Latest Odisha News

BREAKING NEWS

ଶରଦ ପାୱାରଙ୍କ ଖେଳ ବୁଝିହେଉନି, ପ୍ଲାନ ‘ବି’ ପ୍ରସ୍ତୁତ କଲେ ସହଯୋଗୀ !

ଭୁବନେଶ୍ୱର: ପୁଣିଥରେ ମହାରାଷ୍ଟ୍ର ରାଜନୀତିକୁ ନେଇ ଚର୍ଚ୍ଚା ଜୋର ଧରିଲାଣି। ଗୋଟିଏ ପଟେ ଶରଦ ପାୱାରଙ୍କ ଆଭିମୁଖ୍ୟକୁ ନେଇ ଏମଭିଏ ମେଣ୍ଟ ଦ୍ବନ୍ଦ୍ୱରେ ଥିବା ବେଳେ ଆଉ ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଭବିଷ୍ୟତକୁ ନେଇ ନାନା କଳ୍ପନା କଳ୍ପନା ପ୍ରକାଶ ପାଉଛି।

ଏଭଳି ସ୍ଥିତିରେ ମହାରାଷ୍ଟ୍ରର ବିରୋଧୀ ଦଳ ନେତା ବିଜୟ ୱାଡେଟିବାର ବିସ୍ଫୋରକ ବୟାନ ଦେଇଛନ୍ତି। ସିନ୍ଦେଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଗାଦିରେ ବସାଇବାକୁ ଯୋଜନା ହୋଇଥିବା ସୂଚନା ମିଳୁଛି ବୋଲ ବିଜୟ କହିଛନ୍ତି।

ସିନ୍ଦେଙ୍କୁ ଦୁଇ ମାସ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ଚିକିତ୍ସା ଆଳରେ ଆଉ ଜଣଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଯିବା ନେଇ ବିରୋଧୀ ଦଳ ନେତା ଆଶଙ୍କା ବ୍ୟକ୍ତ କରିଛନ୍ତି। ସିନ୍ଦେ ଗୋଷ୍ଠୀ ବିଧାୟକ ସଞ୍ଜୟ ଶୀର୍ଷାତ କହିଥିଲେ କି ମୁଖ୍ୟମନ୍ତ୍ରୀ ୨୪ ଘଣ୍ଟା କାମ କରୁଛନ୍ତି ସେଥିପାଇଁ ତାଙ୍କ ଦେହ ଖରାପ ହୋଇଯାଇଛି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ସେପଟେ ପୂର୍ବରୁ କଂଗ୍ରେସ ନେତା ପୃଥ୍ବୀରାଜ ଚୌହାନ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରେ ବସାଯିବା ନେଇ କହିଥିଲେ।

ଶରଦ ପାୱାରଙ୍କ କାର୍ଯ୍ୟକଳାପକୁ ନେଇ ବିରୋଧୀ ମେଣ୍ଟ ଏମଭିଏ ମଧ୍ୟରେ ଦ୍ବନ୍ଦ୍ୱ ଅଧିକ ହେବାରେ ଲାଗିଛି। ଶରଦ ପାୱାରଙ୍କ କାର୍ଯ୍ୟକଳାପକୁ ନେଇ ଏମଭିଏର ଅନ୍ୟ ଦୁଇ ପ୍ରମୁଖ ଦଳ କଂଗ୍ରେସ ଓ ଉଦ୍ଧବ ଗୋଷ୍ଠୀ ଶିବସେନା ପ୍ଲାନ ବି କୁ ନେଇ ବିଚାର କରୁଥିବା ଆଲୋଚନା ହେଉଛି।

ଶରଦ ପାୱାରଙ୍କ ବିନା ଉଭୟ ଦଳ ମିଶି ନିର୍ବାଚନକୁ ଓଲ୍ହାଇଵାକୁ ଯୋଜନା କରୁଥିବା କୁହାଯାଉଛି। ଏପରିକି ଚର୍ଚ୍ଚା ଅନୁଯାୟୀ ଉଦ୍ଧବ ଗୋଷ୍ଠୀ ମହାରାଷ୍ଟ୍ରର ସମସ୍ତ ୪୮ ସଂସଦୀୟ ସିଟକୁ ନେଇ ସମୀକ୍ଷା ଆରମ୍ଭ କରିଛି। ଏଥିରେ ପାୱାର ପରିବାରର ଗଡ଼ ବୋଲି କୁହାଯାଉଥିବା ବାରାମତି ସିଟ ମଧ୍ୟ ସାମିଲ ଅଛି।

ଶରଦ ପାୱାର ଓ ଅଜିତ ପାୱାରଙ୍କ ମଧ୍ୟରେ ବାରମ୍ବାର ଭେଟଘାଟକୁ ନେଇ କଂଗ୍ରେସ ଓ ଉଦ୍ଧବ ଗୋଷ୍ଠୀ ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ ଖୁବ ଶୀଘ୍ର ଏ ନେଇ ରାହୁଲ ଗାନ୍ଧୀଙ୍କୁ ଉଦ୍ଧବ ଠାକରେ ଭେଟିବେ ବୋଲି କୁହାଯାଉଛି।

ସେପଟେ କଂଗ୍ରେସ ମଧ୍ୟ ମହାରାଷ୍ଟ୍ରର ସମସ୍ତ ୪୮ ଲୋକସଭା ସିଟରେ ନିଜର ପର୍ଯ୍ୟବେକ୍ଷକଙ୍କ ଦ୍ଵାରା ସର୍ଭେ କରିବା କାର୍ଯ୍ୟକୁ ତୀଵ୍ର କରିଛି। ଦଳ ଏ ନେଇ କୋର କମିଟି ବୈଠକରେ ଆଲୋଚନା କରିବା ସହ ସମସ୍ତ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କୁ ଅବଗତ କରାଯାଇଥିବା ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲେ କହିଛନ୍ତି।

ମୁମ୍ବାଇରେ ହେବାକୁ ଥିବା ବିରୋଧୀ ମେଣ୍ଟ ଇଣ୍ଡିଆର ତୃତୀୟ ବୈଠକରେ ଏ ନେଇ ଆଲୋଚନା ହେବ ବୋଲି କୁହାଯାଇଛି। ଏପରିକି ଏନସିପିରେ ବିଦ୍ରୋହ ହେବା ପରେ ଶରଦ ପାୱାର ଗୋଷ୍ଠୀରେ ଥିବା ବିଧାୟକ ମାନେ ମଧ୍ୟ ବିରୋଧୀ ମେଣ୍ଟରେ ରହିବାକୁ ଚାହୁଁ ନ ଥିବା ଚର୍ଚ୍ଚା ହେଉଛି।

ତେଣୁ ଏସବୁକୁ ଦେଖି କଂଗ୍ରେସ ଓ ଉଦ୍ଧବ ଗୋଷ୍ଠୀ ମହାରାଷ୍ଟ୍ରରେ ପ୍ଲାନ ବି କୁ ନେଇ ଯୋଜନା ଆରମ୍ଭ କରିଥିବା କୁହାଯାଉଛି।

Leave A Reply

Your email address will not be published.