Latest Odisha News

BREAKING NEWS

ଗଞ୍ଜାମରେ ମିଳୁନି କୋଭିସିଲ୍‌ଡ ଟିକା

ବ୍ରହ୍ମପୁର: ଗଞ୍ଜାମ ଜିଲାରେ କୋଭିସିଲ୍‌ଡ ଟିକା ଖୋଜିଲେ ମିଳୁନି । ଜିଲା ବ୍ୟାପି ସବୁଆଡ଼େ କୋଭିସିଲ୍‌ଡ ସରିଯାଇଛି। ଯାହା ଫଳରେ ଜିଲାରେ କୋଭିଡ ଟିକାକରଣ ପ୍ରଭାବିତ ହୋଇଛି । କେବଳ ବ୍ରହ୍ମପୁର ସହର ନୁହଁ, ଜିଲାର ଗ୍ରାମାଞ୍ଚଳ ଏବଂ ଛୋଟ ସହର ଗୁଡ଼ିକରେ ମଧ୍ୟ କୋଭିସିଲ୍‌ଡ ଶେଷ ହୋଇଯାଇଛି ।

ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ହିଁ ମାଗଣାରେ ବୁଷ୍ଟର ଡୋଜ୍‌ ପ୍ରଦାନ କରାଯିବ । ତେବେ ବର୍ତ୍ତମାନ କୋଭିସିଲ୍‌ଡ ଟିକାର ଅଭାବ ରହିଥିବା ଯୋଗୁ ନିର୍ଦ୍ଧାରିତ ଅବଦ୍ଧି ମଧ୍ୟରେ ସମସ୍ତେ ଯେ ବୁଷ୍ଟର ଡୋଜ୍‌ ପାଇପାରିବେ, ତାହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ଜିଲାରେ ବର୍ତ୍ତମାନ ସୁଦ୍ଧା ୬୧ଲକ୍ଷ ୩୯ହଜାର ୨୪୨ ଡୋଜ୍‌ ଟିକା ଦିଆଯାଇଛି । ସେଥିରୁ ୩୦ ଲକ୍ଷ ୮ ହଜାର ୪୭୯ଟି ପ୍ରଥମ ଡୋଜ୍‌ ହୋଇଥିବା ବେଳେ ଦ୍ବିତୀୟ ଡୋଜ୍‌ ହେଉଛି ୨୮ ଲକ୍ଷ ୯୨ ହଜାର ୯୯୫। ସେହିଭଳି ବୁଷ୍ଟର ଡୋଜ୍‌ ମାତ୍ର ୨ ଲକ୍ଷ ୩୭ ଜାର ୭୬୮ଟି ଦିଆଯାଇଛି ।

ତେବେ ବୁଷ୍ଟର ଡୋଜ୍‌ରେ ଯେଉଁମାନେ କୋଭିସିଲ୍‌ଡ ନେବାକୁ ଅଛି, ସେମାନେ ଅସୁବିଧାର ପଡ଼ିଛନ୍ତି । କାରଣ ଜିଲା ସାରା କେଉଁଠି ବି କୋଭିସିଲଡ ଟିକା ମିଳୁନି। କେବଳ କୋଭାକ୍ସିନ ଟିକା ମିଳୁଛି। ଏହାର ପ୍ରଭାବରେ ବର୍ତ୍ତମାନ ଅଧିକାଂଶ କେନ୍ଦ୍ରରେ ଟିକାକରଣ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି ।

ଜିଲାରେ କୋଭାକ୍ସିନ ଅପେକ୍ଷା କୋଭିସିଲ୍‌ଡ ଟିକା ନେଇଥିବା ଲୋକଙ୍କ ସଂଖ୍ୟା ଅଧିକ । ଏଣୁ ବୁଷ୍ଟର ଡୋଜ୍‌ରେ ମଧ୍ୟ କୋଭିସିଲଡର ଆବଶ୍ୟକତା ପଡ଼ୁଛି । ହେଲେ ହଠାତ୍‌ ଶେଷ ହୋଇଯିବା ଯୋଗୁ ଟିକାକରଣ ପ୍ରଭାବିତ ହୋଇଛି।

ତେବେ ଏନେଇ ଲୋକମାନଙ୍କୁ କୌଣସି ପୂର୍ବ ସୂଚନା ଦିଆଯାଉ ନାହିଁ । ସେମାନେ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିବା ପରେ ହିଁ ଏନେଇ ଜାଣି ପାରୁଛନ୍ତି। ଯାହାକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି।

ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ପୁଣି ଥରେ ବଢ଼ୁଛି । ଏଭଳି ସ୍ଥଳେ ଟିକା ନେବା ପାଇଁ ଲୋକମାନଙ୍କ ମଧ୍ୟରେ ହଠାତ୍‌ ଆଗ୍ରହ ବଢ଼ିଯାଇଛି । ସେମାନେ ଟିକା ନେବା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଲା ବେଳକୁ ଟିକା କିନ୍ତୁ ମିଳୁନି।

ଏନେଇ ବ୍ରହ୍ମପୁର ମହାନଗର ନିଗମର ଆୟୁକ୍ତ ଜେ. ସୋନାଲ କହିଛନ୍ତି ଯେ, ସହରରେ ୮ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସହିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଏବଂ ଟାଉନହଲରେ ଟିକା ଦିଆଯାଉଛି । ସେପ୍ଟେମ୍ବର ୩୦ ଭିତରେ ବୁଷ୍ଟର ଡୋଜ୍‌ ଟିକାକରଣକୁ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । କିନ୍ତୁ ଟିକାର ଅଭାବ ରହୁଛି ।

ମହାନଗର ନିଗମ ଅଞ୍ଚଳରେ ସୁରୁଖୁରୁରେ ଟିକାକରଣ ପାଇଁ ଆବଶ୍ୟକ ଅନୁଯାୟୀ ଟିକା ଯୋଗାଇଦେବାକୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ କୁହାଯାଇଥିବା ସେ ପ୍ରକାଶ କରିଛନ୍ତି । ସେହିଭଳି ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡା. ଭି.ସରୋଜିନୀ ଦେବୀଙ୍କ କହିବାନୁଯାୟୀ, କୋଭିସିଲ୍‌ଡ ଟିକା ଜିଲାରେ ସରିଯାଇଛି । ଏନେଇ ରାଜ୍ୟକୁ ଅବଗତ କରାଯାଇଛି ବୋଲି ସେ କହିଛନ୍ତି।

Leave A Reply

Your email address will not be published.