Latest Odisha News

BREAKING NEWS

ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କ ଠାରୁ ଶାହିନ୍ ଆଫ୍ରିଦି ପର୍ଯ୍ୟନ୍ତ, ଏସିଆ କପ୍ ସୁପର-୪ରେ ଅନ୍ତର୍ଭୁକ୍ତ ଥିବା ଖେଳାଳିମାନଙ୍କ ‘ଧମାକା’

ଭୁବନେଶ୍ୱର: ଏସିଆ କପ୍ ୨୦୨୩ରେ ଏପର୍ଯ୍ୟନ୍ତ ଅନେକ ଖେଳାଳିମାନେ ଗୁରୁତ୍ୱପୂର୍ଣ୍ଣ ସମୟରେ ନିଜ ଦଳ ପାଇଁ ଚମତ୍କାର ପ୍ରଦର୍ଶନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଏସିଆ କପ୍ ୨୦୨୩ରେ ଗ୍ରୁପ୍ ପର୍ଯ୍ୟାୟ ସମାପ୍ତ ହୋଇଛି ଏବଂ ଭାରତ, ପାକିସ୍ଥାନ, ଶ୍ରୀଲଙ୍କା ଓ ବାଙ୍ଗ୍ଲାଦେଶ ଗ୍ରୁପ୍ ପର୍ଯ୍ୟାୟ ଅତିକ୍ରମ କରି ସୁପର-୪ରେ ପ୍ରବେଶ କରିଛନ୍ତି । ଏହି ଟୁର୍ନାମେଣ୍ଟରେ ସମସ୍ତ ଦଳ ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ଚେଷ୍ଟା କରୁଛନ୍ତି । ଗ୍ରୁପ୍ ପର୍ଯ୍ୟାୟ ଶେଷ ହେବା ପରେ ସୁପର-୪ରେ ପ୍ରବେଶ କରିଥିବା ଶ୍ରେଷ୍ଠ ଚାରିଟି ଦଳର ଖେଳାଳି ମାନଙ୍କ ମଧ୍ୟରୁ ଭଲ ପ୍ରଦର୍ଶନ କରିଥିବା ଖେଳାଳୀମାନଙ୍କ ଉପରେ ଆସନ୍ତୁ ନଜର ପକାଇବା ।

ଯେଉଁମାନେ ତାଙ୍କ ଦଳକୁ ସୁପର-୪ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ଉତ୍କୃଷ୍ଟ ପ୍ରଦର୍ଶନ ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ବାଂଲାଦେଶ ବ୍ୟାଟ୍ସମ୍ୟାନ୍ ନାଜମୁଲ ହୁସେନ୍ ଶାନ୍ତୋ ଏସିଆ କପ୍ ୨୦୨୩ରେ ଏପର୍ଯ୍ୟନ୍ତ ସର୍ବାଧିକ ରନ୍ ସ୍କୋର କରିଛନ୍ତି । ଶାନ୍ତୋ ଏପର୍ଯ୍ୟନ୍ତ ଏହି ଟୁର୍ନାମେଣ୍ଟରେ ହାରାହାରି ୯୬.୫୦ ରନ୍ କରି ମୋଟ୍ ୧୯୩ ରନ୍ ସଂଗ୍ରହ କରିଛନ୍ତି । ସେଥି ମଧ୍ୟରୁ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ରହିଥିବାବେଳେ ଆଫଗାନିସ୍ତାନ ବିପକ୍ଷ ହାଇ ସ୍କୋରିଂ ମ୍ୟାଚରେ ସେ ୧୦୪ ରନର ଚମତ୍କାର ଇନିଂସ୍ ଖେଳିଥିଲେ ।

ଏହି ତାଲିକାରେ ପାକିସ୍ତାନ ଅଧିନାୟକ ବାବର ଆଜାମଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି । ନେପାଳ ବିପକ୍ଷ ଟୁର୍ନାମେଣ୍ଟର ଉଦଘାଟନୀ ମ୍ୟାଚରେ ବାବର ଆଜାମ୍ ୧୫୧ ରନର ଚମତ୍କାର ଇନିଂସ ଖେଳିଥିଲେ। ଭାରତ ବିପକ୍ଷରେ ଥିବା ମ୍ୟାଚରେ ବର୍ଷା ହେତୁ ସେ ବ୍ୟାଟିଂ କରିବାକୁ ପଡ଼ିଆରେ ପ୍ରବେଶ କରିପାରିନଥିଲେ। ବାବର ଆଜାମ୍ ଏହି ଟୁର୍ନାମେଣ୍ଟରେ ଆଗକୁ ଆହୁରି ଅନେକ ମ୍ୟାଚ୍ ଖେଳିବାକୁ ଥିବା ବେଳେ ବର୍ତ୍ତମାନ ନାଜମୁଲ ହୁସେନ୍‌ଙ୍କ ପରେ ସେ ସର୍ବାଧିକ ସ୍କୋର୍ ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ।

ଏହି ତାଲିକାରେ ଅନ୍ତର୍ଭୁକ୍ତ ଭାରତୀୟ ଦଳର ଏକମାତ୍ର ଖେଳାଳି ହେଉଛନ୍ତି ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଯିଏ ପାକିସ୍ତାନ ବିପକ୍ଷରେ ୮୭ ରନ୍‌ର ଏକ ଚମତ୍କାର ଇନିଂସ ଖେଳିଛନ୍ତି। ବୋଲିଂ ବିଷୟରେ କହିବାକୁ ଗଲେ ହାର୍ଦ୍ଦିକ ଏପର୍ଯ୍ୟନ୍ତ ଏହି ଟୁର୍ନାମେଣ୍ଟରେ ନିଜର ବୋଲିଂ ଦକ୍ଷତାକୁ ମଧ୍ୟ ବଜାଇ ରଖିଛନ୍ତି । ଚଳିତ ଟୁର୍ନାମେଣ୍ଟରେ ନେପାଳ ବିପକ୍ଷରେ ବୋଲିଂ କରି ପାଣ୍ଡ୍ୟାଙ୍କୁ ମାତ୍ର ଗୋଟିଏ ୱିକେଟ୍ ମିଳିଥିବା ବେଳେ ଆଗକୁ ଆହୁରି ଅନେକ ମ୍ୟାଚ୍ ଖେଳିବାକୁ ବାକି ଅଛି ।  

ସେହିପରି ସଫଳତାର ଶ୍ରେଷ୍ଠ ତାଲିକାରେ ପାକିସ୍ତାନୀ ଦଳର ଦ୍ରୁତ ବୋଲର୍ ଶାହିନ୍ ଆଫ୍ରିଦି ମଧ୍ୟ ସାମିଲ ହୋଇଛନ୍ତି। ଶାହିନ୍ ଏପର୍ଯ୍ୟନ୍ତ ଏହି ଟୁର୍ନାମେଣ୍ଟରେ ନିଜ ବୋଲିଂ ଦକ୍ଷତା ବଳରେ ୭ଟି ୱିକେଟ୍ ନେଇଛନ୍ତି। ଭାରତ ବିପକ୍ଷରେ ଶାହିନ୍ ଆଫ୍ରିଦି ୪ଟି ୱିକେଟ୍ ନେଇଥିଲେ, ଯେଉଁଥିରେ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ୱିକେଟ୍ ମଧ୍ୟ ରହିଥିଲା । ଭାରତ ବିପକ୍ଷରେ ଶାହିନ୍ ଆଫ୍ରିଦି ଭଲ ପ୍ରଦର୍ଶନ କରିଥିଲେ। ଶାହିନ୍ ଉଭୟ ନୂତନ ଏବଂ ପୁରୁଣା ବଲ୍ ସୁଇଙ୍ଗ୍ କରିବାରେ ପାରଦର୍ଶୀତା ଲାଭ କରିଛନ୍ତି । ଏଥି ସହିତ ହାରିସ୍ ରୌଫ୍ ନିଜ ବୋଲିଂ ଦକ୍ଷତା ବଳରେ ଏହି ଟୁର୍ନାମେଣ୍ଟରେ ସର୍ବାଧିକ ୯ ୱିକେଟ୍ ନେଇ ରେକର୍ଡ୍ ସୃଷ୍ଟି କରିଥିବାବେଳେ ନସିମ୍ ସାହା ମଧ୍ୟ ୭ ୱିକେଟ୍ ନେଇ ସୁନାମ ଅର୍ଜନ କରିଛନ୍ତି ।

ଖାଲି ସେତିକି ନୁହେଁ, ବାଂଲାଦେଶ ଅଲରାଉଣ୍ଡର ମେହେଦି ହାସନ ମେରାଜ ମଧ୍ୟ ଏହି ଶ୍ରେଷ୍ଠ ଖେଳାଳି ତାଲିକାରେ ଅନ୍ତର୍ଭୁକ୍ତ। ସେ ଦୁଇଟି ଇନିଂସରେ ୧୧୭ ରନ୍ ସଂଗ୍ରହ କରିଛନ୍ତି ଏବଂ ଏହି ଟୁର୍ନାମେଣ୍ଟରେ ସର୍ବାଧିକ ରନ୍ ସ୍କୋର କରିବାରେ ସେ ତୃତୀୟ ସ୍ଥାନରେ ଅଛନ୍ତି। ଏଥି ସହିତ ସେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ମଧ୍ୟ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହି ଟୁର୍ନାମେଣ୍ଟରେ ସେ ଗୋଟିଏ ୱିକେଟ୍ ମଧ୍ୟ ନେଇଛନ୍ତି।

ସେହିପରି ଭାରତୀୟ ଦଳର ଅଧିନାୟକ ରୋହିତ୍ ଶର୍ମା ଏବଂ ହାର୍ଦିକ୍ ପାଣ୍ଡିଆ, ଇସାନ୍ କିଶନ୍, ରବିନ୍ଦ୍ର ଜାଡ଼େଜା, ଶୁଭମନ୍ ଗିଲ୍ ଓ କୁଲଦୀପ୍ ଯାଦବ ପ୍ରମୁଖ ଉତ୍ତମ ପ୍ରଦର୍ଶନ କରିଥିବା ବେଳେ କ୍ରିକେଟ୍ ବାଦ୍ସା କିଙ୍ଗ୍ କୋହଲିଙ୍କ ଜବରଦସ୍ତ୍ ପ୍ରହାରକୁ ଅପେକ୍ଷା କରି ରହିଛନ୍ତି ।

Leave A Reply

Your email address will not be published.