Latest Odisha News

BREAKING NEWS

ଚିତ୍ରକଳାରେ ଅଣସର ପଟି

ଦେବୀ ପ୍ରସନ୍ନ ନନ୍ଦ

ଶ୍ରୀମନ୍ଦିରରେ ସ୍ନାନ ପୂର୍ଣ୍ଣମୀଠାରୁ ଶ୍ରୀଗୁଣ୍ଡିଚା ଯାତ୍ରାର ପୂର୍ବରୁ ନବଯୌବନ ଦର୍ଶନ ପର୍ଯ୍ୟନ୍ତ ପ୍ରାୟ ଚଉଦ ଦିନ ଠାକୁର ଅଣସରରେ ରହନ୍ତି । ଏ ସମୟରେ ଠାକୁରମାନଙ୍କୁ ଜଗମୋହନରେ ଅସ୍ଥାୟୀ ଭାବେ ନିର୍ମିିତ ଅଣସର ଘରେ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟରେ ସ୍ଥାପନା କରାଯାଏ ଓ ଏହି ପନ୍ଦର ଦିନ ମଧ୍ୟରେ ଭକ୍ତଙ୍କୁ ଶ୍ରୀବିଗ୍ରହଙ୍କ ଦର୍ଶନ ମିଳେନାହିଁ । ଏହି ସମୟରେ ତିନି ଠାକୁରଙ୍କ ସାଙ୍କେତିକ ଚିତ୍ର ପୃଥକ ଭାବେ ସଂପୃକ୍ତ ଚିତ୍ରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇ ପୂଜା କରାଯାଏ । ଉକ୍ତ ଚିତ୍ରଗୁଡ଼ିକ କନାରେ ଖଡ଼ିଗୁଣ୍ଡ ଓ ତେନ୍ତୁଳି ମଣ୍ଡ ଅଠା ମିଶ୍ରିତ ଏକ ମଣ୍ଡ ଲେପନ କରି ପ୍ରସ୍ତୁତ କରାଯାଇଥିବା ପଟି ଉପରେ ଅଙ୍କିତ ହୋଇଥାଏ । ଉକ୍ତ ପଟିର ଆକାର ପ୍ରତ୍ୟେକଟି ସାଢେ ପାଞ୍ଚ ଫୁଟ ଉଚ୍ଚତା ଏବଂ ସାଢେ ଚାରି ଫୁଟ ଚଉଡ଼ା ବିଶିଷ୍ଟ ହୋଇଥାଏ । ଏଥିରେ ଶ୍ରୀଅନନ୍ତ ବାସୁଦେବ, ଦେବୀ ଭୁବନେଶ୍ୱରୀ ଓ ଶ୍ରୀଯଜ୍ଞନାରାୟଣଙ୍କ ପ୍ରତିକୃତି ଯଥାକ୍ରମେ ଶ୍ରୀବଳଭଦ୍ର, ମା’ସୁଭଦ୍ରା, ଓ ଶ୍ରୀଜଗନ୍ନାଥଙ୍କ ପ୍ରତିନିଧି ସ୍ୱରୂପ ଅତି ସୁନ୍ଦର ଭାବରେ ପାରମ୍ପରିକ ଶୈଳୀରେ ଚିତ୍ର କରାଯାଇଥାଏ ।

ପାରମ୍ପରିକ ନିୟମ ଅନୁସାରେ ହିଙ୍ଗୁଳ, ହରିତାଳ, ଶଙ୍ଖ ଓ ପୋଡ଼ା ଷଢ଼େଇ ପ୍ରଭୃତିରୁ ପ୍ରସ୍ତୁତ ଯଥାକ୍ରମେ ନାଲି, ହଳଦିଆ, ଧଳା ଓ କଳା ଆଦି ରଙ୍ଗ ପ୍ରସ୍ତୁତ କରାଯାଇ ଏହି ଚିତ୍ରର ଅଙ୍କନ କାର୍ଯ୍ୟ ସମାପନ କରାଯାଇଥାଏ । ଅଣସର ବେଳେ ଶ୍ରୀମନ୍ଦିରରେ ପୂଜିତ ଏହି ପଟିଦିଅଁଙ୍କ ଠାରୁ ଆଜି ଓଡ଼ିଶାର ପଟ୍ଟଚିତ୍ର ଶିଳ୍ପର ଉତ୍ପତ୍ତି ଓ ବିକାଶ ବୋଲି କହିଲେ ଅତ୍ୟୁକ୍ତି
ହେବନାହିଁ ।

ପଟିଦିଅଁଙ୍କ ଅଙ୍କନ ସେବା ବ୍ୟବସ୍ଥା ଚିତ୍ରକାର ସଂପ୍ରଦାୟର ପ୍ରମୁଖ ପାରମ୍ପରିକ ସୌରଭ ବହନ କରେ । ପରମ୍ପରା ଅନୁସାରେ ଅଣସର ମଧ୍ୟରେ ଆଷାଡ଼ ଶୁକ୍ଳ (ରୁକ୍ମିଣୀ ହରଣ)ଏକାଦଶୀ ଦିନ ତିନି ବାଡ଼ର ଚିତ୍ରକାରମାନଙ୍କ ଘରେ ପଟିି ପ୍ରସ୍ତୁତି କାର୍ଯ୍ୟ ମୁଖ୍ୟତଃ ଆରମ୍ଭ କରାଯାଇଥାଏ । ତା’ପରେ ଦ୍ୱାଦଶୀଠାରୁ ଅଙ୍କନ କାର୍ଯ୍ୟ ଆରମ୍ଭ କରାଯାଏ । ମାତ୍ର ସମୟର ସ୍ୱଳ୍ପତା ଦୃଷ୍ଟିରୁ ଚିତ୍ରକାରମାନେ ଶୀତଳ ଷଷ୍ଠୀଠାରୁ କାର୍ଯ୍ୟ ଆରମ୍ଭ କରିଥାଆନ୍ତି । ଏହି ଅବସରରେ ଚିତ୍ରକାର ପରିବାରର ପୁରୁଷମାନେହବିଷ ପାଳନ କରି ନିଷ୍ଠାର ସହ ପଟ୍ଟିଦିଅଁଙ୍କ ଚିତ୍ରାଙ୍କନ କାର୍ଯ୍ୟରେ ସହଯୋଗ କରିଥାଆନ୍ତି । ଚିତ୍ରରେ ନିୟମାନୁସାରେ ନକ୍ସା, ବର୍ଣ୍ଣ ବିନ୍ୟାସ, ଆୟୁଧ, ଅଳଙ୍କାର, ଧଡ଼ି, ପ୍ରଭୃତି ପରିବାରର ପୁରୁଖା ତଥା ଅଭିଜ୍ଞତା ସଂପନ୍ନ ଶିଳ୍ପୀଙ୍କ ଦ୍ୱାରା କରାଯାଇଥାଏ । ଏହି ଚିତ୍ରାଙ୍କନ ଅବସରରେ ତରୁଣ ଶିଳ୍ପୀମାନେ ମଧ୍ୟ ଉତ୍ସାହୀ ହୋଇ ପଟି ଦିଅଁଙ୍କ ଅଙ୍କନ ପ୍ରଣାଳୀ ବିଷୟରେ ଜ୍ଞାନ ଆହରଣ କରିଥାଆନ୍ତି ଯାହା ଭବିଷ୍ୟତରେ ଉକ୍ତ ପରମ୍ପରାର ଧାରାକୁ ଚଳମାନ ରଖିବାରେ ସାହାଯ୍ୟ କରିଥାଏ । ଚତୁର୍ଦ୍ଦଶୀ ଦିନ ପ୍ରାୟତଃ ଅଙ୍କନ କାର୍ଯ୍ୟ ସଂପୁର୍ଣ୍ଣ ହୋଇ ସ୍ନାନ ପୂର୍ଣ୍ଣମୀ ଦିନ ଚିତ୍ରକାର ପରିବାରରେ ଏକ ଉତ୍ସବ ସଂପନ୍ନ ହୋଇଥାଏ । ସଦ୍ୟ ଚିତ୍ରିତ ପଟ୍ଟିଦିଅଁଙ୍କୁ କାନ୍ଥରେ ଯତ୍ନର ସହ ଟଙ୍ଗା ଯାଇ ଦୀପ, ଧୂପ ତଥା ବନ୍ଦାପନା ସହ ଭୋଗ ଅର୍ପଣ କରାଯାଇଥାଏ ଏବଂ ବନ୍ଧୁବାନ୍ଧବ ତଥା ଭକ୍ତ ବିଶେଷଙ୍କ ଦର୍ଶନାର୍ଥେ ପ୍ରଦର୍ଶିତ ହୋଇଥାଏ । ସେହି ଦିନ ସ୍ନାନ ବେଦୀରୁ ଶ୍ରୀଜୀଉମାନଙ୍କ ପହଣ୍ଡି ହେବା ପରେ ଶ୍ରୀମନ୍ଦିରରୁ ଆସିଥିବା ଶଙ୍ଖ, ବାଦ୍ୟ ଓ କାହାଳୀର ଧ୍ୱନି ସହିତ ପୂଜାପଣ୍ଡା ସାମନ୍ତ ଚିତ୍ରକାରଙ୍କ ଘରକୁ ଆସି ସେଠାରେ ପଟି ଦିଅଁଙ୍କୁ ପୂଜା ଭୋଗ ଅର୍ପଣ କରିଥାଆନ୍ତି । ତା’ପରେ ଏକ ମନୋଜ୍ଞ ପଟୁଆରରେ ସଂପୃକ୍ତ ଚିତ୍ରକାର ପଟିଦିଅଁଙ୍କୁ ପାଟପତନୀରେ ସଯତ୍ନେ ଗୁଡ଼ାଇ ନେଇଯାଆନ୍ତି । ସିଂହଦ୍ୱାର ସ୍ଥିତ ଅରୁଣସ୍ତମ୍ଭ ନିକଟରେ ତିନି ବାଡର ପଟି ଏକତ୍ର ମନ୍ଦିର ଭିତରକୁ ପ୍ରବେଶ କରିଥାଆନ୍ତି । ସ୍ନାନ ପୂର୍ଣ୍ଣମୀ ରାତ୍ରିରେ ଶ୍ରୀଜୀଉମାନେ ପହଣ୍ଡି ହୋଇ ଅଣସର ଘରକୁ ପ୍ରବେଶ କରିବା ପରେ ଜୟବିଜୟ ଦ୍ୱାର ନିକଟସ୍ଥ ତାଟିରେ ପଟିଦିଅଁମାନଙ୍କୁ ଦରଜୀ ସେବକମାନଙ୍କ ଦ୍ୱାରା ସ୍ଥାପିତ କରାଯାଇଥାଏ ଏବଂ ପଟିଦିଅଁମାନଙ୍କୁ କୌଣସି ପରିସ୍ଥିତିରେ ଭୂମିରେ ରଖାଯିବାର ବିଧି ନାହିଁ । ନୀତି ଅନୁସାରେ ଉଭା ଅମାବାସ୍ୟା ପର୍ଯ୍ୟନ୍ତ ଏହି ପଟିଦିଅଁମାନଙ୍କର ଦର୍ଶନ ମିଳିଥାଏ ଓ ଏହାଙ୍କ ନିକଟରେ ନିୟମିତ ପୂଜା ବିଧି ସଂପନ୍ନ କରାଯାଇ ସେହି ଦିନ ଓଲାଗି ହୋଇ ତାଟି ଫିଟା ଯିବା ପରେ ନବଯୌବନ ଦର୍ଶନ ସମ୍ପନ୍ନ ହୋଇଥାଏ ।

 

ପଟି ଦିଅଁମାନେ ଓଲାଗି ହେଲା ପରେ ସେ ଚିତ୍ର ଗୁଡ଼ିକର ସଂରକ୍ଷଣ ବିଷୟରେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ମିଳେ ନାହିଁ । ତେବେ ଶ୍ରୀମନ୍ଦିରର ପଶ୍ଚାତ୍ ଭାଗରେ କୂର୍ମ ବେଢ଼ା ମଧ୍ୟରେ ଥିବା ସାକ୍ଷୀଗୋପୀନାଥ ମନ୍ଦିରରେ ବା ମଣ୍ଡଣୀ ଘରେ ରଖାଯାଏ । ପଟି ଦିଅଁ ଚିତ୍ର ଚରିତ : ଶ୍ରୀଅନନ୍ତ ବାସୁଦେବ : ଶ୍ରୀବଳଭଦ୍ର ଅଣସର ସମୟରେ ଅନନ୍ତ ବାସୁଦେବ ବା ଶେଷଦେବଙ୍କ ନାମରେ ପୂଜିତ । ଦେହବର୍ଣ୍ଣ-ଶୁଭ୍ର । ବସ୍ତ୍ର ନୀଳ ରଙ୍ଗ, ମୁଣ୍ଡ ଉପରେ ସପ୍ତଫେଣୀ ନାଗ ସହିତ ପଦା୍ମସନରେ ଏହି ରୂପ ଉପବିଷ୍ଟ । ଏହାଙ୍କ ପାଶ୍ୱର୍ଦେବତା: ବାମରେ ଇନ୍ଦ୍ର ତଥା ଦକ୍ଷୀଣରେ ଶିବ ରହିବା ନିୟମ ରହିଛି । ଆୟୁଧ: ଉପର ବାମହସ୍ତ-ଶଙ୍ଖ, ଉପର ଦକ୍ଷିଣ ହସ୍ତ- ଚକ୍ର ଓ ନିମ୍ନ ବାମ ହସ୍ତ -ହଳ, ନିମ୍ନ ଦକ୍ଷିଣ ହସ୍ତରେ ମୁଷଳ ବିଦ୍ୟମାନ । ବେକରେ ଚମ୍ପା କଢି ମାଳ ଝୁଲିଥାଏ ।

ଦେବୀ ଭୁବନେଶ୍ୱରୀ :ଦେବୀ ସୁଭଦ୍ରା ଅଣସର ସମୟରେ ଭୁବନେଶ୍ୱରୀ ମନ୍ତ୍ରରେ ପୂଜିତା । ପଦା୍ମସନରେ ଉପବିଷ୍ଟ । ଦେହବର୍ଣ୍ଣ ହଳଦିଆ, ବସ୍ତ୍ର- ଶୁଭ୍ର ବର୍ଣ୍ଣରେ ସାମନ୍ୟ ଛିଟ ରହିଥାଏ । ପାଶ୍ୱର୍ଦେବୀ -ଜୟା ଓ ବିଜୟା । ଆୟୁଧ-ଉପର ଦୁଇ ହାତରେ ପଦ୍ମ ରହିଥିବା ବେଳେ ତଳ ବାମହସ୍ତରେ ବର ମୁଦ୍ରା ଓ ଦକ୍ଷିଣ ତଳ ହାତରେ ଅଭୟ ବର ମୁଦ୍ରା ଅଙ୍କିତ ହୋଇଥାଏ । ବେକରେ ପଦ୍ମ କଢି ମାଳ ରହିଥାଏ । ଶ୍ରୀଅନନ୍ତ ନାରାୟଣ : ପଦା୍ମସନରେ ଉପବିଷ୍ଟ ଏହି ରୂପ ଶ୍ରୀଅନନ୍ତ ନାରାୟଣ ରୂପରେ ପୂଜିତ । ଦେହ ବର୍ଣ୍ଣ କଳା, ବସ୍ତ୍ର-ହଳଦିଆ ରଙ୍ଗ, ପାଶ୍ୱର୍ରେ ସପ୍ତଋଷି ବିଦ୍ୟମାନ । ଏହି ରୂପରେ ଆୟୁଧ ଭାବରେ ଉପର ବାମ ହାତରେ -ଶଙ୍ଖ, ଦକ୍ଷିଣରେ ଚକ୍ର ରହିଥିବାବେଳେ ନିମ୍ନ ବାମ ହାତରେ ଗଦା ଏବଂ ଦକ୍ଷିଣ ହସ୍ତରେ ପଦ୍ମ ଶୋଭା ପାଇଥାଏ । ଏହାଙ୍କ ବେକରେ ପଦ୍ମମାଳ ରହିଥାଏ ।

କୁଣ୍ଢେଇବେଣ୍ଟ ସାହି, ପୁରୀ
ମୋ- ୯୪୩୭୧୬୬୩୬୯

 

Leave A Reply

Your email address will not be published.