Latest Odisha News

ବନ୍ୟା ନିୟନ୍ତ୍ରଣ ଅସମ୍ଭବ ନୁହେଁ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ “ଶବ୍ଦ ତୂଣୀର” 

ସମ୍ପ୍ରତି ୨୦୨୨ ପ୍ରଳୟଙ୍କରୀ ବନ୍ୟାର କରାଳ ରୂପ ତାଣ୍ଡବ ସୃଷ୍ଟି କରିଚାଲିଛି । କେବେଠାରୁ ଆଜିପର୍ଯ୍ୟନ୍ତ ବନ୍ୟା ତ କେବେ ମରୁଡି, ମଝିରେ ମଝିରେ ବାତ୍ୟା ପ୍ରତ୍ୟେକବର୍ଷ ଏଇ ଖବରରୁ ଓଡ଼ିଶା  ନିସ୍ତାର ପାଇଲାନାହିଁ । ପ୍ରାକୃତିକ ବିପର୍ଯ୍ୟୟରୁ ଓଡିଶା କେବେ ମୁକୁଳିବ ? ବନ୍ୟା, ବାତ୍ୟା, ମରୁଡିର କ’ଣ ସ୍ଥାୟୀ ପ୍ରତିକାର ସମ୍ଭବ ନୁହେଁ ? ଯଦି ସମ୍ଭବ ତାହା ହୋଇନପାରିବାର କାରଣ କ’ଣ ? ମହାନଦୀରେ ବନ୍ୟା ନିୟନ୍ତ୍ରଣ ପାଇଁ ଦ୍ୱିତୀୟ ବନ୍ଧ ଟିକରପଡାରେ ନିର୍ମାଣ କରିବା ପାଇଁ ଦୀର୍ଘ ୬୦ ବର୍ଷ ହେଲା କଥାଚାଲିଛି – ଆଜି ସେଇ ଏକାକଥା ସରକାର କହୁଛନ୍ତି । ଏଇ ୬୦ ବର୍ଷ ଭିତରେ କେତେ ଯେ ଧନଜୀବନ, ଫସଲ ନଷ୍ଟ କରିଦେଇଛି – ତା’ର ହିସାବ କିଏ ରଖିଛି । କେବଳ ବନ୍ୟା ନୁହେଁ, ବନ୍ୟା ପରେ ପରେ ମହାମାରି ମରୁଡି, ଦୁର୍ଭିକ୍ଷ ଭଳି ପରିସ୍ଥିତି ଓଡ଼ିଶାବାସୀଙ୍କ ଦେହସୁହା ହୋଇଗଲାଣି । ଯେଉଁ ବିପଦକୁ ରୋକିବା ପାଇଁ ଆମ୍ଭେ ଶହେଟଙ୍କା ଖର୍ଚ୍ଚ କରିଥାନ୍ତେ – ସେ ବିପଦପଡିଲା ପରେ ଆମେ ଲକ୍ଷେ ଟଙ୍କା ଖର୍ଚ୍ଚ କରିଲେ ବି ସୁଫଳ ମିଳୁନି ।

Woman Dies In Flood Water In Puri Gop Block

ଷାଠିଏ ଦଶକରୁ ଆରମ୍ଭ ହୋଇଥିବା ମହାନଦୀରେ ଦ୍ୱିତୀୟ ବନ୍ଧ କାର୍ଯ୍ୟ ଆରମ୍ଭ ନକରିବାରୁ ଅଶୀ ଦଶକରେ ୧୯୮୨ ମସିହା ପ୍ରଳୟଙ୍କାରୀ ବନ୍ୟା ପରେ ପୁଣି
ସେଇ କଥା ଉଠିଲା । ପୁଣି ୨୦୦୧ ମହାବନ୍ୟା ପରେ ୨୦୦୩ ର ଧ୍ୱଂସକାରୀ ବନ୍ୟା ବେଳେ ମଧ୍ୟ ସେହିକଥା ଉଠୁଛି । ୨୦୦୮ରେ ମଧ୍ୟ ସେହି ଏକା କଥା ଟଙ୍କାର ଅଭାବ ନା ଇଚ୍ଛାଶକ୍ତିର ଅଭାବ ଜାଣିବାକୁ ହେବ । ଏପରିକି କଟକର ନରାଜ ବ୍ୟାରେଜ ଦେଇ ଅକଳନ ଜଳ ଛଡାଗଲା ବେଳେ ମହାନଦୀ ଉପର ମୁଣ୍ଡ ବୌଦ ଜିଲ୍ଲାର ମଣିଭଦ୍ରାଠାରେ ଦ୍ୱିତୀୟ ନଦୀବନ୍ଧ କରିବା ପାଇଁ ତନାଘନା ଚାଲିଲା । ସମୀକ୍ଷା, ପ୍ରସ୍ତାବ, ପ୍ରକଳ୍ପ ସବୁ ଶୁଣିବାକୁ ଭଲ ଲାଗିପାରେ; କିନ୍ତୁ କୌଣସିଟି
ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାର ଦେଖାନାହିଁ । ମଧ୍ୟପ୍ରଦେଶ, ଛତିଶଗଡରେ ବର୍ଷା ହେଲେ ହୀରାକୁଦ ଡ୍ୟାମରେ ପାଣି ଭର୍ତ୍ତି ହୋଇଯାଉଛି । ହୀରାକୁଦ ଡ୍ୟାମ
ଉଚ୍ଛୁଳିଲେ ସ୍ଲୁଇସ୍ ଗେଟ୍ ଖୋଲୁଛନ୍ତି ସେ ଜଳର ମହାବେଗ ବଙ୍ଗୋପସାଗରରେ ପଡିଲା ବେଳକୁ ମହାନଦୀ ଓ ତାର ଶାଖାନଦୀରେ ପ୍ରବଳ ବନ୍ୟା ହୋଇ ନଦୀକୂଳ ପାଖାପାଖି ଅଞ୍ଚଳରେ ବାସ କରୁଥିବା ଦୁଇକୋଟି ଲୋକଙ୍କର ନାହିଁ ନଥିବା କ୍ଷତି କରି ଚାଲିଯାଉଛି । ବନ୍ୟା, ବାତ୍ୟା, ମରୁଡି, ଘରପୋଡି, ଅଂଶୁଘାତ,
ଘୂର୍ଣ୍ଣିବାତ୍ୟା, କରକାପାତ ତଥା ଅନ୍ୟାନ୍ୟ କେତେକ ବିପର୍ଯ୍ୟୟ ଓଡ଼ିଶାବାସୀଙ୍କ ସହଚର ହୋଇଯାଇଛି । ପ୍ରତିବର୍ଷ କିଛି ନା କିଛି ଘଟୁଛି । ସବୁ ଯେ କେବଳ
ପ୍ରକୃତି ଦାଉ ସାଦୁଛି ତା’ ନୁହେଁ, ଅଧିକାଂଶ ‘ମନୁଷ୍ୟକୃତ’ ବିପଦ । ଯେଉଁମାନେ ବିପଦ ପକାଇ ଖସିଯାଉଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଶ୍ରାଦ୍ଧଦିବସ ଆମ୍ଭେ ପାଳନ କରୁଛୁ । ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବା ପାଇଁ ମଧ୍ୟ ଲୋକଙ୍କୁ ପରାମର୍ଶ ଦେଉଛୁ, ଏହା ହିଁ ବିଡମ୍ବନା ।

୧୮୬୬ ମସିହାରେ ନ’ଅଙ୍କ ଦୁର୍ଭିକ୍ଷରେ ୩୦ ହଜାର ଲୋକ ମରିଥିଲେ । ୧୮୮୮ରେ ଭୟାବହ ମରୁଡି, ଅନାହାର ଓ ଦୁର୍ଭିକ୍ଷ ପଡିଥିଲା । ବ୍ରିଟିଶବାଲାଙ୍କ ଅବହେଳା
ଯୋଗୁ ଲୋକେ ମରୁଥିଲେ । ଏହି ସବୁ ବିପଦ ଥିଲା ମନୁଷ୍ୟକୃତ । ବିଶେଷକରି ୧୯୯୯ ବିଶ୍ୱର ସର୍ବାଧିକ ବିଭୀଷିକାମୟ ଚରମ ଚକ୍ରବାତ୍ୟା, ୨୦୦୦ରେ
ମହାମରୁଡି, ପୁଣି ୨୦୦୧ରେ ମହାବନ୍ୟା ତାଣ୍ଡବଲୀଳାରେ ଓଡିଶାର ଅର୍ଥନୈତିକ ଓ ସାମାଜିକ ସ୍ଥିତି ଚୂର୍ଣ୍ଣବିଚୂର୍ଣ୍ଣ ହୋଇଗଲା ପରେ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଯୋଜନା ପ୍ରତି ସରକାର ଆଜି ପର୍ଯ୍ୟନ୍ତ ଧ୍ୟାନ ଦେଲେ ନାହିଁ । ପାଗ ଭିଡୁ ଭିଡୁ କଚେରୀ ବରଖାସ୍ତ ହେଲାଭଳି  ସରକାର ବନ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ଅଛୁ କହୁଥିବାବେଳେ ୨୦୦୮ ସେପ୍ଟେମ୍ବର, ବନ୍ୟା ପୁଣି ବନ୍ୟାଞ୍ଚଳ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଲା । ଜଳବହୁଳେ ସୃଷ୍ଟିନାଶ ଜଳବିହୁନେ ସୃଷ୍ଟିନାଶ । ଏ କଥାପଦକ କେଉଁ ଅନାଦିକାଳରୁ ଚଳିଆସିଛି । ଏଥିରେ ବୈଜ୍ଞାନିକ ସତ୍ୟତା ଅଛି । ଆମ ଓଡ଼ିଶାରେ ଏତେ ନଦୀନାଳ ଅଛି ସବୁବର୍ଷ ବର୍ଷା ମଧ୍ୟ ହେଉଛି  କିନ୍ତୁ ପାଣିକୁ ଆମ୍ଭେ ଅଟକାଇ ପାରୁନୁ ସବୁ ସମୁଦ୍ରକୁ ବହିଯାଉଛି । ଫସଲ ପାଇଁ ପାଣି ଦରକାର ସବୁ ଶୁଖିଲା ହେଲା ମରୁଡି ମାଟିତଳୁ ମଧ୍ୟ ପାଣି ଉଠାଇ ଜମିରେ ମଡାଇବା କଷ୍ଟକର । ଆମ୍ଭେ ସମସ୍ତେ ଖାଦ୍ୟାଭାବ ଓ ଦରବୃଦ୍ଧିର ଜ୍ୱାଳାରେ ଛଟପଟ ହେଉଛେ । ବହୁ ବର୍ଷ ହେଲା ନଈ, ନାଳ ସବୁ ପୋତି ହୋଇଗଲାଣି । ବର୍ଷାପାଣି ନଈ, ନାଳରେ ଉଚ୍ଛୁଳି, ଏ କୂଳ ସେ କୂଳ ଖାଇ ବିଲବାଡି, ଘରଦ୍ୱାର, ଧନସମ୍ପତ୍ତି , ଗାଈଗୋରୁ, ପଶୁ ମଣିଷ ସମସ୍ତଙ୍କୁ ଖାଇଯାଉଛି ।

ଆମ୍ଭେ ବନ୍ୟାକୁ ଅଟକେଇ ପାରୁନାହାନ୍ତି, ଅଟକାଇପାରିଲେ ବନ୍ୟାବିପଦ ସମ୍ପଦ ରେ ପରିଣତ ହୁଅନ୍ତା । ବିଭିନ୍ନ ନଦୀବନ୍ଧ, କେନାଲ ବନ୍ଧ କେଡେକେଡେ ଯେଉଁ ସବୁ ବିରାଟ ଗଛ ଥିଲା ସେ ସବୁ ଦେଖିବାକୁ ମିଳୁନି । ଲୋକେ ଗଛକାଟି ନେଉଛନ୍ତି, ନୂଆ ଗଛ ଲଗା ହେଉନି । କେବଳ କାଗଜପତ୍ରରେ ଗଛ ଲଗାଯାଉଛି । ବନ୍ଧବାଡ ମରାମତି ପାଇଁ ପ୍ର୍ରିୟାପ୍ରୀତି ତୋଷଣରେ ଯେଉଁ ଟଙ୍କା ବରବାଦ ହେଉଛି ; ତା’ଦ୍ୱାରା ଦୁର୍ବଳ ନଦୀବନ୍ଧ ଯୋଗୁ ଘାଇ ସୃଷ୍ଟି ହେଉଛି ।

ବନ୍ୟା କାହା ପାଇଁ ପୁଷମାସ – କାହା ପାଇଁ ସର୍ବନାଶ । ସରକାରଙ୍କ ଅଦୂରଦର୍ଶିତା ଯୋଗୁ ଲୋକଙ୍କର ଯେଉଁ ବ୍ୟାପକ କ୍ଷତି ହେଉଛି, ତାହା ଭରଣା କରିବା ସମ୍ଭବ ନୁହେଁ । ସରକାର ବିରୋଧିଦଳ ପରସ୍ପର ପ୍ରତି ଯେତେ କାଦୁଅ ଫୋପଡାଫୋପଡି ହୁଅନ୍ତୁ ପଛେ, ଏହାଦ୍ୱାରା ବାସ୍ତବ ସମସ୍ୟା ସମାଧାନ ହେଉନାହିଁ । ସମ୍ପ୍ରତି ବନ୍ୟା ବିପର୍ଯ୍ୟୟର ମୁକାବିଲା ପାଇଁ ସରକାରୀଦଳ ଯେତେ ଯୋଜନା କରୁଛନ୍ତି ;  ସେଥିରୁ ସୁଫଳ ମିଳିବ ବୋଲି ଭାବିବା ମୁର୍ଖାମୀ ହେବ । ଶସ୍ତା ଭୋଟ ରାଜନୀତି ପାଇଁ ଲୋକଙ୍କ ଉପରେ ବିପଦ ପଡୁ ଏଭଳି ମନୋଭାବ ବହୁ ରାଜନେତାଙ୍କ ମଧ୍ୟରେ ଅଛି ଏବଂ ଅଫିସର କର୍ମଚାରୀମାନେ ମଧ୍ୟ କିଛି କିଛି ସୁବିଧା ହାସଲ କରୁଛନ୍ତି ।

ଆଉ ବିପନ୍ନ ଲୋକେ, ଚୁଡା, ଚାଉଳ, ଗୁଡ, ବିସ୍କୁଟ, ବ୍ଲିଚିଙ୍ଗ ପାଉଡର, ହାଲୋଜେନ୍ ବଟିକାଟିଏ, କିଛି ଘରଭଙ୍ଗା ସାହାଯ୍ୟ ମିଳିଲେ  ଭାଗ୍ୟକୁ ଆଦରି ପହିରହିଛନ୍ତି । ରାଜ୍ୟ ତଥା ଦେଶର ବାସ୍ତବ ଦୂରଦୃଷ୍ଟି ଥିବା ବୈଜ୍ଞାନିକ, ଇଂଜିନିୟର ଓ କାରିଗରୀ ଜ୍ଞାନକୌଶଳରେ ନିପୁଣ ତଥା ଜନଦରଦୀ ବ୍ୟକ୍ତିମାନଙ୍କୁ ନେଇ ଏବଂ ସବୁସ୍ଥାନରୁ ମତାମତ ସଂଗ୍ରହକରି ଦୁଃଖିନୀ ଓଡିଶାକୁ ସୁଖସମୃଦ୍ଧିରେ ପରିପୂର୍ଣ୍ଣ କରିବା ପାଇଁ ପ୍ରବଳ ଇଚ୍ଛାଶକ୍ତି ଓ ସାଧୁତା ନିଷ୍ଠାର ସହ ତୁରନ୍ତ ନଈ, ନାଳରୁ ବାଲି
ପଟୁ ମାଟି ବାହାର କରିବା, ବନ୍ଧବାଡକୁ ମଜବୁତ୍ କରିବା – ଅଧିକ କେନାଲ, ଡ୍ୟାମ୍‌, ବନ୍ଧ ନିର୍ମାଣ କରିବା, ବନ୍ଧ କେନାଲ କଡେକଡେ ପ୍ରଚୁର ଗଛ ଲଗେଇବା ନିହାତି ଆବଶ୍ୟକ । ବିଶେଷକରି ମହାନଦୀକୁ ସବୁ ନଦୀ କେନାଲ ସହ ସଂଯୋଗ କରି ରିଭରଗ୍ରିଡ୍ ସୃଷ୍ଟି କରିବା ପ୍ରୟୋଜନ । ହୀରାକୁଦ ପାଣି ଛାଡିଲେ କିମ୍ବା ରେଙ୍ଗାଳି ପାଣି ଛାଡିଲେ ମହାନଦୀ, ବ୍ରାହ୍ମଣୀ ଦେଇ ଆସିଲାବେଳକୁ ଅନ୍ୟାନ୍ୟ ନଦୀ, ନାଳ ଦେଇ ଜଳ ଅତିବାହିତ ହେବ । ଯାହାଫଳରେ ବନ୍ୟାକୁ ନିୟନ୍ତ୍ରଣ କରାଯାଇପାରିବ । ବର୍ଷା ଓ ବନ୍ୟା ଜଳକୁ ବିଭିନ୍ନ ସ୍ଥାନରେ ସଂରକ୍ଷିତ କରାଯାଇ ଜଳସେଚନର ବନ୍ଦୋବସ୍ତ କରିହେବ । ଓଡିଶାର ଦୁଃଖ ବନ୍ୟା କ୍ଷତି କରିବ ନାହିଁ କି ମରୁଡିର ଭୟ ଦେଖାଯିବ ନାହିଁ । ଏଥିପାଇଁ ଯେତେ ଟଙ୍କା ଖର୍ଚ୍ଚ ହେବ ଆଦୌ କାଳବିଳମ୍ବ ନକରି କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ବହନ କରିବା ଅବଶ୍ୟ କରଣୀୟ ନୁହେଁ କି ?

ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

Leave A Reply

Your email address will not be published.