ନୂଆଦିଲ୍ଲୀ: ମାସର ପ୍ରଥମ ଦିନ ଅର୍ଥାତ୍ ମେ’ ୧ ତାରିଖରେ ଦେଶବାସୀଙ୍କୁ, ବିଶେଷକରି ବ୍ୟବସାୟୀମାନଙ୍କୁ ଲାଗିଛି ଏକ ବଡ଼ ମହଙ୍ଗା ମାଡ଼। ତୈଳ ଏବଂ ଗ୍ୟାସ୍ ମାର୍କେଟିଂ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ୍ ବା ବ୍ୟବସାୟିକ ଏଲପିଜି (LPG) ସିଲିଣ୍ଡର ଦରରେ ବ୍ୟାପକ ବୃଦ୍ଧି ଘଟାଇଛନ୍ତି। ଫଳରେ ହୋଟେଲ, ରେଷ୍ଟୁରାଣ୍ଟ, ଢାବା ଏବଂ ଛୋଟ ବ୍ୟବସାୟୀଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ। ବ୍ୟବସାୟିକ ଗ୍ୟାସ୍ ଦର ବଢ଼ିବା କାରଣରୁ ବାହାରେ ଖାଇବା ଏବେ ଆହୁରି ମହଙ୍ଗା ହେବାର ଆଶଙ୍କା ଦେଖାଦେଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, କମର୍ସିଆଲ୍ ସିଲିଣ୍ଡର ପିଛା ଏକାଥରକେ ୯୯୩ ଟଙ୍କା ବଢ଼ାଇ ଦିଆଯାଇଛି। ଏହି ନୂଆ ଦର ଆଜିଠାରୁ ସମଗ୍ର ଦେଶରେ ଲାଗୁ ହୋଇସାରିଛି। ଦରବୃଦ୍ଧି ପରେ ଜାତୀୟ ରାଜଧାନୀ ଦିଲ୍ଲୀରେ ୧୯ କେଜିଆ କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୩୦୭୧.୫୦ ଟଙ୍କାରେ ପହଞ୍ଚିଛି। ଏତେ ବଡ଼ ଧରଣର ଦରବୃଦ୍ଧି ବ୍ୟବସାୟୀ ମହଲରେ ଚିନ୍ତା ବଢ଼ାଇ ଦେଇଛି। ସାଧାରଣତଃ ପ୍ରତି ମାସର ପ୍ରଥମ ତାରିଖରେ ତୈଳ କମ୍ପାନୀଗୁଡ଼ିକ ଅନ୍ତର୍ଜାତୀୟ ବଜାର ସ୍ଥିତିକୁ ଦୃଷ୍ଟିରେ ରଖି ଗ୍ୟାସ୍ ସିଲିଣ୍ଡରର ଦର ସମୀକ୍ଷା କରିଥାନ୍ତି।
ଗୋଟିଏ ପଟେ ବ୍ୟବସାୟିକ ସିଲିଣ୍ଡର ଦର ଆକାଶଛୁଆଁ ହୋଇଥିବା ବେଳେ, ଅନ୍ୟପଟେ ସାଧାରଣ ଖାଉଟି ଓ ଗୃହିଣୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ରହିଛି। ଘରୋଇ ରୋଷେଇ ଗ୍ୟାସ୍ (୧୪.୨ କେଜି ସିଲିଣ୍ଡର) ଦରରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ପୂର୍ବ ନିର୍ଦ୍ଧାରିତ ମୂଲ୍ୟରେ ହିଁ ଘରୋଇ ସିଲିଣ୍ଡର ଉପଲବ୍ଧ ହେଉଛି। ତେଣୁ ସାଧାରଣ ଲୋକଙ୍କ ଘରର ବଜେଟ୍ ଉପରେ ଏହାର କୌଣସି ଅତିରିକ୍ତ ବୋଝ ପଡ଼ିବ ନାହିଁ।
ତେବେ କମର୍ସିଆଲ୍ ଗ୍ୟାସ୍ ମହଙ୍ଗା ହେବା କାରଣରୁ ଷ୍ଟ୍ରିଟ୍ ଫୁଡ୍ ଠାରୁ ଆରମ୍ଭ କରି ବଡ଼ ହୋଟେଲ ପର୍ଯ୍ୟନ୍ତ ସବୁଠି ଖାଦ୍ୟପେୟ ସାମଗ୍ରୀର ଦାମ୍ ବଢ଼ିବା ଏକପ୍ରକାର ନିଶ୍ଚିତ ବୋଲି ବିଶେଷଜ୍ଞମାନେ କହୁଛନ୍ତି।