Latest Odisha News

BREAKING NEWS

‘ମୋଦି ଶାସନରେ ‘ବେଟି ବଚାଓ’ ନାରା ‘ବଳାତ୍କାରୀ ବଚାଓ’ ରେ ପରିଣତ ହୋଇଛି’

ଭୁବନେଶ୍ୱର: ସାଧାରଣ ନିର୍ବାଚନ ୨୦୨୪ ପାଇଁ ଏବେ ସରଗରମ ରାଜନୈତିକ ମାହୋଲ । ସବୁଦଳ ପରସ୍ପର ଉପରେ ଏବେ କାଦୁଅ ଫିଙ୍ଗିବାରେ ଲାଗିଛନ୍ତି । ଏହି କ୍ରମରେ ଆଜି ବିଜେପି ଉପରେ ବର୍ଷିଛନ୍ତି କଂଗ୍ରେସର ଜାତୀୟ ମୁଖପାତ୍ର ଶମା ମହମ୍ମଦ । ସେ କହିଛନ୍ତି ଯେ, ୧୦ ବର୍ଷର ବିଜେପି ଶାସନରେ ସମଗ୍ର ଭାରତବର୍ଷରେ ମହିଳାଙ୍କ ପ୍ରତି ବଳାତ୍କାର, ହତ୍ୟା, ଅପହରଣ ଓ ନିର୍ଯାତନା ବହୁ ମାତ୍ରାରେ ବୃଦ୍ଧି ପାଇଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୋଦି ସରକାରଙ୍କ ଘନିଷ୍ଠ ରାଜନୈତିକ ସହଯୋଗୀ, ନେତା ଓ ମନ୍ତ୍ରୀମାନେ ଏସବୁ କାର୍ଯ୍ୟରେ ସମ୍ପୃକ୍ତ । ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପରିବର୍ତ୍ତେ ସରକାର ସେମାନଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି । ଏପରିକି ବଳାତ୍କାର ଓ ହତ୍ୟା ମାମଲାରେ ସମ୍ପୃକ୍ତ ନେତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଦଳୀୟ ଟିକେଟ୍ ମଧ୍ୟ ଦିଆଯାଉଛି ଫଳରେ ସମଗ୍ର ଦେଶରେ ମହିଳାମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି ବୋଲି ଶମା କହିଛନ୍ତି । ସେ ଆହୁରି କହିଛନ୍ତି, ମୋଦି ସରକାରଙ୍କ ‘ବେଟି ବଚାଓ’ ର ନାରା ଆଜି ‘ବଳାତ୍କାରୀ ବଚାଓ’ ରେ ପରିଣତ ହୋଇଛି ।

ଉନାଓ ଘଟଣାର ଉଦାହରଣ ଦେଇ ଶମା କହିଛନ୍ତି, ଉନାଓ ବଳାତ୍କାର ଓ ହତ୍ୟା ମାମଲା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା । ଜଣେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା କରାଗଲା । ପରେ ତାଙ୍କ ବାପାଙ୍କୁ ପୋଲିସ କଷ୍ଟଡିରେ ହତ୍ୟା କରାଯିବା ସହ ଦାଦାଙ୍କୁ ଟ୍ରକ୍ ଚଢ଼ାଇ ହତ୍ୟା କରାଗଲା । ଘଟଣାରେ ସମ୍ପୃକ୍ତ ପୂର୍ବତନ ବିଜେପି ବିଧାୟକ କୁଲଦୀପ ସିଂହ ସେନଗରଙ୍କୁ ସେତେବେଳେ ଘଣ୍ଟ ଘୋଡ଼ାଇବାକୁ ଉଦ୍ୟମ କରାଯାଇଥିଲା । ମାତ୍ର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଘଟଣାସ୍ଥଳକୁ ଯାଇ ତୀବ୍ର ବିରୋଧ କରିବା ପରେ ଏହାର ସିବିଆଇ ତଦନ୍ତ ହୋଇଥିଲା ।

ସେହିପରି, ସ୍ୱାମୀ ଚିନ୍ମୟାନନ୍ଦ, ରାମ ରହିମ ଆଦି ବଳାତ୍କାର ଅଭିଯୁକ୍ତଙ୍କୁ ମୋଦି ସରକାର ସୁରକ୍ଷା ଦେଇଆସୁଛନ୍ତି । ବିକିସ ବାନୋ ବଳାତ୍କାର ଓ ହତ୍ୟା ମାମଲା ମଧ୍ୟ ଦେଶର ଅନ୍ୟତମ ଚର୍ଚ୍ଚିତ ଅପରାଧ ଥିଲା । ପରିବାର ଲୋକଙ୍କ ଆଗରେ ବିକିସ୍ ବାନୋଙ୍କୁ ବଳାତ୍କାର ଓ ହତ୍ୟା କରାଯିବା ସହ ତାଙ୍କ ୨ ବର୍ଷର ଝିଅକୁ ହତ୍ୟା କରାଯାଇଥିଲା ।

ସେହିପରି, ମହିଳା କୁସ୍ତି କ୍ରୀଡ଼ାବିତ୍ ଯେଉଁମାନେ ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ଆଣି ଆମ ଦେଶକୁ ଗୌରବାନ୍ୱିତ କରିଛନ୍ତି ସେମାନଙ୍କୁ ବିଜେପି ନେତା ବ୍ରିଜ ଭୁଷଣ ଶରଣ ସିଂ ଯୌନ ଶୋଷଣ କରିବା ଘଟଣା ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ନିନ୍ଦିତ କରିଛି । ମହିଳା କ୍ରୀଡ଼ାବିତ୍‌ମାନେ ବ୍ରିଜ ଭୁଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଧାରଣା ଦେବାବେଳେ ପୁଲିସ ସେମାନଙ୍କୁ ଆକ୍ରମଣ କଲା । ଆଶ୍ଚର୍ଯ୍ୟର କଥା ଏସବୁ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୌନ ବ୍ରତ ଧାରଣ କରିଥିଲେ କହି ବର୍ଷିଛନ୍ତି ଶମା ।

ଅନ୍ୟପଟେ ମଣିପୁର ମହିଳା ହିଂସା ଘଟଣାରେ ମଧ୍ୟ ପ୍ରଧାନମନ୍ତ୍ରୀ ନୀରବ ରହିଥିବା କହିଛନ୍ତି ଶମା । ଏତେବଡ କାଣ୍ଡ ପରେ ମଧ୍ୟ ଘଟଣାସ୍ଥଳକୁ ଥରୁଟିଏ ମଧ୍ୟ ମୋଦି ଗଲେନି । ମାତ୍ର ରାହୁଲ ଗାନ୍ଧି ମହିଳାମାନଙ୍କୁ ନ୍ୟାୟ ଦେବା ପାଇଁ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ସେହିଠାରୁ ହିଁ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆରମ୍ଭ କଲେ । ବର୍ତ୍ତମାନ ପ୍ରଜ୍ୱଳ ରେବନ୍ନା ମାମଲା ମଧ୍ୟ ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି । ଜଣେ ରାଜନେତା ୪ ଶହ ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ବଳାତ୍କାର କରିବା ସହ ୩ ହଜାର ରୁ ଊର୍ଦ୍ଧ୍ୱ ଭିଡ଼ିଓ ଉତ୍ତୋଳନ କରିଛି । ଘଟଣା ଧରାପଡ଼ିବା ପରେ ସେ ଦେଶ ଛାଡ଼ି ପଳାଇଥିବାବେଳେ ମୋଦି ସରକାର ହାତ ବାନ୍ଧି ବସିଛନ୍ତି । ତେଣୁ ଏ ସମସ୍ତ ଘଟଣାରେ ମୋଦି ସରକାରଙ୍କ ଶାସନରେ ମହିଳାମାନେ କେତେ ସୁରକ୍ଷିତ ତାହା ସ୍ପଷ୍ଟ ହେଉଥିବା କହିଛନ୍ତି ଶମା ।

ବିଜେପି ପରେ ଓଡ଼ିଶାରେ ନବୀନ ସରକାରଙ୍କ ଉପରେ ବର୍ଷିଛନ୍ତି ଶମା । ସେ କହିଛନ୍ତି ଓଡିଶାରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳୁଛି । ସେ କହିଛନ୍ତି ଯେ, ମମିତା ମେହେର ବଳାତ୍କାର ଓ ହତ୍ୟା ମାମଲାରେ ବିଜେଡି ନେତା କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ରଙ୍କର ସଂପୃକ୍ତି ରହିଛି । ସେହିପରି ପରୀ ହତ୍ୟା ମାମଲାରେ ବିଜେଡି ନେତା ଶ୍ରୀକାନ୍ତ ସାହୁ ଓ ଅରୁଣ ସାହୁ‌ଙ୍କୁ ମଧ୍ୟ ଏଥର ଟିକେଟ୍ ମିଳିଛି । ତେଣୁ ଏଥିରୁ ସ୍ପଷ୍ଟ ଯେ ଉଭୟ ବିଜେପି ଓ ବିଜେଡି ସରକାର ମହିଳାମାନଙ୍କ ସୁରକ୍ଷା ଓ ସମ୍ମାନ ପ୍ରତି ଗୁରୁତ୍ୱ ଦେଉନାହାନ୍ତି ।

କଂଗ୍ରେସ ସରକାରକୁ ଆସିଲେ ୨୦୨୫ ସୁଦ୍ଧା ଦେଶର ୩୩ ପ୍ରତିଶତ ମହିଳାଙ୍କୁ ବିଧାନସଭାରେ ସଂରକ୍ଷଣ ଦିଆଯିବ ବୋଲି ଶମା ପ୍ରତିଶ୍ରୁତି ଦେଇଛନ୍ତି । ସେପଟେ ଦରଦାମ ନିୟନ୍ତ୍ରଣରେ ନାହିଁ, ଗରିବ ଲୋକମାନେ ଜିଏସଟି ଗଣିଗଣି ନୟାନ୍ତ ହେଲେଣି । ଆମେ ସରକାରକୁ ଆସିଲେ ଘରର ପ୍ରତି ମୁରବୀ ମହିଳାଙ୍କୁ ଏକ ଲକ୍ଷ ଟଙ୍କା ଦିଆଯିବ ବୋଲି ଏକଥା ରାହୁଲ ଗାନ୍ଧୀ ଇସ୍ତାହାରରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.