Latest Odisha News

BREAKING NEWS

ବିନା ପାପୁଲି ଓ ପାଦରେ ବି କାର୍ଯ୍ୟ କରିବାକୁ ସକ୍ଷମ

କାକଟପୁର : “ମୁଁ କାହା ଉପରେ ବୋଝ ହେବାକୁ ଚାହେଁ ନାହିଁ। ଯଦି ପଶୁପକ୍ଷୀମାନେ ନିଜେ ଖାଦ୍ୟ ଯୋଗାଡ଼ କରିପାରୁଛନ୍ତି, ତେବେ ମଣିଷ ଜନ୍ମ ନେଇ ମୁଁ କାହିଁକି ଅନ୍ୟ ଉପରେ ନିର୍ଭର କରିବି” । ଏମିତି ଚିନ୍ତାଧାରା ରଖି ଆଗକୁ ବଢ଼ିଛନ୍ତି ଜଣେ ନିଆରା ମଣିଷ ଜଗନ୍ନାଥ ମହାନ୍ତି। ବିନା ପାପୁଲି ଓ ପାଦରେ ବି ସେ ହୋଇପାରିଛନ୍ତି ସକ୍ଷମ।

ଜଗନ୍ନାଥ ମହାନ୍ତି, ବୟସ ୨୪ ଘର ପୁରୀ ଜିଲ୍ଲା କାକଟପୁର ବ୍ଲକ୍ ଅନ୍ତର୍ଗତ ଲତାହରଣ ଗ୍ରାମରେ। ପରିବାର କହିଲେ ବାପା, ମା, ବଡ଼ ଭଉଣୀ ଓ ସେ ନିଜେ। ଭଉଣୀ ବିବାହ କରିସାରିଥିବା ବେଳେ ସେ ଏବେ ବାପା ଓ ମାଆଙ୍କ ସହ ରହୁଛନ୍ତି । ପିଲାଟି ଦିନରୁ ନିଜ କାମ ନିଜେ କରିବାକୁ ପସନ୍ଦ କରନ୍ତି ଜଗନ୍ନାଥ। ଭିନ୍ନକ୍ଷମ ହେଲେବି ସବୁକାମରେ ସେ ବେଶ୍ ପାରଙ୍ଗମ। ନିଜକାମରୁ ନେଇ ରୋଷେଇ, ଖେଳକୁଦ, ସାଇକେଲ ଓ ବାଇକ୍ ଚାଳନା, ଗଛ ଚଢ଼ା, ପହଁରିବା କେଉଁଥରେ ବି ସେ କମ୍ ନୁହଁନ୍ତି ।

ଆର୍ଥିକ ସ୍ଥିତି ଦୁର୍ବଳ ଯୋଗୁଁ ବିଜେବି କଲେଜରୁ ଯୁକ୍ତ ଦୁଇ ପଢ଼ିବା ପରେ ପାଠପଢ଼ାରେ ଡୋରି ବନ୍ଧା ହୋଇଥିଲା। ଏହାପରେ ଜଗନ୍ନାଥ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ, କିନ୍ତୁ କରୋନା ସମୟରେ ସେ ଚାକିରୀ ହରାଇଥିଲେ। ଏହା ପରେ ଗାଆଁକୁ ଆସି ବାପାଙ୍କୁ ଚାଷ କାମରେ ସାହାଯ୍ୟ କରୁଛନ୍ତି। ବିହନ ବୁଣିବା, ବିଲରୁ ଧାନ ଆଣିବା ତାକୁ ଅମଳ କରି ଗଦା ଦେବା ଏବଂ ଚାରୋଟି ଗାଈ ରଖି ସେମାନଙ୍କ ଯତ୍ନ ନେବା ସହ କ୍ଷୀର ଦୁହିଁବା ଓ ତାକୁ ନେଇ ବିକ୍ରି ମଧ୍ୟ କରନ୍ତି ।

ଅକ୍ଷମ ହୋଇ ମଧ୍ୟ ସେ ଆତ୍ମନିର୍ଭରଶୀଳ ହୋଇଛନ୍ତି ରାଜ୍ୟ ସରକାରଙ୍କ ପକ୍ଷରୁ ଦିବ୍ୟାଙ୍ଗମାନଙ୍କ ପାଇଁ ଦିଆଯାଉଥିବା ୭୦୦ଟଙ୍କା ଭତ୍ତା ସମୁଦ୍ରକୁ ଶଂଖେ ବୋଲି କହିଛନ୍ତି ଜଗନ୍ନାଥ। “ଦୃଢ଼ ଇଚ୍ଛାଶକ୍ତି ଦ୍ଵାରା ମଣିଷ ଅସମ୍ଭବକୁ ସମ୍ଭବ କରିଦେଖାଇଥାଏ”।  ଏହାର ଜ୍ଵଳନ୍ତ ଉଦାହରଣ ସାଜିଛନ୍ତି ଜଗନ୍ନାଥ।

Leave A Reply

Your email address will not be published.