Latest Odisha News

ନନ୍ଦନକାନନରେ କାଉ ମଡ଼କ: ବାର୍ଡ୍ ଫ୍ଲୁ ଆଶଙ୍କା ଯୋଗୁଁ ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ବାସିନ୍ଦା

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠସ୍ଥ ନନ୍ଦନକାନନର ଆଖପାଖ ଅଞ୍ଚଳରେ ବହୁସଂଖ୍ୟାରେ ପକ୍ଷୀ ମଡ଼କ ଦେଖାଯିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଏବେ ଆତଙ୍କ ଖେଳିଯାଇଛି ।

ଏହି ଅଞ୍ଚଳରେ ବହୁ ସଂଖ୍ୟାରେ କାଉ ମରିଯାଉଥିବା ଲକ୍ଷ୍ୟ କରାଯାଉଥିବା ବେଳେ ବିଭିନ୍ନ ପ୍ରକାରର ପକ୍ଷୀମାନଙ୍କର ମଧ୍ୟ ଅସ୍ୱାଭାବିକ ମୃତ୍ୟୁକୁ ଲକ୍ଷ୍ୟ କରି ସ୍ଥାନୀୟ ଲୋକେ ବାର୍ଡ ଫ୍ଲୁ ବ୍ୟାପିବାର ଆଶଙ୍କା କରିଛନ୍ତି । ଅନ୍ୟପଟରେ ଏସମ୍ପର୍କରେ ବିଭାଗୀୟ କର୍ତ୍ତୃପକ୍ଷ ଏହି ପକ୍ଷୀ ମଡ଼କର କାରଣ ଜାଣିବା ଲାଗି ତତ୍ପରତା ପ୍ରକାଶ କରିଛନ୍ତି ।

ବହୁ ସଂଖ୍ୟାରେ କାଉ ମରି ପଡ଼ିଥିବାର ଦେଖାଯିବା ଯୋଗୁଁ ନନ୍ଦନକାନନ ଆଖପାଖ ଗ୍ରାମ, ଦାରୁଢେଙ୍ଗ, ନନ୍ଦନକାନନ ବସଷ୍ଟାଣ୍ଡ ଏବଂ ବଡ଼ଛକ ଅଞ୍ଚଳରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ବାର୍ଡ ଫ୍ଲୁ ସନ୍ଦେହ କରି ଏନେଇ ପରିକ୍ଷା କେନ୍ଦ୍ରକୁ ଏହି ପକ୍ଷୀ ପଠାଇବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଏସମ୍ପର୍କରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ପକ୍ଷୀ ମୃତ୍ୟୁର କାରଣ ଖୋଜିବା ସହିତ ଏହି ମଡ଼କ ବନ୍ଦ ହେବାକୁ ଆଶୁ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ମଡ଼କରେ ମୃତ ପକ୍ଷୀଗୁଡ଼ିକ ମଧ୍ୟରେ ଅଧିକାଂଶ ଶୀତ ଦିନରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରହିଥାଆନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ କିଛିଦିନ ପୂର୍ବରୁ ଏହିଭଳି ପୁରୀ ଏବଂ ଚିଲିକା ହ୍ରଦରେ ଏହି କାଉ ମଡ଼କ ଦେଖାଯାଇଥିଲା ।

Leave A Reply

Your email address will not be published.