Latest Odisha News

BREAKING NEWS

ପାର୍ସଲରେ ଡ୍ରଗ୍ସ ଥିବା କହି ଭିଡିଓ କଲରେ ଯାଞ୍ଚ କଲେ; ଦେଢ଼ ଲକ୍ଷ ଠକି ନେଲେ ସାଇବର ଲୁଟେରା

ଭୁବନେଶ୍ୱର: ଅଜଣା ନମ୍ବରରୁ କଲ୍ ଆସୁଥିଲେ ସାବଧାନ ରୁହନ୍ତୁ । ନଚେତ୍ ଆପଣ ବି ଠକାମୀର ଶିକାର ହେବେ । ଭୁବନେଶ୍ୱରର ଜଣେ ବାସିନ୍ଦା ଫୋନ୍ କଲରେ ଦେଢ଼ ଲକ୍ଷ ଟଙ୍କ ହରାଇଛନ୍ତି । ଆଉ ସାଇବର ଠକ ନିଜକୁ ନାର୍କୋଟିକ୍ ବ୍ୟୁରୋର ଅଧିକାରୀ କହି ଏତେ ବଡ଼ ଠକେଇ କରିବା ପରେ ଘଟଣା ସାମ୍ନାକୁ ଆସିଛି ।

ରବିବାର ଅର୍ଥନୈତିକ ଅପରାଧ ଶାଖା (EOW) ପକ୍ଷରୁ ଜାରି ପ୍ରେସ୍ ଇସ୍ତାହାର ଅନୁସାରେ, ନୟାପଲ୍ଲୀରେ ରହୁଥିବା ଜଣେ ମହିଳାଙ୍କୁ ଗତ ୧୯ ତାରିଖରେ ଏକ ଫୋନ୍ କଲ୍ ଆସିଥିଲା । ସାଇବର ଲୁଟେରା ଜଣଙ୍କ ନିଜକୁ ଫେଡେକ୍ସ ହାଇଦ୍ରାବାଦର କର୍ମଚାରୀ ପରିଚୟ ଦେଇ କହିଥିଲେ, ଆପଣଙ୍କ ପାର୍ସଲରେ ୬ଟି ପାସପୋର୍ଟ, ଗୋଟିଏ ଲାପଟପ୍, ୫ଟି ଏଟିଏମ୍ କାର୍ଡ, ୧୫୦ ଗ୍ରାମ୍ ଡ୍ରଗ୍ସ ରହିଥିବା ବେଳେ ମୁମ୍ବାଇ ଏନସିବି ଧରିଛି ।

ତେବେ ମହିଳା ଜଣଙ୍କ କୌଣସି ପାର୍ସଲ ମଗାଇ ନାହାନ୍ତି କି ଅର୍ଡର କରି ନାହାନ୍ତି ବୋଲି କହିବା ପରେ କଲର ଜଣଙ୍କ କହିଥିଲେ ବ୍ୟକ୍ତିଗତ ଭାବେ ଆସି ମୁମ୍ବାଇ ନାର୍କୋଟିକ୍ ବ୍ୟୁରୋ ଅଫିସରେ ସାକ୍ଷାତ କରନ୍ତୁ । ଯଦି ନିଜେ ଆସି ପାରିବେ ନାହିଁ ତାହେଲେ ସେ ସ୍କାଏପେ ଭିଡିଓ କଲରେ ସ୍ପଷ୍ଟୀକରଣ ରଖି ପାରିବେ । ଯଦି ଅଣଦେଖା କରିବେ ତାହେଲେ ତାଙ୍କ ବିରୋଧରେ ନାର୍କୋଟିକ୍ ସହ ମନି ଲଣ୍ଡରିଂ ମାମଲା ରୁଜୁ ହେବ ।

ଏପରିକି ଗ୍ୟାଙ୍ଗଷ୍ଟର ଇସଲାମ୍ ମଲିକଙ୍କ ସହ ସମ୍ପର୍କ ରହିଥିବା କହି ଭୟଭୀତ କରାଇଥିଲେ । ଏହା ପରେ ସାଇବର ଠକ ନିଜକୁ ସାଇବର କ୍ରାଇମର ଡିସିପି ପରିଚୟ ଦେଇ ସିବିଆଇ ଓ ଆରବିଆଇର ଲେଟର ଦେଖାଇ କହିଥିଲେ, ମହିଳା ଜଣଙ୍କ ମନି ଲଣ୍ଡରିଂରେ ସମ୍ପୃକ୍ତ । ଏହାପରେ ସେ ଏଫଡିଆରବିଆଇ ନାଁରେ ୧.୫ ଲକ୍ଷ ଟଙ୍କା ଜମା କରିବାକୁ କହିଥିଲେ ।

ଏବଂ ଆଶ୍ୱାସନା ଦେଇଥିଲେ ଯଦି କିଛି ବେଆଇନ୍ ନଥିବ ତା ହେଲେ ୧୫ ମିନିଟ୍ ମଧ୍ୟରେ ସେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ଟଙ୍କା ଫେରି ପାଇବେ । ଭୟଭୀତ ହୋଇ ପଡ଼ିଥିବା ମହିଳା ଜଣଙ୍କ ୟୁପିଆଇ ଓ ଅନଲାଇନରେ ଟଙ୍କା ପଠାଇ ଦେଇଥିଲେ । ଏହା ପରେ ସାଇବର ଲୁଟେରା ମହିଳାଙ୍କୁ କ୍ଲିନ୍ ଚିଟ୍ ଦେବା ସହ ଅଫଲାଇନ୍ ହୋଇ ଯାଇଥିଲା । କିନ୍ତୁ ଟଙ୍କା ଫେରି ନଥିଲା ।

ତଦନ୍ତ ବେଳେ ଇଓଡବ୍ଲୁ ଜାଣିବାକୁ ପାଇଛି, ସାଇବର ଲୁଟେରା ଜଣଙ୍କ କୋରିଅର କମ୍ପାନୀ ଏବଂ ଏନସିବି, ସିବିଆଇ, ଇଡି ଓ ଆଇପିଏସ୍ ଅଧିକାରୀଙ୍କ ନାଁ ବ୍ୟବହାର କରି ଲୋକଙ୍କୁ କଲ୍ କରୁଛନ୍ତି । ତେବେ ଭିଡିଓ କଲରେ ଲୁଟେରା ମୁହଁ ଦେଖାଉ ନାହାନ୍ତି । ଜାଲ୍ ପରିଚୟପତ୍ର, ପ୍ରମାଣପତ୍ର ଦେଖାଇ ବିଶ୍ୱାସ ଜିତିବାକୁ ଚେଷ୍ଟା କରୁଛନ୍ତି ।

ଲୋକଙ୍କ ଠାରୁ ଲୁଟେରା ଲୁଟୁଥିବା ଟଙ୍କା ପଞ୍ଜାବର ଜଗଦମ୍ବା ଏଣ୍ଟରପ୍ରାଇଜେସ୍ ଆକାଉଣ୍ଟରେ ଜମା ହେଉଛି । ୨ରୁ ୩ ଦିନ ମଧ୍ୟରେ ଉକ୍ତ ଆକାଉଣ୍ଟରେ ବିଭିନ୍ନ ଆକାଉଣ୍ଟରୁ ୫.୫୮ କୋଟି ଟଙ୍କା ଜମା ହୋଇଥିବା ବେଳେ ଦୁବାଇରୁ ଏଟିଏମରୁ ଟଙ୍କା ଉଠାଣ କରାଯାଇଛି । ଇଓଡବ୍ଲୁ ୧୭ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିବା ସହ ଦୁବାଇରୁ କିଏ ଏହି ଗ୍ୟାଙ୍ଗ ପରିଚାଳନା କରୁଛି ତାର ଛାନଭିନ୍ କରୁଛି ।

ତେବେ ଏଭଳି କୌଣସି କଲ୍ ଆସିଲେ ଆପଣ କଣ କରିବେ ? ସେନେଇ ଆଡଭାଇଜାରୀ ଜାରି କରିଛି ଅର୍ଥନୈତିକ ଅପରାଧ ଶାଖା ।

  • ଯଦି ଆପଣ କିଛି ଭୁଲ୍ କରିନାହାନ୍ତି ତା ହେଲେ ଅଜଣା କଲକୁ ବିଶ୍ୱାସ କରନ୍ତୁ ନାହିଁ ।
  • ଏନସିବି, ସିବିଆଇ, ଇଡି, ପୋଲିସ ଭଳି ତଦନ୍ତକାରୀ ସଂସ୍ଥା କଲ୍ କିମ୍ବା ସ୍କାଏପେରେ ଚାଟ୍ କରନ୍ତି ନାହିଁ ।
  • ସବୁବେଳେ ସାଧାରଣ କଲ୍ ଉପରେ ଧ୍ୟାନ ଦିଅନ୍ତୁ, ନା କି ହ୍ୱାଟ୍ସଆପ୍ କିମ୍ବା ସ୍କାଏପେ ଉପରେ ।
  • ଯଦି ଭିଡିଓ କଲ୍ କରୁଛନ୍ତି ତାହେଲେ ପ୍ରତିପକ୍ଷଙ୍କ ମୁହଁ ଦେଖାଇବାକୁ କୁହନ୍ତୁ ।
  • ଭିଡିଓ କଲ୍ ସମୟରେ ଜାଲ୍ ପରିଚୟପତ୍ରକୁ ବିଶ୍ୱାସ କରନ୍ତୁ ନାହିଁ । ଅଫିସିଆଲ୍ ୱେବସାଇଟକୁ ଯାଇ ଚେକ୍ କରନ୍ତୁ ।
  • ଯଦି ଆପଣ କିଛି ସନ୍ଦିଗ୍ଧ ଅନୁମାନ କରୁଛନ୍ତି ତାହେଲେ ୧୯୩୦ କଲ କରନ୍ତୁ କିମ୍ବା ସାଇବରକ୍ରାଇମରେ ଅଭିଯୋଗ କରନ୍ତୁ ଅଥବା ପୋଲିସକୁ ୧୧୨ରେ ଜଣାନ୍ତୁ ।
Leave A Reply

Your email address will not be published.