Latest Odisha News

BREAKING NEWS

ବାତ୍ୟାର ରୂପ ନେଉଛି ଅବପାତ, ଓଡ଼ିଶା ସମେତ ୬ଟି ରାଜ୍ୟକୁ ସତର୍କ ସୂଚନା

ଭୁବନେଶ୍ୱର: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅନୁଭୁତ ହୋଇଥିବା ଅବପାତ କ୍ରମେ ବାତ୍ୟାର ରୂପ ନେଉଛି । ଶୁକ୍ରବାର ରାତି ସୁଦ୍ଧା ଏହା ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଅବପାତ ଆନ୍ଧ୍ର ରାଜ୍ୟର ମଚ୍ଛଲିପଟ୍ଟନମ ଠାରୁ ୧୨୫୦ କିମି ଏବଂ ତାମିଲନାଡୁର ଚେନ୍ନାଇ ଉପକୂଳରୁ ପ୍ରାୟ ୧୦୮୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ।

ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି, ୧୪ ତାରିଖ ଅପରାହ୍ନରେ ଏହା ବାତ୍ୟାର ରୂପ ନେଇ କ୍ରମେ ସ୍ଥଳଭାଗ ଆଡ଼କୁ ମୁହାଁଇବ । ତେବେ ୧୫ ତାରିଖ ଅର୍ଥାତ ଶନିବାର ରାତି ବେଳକୁ ଏହା ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି ।

ଏହି ବାତ୍ୟାର ପ୍ରଭାବ ଆନ୍ଧ୍ରପଦେଶ, ତାମିଲନାଡୁ, ଓଡ଼ିଶା, ପଶ୍ଚିମବଙ୍ଗ, ପଣ୍ଡିଚେରୀ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଉପରେ ପଡ଼ିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛନ୍ତି ।

ଏହି ବାତ୍ୟାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ତଥା ଉପକୂଳବର୍ତ୍ତୀ କେତେକ ଜିଲ୍ଲାରେ ୧୬ ତାରିଖ ବେଳକୁ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ତେବେ ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ୧୬ ଓ ୧୭ ତାରିଖରେ ଓଡ଼ିଶାର ଦକ୍ଷିଣାଞ୍ଚଳ ତଥା ଉପକୂଳବର୍ତ୍ତୀ କେତେକ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛନ୍ତି ।

ବାତ୍ୟାର ଆଶଙ୍କା ସୃଷ୍ଟି ହୋଇଥିବା ଯୋଗୁଁ ଓଡ଼ିଶା ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନ (ଏସଆରସି) ପକ୍ଷରୁ ସତର୍କ ସୂଚନା ଜାରି କରିଛନ୍ତି । ଓୟୁଏଟି ଏବଂ ଏସଆରସି ପକ୍ଷରୁ ଚାଷୀମାନଙ୍କୁ ସତର୍କତା ଅବଲମ୍ବନ କରିବା ନେଇ ସୂଚନା ପ୍ରଦାନ କରାଯାଇଛି । କଟାଯାଇଥିବା ସମସ୍ତ ଧାନ ବିଲ ଓ ଖଳାରୁ ନେଇ ନିରାପଦ ସ୍ଥାନରେ ରଖିବାକୁ ପରାମର୍ଶ ଦିଆଯାଇଛି ।

ଚାଷୀମାନଙ୍କ ଧାନ କିପରି ନିରାପଦ ସ୍ଥାନରେ ରହିପାରିବ ସେନେଇ ସ୍ୱତନ୍ତ୍ର ରିଲିଫ କମିଶନର ସମସ୍ତ ଜିଲ୍ଲାପାଳ ତଥା ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.