ଭୁବନେଶ୍ୱର: ସପ୍ତାହେ ହେଲାଣି ରାଜ୍ୟର ୯ ଜିଲ୍ଲାରେ ଝାଡ଼ାବାନ୍ତି ସଂକ୍ରମଣ ଥମିବାର ନାଁ ଧରୁନି। ଯାଜପୁରରୁ ଆରମ୍ଭ ହୋଇଥିବା ଡାଇରିଆ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ମାଡ଼ିବାରେ ଲାଗିଛି । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରଭାବିତ ଜିଲ୍ଲାକୁ ବାଦ ଦେଇ ଅନ୍ୟ ଜିଲ୍ଲାରେ ଯେପରି ଝାଡ଼ାବାନ୍ତି ନ ବ୍ୟାପିବ ସେଥିପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି । ସମସ୍ତ ଜିଲ୍ଲାକୁ ‘ହାଇଆଲର୍ଟ’ରେ ରଖିଛନ୍ତି।ରାଜ୍ୟରେ ୨୧ ଜଣଙ୍କ ଜୀବନ ଯାଇଥିବା ବେଳେ ୧୭୦୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି।
ସେହିପରି ଗତକାଲି ୨୯୮ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଯାଜପୁର ଜିଲ୍ଲାରେ ମଙ୍ଗଳବାର ୧୮୫ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଗୁରୁତର ଅବସ୍ଥାରେ ୧୫ ରୋଗୀଙ୍କୁ କଟକ ଏସ୍ସିବିକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଛି। ଏବେ ପ୍ରତିଦିନ ହେବ ରାଜ୍ୟସ୍ତରୀୟ ସମୀକ୍ଷା। ଡାଇରିଆ ସ୍ଥିତି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କେନ୍ଦ୍ରୀୟ ପ୍ରତିନିଧି ଦଳ ସହ ସ୍ବତନ୍ତ୍ର ବୈଠକ ହୋଇଛି । ପରେ ପ୍ରଭାବିତ ବିଭିନ୍ନ ବ୍ଲକ ଗସ୍ତ କରିଛି ୧୦ ଜଣିଆ କେନ୍ଦ୍ରୀୟ ଟିମ୍ ।
ଭୁବନେଶ୍ୱର ଏଆଇଆଇଏମଏସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ଜ଼ିଲ୍ଲା ମୂଖ୍ୟ ଚିକିତ୍ସାଳୟ ସମେତ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ସହ ଆଲୋଚନା କରିଛନ୍ତି । ଜିଲ୍ଲାରେ ଚିକିତ୍ସା ବ୍ୟବସ୍ଥା କିଭଳି ଗ୍ରହଣ କରାଯାଇଛି ସେ ନେଇ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା କରିଥିଲେ । ପାଣିରୁ ସଂକ୍ରମଣ ବ୍ୟାପିଥିବା କହିଛନ୍ତି କେନ୍ଦ୍ରୀୟ ଦଳ। ଏଥି ସହ ପାଣି ଫୁଟାଇ ପିଇବା ସହ ପରିବେଶ ନିର୍ମଳ ରଖିବାକୁ ଜିଲ୍ଲାବାସୀଙ୍କୁ ପରାମର୍ଶ ଦେଇଛନ୍ତି ।
Comments are closed.