Latest Odisha News

ମହାରାଷ୍ଟ୍ର: ସରକାର ଗଠନ ପୂର୍ବରୁ ଏକନାଥ ସିନ୍ଦେ ଅସୁସ୍ଥ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଦେଖା ଦେଇଛି ରାଜନୈତିକ ଉଷ୍ମତା। ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଜାରି ରହିଛି ସସ୍‌ପେନ୍ସ। ଏହାରି ଭିତରେ ଶନିବାର ଅସୁସ୍ଥ ହୋଇଛନ୍ତି ଏକନାଥ ସିନ୍ଦେ । ଖବର ପାଇବା ପରେ ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟର ଯାଞ୍ଚ କରୁଛନ୍ତି । ଜ୍ୱର ଏବଂ ଥକାପଣ ଯୋଗୁଁ ବିଶ୍ରାମ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏକନାଥ ସିନ୍ଦେ ଅଧିକ ପ୍ରଚାର କରିଥିଲେ । ନିର୍ବାଚନ ବେଳେ ବିଳମ୍ୱିତ ରାତି ଯାଏ ଅନିଦ୍ରା ରହି ବୈଠକ ମଧ୍ୟ କରିଥିଲେ। ଏହି ସବୁ କାରଣରୁ ସିନ୍ଦେଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିବା ଜଣାପଡିଛି ।

ଏକନାଥ ସିନ୍ଦେ ଶୁକ୍ରବାର ହଠାତ୍ ନିଜ ଗାଁରେ ସତାରା ପହଞ୍ଚିଥିଲେ। ସିନ୍ଦେଙ୍କ ଏହି ଗସ୍ତ ଯୋଗୁଁ ମହାରାଷ୍ଟ୍ରରେ ଏନଡିଏର ପ୍ରସ୍ତାବିତ ବୈଠକ ରଦ୍ଦ ହୋଇଥିଲା। ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଚେହେରା ସ୍ପଷ୍ଟ ହୋଇନଥିବା ବେଳେ ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ମୁମ୍ୱାଇର ଆଜାଦ ମୈଦାନରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହେବ ବୋଲି ଜଣାପଡ଼ିଛି। ତେବେ ଶନିବାର ଶିବସେନା (ସିନ୍ଦେ ଗୋଷ୍ଠୀ)ର ମନ୍ତ୍ରଣାଳୟ ଭଗାବଣ୍ଟା ଉପରେ ବୟାନ ସାମନାକୁ ଆସିଛି।

ଶିବସେନା (ସିନ୍ଦେ ଗୋଷ୍ଠୀ)କୁ ଗୃହ ମନ୍ତ୍ରଣାଳୟ ଦେବା ପାଇଁ  ଦଳର ନେତା ଦାବି କରିଛନ୍ତି । ପ୍ରଥମେ ସିନ୍ଦେ ମୁଖ୍ୟମନ୍ତ୍ରୀ ପାଇଁ ଆଶାୟୀ ଥିଲେ। ପରେ ସଂଖ୍ୟାଗରିଷ୍ଠ ବିଜେପିର ୧୩୨ ଆସନ ଆଗରେ ସେ ଆତ୍ମ ସମର୍ପଣ କରିଦେଲେ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଷ୍ପତ୍ତିରେ ସେ ଏକମତ ବୋଲି ମଧ୍ୟ କହିଥିଲେ । ମହାରାଷ୍ଟ୍ର ସରକାର ଗଠନରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସହମତି ହୋଇସାରିଛି, କିନ୍ତୁ ଉପମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରଣାଳୟ ଭାଗବଣ୍ଟା ଉପରେ ସସପେନ୍ସ ଏବେ ବି ଲାଗି ରହିଛି। ଏକନାଥ ସିନ୍ଦେ ନିଜ ଦଳ ପାଇଁ ଗୃହ , ଅର୍ଥ ପରି ବଡ଼ ବିଭାଗ ଚାହୁଁଥିବା ବେଳେ ସମାନ ଭାବରେ ବିଜେପି ମଧ୍ୟ ଏହି ମନ୍ତ୍ରଣାଳୟ ଚାହୁଁଛି।

Comments are closed.