Latest Odisha News

ରାଜ୍ୟ ମୋହରେ କୂଟନୈତିକ ମହାସମର

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ 

ମହାଭାରତ ଏକ ଚିତ୍ତାକର୍ଷକ କାହାଣୀ, ଗୋଟିଏ ଲମ୍ବା କାହାଣୀର ଚିତ୍ରପଟ୍ଟ । ଗୋଟିଏ ଗୋଟିଏ କାହାଣୀରୁ ଅନେକ ଉପକାହାଣୀର ସୃଷ୍ଟି । ଅନେକ ଏହାକୁ ବ୍ୟାଖ୍ୟା କରି ଆଧ୍ୟାତ୍ମିକ ତତ୍ତ୍ଵ ସମ୍ବଳିତ ଧର୍ମ ଶାସ୍ତ୍ର ଭାବରେ ଗ୍ରହଣ ଓ ପୂଜିତ କରିଆସୁଛନ୍ତି । ଶ୍ରୀକୃଷ୍ଣଙ୍କ ଧର୍ମ ସଂସ୍ଥାପନ ନିମିତ୍ତ ଏହାର ମୂଳ ଭିତ୍ତିକ ଗୋପନ ରହସ୍ୟ । ବିଭିନ୍ନ ଲୋକାଚାର ଓ ଲୋକ ସଂସ୍କୃତି ସମ୍ପନ୍ନ ସମାଜ ବିଜ୍ଞାନ, ଐତିହାସିକ, ଭୌୋଳିକ ଓ ଅର୍ଥନୀତିକ ଆଲୋଚନା ଓ ପର୍ଯ୍ୟାଲୋଚନାର ଏକ ଅମୂଲ୍ୟ ସ୍ୱାକ୍ଷର । ରାଜନୈତିକ ପଶାକାଠିର ଛନ୍ଦାୟିତ ପ୍ରତିଦ୍ବନ୍ଦିତା ପ୍ରତିଯୋଗିତାର ଶେଷ ଉପପାଦ୍ୟ ସଙ୍କଳିତ ସକଳ ଯୋଗ ବିୟୋଗ ଗୁଣନ ହରଣର ନିଷ୍କର୍ଷ । କେଉଁଠି କେମିତି ପ୍ରତ୍ୟେକଟି ଚରିତ୍ର ଭିତରେ ନୀତି ନିପୁଣତା, ନୈତିକତା, ଦୂରଦୃଷ୍ଟି ଓ କୂଟନୀତିର ବର୍ଣ୍ଣାଢ଼୍ୟ ଶୋଭା ମଣ୍ତିତ ଭାବଧାରା । ଦେଶ ବା ରାଜ୍ୟ ଯେତେବେଳେ ଶାସକଙ୍କ ଦ୍ଵାରା ବିପର୍ଯ୍ୟୟର ସମ୍ମୁଖୀନ ହୁଏ ଏକ ନୈତିକତାପୂର୍ଣ୍ଣ ସୁଶାସନ ପାଇଁ ସ୍ମରଣକୁ ଆସେ ରାମାୟଣ ଓ ମହାଭାରତ । ବାଲ୍ମିକୀଙ୍କ ରାମାୟଣ ଓ ବ୍ୟାସଙ୍କ ମହାଭାରତ ସେହି ଜନକଲ୍ୟାୟଣଧର୍ମୀ ଆଦର୍ଶ ସମୟ’ର ଚକ୍ରରେ ଦୃଷ୍ଟିଗୋଚର ହୋଇଥାଏ । ନ୍ୟାୟୋଚିତ ପଥରେ ଧର୍ମ ମାର୍ଗରେ ପ୍ରଜାପାଳନ କଲେ ରାଜ୍ୟ ଓ ଦେଶର ସର୍ବବିଦ୍ଧ ଉନ୍ନତି ଘଟେ । ଯେତେବେଳେ ସାଧାରଣ ଜନତାଙ୍କ ସୁଖ ବୃଦ୍ଧି, ଆୟ ବୃଦ୍ଧି, ଐଶ୍ୱର୍ଯ୍ୟ ବୃଦ୍ଧି ପାଏ , କୃଷିର ସମୃଦ୍ଧି ଘଟେ ସେତେବେଳେ ରାଜ୍ୟ ଓ ଦେଶର ସର୍ବସିଦ୍ଧି ସାଧିତ ହୋଇଯାଏ ।

ମହାଭାରତରେ ଅତି ଚମତ୍କାର କୂଟନୀତି ଭିତରେ ରାଜଧର୍ମର ପ୍ରତିପାଦନ ବିସ୍ମୟ ଲାଗେ । ମହାଭାରତୀୟ ପରଂପରାରେ ରାଜନୀତି ବ୍ୟାଖ୍ୟା କରଣ ସମଗ୍ର ମହାଭାରତର ପୃଷ୍ଠଭାଗରେ ସ୍ୱୟଂ ଗଙ୍ଗା ଶାନ୍ତନୁଙ୍କୁ , ଗାନ୍ଧାରୀ ଦୁର୍ଯ୍ୟୋଧନଙ୍କୁ ଯୁଧିଷ୍ଠିର ଧୃତରାଷ୍ଟ୍ରଙ୍କୁ, ଭୀଷ୍ମ ଓ ଯୁଧିଷ୍ଠିରଙ୍କୁ ବ୍ୟକ୍ତ କରିଛନ୍ତି । ଜଣେ ରାଜାଙ୍କୁ ରାଜପଦବୀରେ ସ୍ଥିତିଶୀଳ କରାଇବା ନିମନ୍ତେ ଯେଉଁ ସବୁ ନୀତି ନିୟମ, ବିଧିବିଧାନ, ଆଚରଣ ଓ ଶୃଙ୍ଖଳାର ଆବଶ୍ୟକ ଅଛି ତାହାହିଁ ପ୍ରକୃତ ରାଜଧର୍ମ । କୈାଟିଲ୍ୟ ତାଙ୍କ ଅର୍ଥଶାସ୍ତ୍ରରେ ପ୍ରଜାମାନଙ୍କୁ ଅତ୍ୟାଧିକ ସୁଖ ଓ ସ୍ୱାଚ୍ଛନ୍ଦ୍ୟ ଦେବା ରାଜାର କର୍ତ୍ତବ୍ୟ ବୋଲି ଦର୍ଶାଇଛନ୍ତି । କୈାଟିଲ୍ୟ ରାଜତନ୍ତ୍ରର ଜଣେ ପ୍ରଧାନ ପୃଷ୍ଠପୋଷକ ଥିବାରୁ ସେ ତାଙ୍କ ଅର୍ଥଶାସ୍ତ୍ରରେ ରାଷ୍ଟ୍ର ଶାସନକୁ ପ୍ରଜାମାନଙ୍କ ମଙ୍ଗଳ ଉଦ୍ଦେଶ୍ୟରେ ନିୟୋଜିତ କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି । କୈାଣସି ରାଜ୍ୟ ଅସୀମ ସାର୍ବଭୌମ କ୍ଷମତା ଉପଭୋଗ କରୁଥିଲେ ମଧ୍ୟ କଦାପି ସ୍ୱେଚ୍ଛାଚ୍ଚାରୀ କି ପ୍ରଜାପୀଡନ ହେବା ଉଚିତ୍ ନୁହେଁ । ପ୍ରଜାମାନଙ୍କ ସ୍ୱାର୍ଥ ସାମାଜିକ ଶୃଙ୍ଖଳା ଜନକଲ୍ୟାଣ ଓ ନ୍ୟାୟ ପ୍ରଶାସନକୁ ଦୃଷ୍ଟିରେ ରଖି ଶାସନ କରିବାକୁ ପରାମର୍ଶ ଦେଇଛନ୍ତି- ” ପ୍ରଜାସୁଖେ ସୁଖଂ ରାଜ୍ଞଃ ପ୍ରଜାନାଂ ଚ ହିତ ହିତମ୍ / ନାତ୍ମପ୍ରିୟଂହିତଂ ରାଜ୍ଞଃପ୍ରଜାନାଂ ତୁ ପ୍ରିୟଂ ହିତମ୍ ।

ଅର୍ଥାତ୍ ପ୍ରଜାମାନଙ୍କ ସୁଖରେ ରାଜାଙ୍କ ସୁଖ ନିହିତ ଓ ପ୍ରଜାଙ୍କ ମଙ୍ଗଳରେ ରାଜାଙ୍କ ମଙ୍ଗଳ ଘଟିଥାଏ । ଏ ରାଜନୀତି ଓ ରାଜ୍ୟ ଶାସନ କେବେ କିପରି ଘଟିଛି ପୃଥିବୀର ଉତ୍ପତ୍ତି ଭଳି ରହସ୍ୟମୟ । ବିଶ୍ୱ ଜଗତରେ ଆଦି ମାନବର ଆବିର୍ଭାବ କେବେ , କିପରି , କେଉଁଠି ଓ କାହିଁକିର ଯେଭଳି ଯର୍ଥାତ୍ ଉତ୍ତର ନାହିଁ । କିନ୍ତୁ ମାନବ ଯେତେବେଳେ ବସବାସ ଆରମ୍ଭ କଲା ସେତିକିବେଳେ ସହଯୋଗ, ସହାବସ୍ଥାନ ଓ ସାମାଜିକ ମନୋବୃତ୍ତିର ଆବରଣ ଭିତରେ ରାଜନୀତିର ଅଙ୍କୁରାରୋଦ୍ଗମ୍ ଯେ ନଘଟିଥିବ କୁହାଯାଇନପାରେ । ଧୀରେ ଧୀରେ ରାଜାଙ୍କ ଶାସନକାଳରେ ପ୍ରଜାମାନଙ୍କ ପ୍ରତି ସମ୍ବେଦନଶୀଳ ଭାବ ହେଉ ଅବା କଠୋର ନିୟମର କଡ଼ାଶାସନ ଥିବା ଅନୁମେୟ କରାଯାଇପାରେ । ତେଣୁ ରାମାୟଣ ଓ ମହାଭାରତ ଭଳି ମହାକାବ୍ୟ ସର୍ଜନାରେ ରାମାୟଣରେ ରାମରାଜ୍ୟର ପରିକଳ୍ପନା ବା ମହାଭାରତର ରାଜ କୂଟନୀତିର ସଚେତନତା ଦେଖିବାକୁ ମିଳିଥାଏ ।

ପ୍ରଜାରକ୍ଷା ଓ ପ୍ରଜାପାଳନ ରାଜାଙ୍କ ମୁଖ୍ୟ କର୍ତ୍ତବ୍ୟ । ଯେକୌଣସି ଉପାୟରେ ଶତ୍ରୁମାନଙ୍କୁ ପରାଜୟର ସ୍ବାଦ ଚାଖିବାକୁ ଦେଇ ନିଜକୁ ଓ ରାଜ୍ୟକୁ ନିରାପଦରେ ରଖିବା ଥିଲା ରାଜତନ୍ତ୍ର , ଅନ୍ୟ ଅର୍ଥରେ ରାଜଧର୍ମ ବୋଲି ମାନି ନିଆଯାଉଥିଲା । ଯେଉଁ ଶାସକ ଦ୍ବିଧାବୋଧ କରେ ସେ ଯେତେ ଶକ୍ତିଶାଳୀ ବା ଧାର୍ମିକ ହେଲେ ମଧ୍ୟ ତାଙ୍କର ଓ ରାଜ୍ୟର ପତନ ଅନିବାର୍ଯ୍ୟ । କିନ୍ତୁ ଯେଉଁ ରାଜା ତଥା ତା’ର ସୈନ୍ୟ ଉତ୍ତମ ସୁଶିକ୍ଷା ପାଇ ଯୁଦ୍ଧ ପାଇଁ ପ୍ରସ୍ତୁତ ରହେ, ତାଙ୍କୁ ସମଗ୍ର ଜଗତ ଭୟ କରିଥାଏ । ଏକଥା ସତ ରାଜ୍ୟ ରକ୍ଷା କରିବା ପାଇଁ ଯୁଦ୍ଧ ଅନିବାର୍ଯ୍ୟ ହୋଇଥାଏ । ତେଣୁ ତତ୍କାଳୀନ ରାଜାମାନେ ଯୁଦ୍ଧ କରିବା ପୂର୍ବରୁ ସେମାନଙ୍କ ବୁଦ୍ଧିମାନ ମନ୍ତ୍ରୀ, ସେନାଧ୍ୟକ୍ଷ ତଥା ଶୁଦ୍ଧ ପ୍ରବୀଣ ନୀତିଜ୍ଞ କୁଳଗୁରୁ ଆଦିଙ୍କ ଠାରୁ ଉତ୍ତମ ପରାମର୍ଶ ଗ୍ରହଣ କରିଥାନ୍ତି । ଏପରିକି ଯୁଦ୍ଧ ପୂର୍ବରୁ ପ୍ରତିପକ୍ଷ ରାଜାଙ୍କୁ କିଭଳି କୈାଶଳ ମାଧ୍ୟମରେ ପରାଜିତ କରିବା ନିମନ୍ତେ ଗୋପନ ମନ୍ତ୍ରଣାଳୟରେ ଗୁପ୍ତ ମନ୍ତ୍ରଣା କରିଥାନ୍ତି । ମନୁସଂହିତା ୭/୧୪୮ ରେ ଉଲ୍ଲେଖ ଅଛି- ଯେଉଁ ରାଜାଙ୍କର ଏଭଳି ମନ୍ତ୍ରଣାକୁ ଅନ୍ୟ କେହି ଜାଣିପାରନ୍ତି ନାହିଁ ସେ ରାଜା କେଶହୀନ ହୋଇ ମଧ୍ୟ ସମଗ୍ର ବସୁନ୍ଧରା ଭୋଗ କରିବାକୁ ସମର୍ଥ ହୋଇଥାନ୍ତି । କେବଳ ସେତିକି ନୁହେଁ ଯେଉଁ ରାଜା ଅଜ୍ଞାନରୁ ଅବିଚାର କରି ରାଜ୍ୟକୁ ଦୁଃଖ ଦିଏ ସେ ଶୀଘ୍ର ରାଜ୍ୟ ହରାଇବା ସହ ନିଜ ଜୀବନ ଓ ଜ୍ଞାତି କୁଟୁମ୍ବକୁ ମଧ୍ୟ ହରାଇଥାଏ । ମହାଭାରତରେ ମାନି ଦୁର୍ଯ୍ୟୋଧନଙ୍କ ଜୀବନରେ ଏହା ପରିଦୃଷ୍ଟ ହୋଇଥିବା ଦୃଷ୍ଟାନ୍ତ ଦିଆଯାଇପାରେ ।

ପୁରାଣ ଗ୍ରନ୍ଥ ଗୁଡ଼ିକ ମଧ୍ୟରେ ମହାଭାରତ ଏକ ଅନନ୍ୟ ମହାକାବ୍ୟ । ଏହା ବିଭିନ୍ନ ପୈାରାଣିକ କଥାବସ୍ତୁ ନେଇ ସୃଷ୍ଟି ହୋଇଥିଲେ ମଧ୍ୟ ଓଡ଼ିଆ ସାହିତ୍ୟରେ ଏକ ବିରାଟ ବୀର ଗାଥା ଭାବେ ଦର୍ଶାଯାଇଛି । ରାଜ୍ୟ ଜୟର ଅଭିଲିପ୍ସା ନେଇ ମହାଭାରତ ଯୁଦ୍ଧର ମହାସମର ଘଟିଛି , ତେଣୁ ମହାଭାରତ ହେଉଛି ସେହି ମହାସମରର ସମରକାବ୍ୟ । ସତ୍ୟନିଷ୍ଠ ଧର୍ମପରାୟଣ ରାଜା ଯୁଧିଷ୍ଠିର ମଧ୍ୟ ଏହି ମହାସମରରୁ ବର୍ତ୍ତିବାକୁ ଯାଇ ବର୍ତ୍ତି ପାରିନାହାନ୍ତି । ସତ୍ୟ ଆମ୍ବ ପ୍ରସଂଗରେ ସେ ଗୋପନ କଥାଟି ପ୍ରକାଶ କରିବାକୁ ଯାଇ କହିଛନ୍ତି -” ନିଜ ରାଜ୍ୟ ନିମନ୍ତେ ହୋଇବି ଅବଶ୍ୟ ଦ୍ୱନ୍ଦ୍ୱଇ (ସା. ବନପର୍ବ) ।” ମାନି ଦୁର୍ଯ୍ୟୋଧନ ବିନା ଯୁଦ୍ଧେ ନଦେବି ସୂଚ୍ୟଗ୍ରେ ମେଦିନି । ତେଣୁ ରାଜ୍ୟ ଜୟ ପାଇଁ ଯୁଦ୍ଧ ଏକାନ୍ତ ଅପରିହାର୍ଯ୍ୟ । ଯୁଦ୍ଧରେ ଜିଣିବା ନିମନ୍ତେ କୂଟନୀତିର ପ୍ରୟୋଗ ନିହାତି ଅନିବାର୍ଯ୍ୟ । କୂଟନୀତି ଓ ମନ୍ତ୍ରଣା ବ୍ୟତିରେକ ରାଜାଙ୍କ ପରାଜୟ ସୁନିଶ୍ଚିତ, ପରାଜୟର ଗ୍ଳାନି ଅସହ୍ୟ ।

କୈାଟିଲ୍ୟଙ୍କ ମତରେ ରାଜ୍ୟ ସମ୍ପଦ ପୃଥିବୀର ସର୍ବଶ୍ରେଷ୍ଠ ସର୍ବୋତ୍ତମ ସମ୍ପଦ । ଏହି ସମ୍ପଦର ଲାଭ ଓ ପାଳନ ଦ୍ଵାରା ଧର୍ମ, ଅର୍ଥ ଓ କାମ ତ୍ରିବର୍ଗ ସମ୍ପତ୍ତି ଲାଭଦାୟକ ହୋଇଥାଏ । ଏପରିକି ଦେଖାଯାଏ ରାଜକୁମାରମାନେ ଯୁବାବସ୍ଥାର ବୟସ ଗଡ଼ିଗଲା ପରେ ସେମାନେ ରାଜସିଂହାସନର ମୋହରେ ପଡିଯାଇଥାନ୍ତି । ଯଦି ଉପଯୁକ୍ତ ସମୟରେ ପିତାଙ୍କ ଠାରୁ ରାଜଗାଦି ପାଇବାରେ ବଞ୍ଚିତ ହୂଅନ୍ତି, ସେତେବେଳେ ସେମାନଙ୍କ ମନରେ ସ୍ୱତଃ ପିତାଙ୍କ ବିପକ୍ଷରେ ବିଦ୍ରୋହ କରିବାକୁ ଆଗେଇ ଆସନ୍ତି । ରାଜଗାଦି ପାଇବା ପାଇଁ ଅସଲ ପ୍ରଜତ୍ମରେ ଲାଗି ପଡିଥାନ୍ତି । ଭରଦ୍ୱାଜଙ୍କ ମତାନୁସାରେ ଯେଭଳି କଙ୍କଡା ଛୁଆମାନେ ଜନ୍ମ ସମୟରେ ମା’ର ପେଟ ଫଟାଇ ଜନ୍ମ ହୁଅନ୍ତି , ଠିକ୍ ସେଭଳି ରାଜପୁତ୍ରମାନେ ରାଜାଙ୍କ ଅର୍ଥାତ୍ ନିଜର ପିତାଙ୍କୁ ହତ୍ୟା କରି ରାଜ୍ୟ ଦଖଲ କରିବାକୁ ପ୍ରଜତ୍ମ କରିଥାନ୍ତି । ଯେଭଳି ବରୁଣଦେଶ ରାଜାଙ୍କ ପୁତ୍ର ନିଜ ମାତାଙ୍କ ପଲଙ୍କ ତଳେ ଛପି ରହି ନିଜର ପିତାଙ୍କୁ ହତ୍ୟା କରି ରାଜଗାଦି ଲାଭ କରିଥିଲେ ।

ସାରଳା ଦାସଙ୍କ ମହାଭାରତରେ ରାଜଗାଦି ପ୍ରାପ୍ତି ନିମନ୍ତେ ଏଭଳି ଅନେକ ଦୃଷ୍ଟାନ୍ତ ରହିଛି । କିନ୍ତୁ ରାଜପୁତ୍ରମାନେ ସେଠାରେ ରାଜାଙ୍କୁ ହତ୍ୟା ନକରି ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା କରୁଥିଲେ । ସେମାନେ ବୁଝିଥିଲେ ଯେ ମନ୍ତ୍ରୀଙ୍କ ବିନା ରାଜ୍ୟପ୍ରାପ୍ତି କଦାପି ସମ୍ଭବ ନୁହେଁ । ତେଣୁ ମନ୍ତ୍ରୀ ହଟାଇ ରାଜଗାଦି ପ୍ରାପ୍ତ କରିବାକୁ ଲକ୍ଷ୍ୟ ରଖୁଥିଲେ । ଯେଭଳି ଯଯାତି ବୃଦ୍ଧ କାଳରେ ତାଙ୍କର ଦୁଇ ପୁତ୍ର ପୁରୁ ଓ ପ୍ରବୀରଙ୍କୁ ରାଜଗାଦି ନଦେବାରୁ ଦୁହେଁ ଘନ ଜଙ୍ଗଲ ମଧ୍ୟରେ ମନ୍ତ୍ରୀଙ୍କୁ ହତ୍ୟା କରିବା ନିମନ୍ତେ ଉଦ୍ୟତ ହେଲେ ‌। ଫଳରେ ଜୀବନ ରକ୍ଷା ପାଇଁ ମନ୍ତ୍ରୀ ଶରଣାପନ୍ନ ହୋଇ ତିନି ବାର ସତ୍ୟ କଲାପରେ ଦୁଇ ପୁତ୍ର ନିର୍ଦ୍ଦେଶ ଦେଇଥିଲେ ପିତାଙ୍କୁ କୈାଶଳରେ ବଧକରି ତାଙ୍କୁ ରାଜା କରିବାକୁ ହେବ । ରାଜଗାଦି ଓ ରାଜା ପୁରୁଙ୍କ ପ୍ରତି ଅନୁରାଗ ରଖିଥିବା ମନ୍ତ୍ରୀ ପରବର୍ତ୍ତୀ ସମୟରେ ସତ୍ୟ ଉଲଙ୍ଘନ କରି ରାଜପୁତମାନେ କିଭଳି ରାଜ୍ୟ ଲୋଭରେ ବୃଦ୍ଧ ପିତାଙ୍କୁ ପୁଷ୍ୟାଭିଷେକ ଦିନ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଛନ୍ତି କହିବା ପରେ ରାଜା ଯଯାତି ଚକିତ ହୋଇ ମନ୍ତ୍ରୀଙ୍କ ପରାମର୍ଶକ୍ରମେ ପୁତ୍ର ହସ୍ତରେ ରାଜଗାଦି ଦେଇ ବାନପ୍ରସ୍ଥ ଧର୍ମ ଆଚରି ନେଇଥିଲେ ।

ମହାଭାରତ କାହାଣୀର ପଟ୍ଟଭୂମିପରେ ଏଭଳି ଘଟଣାର ଯବନିକା ନାହିଁ । ସୁରଥ ରାଜାଙ୍କ ପୁତ୍ର ଜୟଦ୍ରଥର ରାଜଗାଦି ପ୍ରାପ୍ତି ମଧ୍ୟ ଠିକ୍ ପୁରୁ, ପ୍ରବୀରଙ୍କ ଭଳି ଘଟିଥିଲା । ଯାହାର ଅବତାରଣା ଏଠାରେ ଅନାବଶ୍ୟକ ମନେହୁଏ । କେବଳ କୈାଟିଲ୍ୟଙ୍କ ମତାନୁସାରେ ଏଭଳି ପୁତ୍ରମାନେ ସଦା କାଳେ ଦୁର୍ବଦ୍ଧି ସମ୍ପନ୍ନ ଅଟନ୍ତି । କାରଣ ରାଜଗାଦି ପ୍ରାପ୍ତି ଉଦ୍ଦେଶ୍ୟରେ ଏମାନେ ଜନ୍ମିତ ପିତାଙ୍କୁ ମଧ୍ୟ ହତ୍ୟା କରିବାକୁ ପଛାନ୍ତି ନାହିଁ । କୈାଟିଲ୍ୟ ତାଙ୍କ ଅର୍ଥଶାସ୍ତ୍ରରେ ରାଜପୁତ୍ରମାନଙ୍କୁ ତିନି ଭାଗରେ ଯଥା ବୁଦ୍ଧିମାନ, ଆହାର୍ଯ୍ୟ ବୁଦ୍ଧି ଓ ଦୁର୍ବୁଦ୍ଧି ବୋଲି ଦର୍ଶାଇଛନ୍ତି । ଉଲ୍ଲେଖନୀୟ ଯେ ଯେଉଁ ରାଜପୁତ୍ର ଶିକ୍ଷା ପାଇ ଧର୍ମ ଓ ନୀତିର ଅନୁସରଣରେ ଆଚରଣ କରନ୍ତି ସେହିଁ ବୁଦ୍ଧିମାନ ରାଜପୁତ୍ର । ଅନ୍ୟ ଯେଉଁ ରାଜପୁତ୍ର ଧର୍ମ ଓ ନୀତିକୁ ଜାଣି ମଧ୍ୟ ସେଭଳି ଆଚରଣ କରନ୍ତି ନାହିଁ ତାଙ୍କୁ ଆହାର୍ଯ୍ୟ ବୁଦ୍ଧି ସଂପନ୍ନ ରାଜପୁତ୍ର କୁହାଯାଏ ଓ ଯେଉଁ ପୁତ୍ର ସବୁବେଳେ ପିତାଙ୍କ ବିରୁଦ୍ଧାଚରଣ କରି ଧର୍ମ ଓ ନୀତିର ଅବମାନନା କରେ ତାଙ୍କୁ ଦୁର୍ବୁଦ୍ଧି କୁହାଯାଇଥାଏ । ତେଣୁ ପୁରୁ, ପ୍ରବୀର ଓ ଜୟଦ୍ରଥ ଏଭଳି ରାଜପୁତ୍ର ଗଣ ଥିଲେ ଦୁର୍ବୁଦ୍ଧି ସଂପନ୍ନ । ରାଜଗାଦିର ମୋହରେ ଏମାନେ ଥିଲେ ଅନ୍ଧ । ସେମାନେ ସମସ୍ତ ଧର୍ମ ଓ ନୀତିକୁ ପରିହାର କରି ରାଜଗାଦି ପ୍ରାପ୍ତି ପାଇଁ ପିତୃହତ୍ୟା ଭଳି ଜଘନ୍ୟ ଅପରାଧକୁ ମଧ୍ୟ ତିଳେ ମାତ୍ର ଭୟଭୀତ ନଥିଲେ ।

ହସ୍ତିନାର ସିଂହାସନ ପ୍ରାପ୍ତି ନିମନ୍ତେ କୈାରବ ପାଣ୍ଡବଙ୍କ ମଧ୍ୟରେ ବାଦ ବିବାଦ, କଳହ ଓ ଘନଘଟା ଯୁଦ୍ଧର ସୂତ୍ରପାତ । ଯୁଦ୍ଧ ପ୍ରାରମ୍ଭରେ ବ୍ୟାସ ପାଣ୍ତବ ଓ କୈାରବମାନଙ୍କ ସଂପର୍କରେ ଉଲ୍ଲେଖ କରି କହିଛନ୍ତି- ” ଯୁଧିଷ୍ଠିରୋଧର୍ମମୟୋ ମହାଦ୍ରୁମଃ / ସ୍କନ୍ଧୋଽର୍ଜୁନୋ ଭୀମସେନୋଽସ୍ୟ ଶାଖାଃ / ମାଦ୍ରୀସୁତୈ। ପୁଷ୍ପଫଳେ ସମୃଦ୍ଧେ / ମୂଳଂ କୃଷ୍ଣୋ ବ୍ରହ୍ମଚ ବ୍ରାହ୍ମଣଶ୍ଚ ।” ଅର୍ଥାତ୍ ଯୁଧିଷ୍ଠିର ହେଉଛନ୍ତି ଧର୍ମମୟ ଏକ ମହାବୃକ୍ଷ । ଅର୍ଜୁନ ହେଉଛନ୍ତି ତା’ର ମୁଖ୍ୟ ଶାଖା, ଭୀମ ପ୍ରଶାଖା, ନକୁଳ ଓ ସହଦେବ ପୁଷ୍ପ ଓ ଫଳ , କୃଷ୍ଣ ଦେବତା ଓ ବ୍ରାହ୍ମଣ ଏହାର ମୂଳ ବା ଚେର । ସେଭଳି ଅପରପକ୍ଷରେ କୈାରବମାନଙ୍କ ଉପରେ ଉଲ୍ଲେଖ କରି କହିଛନ୍ତି – ” ଦୁର୍ଯ୍ୟୋଧନୋ ମନ୍ୟୁମୟୋ ମହାଦ୍ରୁମଃ / ସ୍କନ୍ଧଃ କର୍ଣ୍ଣଃ ଶକୁନି ସ୍ତସ୍ୟ ଶାଖା / ଦୁଃଶାସନଃ ପୁଷ୍ପ ଫଳେ ସମୃଦ୍ଧେ / ମୂଳଂ ରାଜା ଧୃତରାଷ୍ରୋଽମନୀଷୀ ।” ଅର୍ଥାତ୍ ଅହଂକାରୀ କ୍ରୋଧିରାଜା ଦୁର୍ଯ୍ୟୋଧନ ହେଉଛି ଗୋଟିଏ ମହାବୃକ୍ଷ, କର୍ଣ୍ଣ ତା’ର ପ୍ରଧାନ ଶାଖା, ଶକୁନି ପ୍ରଶାଖା, ଦୁଃଶାସନ ଫୁଲ ଓ ଫଳ ଏବଂ ପ୍ରଜ୍ଞାହୀନ ଅଜ୍ଞାନ ଧୃତରାଷ୍ଟ୍ର ହେଉଛନ୍ତି ତା’ର ମୂଳ ।

ପାଣ୍ତବମାନେ ଧର୍ମ ଓ ଶୃଙ୍ଖଳା ନୀତିକୁ ସର୍ବସ୍ବ ମନେକରି ଧର୍ମକୁ ଆଶ୍ରୟ କରି ଯୁଦ୍ଧ କ୍ଷେତ୍ରରେ ଅବତୀର୍ଣ୍ଣ ଥିବାବେଳେ କୈାରବଗଣ ଓ ସେମାନଙ୍କ ଅନୁଗାମୀମାନେ ଅନ୍ୟାୟ ଅନୀତି ଅତ୍ୟାଚାର ତଥା ପାପର ପୃଷ୍ଠଭୂମିରେ ଦଣ୍ତାୟମାନ ଥିଲେ । ଯାହାକି ମହାଭାରତ ଯୁଦ୍ଧ ପରିସମାପ୍ତିରେ ଧର୍ମର ଜୟ ଓ ଅଧର୍ମୀର ପରାଜୟ ଘଟିଛି । ଏହି ପରିପ୍ରେକ୍ଷୀରେ ରୁଷ-ୟୁକ୍ରେନ ଯୁଦ୍ଧ କେବଳ ପରସ୍ପର ମଧ୍ୟରେ ନିଜର ଅମାପ ଶକ୍ତି, ଅଖଣ୍ଡ କ୍ଷମତାର ଲଢେଇ ଭିତରେ ଯେଉଁ ରକ୍ତର ନଦୀ ବୋହି ଚାଲିଛି ତା’ର ଭୟଙ୍କର ରୂପ ମହାଭାରତ ଯୁଦ୍ଧ ଠାରୁ କୈାଣସି ଗୁଣରେ କମ୍ ନୁହେଁ । ନିଜେ ନିଜର ମୃତ୍ୟୁର ମାରଣାସ୍ତ୍ର ସୃଷ୍ଟି କରୁଥିବା ମଣିଷ କେବେ ଆଉ ବୁଝିବ ଧ୍ୱଂସ ନୁହେଁ ସୃଷ୍ଟି , ମୃତ୍ୟୁ ନୁହେଁ ଜୀବନ ଚାହୁଁ…!!!

ଅଧ୍ୟକ୍ଷ , ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ , କଟକ -୪
ଦୂରଭାଷ : ୯୦୪୦  ୧୫୧୪ ୭୫
Email: Laxmansahoo9040@gmail.com

Leave A Reply

Your email address will not be published.