼ମେରରେ ପାଖାପାଖି ୨୦ ଟି ସିଟରେ ପାଇଲଟଙ୍କ ଦବଦବା ରହିଛି।

ସେପଟେ କଂଗ୍ରେସ ପାଇଁ ଗେହଲଟ ପାଇଲଟ ଲଢେଇ କିଛି ନୂଆ ନୁହେଁ। ୧୯୯୬ ରେ ପଶ୍ଚିମବଙ୍ଗରେ ସୌମେନ ମିତ୍ର ମମତା ବାନାର୍ଜୀ, ୨୦୦୯ ରେ ଆନ୍ଧ୍ରପ୍ରଦେଶରେ ଜଗନ ରେଡ୍ଡୀ ଓ କେ ରୋଷେୟା ମଧ୍ୟରେ ବିବାଦ ହୋଇଥିଲା।

ଉଭୟ ଜାଗାରେ କଂଗ୍ରେସ କେନ୍ଦ୍ରୀୟ ନେତୃତ୍ୱଙ୍କ ନିଷ୍ପତ୍ତି ଭୁଲ ସାବ୍ୟସ୍ତ ହେବା ସହ ଉଭୟ ରାଜ୍ୟରେ ଏବେ କଂଗ୍ରେସ ଉପସ୍ଥିତି ପାଇଁ ସଂଘର୍ଷ କରୁଛି। ତେଣୁ ରାଜସ୍ଥାନରେ ସ୍ଥିତି ଯେଭଳି ନ ବିଗୁଡୁ ସେଥିପାଇଁ ଚିନ୍ତାରେ କଂଗ୍ରେସ।

ଆସନ୍ନ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ବିଭିନ୍ନ କଥାର ସମାଧାନ ପାଇଁ ସମିତି ଗଠନ ହୋଇପାରେ। ଯାହାକି ନିୟମିତ ବୈଠକ କରି ସମସ୍ୟା ଗୁଡିକର ସମାଧାନ କରିବେ। କିନ୍ତୁ ଗେହଲଟ ପାଇଲଟ ବିବାଦ ଦିଲ୍ଲୀରେ ସମାଧାନ ହେଉଛି ନା ଆହୁରି ଉଗ୍ର ରୂପ ନେଉଛି ତା ଉପରେ ନଜର।

Leave A Reply

Your email address will not be published.