ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ସର୍ବୋତ୍ତ ଭାବେ ଜାଣିବାକୁ ହେଲେ ପ୍ରଥମେ ନିଜ ଆତ୍ମା (ବ୍ରହ୍ମ )କୁ ସଠିକ ଭାବରେ ବୁଝିବାକୁ ହେବ। ପରମବ୍ରହ୍ମଙ୍କ ସ୍ୱରୂପର ବିଶ୍ଳେଷଣ ଯେତିକି ଜରୁରୀ, ସେତିକି ଜରୁରୀ ବ୍ରହ୍ମ ଦର୍ଶନ ବା ଆତ୍ମ ଦର୍ଶନର ସିଦ୍ଧାନ୍ତ ର ଅନୁଶୀଳନ। ମହାତ୍ମା ତୁଳସୀ ଦାସଙ୍କ ଅନୁସାରେ ଆତ୍ମ ଦର୍ଶନର ପ୍ରକ୍ରିୟା ଅତ୍ୟନ୍ତ ସରଳ, ଅର୍ଥାତ ଆତ୍ମା ଦ୍ୱାରା ଆତ୍ମାର ଦର୍ଶନ ଓ ଅନୁଶୀଳନ। ଏହାକୁ ସେ ପ୍ରେକ୍ଷାଧ୍ୟାନ ସାଧନା ଭାବରେ ଅଭିହିତ କରିଛନ୍ତି। ଯେଭଳି ମଣିଷ ତାର ପ୍ରତିବିମ୍ବକୁ ଦର୍ପଣରେ ଦର୍ଶନ କରେ, ସେଭଳି ପ୍ରେକ୍ଷାଧ୍ୟାନ ସାଧନା ଦ୍ୱାରା ଆତ୍ମାକୁ ସୁକ୍ଷ୍ମ ଭାବରେ ଅନୁଭବ କରିହୁଏ। ଧିରେ ଧିରେ ଏହି ସୁକ୍ଷ୍ମ ଭାବ ଅଧିକ ସ୍ପଷ୍ଟ ଓ ପୁଷ୍ଟ ହୋଇ ଆତ୍ମଦର୍ଶନ ହୁଏ। ଥରେ ଆତ୍ମାକୁ ସଠିକ ଅନୁଭବ କରି ଏହାର ପ୍ରକୃତ ତତ୍ତ୍ୱକୁ ଜାଣିଗଲେ। ପରମାତ୍ମାଙ୍କ କୌଣସି ରହସ୍ୟ ଅଜଣା ରହିବନି।
ଏହି ତତ୍ତ୍ୱ ମଧ୍ୟ ଭାଗବତ ଗୀତାରେ ଅଛି। ଏଠାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପରମାତ୍ମାଙ୍କ ପ୍ରକୃତ ସ୍ୱରୂପ ବୁଝାଇବାକୁ ଯାଇ କହିଛନ୍ତି : “ବହିରନ୍ତଶ୍ଚ ଭୁତାନାମଚରଂ ଚରମେବ ଚ, ସୁକ୍ଷ୍ମତ୍ୱାତ୍ତଦଜ୍ଞୟଂ ଦୂରସ୍ଥଂ ଚାନ୍ତିକେ ଚ ତତ” ଅର୍ଥାତ ପରମାତ୍ମା ସଚରାଚର ସକଳ ଭୂତଙ୍କର ବାହାରେ ଓ ଭିତରେ ଅଛନ୍ତି, ଚର ମାନଙ୍କର ଅଚର ରୂପେ ମଧ୍ୟ ବିଦ୍ୟମାନ। ଅତି ସୁକ୍ଷ୍ମ ହୋଇଥିବାରୁ ବିଜ୍ଞାପିତ ନୁହଁନ୍ତି। ତେଣୁ ସେ (ପରମାତ୍ମା )ଅତି ନିକଟରେ ତଥା ଅତ୍ୟନ୍ତ ଦୂରରେ ମଧ୍ୟ ପ୍ରତିଭାତ ହୁଅନ୍ତି। ତାଙ୍କର ଏହି ସର୍ବତ୍ର ପରିପୂର୍ଣ୍ଣ ଆତ୍ମାକୁ ପରମାତ୍ମାଙ୍କ ଅଂଶ ବୋଲି ବିବେଚନା କରୁଥିବାରୁ ସାଂସାରିକ ଦୁଃଖ, ଶୋକରୁ ମୁକ୍ତି ପାଆନ୍ତି। କାରଣ ଆତ୍ମା ନିତ୍ୟ, ନିର୍ମଳ, ଓ ନିତ୍ୟମୁକ୍ତ ଅଟେ । କୌଣସି ବନ୍ଧନ ନିର୍ଲିପ୍ତ ଆତ୍ମାଙ୍କୁ ବାନ୍ଧି ପାରେନା, କିନ୍ତୁ ଏହା କଠୋର ସାଧନା ଆବଶ୍ୟକ କରିଥାଏ । ଆତ୍ମ ଜ୍ଞାନର ଅଭାବ (ଅଜ୍ଞାନ ), ଲୋଭ, ମୋହ, ମାୟାର ଭ୍ରମ ଆମକୁ ଆତ୍ମାଠାରୁ ବା ଆତ୍ମ ଜ୍ଞାନଠାରୁ ଦୁରେଇ ନେଇ, କେବଳ ଦେହାଭିମାନର ଅନୁଭବ କରାଏ । ସବୁଠୁ ସହଜ ଉପାୟ ହେଲା ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କନିକଟରେ ସମ୍ପୂର୍ଣ ଆତ୍ମ ସମର୍ପଣ କରି, ଭକ୍ତି ମାର୍ଗରେ ସାଧନାରତ ହେବା। ଆଉ କବି ଯଦୁମଣିଙ୍କୁ ମନେ ପକାଇ କହିବା “ଲୋଭ ମୋହ ମାୟା, ଭ୍ରମ ଛନ୍ଦ, ଦ୍ଵନ୍ଦ ଏସବୁ ପଛକୁ ପକା । “ ମହାପ୍ରଭୁ ସହ ଥାଉ ଥାଉ ଆଉ କାହାକୁ ନକର ଶଙ୍କା। ସତରେ ଆମ ପାଖରେ ଜଗତର ନାଥ ଜଗନ୍ନାଥ ଥାଉ ଥାଉ ଆମେ ସାମାନ୍ୟ ଆତ୍ମ ସାଧନାକୁ ଭୟ କରିବା ? ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )