ଭୁବନେଶ୍ୱର: ଭୁବନେଶ୍ୱର ଭିଆଇପି କଲୋନୀ ସ୍ଥିତ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତିଙ୍କ ଘରୁ ଲୁଟ୍ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ନିରଞ୍ଜନ ପଟ୍ଟନାୟକ। ଫେସ୍ବୁକ୍ରେ ପୋଷ୍ଟ କରି ନିରଞ୍ଜନ ରାଜ୍ୟ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି।
ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ଚିନ୍ତା ପ୍ରକଟ କରି ଏହି ପୋଷ୍ଟ ଜରିଆରେ କହିଛନ୍ତି, ଗତକାଲି ମୋର ଭୁବନେଶ୍ବର ଘରେ ଚୋରି ହୋଇଛି ଏହି ଘଟଣା କେବଳ ମୋ ପରିବାର ପାଇଁ ନୁହେଁ, ବରଂ ସମସ୍ତ ଭୁବନେଶ୍ବର ବାସୀଙ୍କ ସୁରକ୍ଷାକୁ ନେଇ ମୁଁ ଚିନ୍ତିତ। ସରକାରଙ୍କ ଅବହେଳା କାରଣରୁ ଆଜି ଆମ ଘର, ଆମ ସାହି ଓ ଆମ ସଂପଦ ବିପଦରେ। ଓଡ଼ିଶା ପୋଲିସ ଜନତାଙ୍କ ସୁରକ୍ଷା ନିଶ୍ଚିତ କରନ୍ତୁ। ଏହା ବିଜେପି ସରକାରଙ୍କ ସର୍ବପ୍ରଥମ ପ୍ରାଥମିକତା ହେବା ଉଚିତ। ଭୁବନେଶ୍ବରକୁ ସୁରକ୍ଷିତ ରଖିବାକୁ ଅପିଲ କରିଛନ୍ତି ନିରଞ୍ଜନ।
ଅନ୍ୟପଟେ ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି। କଂଗ୍ରସ ନେତାଙ୍କୁ ନିଶ୍ଚିତ ରହିବାକୁ ଆଶ୍ବାସନା ଦେଇଥିଲେ ମୁଖ୍ୟମନ୍ତ୍ରୀ। ଏହି ଘଟଣାରେ ନିଶ୍ଚିତ ଭାବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ, କ୍ଷମା ଦେବାର ପ୍ରଶ୍ନ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ଏହି ଡକାୟତି ଘଟଣାର ତଦନ୍ତ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଥାଉ କି ଶନିବାର ରାତି ପ୍ରାୟ ୨ଟା ୪୦ ମିନିଟ୍ ସମୟରେ ନିରଞ୍ଜନଙ୍କ ନୟାପଲ୍ଲୀ ଆଇଆରସି ଭିଲେଜ ଏନ-୨ ସ୍ଥିତ ଘର। ଯେଉଁ ଘରେ ପୁଅ ବୋହୂ ଓ ନାତିଙ୍କ ସହ ନିରଞ୍ଜନ ସପରିବାର ରହନ୍ତି। ସେହି ଘରୁ ଚୋରି ହୋଇଛି। ହାଇ ସିକ୍ୟୁରିଟି ଜୋନ୍ରେ ଥିବା ଘରେ ରାତି ଅଧରେ ମୁଖା ପିନ୍ଧା ଦୁର୍ବୃତ୍ତ ପଶି କଳାକନା ବୁଲାଇ ଦେଇଥିଲେ। ଲୁଟିନେଇଯାଇଥିଲେ ୫୦ ଲକ୍ଷ ଟଙ୍କାର ଗହଣା ଗାଣ୍ଠି ଓ ନଗଦ ଅଢେଇ ଲକ୍ଷ ଟଙ୍କା। ମାଷ୍ଟର ବେଡରୁମରେ ପଶି ଲୁଟି ହୋଇଛି ସବୁ କିଛି। ଯାହାର ପ୍ରତିଟି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।
Comments are closed.