Latest Odisha News

BREAKING NEWS

ପୁଣି ଆରମ୍ଭ ହେଲା ‘ଟ୍ରମ୍ପ ଯୁଗ’: ଆମେରିକାର ୪୭ ତମ ରାଷ୍ଟ୍ରପତି ହେଲେ ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେଲେ ଡୋନାଲ୍ଡ ଟ୍ରମ୍ପ । ୪୭ ତମ ରାଷ୍ଟ୍ରପତି ଭାବେ କ୍ଷମତା ଗ୍ରହଣ କଲେ ଟ୍ରମ୍ପ । ଏହାକୁ ମିଶାଇ ସେ ଦ୍ବିତୀୟ ଥର ପାଇଁ ରାଷ୍ଟ୍ରପତି ହେଲେ । ଡୋନାଲ୍ଡ ଟ୍ରମ୍ପଙ୍କ ରାଷ୍ଟ୍ରପତି ହେବା ଆମେରିକା ପାଇଁ ଏକ ନୂତନ ଯୁଗର ଆରମ୍ଭ ବୋଲି ବିବେଚନା କରାଯାଉଛି ।

ଟ୍ରମ୍ପ ହେଉଛନ୍ତି ଆମେରିକୀୟ ଇତିହାସରେ ଦ୍ୱିତୀୟ ବ୍ୟକ୍ତି ଯିଏ ହ୍ୱାଇଟ୍ ହାଉସ୍ ଛାଡିବା ପରେ ପୁଣି କ୍ଷମତାକୁ ଫେରିଛନ୍ତି । ଏହା ପୂର୍ବରୁ ସେ ୨୦ ଜାନୁଆରୀ ୨୦୧୭ ରୁ ୨୦ ଜାନୁଆରୀ ୨୦୨୧ ପର୍ଯ୍ୟନ୍ତ ରାଷ୍ଟ୍ରପତି ଥିଲେ । ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହେବାରେ ଟ୍ରମ୍ପ ହେଉଛନ୍ତି ସବୁଠାରୁ ବୟସ୍କ ବ୍ୟକ୍ତି ।

ରାଷ୍ଟ୍ରପତି କ୍ଷମତା ଗ୍ରହଣ କରିବା ପରେ, ଟ୍ରମ୍ପ କ୍ୟାପିଟଲ ହିଲରେ ତାଙ୍କ ପ୍ରଥମ ଭାଷଣ ଦେଇଛନ୍ତି । ଏହି ସମୟରେ ସେ ପୂର୍ବ ସରକାରଙ୍କ ଉପରେ ଯୋରଦାର ବର୍ଷିଛନ୍ତି । ସେ ବାଇଡେନ ସରକାରଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ, ପୂର୍ବ ସରକାର ବିପର୍ଯ୍ୟୟକୁ ଠିକ୍ ଭାବରେ ପରିଚାଳନା କରିବାରେ ଅସମର୍ଥ ରହିଥିଲେ । ଆମେ ଅନୁପ୍ରବେଶକାରୀଙ୍କୁ ଆମେରିକାରେ ପ୍ରବେଶ କରିବାକୁ ଦେବୁ ନାହିଁ । ଆମେରିକାର ଲୋକମାନେ ମୋତେ ଏକ ବିଶେଷ ଉଦ୍ଦେଶ୍ୟ ପାଇଁ ନିର୍ବାଚିତ କରିଛନ୍ତି । ଜାନୁଆରୀ ୨୦ ହେଉଛି ଆମେରିକାର ସ୍ୱାଧୀନତା ଦିବସ । ଆଜି ଆମେରିକାର ସ୍ୱାଧୀନତା ଦିବସ ।

ଟ୍ରମ୍ପ ଆହୁରି କହିଛନ୍ତି ଯେ, ଆମେରିକାର ଯୁଗ ପୂର୍ବ ପରି ଫେରିବାକୁ ଯାଉଛି । ଆମେ ଆମ ଦେଶକୁ ଭୁଲିବୁ ନାହିଁ, ଆମେ ଆମର ସମ୍ବିଧାନକୁ ଭୁଲିବୁ ନାହିଁ ଏବଂ ଆମେ ଆମର ଈଶ୍ୱରଙ୍କୁ ଭୁଲିବୁ ନାହିଁ । ନିର୍ବାଚନ ପ୍ରଚାର ସମୟରେ ମୋ ଉପରେ ଆକ୍ରମଣ ହୋଇଥିଲା ଏବଂ ମୋତେ ଗୁଳି ମଧ୍ୟ କରାଯାଇଥିଲା, କିନ୍ତୁ ଏକ ବିଶେଷ ଉଦ୍ଦେଶ୍ୟ ପାଇଁ ମୋର ଜୀବନ ରକ୍ଷା କରାଯାଇଥିଲା । ମୁଁ ଆଜି ଅନେକ ବଡ଼ ନିଷ୍ପତ୍ତି ନେବି ଏବଂ ନିର୍ଦ୍ଦେଶ ଦେବି ।

ଏହି ଅବସରରେ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ‘ଏକ୍ସ’ ରେ ପୋଷ୍ଟ କରି ଲେଖିଛନ୍ତି ଯେ, ମୋର ପ୍ରିୟ ବନ୍ଧୁ, ରାଷ୍ଟ୍ରପତି ଡୋନାଲ୍ଡ ଟେରମ୍ପ । ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବରେ ଆପଣଙ୍କର ଐତିହାସିକ ଶପଥ ଗ୍ରହଣ ପାଇଁ ଆପଣଙ୍କୁ ଅଭିନନ୍ଦନ! ଆମ ଉଭୟ ଦେଶକୁ ଲାଭ ଦେବା ପାଇଁ ଏବଂ ବିଶ୍ୱର ଏକ ଉନ୍ନତ ଭବିଷ୍ୟତ ଗଠନ କରିବା ପାଇଁ ମୁଁ ପୁଣି ଥରେ ଏକାଠି କାମ କରିବାକୁ ଇଚ୍ଛୁକ ଅଛି । ଆଗାମୀ ସଫଳ କାର୍ଯ୍ୟକାଳ ପାଇଁ ଶୁଭକାମନା!

Comments are closed.