Latest Odisha News

BREAKING NEWS

ଡ୍ରୋନରେ ମେଡିସିନ ଯୋଗାଣ ଆଜିଠାରୁ ପରୀକ୍ଷଣ, ଭାରତରେ ପ୍ରଥମ

ବେଙ୍ଗାଳୁରୁ: ଟିକାଠାରୁ ଆରମ୍ଭ କରି ମେଡିସିନ ଓ ଅନ୍ୟ ଡାକ୍ତରୀ ସାମଗ୍ରୀ ଡ୍ରୋନରେ ଯୋଗାଣ ଆରମ୍ଭ ହେବ। ଏଥିପାଇଁ ଆଜିଠାରୁ ପରୀକ୍ଷଣ ପର୍ଯ୍ୟାୟ ଆରମ୍ଭ ହୋଇଛି। ବେଙ୍ଗାଳୁରୁଠାରୁ ୮୦ କିଲୋମିଟର ଦୂର ଗୌରୀବିଦାନୁରରେ ଏହା ଆରମ୍ଭ ହୋଇଛି । ଥ୍ରଟଲ ଏରୋସ୍ପେସ ସିଷ୍ଟମ ପକ୍ଷରୁ ଏହି ସେବା ଆରମ୍ଭ ହେଉଥିବା ବେଳେ ଗତ ବର୍ଷ ମାର୍ଚ୍ଚଠାରୁ ଏହାକୁ ଡିଜିସିଆଇ ପକ୍ଷରୁ ଅନୁମତି ମିଳିସାରିଥିଲା। କିନ୍ତୁ କରୋନା ପାଇଁ ଏହା ବିଳମ୍ବିତ ହୋଇଥିଲା ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । ଏହା ସଫଳ ହେଲେ ଦେଶର ବିଭିନ୍ନ ଦୁର୍ଗମ ଅଞ୍ଚଳରେ କରୋନା ଟିକା ଓ ଅନ୍ୟ ମେଡିକାଲ ଉପକରଣ ସହଜରେ ପହଞ୍ଚାଯାଇପାରିବ ବୋଲି ଆଶା କରାଯାଉଛି।

ପ୍ରାଥମିକ ଭାବେ ପରୀକ୍ଷଣର ୩୦ରୁ ୪୦ ଦିନ ଭିତରେ କେବଳ ମେଡିସିନ ଯୋଗାଣ ହେବ। ଏଥିପାଇଁ କମ୍ପାନି ୨ ପ୍ରକାର ମେଡକପ୍ଟର ବ୍ୟବହାର କରିବ। ଛୋଟ ମେଡକପ୍ଟର ୧୫ କିଲୋମିଟର ଦୂର ପର୍ଯ୍ୟନ୍ତ ୧ କେଜି ଯାଏ ମେଡିସିନ ପହଞ୍ଚାଇପାରିବ । ବଡ଼ ମେଡକପ୍ଟର ୨ କେଜି ଓଜନର ମେଡିସିନ ୧୨ କିଲୋମିଟର ଦୂରରେ ପହଞ୍ଚାଇବ ବୋଲି କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି । ରାନଡିଣ୍ଟ୍ ସଫ୍ଟଓ୍ୱେର ଦ୍ୱାରା ଏହି ମେଡକପ୍ଟର(ଡ୍ରୋନ୍) ପରିଚାଳିତ ହେବ। ଡିଜିସିଏଙ୍କ ନିର୍ଦ୍ଦେଶାବଳି ଅନୁସାରେ ପରୀକ୍ଷଣ ସମୟରେ ଏହି ଡ୍ରୋନକୁ ଅତି କମରେ ୧୦୦ ଘଣ୍ଟା ଉଡ଼ିବାକୁପଡ଼ିବ। ତେବେ କମ୍ପାନି ପକ୍ଷରୁ ୧୨୫ ଘଣ୍ଟାର ଉଡ଼ାଣ ଲକ୍ଷ୍ୟ ରଖାଯାଇଛି ।

ଭାରତ ସରକାର ମାନବବିହୀନ ବିମାନ ଉଡ଼ାଣ ସମ୍ପର୍କିତ ନିୟମକୁ କୋହଳ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । କିନ୍ତୁ ଏହାର ଉଡ଼ାଣ ପରିଚାଳକ କମ୍ପାନିର ଭିଜୁଆଲ୍ ଲାଇନରେ ରହୁଥିବା ଆବଶ୍ୟକ । ପୂର୍ବରୁ କେନ୍ଦ୍ର ସରକାର ଦୁର୍ଗମ ଅଞ୍ଚଳଗୁଡ଼ିକରେ ମେଡିସିନ, ଭ୍ୟାକସିନ ପଠାଇବା ପାଇଁ ମାନବବିହୀନ ଉଡାଯାହାଜ(ୟୁଏଭି)ର ବ୍ୟବହାର ନେଇ ଯୋଜନା କରିଥିଲେ। କାନପୁର ଆଇଆଇଟି ପକ୍ଷରୁ ସର୍ଭେକ୍ଷଣ କରାଯାଇ ଏନେଇ ସକରାତ୍ମକ ମତ ରଖିବା ପରେ ଏଚ୍ଏଲଏଲ୍ ଇନଫ୍ରା ଟେକ୍ ସର୍ଭେସେସ ଲିମିଟେଡ୍ ଏ ନେଇ ଆଗେଇଥିଲା । ବିଜ୍ଞପ୍ତି ପରେ କିଛି କମ୍ପାନି ଏ ନେଇ ଆଗ୍ରହ ପ୍ରକାଶ କରିଥିଲେ ।

ଡ୍ରୋନ୍ ଦ୍ୱାରା ଦୁର୍ଗମ ଅଞ୍ଚଳରେ କରୋନା ଭ୍ୟାକସିନ ପହଞ୍ଚାଇବା ପାଇଁ କିଛି ଦିନ ତଳେ ତେଲେଙ୍ଗାନା ସରକାର ପ୍ରକଳ୍ପ ଆରମ୍ଭ କରିଛନ୍ତି । ଏହା କେତେଦୂର ସଫଳ ହୋଇପାରିବ ସେ ନେଇ ଅନୁସନ୍ଧାନ ଆରମ୍ଭ କରିଛନ୍ତି । ଫ୍ଲିପକାର୍ଟ ଓ ଡୁନଜୋ କମ୍ପାନି ସହ ମିଳିତ ଭାବେ କାମ କରୁଛନ୍ତି ତେଲେଙ୍ଗାନା ସରକାର ।

Leave A Reply

Your email address will not be published.