Latest Odisha News

BREAKING NEWS

ସୌମ୍ୟ ବଦଳାଇବେ ଘସିପୁରା ଗେମ୍ !

ଭୁବନେଶ୍ବର: ସ୍ବାଧୀନ ଲଢିଲେ, ବିଗାଡ଼ିବେ ସମୀକରଣ ! ବଦ୍ରିଙ୍କ ବିଜୟ ରଥ ରୋକିବେ ସୌମ୍ୟ ! ତିନି ଦଳର ଅସନ୍ତୁଷ୍ଟ ହେବେ ସୌମ୍ୟଙ୍କ ବଳ ! ମତ ବଦଳାଇବେ କି ଘସିପୁରା ଭୋଟର ? ଘସିପୁରା ଲଢେଇରେ ସୌମ୍ୟଙ୍କ ଏଣ୍ଟ୍ରି ପରେ ବଦଳୁଛି ରାଜନୈତିକ ପାଣିପାଗ। ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ସୌମ୍ୟ। ଏବେ ନୂଆ ଗେମପ୍ଲାନ୍ ସହ ମଇଦାନରେ ରହିଛନ୍ତି ଆକ୍ଟିଭ୍ ।

ଅସନ୍ତୁଷ୍ଟ ସୌମ୍ୟଙ୍କ ବଳ !

ଘସିପୁରା ବିଧାନସଭାରେ ତିନି ପ୍ରମୁଖ ଦଳର ଅସନ୍ତୁଷ୍ଟ, ସ୍ବାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ସମର୍ଥନ ଦେଇପାରନ୍ତି । ଟିକେଟ୍ ନମିଳିବା ପରେ ସବୁ ଦଳରେ ଅସନ୍ତୋଷ କୁହୁଳୁଛି । ବିଦ୍ରୋହୀ ନେତା ସୌମ୍ୟଙ୍କ ସହ ହାତ ମିଳାଇଥିବା ଚର୍ଚ୍ଚା ହେଉଛି । ନାମାଙ୍କନ ଦାଖଲ କରିବା ପୂର୍ବରୁ ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତି ବିଶେଷ ଓ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିଛନ୍ତି ସୌମ୍ୟ। ସର୍ବସମ୍ମତିକ୍ରମେ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ।

ବଦ୍ରିଙ୍କ ବିଜୟରେ ସୌମ୍ୟ ଲଗାଇବେ ବ୍ରେକ୍ !

୨୦୦୯ରୁ ଘସିପୁରା ବିଜେଡିର ଗଡ ରହିଛି । ତିନି ତିନି ଥର ଏଠାରୁ ବିଜୟୀ ହୋଇଥିବା ହେଭିଓ୍ବେଟ୍ ନେତା ବଦ୍ରିନାରାୟଣ ପାତ୍ରଙ୍କୁ ଏଥର ପୁଣି ପ୍ରାର୍ଥୀ କରିଛି ବିଜେଡି । ତେବେ ବଦ୍ରି ପାତ୍ରଙ୍କ ପାଇଁ ସହଜ ହେବନି ଚବିଶ ଲଢେଇ । ତାଙ୍କ ବିରୋଧରେ ଜନତାଙ୍କ ମଧ୍ୟରେ ଅସନ୍ତୋଷ ରହିଛି । କ୍ରମାଗତ ଭାବେ ବିଜୟୀ ହେବା ସହ ଏକାଧିକ ବିଭାଗର ମନ୍ତ୍ରୀ ରହିଛନ୍ତି ବଦ୍ରି । ହେଲେ ଘସିପୁରାରେ ଆଖିଦୃଶିଆ ବିକାଶ ହୋଇପାରିନି। ହତ୍ୟାକାଣ୍ଡ, ଗୁଣ୍ଡାରାଜ ପାଇଁ ବି ବ୍ୟାକଫୁଟରେ ରହିଛନ୍ତି ବଦ୍ରି ପାତ୍ର ।

 

୨୪ବର୍ଷ ପରେ ପୁନରାବୃତ୍ତି !

୨୦୦୦ ମସିହାରେ ବିଜେଡି ଓ ବିଜେପି ମେଣ୍ଟ ହୋଇଥିଲା । ବିଜେପି ଭାଗରେ ପଡିଥିଲା କେନ୍ଦୁଝର ଜିଲ୍ଲାର ଏକମାତ୍ର ଅଣସଂରକ୍ଷିତ ଆସନ ରାମଚନ୍ଦ୍ରପୁର । ଅକ୍ଷୟ ମିଶ୍ରଙ୍କୁ ଟିକେଟ୍ ଦେଇଥିଲା ବିଜେପି । ସେତେବେଳେ ବିଜେଡି ଟିକେଟ୍ ପାଇଁ ଆଶାୟୀ ରହିଥିବା ବଦ୍ରି ମେଣ୍ଟ ପାଇଁ ନିରାଶ ହୋଇଥିଲେ । ତେବେ ଉଭୟ ବିଜେଡି ଓ ବିଜେପି ସମର୍ଥକଙ୍କ ସମ୍ମତିକ୍ରମେ ସ୍ବାଧୀନ ଲଢି ଜିତିଥିଲେ ବଦ୍ରି। ଏଥର ଘସିପୁରାରେ ସମାନ ସ୍ଥିତି ରିପିଟ୍ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ସୌମ୍ୟ ସ୍ବାଧୀନ ଭାବେ ଲଢୁଥିବା ବେଳେ ଦଳମତ ଭୁଲି ତାଙ୍କୁ ସବୁ ଦଳର ଅସନ୍ତୁଷ୍ଟ ସମର୍ଥନ କରୁଥିବା କୁହାଯାଉଛି ।

କୁଆଡେ ଯିବ କଂଗ୍ରେସ ଭୋଟ୍ ?

୨୦୦୯ ଓ ୨୦୧୯ରେ ଘସିପୁରାରୁ ଲଢିଥିଲେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ । ସୀମା ପୁନଃନିର୍ଦ୍ଧାରଣ ପୂର୍ବରୁ ରାମଚନ୍ଦ୍ରପୁରରୁ ୪ଥର ବିଜୟୀ ବି ହୋଇଥିଲେ । ଏଥର ଭଣ୍ଡାରୀପୋଖରୀରୁ ଲଢୁଥିଲେ ବି ଘସିପୁରାରେ ନିରଞ୍ଜନଙ୍କର ଭଲ ଲୋକସଂପର୍କ ଓ ସଂଗଠନ ରହିଛି । ନିରଞ୍ଜନଙ୍କ ସଂଗଠନ କାହାକୁ ସମର୍ଥନ କରିବେ ? ନିରଞ୍ଜନଙ୍କ ଭାଇ ସୌମ୍ୟରଞ୍ଜନଙ୍କୁ ନା କଂଗ୍ରେସ ପ୍ରାର୍ଥୀ ସୁବ୍ରତ ଚକ୍ରଙ୍କୁ ? ନିରଞ୍ଜନଙ୍କ ପକେଟ୍ ଭୋଟ ସୌମ୍ୟଙ୍କ ସପକ୍ଷରେ ଗଲେ ବଦଳିପାରେ ଘସିପୁରା ଗଣିତ ।

ଘସିପୁରାରେ `ସୌମ୍ୟ’ ଫ୍ୟାକ୍ଟର

ଘସିପୁରାରେ ଏଥର ବିଜେଡିରୁ ବଦ୍ରିନାରାୟଣ ପାତ୍ର, କଂଗ୍ରେସରୁ ସୁବ୍ରତ ଚକ୍ର ଓ ବିଜେପିରୁ ଶମ୍ଭୁନାଥ ରାଉତ ପ୍ରାର୍ଥୀ ହୋଇଛନ୍ତି। ତେବେ ବଦ୍ରିଙ୍କ ସହ ସିଧାସଳଖ ଟକ୍କର ସୌମ୍ୟ ପଟ୍ଟନାୟକଙ୍କର ହେବ ବୋଲି କୁହାଯାଉଛି। ଭାଇ ନିରଞ୍ଜନଙ୍କ ଲୋକସଂପର୍କ, ଅସନ୍ତୁଷ୍ଟ ଅଙ୍କ ଓ ଜନତାଙ୍କ ସମର୍ଥନ ସୌମ୍ୟଙ୍କ ସପକ୍ଷରେ ଗଲେ ଚବିଶରେ ବଦଳିପାରେ ଘସିପୁରା ବାଜି ।

Leave A Reply

Your email address will not be published.