Latest Odisha News

ଦିଆସିଲି ବିକୁଥିବା ଝିଅଟି

ଦିଆସିଲି ବିକୁଥିବା ଝିଅଟି

ମୂଳରଚନା: ହାନ୍ସ କ୍ରିଷ୍ଟିଆନ୍ ଆଣ୍ଡରସନ୍
ଅନୁସୃଜନ: କିଶୋର ପାଣିଗ୍ରାହୀ

ଚାଲିଚି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କର ଜନ୍ମଦିନ ପାଳନର ଉତ୍ସବ ଗୀର୍ଜାରେ, ସାହିରେ, ବସ୍ତିରେ, ଘରେଘରେ । ରାତି ପାହିଲେ ନୂଆବର୍ଷ । ଶେଷସଂଜ, ଶେଷରାତି ଆଜି; ଏଇ ପୁରୁଣାବର୍ଷର ।କାଲୁଆ ଥଣ୍ଡା; ବୃଷ୍ଟିହେଉଚି ବରଫ; ଖିଲିମାରିଯାଉଚି ହାତଗୋଡ଼ । ଭିଡ଼ିହଉଚି ଅଜଗର ପରି, ଜମାଟବାନ୍ଧୁଚି ନିଘୋଡ଼ ଅନ୍ଧାରକାୟା ।

ପ୍ରଚଣ୍ଡ ଶୀତ ଆଉ ମାଡ଼ିଆସୁଥିବା ଅନ୍ଧାର ଭିତରେ ଥରଥର ହେଇ, ହାବୁଡ଼ିଥାବୁଡ଼ି ଚାଲିଚି ବକଟେନାକୁରୁ ଝିଅ । ଶୀତ ଦାଉରୁ ଟିକିଏ ଆପଟ ପାଇଁ ମଥାରେ ମଫଲର କି କପଡ଼ାଖଣ୍ଡେ ବି ନାଇଁ। ବରଫବିଛା ନିଛାଟିଆ ରାସ୍ତା, ଅବଶ୍ୟ ବସ୍ତି ଭିତର ରାସ୍ତାରେ ସେ ଚାଲିଚି । ପାଦରେ ଚପଲ ହଳେ ପିନ୍ଧିଥିଲା ଯେ ସେଇଟା ତା ମାଆର । ତା ପାଦକୁ ଏତେ ବଡ଼ ଚପଲ; ଯାହା ହେବ! ଚଟରପଟର ହେଇ ଚାଲୁଚାଲୁ ଦିଟା ଗାଡ଼ି ସରସାର ହେଇ ଏତେ ବେଗରେ ମାଡ଼ି ଅଇଲେ ଯେ ଛାନିଆରେ ଦଉଡ଼ି ଯିବାରୁ ପାଦରୁ କୁଆଡେ଼ ଖସିଗଲା ପଟେ । ଏପଟ ସେପଟ ଚାହିଁଲା; ଆଉ ପାଇଲାନି । ପଟିଏ ଚପଲ ବା କୋଉ କାମକୁ? ଏତିକି ବେଳେ କୋଉଠି ଥିଲା କେଜାଣି? ଠିକ ତାରି ବୟସରେ ପୁଅଟିଏ । ସେ ପଟକ ଚପଲକୁ ବି ଝିଙ୍କିନେଇ କୌତୁକ କଲା ।କହିଲା, “ଏଇଟା ବଢ଼ିଆ କାମ ଦେବ । ମୋର ପିଲାପିଲି ହେଲେ, ଏଥିରେ ଝୁଲାକରି ତାକୁ ଝୁଲେଇବି ।” ତା ପରେ ନିର୍ଦୟ ଭାବେ ଝିଅଟିର ଦୁର୍ଦ୍ଦଶାକୁ ଦାନ୍ତ ନେଫିଡ଼ି ଛୁ ହେଇଗଲା ପୋଡ଼ାମୁହାଁଟା କୁଆଡେ଼ ।

ବିଚରା ଗରିବ, ଦୁଃଖିନୀ ଝିଅଟା । ଏବେ ଫୁଙ୍ଗୁଳା ପାଦରେ ଚାଲିଚି ସାହି ରାସ୍ତାରେ । କୁନିକୁନି ଗୋରା ପାଦ ଦୁଇଟି ବରଫରେ ରଗଡ଼ି ନାଲି ପଡ଼ିଗଲାଣି, ଆଉ ପାଦ ଉପରେ ଶିରାଗୁଡ଼ାକ ନୀଳ ପଡ଼ିଗଲାଣି । ଅଧା ଛିଣ୍ଡା ପୁରୁଣା ଓଢ଼ଣୀଟିକୁ ମୁଣି ପରି କରି, ସେଥିରେ ମେଞ୍ଚାଏ ଦିଆସିଲି ରଖିଚି ଏବଂ ହାତରେ ବି ଧରିଚି ଆଉ ଗୋଟିଏ ପ୍ୟାକେଟ୍ । ଏଯାଏ କେହି ବି ଗୋଟିଏ ହେଲେ ଦିଆସିଲି କିଣିଲେ ନାଇଁ ତା ଠାରୁ । ସାରାଦିନ ଧାଇଁଧାଇଁ ଟଙ୍କାଟିଏ ବି ଆସିଲାନି ହାତକୁ । ଦିନସାରା ଦାନା ପଡ଼ିନି ପେଟରେ । ଭୋକରେ ଶିଥିଳ ହେଇଆସୁଚି ପାଦ । ଏକ ରକମ ଘୋଷାରି ହେଇ ଚାଲୁଚି; ଦରଜରେ ଜରଜର କଅଁଳ ପାଦ; କଅଁଳ ପ୍ରାଣର କଷଣ । ଆହାଃ.. .. ଏ ଦୃଶ୍ୟ ସତେ କେଡେ଼ କରୁଣ!

ତା’ର ବେକକୁ ଘେରି ଝୁଲି ଆସିଥିବା ଝାମ୍ପୁରା ଝାଲିରି ବାଳ ଉପରେ ଧୀରେଧୀରେ ଖସୁଚି ତୁଳା ପରି ବରଫର ଫେଣ; ଜମୁଚି ମେଞ୍ଚାକୁମେଞ୍ଚା । ହେଲେ ତା’ର ସିଆଡେ଼ ନିଘା ନାଇଁ ।ସାହି ମଝି ରାସ୍ତାରେ ଏବେ ଚାଲିଚି ସେ । ଝରକା ଫାଙ୍କରେ ଦେଖାଯାଉଚି ଘରମାନଙ୍କ ଭିତରେ ଆଖିଝଲସା ଉଜ୍ଜ୍ୱଳ ଆଲୋକ, ପବନରେ ପଦାକୁ ସଂଚରି ଆସୁଚି ଭୋକକୁ ଉସୁକେଇଲାଭଳି କସାମାଂସର ସ୍ୱାଦିଷ୍ଟ ମହକ । କାରଣ ଆଜି ଏ ବର୍ଷର ଶେଷରାତି; ଭୋଜି, ମଜା ମଉଛବର ଶେଷ ଅବସର- ଏଇ ବର୍ଷର । ସେ କିନ୍ତୁ କିଛି ଭାବି ପାରୁନି । ଚେଷ୍ଟା କରୁଚି ଚାଲିବାକୁ; ଆଗକୁ ।

Hans Christian Andersen

ଶେଷକୁ ଆଉ ପାରିଲାନି । ଦୁଇଟି ଘର ଖଞ୍ଜାର ଦୋସନ୍ଧିରେ, ଛଣକୁଟାର ଗୋଟିଏ ଅଳିଆଗଦାରେ ସେ ଜାକିଜୁକି ହେଇ ବସି ପଡ଼ିଲା । ଅଳିଆ ଭିତରେ ଗୁଞ୍ଜି ହେଇଗଲା ଏକରକମ ।ଦୁଇଟି ଖଞ୍ଜା ଭିତରୁ ଗୋଟିଏ ଆରଟିଠାରୁ ଅଧିକ ମାଡ଼ିରହିଥିଲା ରାସ୍ତା ଆଡ଼କୁ। ପାଦ ଦୁଇଟିକୁ ଜାକି ତା’ ମଝିରେ ମଥା ଗୁଞ୍ଜିଲା ତିନିମୁଣ୍ଡିଆ ପରି । ହେଲେ ଥଣ୍ଡାରୁ ନିସ୍ତାର ନାହିଁ ।ନାଠି ହେଇଯାଉଚି ଗୋଡ଼ ହାତ ଧୀରେଧୀରେ । ଘରକୁ ଯିବାକୁ ବି ସାହସ ହେଉନାହିଁ । ପଇସାଟିଏ ରୋଜଗାର ନାହିଁ ଆଜି ଦିନରେ । କେମିତିବା ଯିବ? କୋଉ ମୁହଁରେ? ବାପା ତ ସେକିଦେଇଯିବେ ନିଶ୍ଚିତ, କିଛି ନବୁଝି ନସୁଝି । ତା ଛଡ଼ା ଘରେ ଆହୁରି ଭୀଷଣ ଥଣ୍ଡା । ନିଜକୁ ଢାଙ୍କିରଖିବାକୁ ମଥା ଉପରେ ଘରର ଛପର ଛଡ଼ା ଆଉ କିିଛି ନାହିଁ । ସେ ଛପରରେ ପୁଣି ଜାଗାବାରଜାଗା ଫାଙ୍କ ।ହାଡ଼ଭଙ୍ଗା କାଲୁଆ ପବନ ସୁସୁରି ଫୁଙ୍କୁଚି ସେଇ ଫାଙ୍କରେ । କାନ୍ଥସବୁ ଫାଟି ବଡ଼ବଡ଼ ଆଁ କରିଚି । ସେଥିରେ ଯେତେ ଛଣକୁଟା, ଛିଣ୍ଡା ଅଖା ଗୁଞ୍ଜିଲେ ବି କୋଉ କାମକୁ ନୁହେଁ ।

କୁନିକୁନି ହାତ ଦିଓଟି କାଲୁଆ ମାରିଲାଣି । ଆଙ୍ଗୁଳିଗୁଡ଼ାକ ତ ଯେମିତି ନାଠିହେଇଆସୁଚି । ଭାବିଲା, ‘ଯଦି ସାହସ କରି ଗୋଟିଏ ଦିଆସିଲି କାଠି ସେଥିରୁ କାଢ଼ି ଜାଳି ପାରନ୍ତା!’ ହାତର ଆଙ୍ଗୁଳିଗୁଡ଼ିକୁ ଟିକିଏ ଉଷୁମ ରଖି ହୁଅନ୍ତା, ଅନ୍ତତଃ କିଛି ସମୟ ପାଇଁ!

ଖଣ୍ଡିଏ କାଠି କାଢ଼ିଲା । ଝକ କରି ଜଳିଲା । ଆଃ! ଫର୍ଫର୍ ଫର୍ଫର୍ ହେଇ ଯେମିତି ଚରିିଗଲା ଗୋଟେ ଉଷ୍ମ ତାତି ଦେହସାରା, ପ୍ରାଣସାରା; ଗୋଟିଏ ଉଷୁମ ଆଲୁଅ ଖେଦି ନେଇଗଲା ବରଫମିଶା ଅନ୍ଧାରକୁ । ସେଇ ନିଆଁ ଉପରକୁ ଦୁଇହାତକୁ ଆପଟ କରି ରଖିଲା, କାଳେ ଅହନ୍ତିଆ ପବନ ନିଭେଇଦେବ ତାକୁ । ବଡ଼ ଅଦ୍ଭୁତ ଲାଗିଲା ସେ ଆଲୁଅ ଟିକକ ।ତାକୁ ଲାଗିଲା ସେ ଯେମିତି ଗୋଟିଏ ଚକାଚକ ଘଷାମଜା ପିତ୍ତଳ ଷ୍ଟୋଭକୁ ହାତ ବେଢେ଼ଇ ବସିଚି । ଷ୍ଟୋଭ୍ ର ଷ୍ଟାଣ୍ଡ୍, ତେଲହାଣ୍ଡି, ଠିପିସବୁ ଜକଜକ କରୁଚି। ସେ ନିଆଁ ପୁଉଁଚି ସେଇ ଅଦ୍ଭୁତ ଷ୍ଟୋଭରୁ । ଆଉ ଠିକ ସେତିକିବେଳେ ଲିଭିଗଲା ସେଇ ଦିଆସିଲି କାଠି ଖଣ୍ଡିକ । କେତେ ବା ତା’ର ଆୟୁଷ? ଆଖିପିଛୁଳାକେ ଉଭେଇଗଲା ଷ୍ଟୋଭ୍ । ଆଙ୍ଗୁଳିର ଦୁଇଟିପ ମଝିରେ ଦରଜଳା କାଠିଖଣ୍ଡିକ ଧରି ବସିଚି ସିଏ । ପୁଣି, ସେଇ କାଠୁଆ ଜାଡ଼; ସେଇ ନିଘୋଡ଼ ଅନ୍ଧାର କ୍ରମଶଃ ଜାକିହେଇ ଆସିଲେ ଗୋଟାପଣେ ତା ଉପରକୁ, ଚତୁର୍ଦିଗରୁ ।

ସାହସ ବାନ୍ଧି ମାରିଲା ଆଉ ଗୋଟିଏ କାଠି । ଏଥର ଜଳିଉଠିଲା ଆହୁରି ଜୋର୍; ଆଗଠାରୁ ଆହୁରି ତୋଫା; ଦାଉଦାଉ ଆଲୁଅ ପଡ଼ିଲା କାନ୍ଥ ଉପରେ । ହଠାତ କୋଉ କୁହୁକ ବଳରେ ଆଲୁଅ ପଡ଼ି କାନ୍ଥଟା ଯେମିତି ଗଜ୍କ କନା ପରି ସ୍ୱଚ୍ଛ ହେଇଉଠିଲା ଏବଂ କାନ୍ଥ ସେପଟେ କୋଠରୀ ଭିତରର ଦୃଶ୍ୟ ଓ ଘଟନାମାନେ ଫିଟିପଡ଼ିଲେ ତା ଆଖି ଆଗରେ, ଜୀବନ୍ତ ହେଇ । ସେ ସ୍ପଷ୍ଟ ଦେଖିପାରିଲା- ଏକ ସୌଖୀନ ଟେବୁଲ ଉପରେ ଧୋବ ଫରଫର କପଡ଼ା ବିଛାହୋଇଚି । ତା ଉପରେ ଆଖିଝଲସା ଦାମିକିଆ ଚାଇନା ପ୍ଲେଟସବୁ ସଜାହେଇ ରହିଚି କଣ୍ଟା ଚାମଚ ସହିତ ।ମଝାମଝିରେ, ଗୋଟିଏ ବଡ଼ ପ୍ଲେଟ୍ ରେ, ମସଲାଜଡ଼ସଡ଼ ହେଇ ରହିଚି ଗୋଟିଏ ଚିକେନ୍ ରୋଷ୍ଟ, ଲାଲେଲାଲ୍ । ଏଇ ନଗଦ ରୋଷେଇଘରୁ ବାହାରିଥିବା ସେଇ ରୋଷ୍ଟ ଦେହରୁ ବାହାରୁ ଥିବା ବାମ୍ଫରେ ଭୋକକୁ ଉତ୍ତେଜିତ କଲାଭଳି ସ୍ୱାଦିଷ୍ଟ ମହକ ତାକୁ ବ୍ୟାକୁଳ କରୁଚି । ଚାରି ପାଖରେ ସଜାଇ ରଖାଯାଇଚି କେତେକେତେ ଦାମିକା ତଟକା ଫଳ । ହେଲେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥାଟି ଘଟିଲା ବର୍ତ୍ତମାନ । ହଠାତ ସେ ଚିକେନ୍ ରୋଷ୍ଟ ବଞ୍ଚିଉଠିଲା; କୁଦି ପଡ଼ିଲା ଟେବୁଲ୍ଉପରୁ ତଳକୁ । ପିଠିରେ ତା’ର ଲାଖିରହିଚି କଣ୍ଟାଚାମଚ ଓ ଛୁରୀ । ତା ପରେ ସେ ପର ନଥିବା ଦୁଇଟି ଆଗ ଡେଣାକୁ ବାହି ଗୁଦୁର୍ଗୁଦୁ ହେଇ ଚଟାଣ ଉପର ଦେଇ ସିଧା ପହଞ୍ଚିଗଲା ଝିଅଟି ପାଖରେ । ଠିକ ଏତିକିବେଳେ ମିଞ୍ଜିରିମିଞ୍ଜିରି ହେଇ ଲିଭିଗଲା ଦ୍ୱିତୀୟ ଦିଆସିଲି କାଠିଟି ବି ।ତା’ପରେ ସେଇ ଗୋଦରା, କଠିନ ଓ ଶୀତଳ କାନ୍ଥଟି ଛଡ଼ା ଆଉ କିଛି ନାଇଁ, କିଛି ଅନୁଭବ ହେଲା ନାଇଁ ତାକୁ ।

ତୃତୀୟ ଥର ପାଇଁ ପୁଣିଗୋଟିଏ ଦିଆସିଲିକାଠି ଜାଳିଲା ଝିଅଟି । ତାକୁ ଲାଗିଲା ସେ ଯେମିତି ସବୁଠାରୁ ସୁନ୍ଦର ଗୋଟିଏ ଖ୍ରୀଷ୍ଟମାସ୍ ଟ୍ରି ତଳେ ବସିଚି । ଗତ ବର୍ଷ ତାଙ୍କ ଅଞ୍ଚଳର ସବୁଠୁଁ ବଡ଼ ବ୍ୟବସାୟୀଙ୍କ କାଚଝରକା ବାଟେ ସେ ଯେଉଁ ଖ୍ରୀଷ୍ଟମାସ୍ ଟ୍ରି ଦେଖିଥିଲା, ଏଇଟି ତା ଠାରୁ ଆହୁରି ବଡ଼, ଆହୁରି ସୁନ୍ଦର । ଶାଗୁଆ ଡାଳପତ୍ର ଭିତରେ ହଜାରହଜାର ମହମବତୀ ଖଞ୍ଜା ହେଇଚି, ହଜାରହଜାର ହରେକ ରଙ୍ଗର ଲିଚୁବତୀ ଜକଜକ କରୁଚନ୍ତି; ମହା ଆନନ୍ଦରେ ତା’ ଆଡ଼କୁ ଚାହିଁ ଆଖି ମିଟିମିଟି କରୁଚନ୍ତି ଯେମିତି । ସେ ସେଇ ଆଲୁଅମାନଙ୍କ ଆଡ଼କୁ ହାତ ବଢେ଼ଇଲାବେଳକୁ ଦପ୍ କରି ସରିଗଲା ଏଇ ଜଳନ୍ତାକାଠିର ଆୟୁଷ, ପୁଣି ଥରେ । ଖ୍ରୀଷ୍ଟମାସ୍ ଟ୍ରି ହଠାତ ଉଠିଗଲା ଶୂନ୍ୟରେ ଉପରକୁ ଉପରକୁ: ଆକାଶକୁ ଏକଦମ୍ । ସେଥିରେ ଖଞ୍ଜାଯାଇଥିବା ବତୀଗୁଡ଼ିକ ଆକାଶର ଅୟୁତ ତାରା ହୋଇ ଝଟକିବାକୁ ଲାଗିଲେ । ହଠାତ ତା ଭିତରୁ ଗୋଟିଏ ତାରା ଝିରଝିର ହେଇ, ଆକାଶସାରା ଆଲୁଅ ବିଛାଡ଼ି, ଖସିପଡ଼ିଲା ତଳକୁ ।
“ଆହା! କାହାର ଗୋଟେ କାଳ ପୂରିଗଲା ଆଜି”, ମନେମନେ କହିଲା ଝିଅଟି । କାରଣ ତାକୁ ଏକମାତ୍ର ଭଲପାଉଥିବା, ତା’ ମନକଥା ବୁଝିପାରୁଥିବା ତା’ର ଜେଜୀମା’ ଯିଏ କେବେଠାରୁ ଆକାଶରେ ତାରା ହେଇଗଲାଣି, ତାକୁ ଥରେ କହିଥିଲେ, “ଯେତେବେଳେ ଆକାଶରୁ ତାରାଟିଏ ଖସେ ଏ ମରଜଗତରୁ ଆତ୍ମାଟିଏ ଯାଇ ଈଶ୍ୱରଙ୍କ ଭିତରେ ଲୀନ ହେଇଯାଏ ।”

ଆଉ ଗୋଟିଏ କାଠି ଜାଳିଲା ଝିଅ । ପୁଣି ଥରେ ଆଲୁଅ । ସେଇ ଆଲୁଅରେ ସେ ଦେଖିଲା ତା ଜେଜୀମା’ ଠିଆହେଇଚି ତା ସାମ୍ନାରେ । ତୋଫା, ଉଜ୍ଜ୍ୱଳ ଦେଖାଯାଉଚି ତା’ର ମମତାମୟୀ ମୁହଁ; କେଡେ଼ ପବିତ୍ର, କେଡେ଼ ଉଦାର, ସ୍ନେହବୋଳା କରୁଣାମୟୀ ସେ ଦିଶୁଚି ଆଜି! ସେ ଚିତ୍କାର କରିଉଠିଲା ବିକଳରେ- “ଜେଜୀମାଆ, ଜେଜୀମାଆ, ମତେ ନେଇଯା ଜେଜୀମା! ମୁଁଜାଣେ ଏଇ ଆଲୁଅ ଟିକକ ଲିଭିଗଲେ ତୁ ପଳେଇଯିବୁ; ସେଇ ଜଳନ୍ତା ଉଷୁମ ଷ୍ଟୋଭ ଭଳି, ଚିକେନ ରୋଷ୍ଟ୍ ଆଉ ଖ୍ରୀଷ୍ଟମାସ୍ ଟ୍ରି ଭଳି ତୁ ବି ଉଭେଇଯିବୁ ।”

କାଳେ ଆଲୁଅ ମଝିରେ ଅଟକଯିବ ଓ ତା’ ଜେଜୀମା’ ଉଭେଇ ଯିବ, ସେଇ ଡରରେ ସେ ଗୋଟିକ ପରେ ଗୋଟିଏ କାଠି ବ୍ୟସ୍ତ ବ୍ୟାକୁଳ ହେଇ ଜାଳିବାକୁ ଲାଗିଲା । କାଠିଗୁଡ଼ିକ ଫର୍ ଫର୍ ହେଇ ଗୋଟିଏ ଅଦ୍ଭୁତ ଉଜ୍ଜ୍ୱଳତାରେ ଜଳୁଥିଲେ; ଦିନଠାରୁ ଆହୁରି ସ୍ପଷ୍ଟ ଓ ପ୍ରଖର ଆଲୋକ । ସେ ଆଲୋକରେ ଜେଜୀମା’ର ମୁହଁ ଝଲସି ଦିଶୁଥିଲା ।

ଜେଜୀମା’ର ଏପରି ସୁନ୍ଦର ଏପରି ଆକର୍ଷଣୀୟ ରୂପ ସେ ଆଗରୁ କେବେ ଦେଖିନଥିଲା । ଜେଜୀମା’ ଦୁଇ ବାହୁ ମେଲି, ନାତୁଣୀକୁ କୋଳକୁ ଟାଣିନେଇ ଉଡ଼ିଗଲେ ଉପରକୁୁ, ଉପରକୁ- ଆକାଶକୁ, ତାରାମାନଙ୍କର ଉଜ୍ଜ୍ୱଳ ଉଲ୍ଲାସକୁ, ଯୋଉଠି ନା ଥିଲା ଭୋକଶୋଷର ଦାଉ, ନା ଅନ୍ଧାରର ଅଭିସନ୍ଧି ନା ଶୀତର ଆତଙ୍କ ।

ନୂଆବର୍ଷର ଶୀତୁଆ ସକାଳ । ଦୁଇ ଘରର ଦୋସମାଳିରେ କାନ୍ଥକୁ ଆଉଜି ବସିଛି, କାଲି ଦିଆସିଲି ବିକିବାକୁ ବାହାରିଥବା କୁନିଝିଅ । ଦିଆସିଲିରେ କ୍ୟାଣ୍ଡେଲ ଜଳିବ ଘରେଘରେ ବାଣ୍ଟି ହେଇଯିବ ଆଲୋକ । ପ୍ରଭୁ ଯୀଶୁଙ୍କର ଏ ଜନ୍ମସପ୍ତାହ । ହାତଗୋଡ଼ ନାଠି ହେଇଯାଇଥିଲେ ବି, ମୁହଁରେ, ଗାଲରେ ସତେଜତାର ନାଲି-ଗୋଲାପି ରଙ୍ଗର ଆଭା ଉକୁଟିଉଠୁଚି; ଦୁଇ ଓଠରୁ ଶାନ୍ତି ଓ ତୃପ୍ତିର ଦୁଇଟି ସ୍ମିତରେଖା ଝଲସାଇରଖିଚି ସେ ମୁହଁକୁ । ହାତରେ ଅଧା ସରିଯାଇଥିବା ଦିଆସିଲି ଖୋଳଟି ଏବେ ବି ସେମିତି ଅଛି । ଝୋଟିଚିତା ପରି ଛିଟାଛିଟା କେରିକେରି କଅଁଳ ଖରା ବିଛେଇ ଦୋଷମାଳି ପାଖରେ ଦୋଷୀପଣରେ ଗୋଡ଼ ଭାଙ୍ଗି ଠିଆହେଇଚି ନୂଆବର୍ଷର ନୂଆସକାଳ ।

ସାହିଲୋକେ ଉପସ୍ଥିତ ପାରିପାର୍ଶ୍ଵିକ ପ୍ରତ୍ୟକ୍ଷ ସୂଚନା ଓ ଅବସ୍ଥାକୁ ଭିତ୍ତିକରି ମୃତ୍ୟୁର ରହସ୍ୟ ଉନ୍ମୋଚନ କଲେ- “ପ୍ରଚଣ୍ଡ ଶୀତର ଦାଉରୁ ନିଜକୁ ଟିକିଏ ଉଷ୍ମ ରଖିବାକୁ ବହୁତ ଚେଷ୍ଟା ଅବଶ୍ୟ କରିଚି ପିଲାଟି ବିଚରା ମରିବା ପର୍ଯ୍ୟନ୍ତ ।” ଏହି ସତ୍ୟଟିକୁ ଆବିଷ୍କାର କରିପାରିଥିବାର ବିଚକ୍ଷଣତାରେ କିଛିଲୋକ ଯେ ଆତ୍ମପ୍ରସାଦ ଅନୁଭବ କରୁନଥିଲେ ତାହା କହିହେବ ନାହିଁ । କିନ୍ତୁ କେହି ଜାଣି ପାରିନଥିଲେ ସେଇ ମୁହୂର୍ତ୍ତମାନଙ୍କୁ, କଳ୍ପନା କରି ପାରିନଥିଲେ ସେହି ସୁନ୍ଦର ଦୃଶ୍ୟଗୁଡ଼ିକୁ ଯାହା ତା’ ଆଖି ଆଗରେ ଉଦ୍ଭାସିତ ହୋଇଥିଲେ ଏବଂ ଭାବି ପାରିନଥିଲେ କେମିତି ଏକ ଅପୂର୍ବ ଉଜ୍ଜ୍ୱଳ ଉଲ୍ଲାସରେ ଜେଜୀମା’ ସାଙ୍ଗରେ ମହା ଆନନ୍ଦ ଓ ମହାଶାନ୍ତି ଆଡ଼କୁ ମୁକ୍ତି-ମୁଖୀ ଥିଲା ତା’ର ଉଡ଼ାଣ ।

…………………..
ବିରୁହାଁ, ଜାହାଙ୍ଗୀର, ଧାମନଗର, ଭଦ୍ରକ
ଫୋନ୍- ୯୪୩୮୫୫୧୦୧୦

Leave A Reply

Your email address will not be published.