ଗବ ଗରଗଡ଼ ତେଟେଙ୍ଗେ, ମନ ପଡ଼ିଗଲେ ଉଠେଙ୍ଗେ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’)
ସେତେବେଳେ ଅଷ୍ଟମ ଶ୍ରେଣୀରେ ପଢୁଥାଏ ମୁଁ । ବୋଧହୁଏ ଆଦ୍ୟ କୈଶୋରରେ ପାଦ ଦେଉ ଦେଉ ଯେଉଁ ସବୁ ଶାରୀରିକ ଓ ମାନସିକ ପରିବର୍ତ୍ତନ ଘଟେ, ସେ ସବୁ ମୋ କ୍ଷେତ୍ରରେ ଟିକିଏ ବେଶୀ ଅନୁଭବ ହେଉଥିଲା । ହୁଏତ ଏହା ସମସ୍ତଙ୍କ କ୍ଷେତ୍ରରେ ହେଉଥିବ, ମୁଁ କିନ୍ତୁ ଭାବୁଥିଲି, ଏ ପରିବର୍ତ୍ତନ କେବଳ ମୋ ନିକଟରେ ଘଟୁଛି । ସେ କଥାଟା ଏବେ ବି ଭାବିଲେ ମୋତେ ରହସ୍ୟମୟ ଲାଗେ । କାରଣ ସପ୍ତମ ଶ୍ରେଣୀ ପଢ଼ିଲା ବେଳେ ଆମ ସ୍କୁଲରେ ଯେଉଁ ସ୍ୱାସ୍ଥ୍ୟ ଶିବିର ଲାଗିଥିଲା, ସେଥିରେ ଡାକ୍ତର ମୋତେ ପଚାରୁଥିଲେ ତମ ଘରେ ଖାଇବାକୁ ଦେଉନାହାନ୍ତି କିରେ? ତୁ ଏମିତି କଣ ମଲା ଭଳିଆ ଅଛୁ? ହଁ, କାହିଁକି ବା ନକହନ୍ତେ? କାରଣ ବାର ବର୍ଷ ବୟସରେ ମୋର ଓଜନ ଥିଲା ମାତ୍ର ତେଇଶି କିଲୋ। ଏଥିରେ ଯେ କେହି ବି ଚକିତ ହେବା ସ୍ୱାଭାବିକ । ମୁଁ କିନ୍ତୁ ଭାବି ପାରିନଥିଲି ଯେ, ବର୍ଷେ ଭିତରେ ବାରରୁ ତେର ବର୍ଷକୁ ଆସିବା ମାତ୍ରେ, ମୋର ଏମିତି ଅହେତୁକ ପରିବର୍ତ୍ତନ ଘଟିବ । ମୁଁ ସିଧା ୨୩ରୁ ୪୬ କିଲୋକୁ ପଦୋନ୍ନତି ପାଇଲି । ଗୋଟିଏ ବର୍ଷ ଭିତରେ ଯେତେ ୟୁନିଫର୍ମ ପ୍ୟାଣ୍ଟ ସିଲେଇ ହେଲା (ସେତେବେଳେ କେଉଁ ରେଡିମେଡ୍ ପ୍ୟାଣ୍ଟ ଗାଁରେ ମିଳୁଥିଲା ଯେ,) ସବୁ ନିଅଣ୍ଟ ପଡ଼ିଲା । ମାସେ ଯାଉଥିଲା କି ନାହିଁ ପ୍ୟାଣ୍ଟ ଫାଟି ଯାଉଥିଲା । ବର୍ଷେ ଭିତରେ ଦଶ ବାରଟି ପ୍ୟାଣ୍ଟ ସିଲେଇ ହେଇଥିବ ମୋ ପାଇଁ । ମତେ ବି ଟିକିଏ ଅଡୁଆ ଲାଗୁଥାଏ । ସାଙ୍ଗ ପିଲାଙ୍କ ଗହଣରେ ମୋ ଉପସ୍ଥିତି, ପୂର୍ବରୁ କେବେ ନଜରକୁ ଆସୁନଥିଲା । ସେତେବେଳେ କିନ୍ତୁ ଅଷ୍ଟମ ଶ୍ରେଣୀରେ ସବୁ ପିଲାଙ୍କ ଭିତରେ ମୁଁ ନଜରକୁ ଆସୁଥିଲି ।

ମୋର ଏ ଅକସ୍ମାତ୍ ପରିବର୍ତ୍ତନ ବାପାଙ୍କୁ ବିଚଳିତ କରୁଥିଲା । ଦିନେ ସକାଳୁ ସକାଳୁ ମତେ ନେଇ ସେ ବ୍ରହ୍ମପୁର ବଡ଼ ମେଡିକାଲର ଜଣେ ଶିଶୁ ରୋଗ ବିଶେଷଜ୍ଞଙ୍କ ଘରକୁ ଗଲେ । ଡାକ୍ତର ମାଡାମ୍ ମୋତେ ଦେଖିବା ପରେ ପଚାରିଲେ କଣ ହେଇଛି ବାବୁ ତୋର? ହେଲେ ମୋତେ କଣ ପାଇଁ ଡାକ୍ତରଙ୍କ ପାଖକୁ ନିଆଯାଇଛି, ସେ କଥା ତ ଜଣା ନଥିଲା । ମୁଁ ବା କଣ କହନ୍ତି । ବାପା କହିଲେ, ଦେଖୁନାହାନ୍ତି ମାଡାମ୍, ଇଏ କେମିତି ଆବଶ୍ୟକତାଠାରୁ ଅଧିକ ମୋଟା ହୋଇଗଲାଣି । ଗୋଟିଏ ବର୍ଷ ଭିତରେ କୋଡ଼ିଏ କିଲୋରୁ ଅଧିକ ଓଜନ ବଢ଼ିଲାଣି । ଡାକ୍ତର ମାଡାମ୍ ହସିଦେଲେ । କହିଲେ ଏଥିପାଇଁ ଆପଣ ଏତେ ବ୍ୟସ୍ତ ହେଇଯାଉଛନ୍ତି? ସେତିକି ବେଳେ ତାଙ୍କ ଘର ଭିତରୁ ମୋ ସମବୟସ୍କ ପିଲାଟିଏ ଆସିଲା ଏବଂ ସେହି ବାଟ ଦେଇ ବାହାରକୁ ଚାଲିଗଲା । ସେହି ପିଲାଟି ମୋଠୁ ଚାରିଅଣା ଅଧିକ ଥିଲା । ବାପାଙ୍କୁ ମାଡାମ୍ କହିଲେ, ଆପଣ ମୋଟା ପିଲା ଦେଖିନାହାନ୍ତି ବୋଧେ । ବାପା ଆଉ କିଛି କହିଲେ ନାହିଁ । କାରଣ ସେ ପିଲାଟି ମାଡାମଙ୍କ ପୁଅ ଥିଲା । ମାଡାମ୍ କହିଲେ, ଏବେ ତାର ବଢ଼ିବା ବୟସ । ଏବେ ଏମିତି ହିଁ ବଢ଼ିବ । ତେବେ ତାକୁ କହନ୍ତୁ, ନିୟମିତ ପଡ଼ିଆକୁ ଯାଇ ଖେଳାଖେଳି କରିବ । ସବୁ ଠିକ୍ ହେଇଯିବ । ବାସ୍, ସେଇଟା ହିଁ ଥିଲା ମୋ ପାଇଁ ଡାକ୍ତରଙ୍କ ପରାମର୍ଶ, ପ୍ରେସ୍କ୍ରିପସନ୍ ବା ଯାହା ବି କିଛି କହିପାରନ୍ତି ।

ଗାଁକୁ ଫେରିଲି । ବାପା କହିଲେ, ଟିକିଏ ନିୟମିତ ବ୍ୟାୟାମ କରେ । ଶରୀର ସୁସ୍ଥ ରହିବ । ଫିଟ୍ ରହିବୁ । ମୁଁ ତ ଥିଲି ଅଳସୁଆଙ୍କ ଗୁରୁ ଗୋସେଇଁ । ଜୀବନରେ ସୂର୍ଯ୍ୟୋଦୟ ଦେଖିବା ମୋ ପାଇଁ ଥିଲା ଏକ ସ୍ୱପ୍ନ । ଏମିତି ସ୍ଥଳେ ମୁଁ ବା କାହିଁକି ବ୍ୟାୟାମ କରନ୍ତି ବା ସକାଳୁ ଉଠି ଦୌଡ଼ିବା ପାଇଁ ଯାଆନ୍ତି ? ତଥାପି କେଜାଣି କାହିଁକି ଦିନେ ଇଛା ହେଲା । ଭାବିଲି ସକାଳୁ ଜେଜେବାପା ଯେତେବେଳେ ଉଠି ପୂଜାପାଠ କରୁଛନ୍ତି, ସେତିକି ବେଳେ ଯଦି ସିଏ ମତେ ଉଠେଇ ଦିଅନ୍ତେ, ତା ହେଲେ ମୁଁ ନିଶ୍ଚୟ ଦୌଡ଼ିବା ପାଇଁ ଯାଇପାରନ୍ତି । ସେଥିପାଇଁ ଜେଜେବାପାଙ୍କୁ କହି, ସେହି ବ୍ୟବସ୍ଥାଟା କଲି । ଦିନେ ସକାଳୁ ସକାଳୁ ଉଠି, ନିତ୍ୟକର୍ମ ସାରି, ଜୋତା ପିନ୍ଧି, ମାଛି ଅନ୍ଧାରିଆ ପାହାନ୍ତିଆଟାରେ ଗାଁ ସ୍କୁଲ ପଡ଼ିଆକୁ ଚାଲିଲି । ଦୌଡ଼ିବା ଆରମ୍ଭ ହେଲା । ଭାବିଲି ଗୋଟିଏ ଦିନରେ ହିଁ ସବୁ ଓଜନ କମିଯିବା ଦରକାର । ପ୍ରଥମ ଦିନର ମନୋବଳ ଏତେ ଥିଲା ଯେ, ସ୍କୁଲ ପଡ଼ିଆରେ ଦଶ ରାଉଣ୍ଡ୍ ଦୌଡ଼ି ପକେଇଲି । ଝାଳରେ ଜୁଡୁବୁଡୁ ହେଇ ଘରକୁ ଫେରିଲି । ହେଲେ ଜୀବନରେ କେବେ କସରତ କରିନଥିବା ପିଲାର ସେଦିନ ସ୍କୁଲରେ ଯାହା ଅବସ୍ଥା ହେଲା, ତାହା ବଖାଣିବା ବଡ଼କଷ୍ଟ । ଦିନ ତମାମ ନିଶାଖୋର ମଣିଷ ଭଳି ଲାଗୁଥିଲା । କ୍ଲାସରେ ସାର୍ କଣ ପଢ଼ାଉଥିଲେ, ସେ ସବୁ ମୁଣ୍ଡ ଉପରେ ଯାଉଥିଲା । ପ୍ରଥମ ଧାଡ଼ିରେ ବସିଥିଲେ ବି ନିଦକୁ ନିୟନ୍ତ୍ରଣ କରିପାରୁନଥିଲି ମୁଁ । ବାରମ୍ବାର ଢୁଳେଇ ପଡୁଥିଲି । ପଣ୍ଡା ସାରଙ୍କ ଭୂଗୋଳ କ୍ଲାସରେ କେଡ଼େ କେଡ଼େ ଲୋକଙ୍କ ନିଦ ହଜିଯାଉଥିଲା । ହେଲେ ମୋ କ୍ଷେତ୍ରରେ ତାହା ବି ହେଲାନି । ନିଦରେ ଢୁଳେଇ ପଡୁଥିବା ସାର୍ ଦେଖିଦେଲେ । ପାଖକୁ ଆସି ଗାଲରେ ଦିଟା ଚଟକଣା ଦେଲେ । ଏକା ମାଡ଼ରେ ଉଭେଇଗଲା ନିଦ ।

ସେଦିନ ଘରକୁ ଫେରିବା ପରେ ମାଆ କଣ ଖାଇବାକୁ ଦେଲା କିଛି ମନେ ନାହିଁ । କଣ ଖାଇଲି ନଖାଇଲି ଜାଣିପାରିଲିନି । ସନ୍ଧ୍ୟାରୁ ଶୋଇଛି ଯେ ଶୋଇଛି । ପାହାନ୍ତିଆରୁ ଜେଜେବାପା ପୁଣି ଉଠେଇ ଦେଲେ । ମନ ଦୃଢ଼ କରି ପୁଣି ପଡ଼ିଆକୁ ଗଲି । ହେଲେ ପ୍ରଥମ ଦିନର ଉତ୍ସାହ ଆଉ ନଥିଲା । ଗୋଡ଼, ଜଙ୍ଘ କିଛି ଉଠୁନଥିଲା । ବଡ଼ କଷ୍ଟରେ ପାଞ୍ଚ ରାଉଣ୍ଡ୍ ଦୌଡ଼ିଲି । ତା ପରଦିନ ସେଇଟା ତିନି ରାଉଣ୍ଡକୁ ଖସି ଆସିଲା । ଚତୁର୍ଥ ଦିନ ଜେଜେବାପା ଯେତେବେଳେ ସକାଳୁ ଉଠେଇଲେ, ମୁଁ କହିଲି, ହେ .. ମୁଁ ଆଉ ଦୌଡ଼ିବାକୁ ଯିବିନି । ମତେ ହଇରାଣ କରନି ଜେଜେ । ମତେ ଟିକିଏ ଶୋଇବାକୁ ଦିଅ । ଏ ସବୁ କଥା ମୋ ବାପା ନିରବରେ ଦେଖୁଥିଲେ । ସେଦିନ ଆଠଟା ବେଳେ ଉଠିଲି । ଶୀଘ୍ର ଗାଧୁଆ ପାଧୁଆ କରି ସ୍କୁଲ ଯିବା ପାଇଁ ଖାଇବାକୁ ବସିଲି ବାପାଙ୍କ ସାଙ୍ଗରେ। ଖାଇବା ସରିଲା ବେଳେକୁ ବାପା କହିଲେ, ଆମର ଗୋଟେ କଥା ଅଛି … ଗବ ଗରଗଡ଼ ତେଟେଙ୍ଗେ, ମନ ପଡ଼ିଗଲେ ଉଠେଙ୍ଗେ । ଏକଥାର ମାନେ କଣ ଜାଣିଛୁ ନା? ମୁଁ କହିଲି ନା । ବାପାଙ୍କ କହିବା ଉଦ୍ଦେଶ୍ୟ ଥିଲା, ଯେ କୌଣସି ଲକ୍ଷ୍ୟ ହାସଲ କରିବା ପାଇଁ ମନ ଲଗାଇ କାମ କରିବାକୁ ପଡ଼େ । ଏଥିପାଇଁ ନିୟମିତ ଭାବେ ପରିଶ୍ରମ କରିବାକୁ ପଡ଼େ । ଆଉ ଏମିତି ଗବ ଓ ଗରଗଡ଼ ମଞ୍ଜି ପରି ହେଲେ କଣ ହେବ? ଆଜି ପୋତିଛ, କେବେ ଗଛ ହେବ ତମେ ଜାଣିନ । ତାର ଯେବେ ଇଛା ହେବ, ସେତେବେଳେ ସେ ଗଜା ହେବ ।

ବାପାଙ୍କ ଏ କଟାକ୍ଷ ଭିତରେ ଥିବା ତାଗିଦ୍ ମୁଁ ବୁଝିପାରୁଥିଲି । କିନ୍ତୁ କାମରେ ଲଗେଇ ପାରୁନଥିଲି । ସକାଳୁ ଉଠି ପଡ଼ିଆକୁ ଯାଇ ଦୌଡ଼ିବା ପାଇଁ କେବଳ ସେଇ ଗୋଟିଏ ଥର ନୁହେଁ, ସ୍କୁଲରୁ କଲେଜ, କଲେଜରୁ ୟୁନିଭରସିଟି ସବୁଠି, କି ଶହେ ଥର ମୁଁ ଦୌଡ଼ିବା ପାଇଁ ସ୍ଥିର କରି ପଡ଼ିଆକୁ ଓହ୍ଲାଇଛି । ପୁଣି ଥରେ ପୁରୁଣା ପାଠର ପୁନରାବୃତ୍ତି । ସବୁଥର ତିନିଦିନରୁ ଚାରିଦିନ ହେଇନି ।

ଗାଁ ଛାଡ଼ି ସହର, ମହାନଗରକୁ ଗଲି । ସେଇଠି ପଡ଼ିଆକୁ ଯିବା ବଦଳରେ ଜିମ୍ ଯାଇ ନାଁ ଲଗେଇଲି । ଏଥିପାଇଁ ପ୍ରଥମରୁ ପଞ୍ଜୀକରଣ ଲାଗି ପଇସା ବି ଦେଲି । ହେଲେ ପାଇଲି କଣ? ପ୍ରକୃତି ନୈବ ମୁଚ୍ୟତେ । ସେହି ତିନି ଦିନ ପରେ ଚତୁର୍ଥ ଦିନକୁ ଅଭ୍ୟାସରେ ପୂର୍ଣ୍ଣଛେଦ। ଜିମ୍ ଯାଇ କେବଳ ଥରେ ନାଁ ଲଗେଇନି, କି ଥରେ ପଇସା ଦେଇନି, ବରଂ ଆଜି ପର୍ଯ୍ୟନ୍ତ ଅନ୍ୟୁନ କୋଡ଼ିଏ ଥର ଏଭଳି କରିଛି । ସବୁଥର ସେହି ଗୋଟିଏ ଅବସ୍ଥା । ଅଷ୍ଟମ ଶ୍ରେଣୀର ୪୬ କିଲୋରୁ ଆସି ଏବେ ୯୬ରେ ପହଞ୍ଚିଲିଣି । ତଥାପି ସୁଧୁରିନି । ନିକଟରେ ଅସୁସ୍ଥ ହୋଇ ଡାକ୍ତରଙ୍କ ପାଖକୁ ଯିବାରୁ, ସବୁ ପରୀକ୍ଷା ନିରୀକ୍ଷା କରି ଡାକ୍ତର କହିଲେ, ଆପଣ ଦିନକୁ କେତେ ସମୟ ବ୍ୟାୟାମ କରୁଛନ୍ତି? ମୋତେ ଇଛା ହେଉଥିଲା ପଚାରିଦେବାକୁ, ଆଜ୍ଞା, ସେଇଟା କଣ? ହେଲେ କିଛି କହିଲିନି । ସେ କହିଲେ, ଆପଣଙ୍କ ଡାଇବେଟିସ୍, ହାଇପରଟେନସନ୍ ସବୁ ହେଲାଣି । ଏବେ ଯଦି ଦିନକୁ ଅନ୍ୟୁନ ୪୫ ମିନିଟ୍ ନ ଚାଲିବେ, ତେବେ ଏସବୁ ନିୟନ୍ତ୍ରଣ ହେବନି । ଆପଣ ହଇରାଣ ହେବେ । ମୁଁ ଡାକ୍ତରଙ୍କୁ ହଁ ଭରିଲି । ଘରକୁ ଆସି ଘରଣୀଙ୍କୁ କହିଲି, କାଲିଠୁ ସକାଳେ ମତେ ଉଠେଇଦେବ । ମୁଁ ନିୟମିତ ଏଥର ମର୍ଣ୍ଣିଂୱାକରେ ଯିବି । ହଁ, ଘଣ୍ଟାରେ ଆଲାର୍ମ ଦିଆଗଲା । ସକାଳୁ ଉଠା ବି ହେଲା । ନୂଆ ସ୍ପୋର୍ଟସ ଶୁ କିଣି ପିନ୍ଧା ବି ହେଲା । ବଡ଼ ଜୋଶରେ ପ୍ରଥମ ଦିନ ପଇଁଚାଳିଶ ମିନିଟ୍ ଚାଲିଲି । ଖାଲି ସେତିକି ନୁହେଁ, ମର୍ଣ୍ଣିଂୱାକର ଫଟୋକୁ ସୋସିଆଲ ମିଡ଼ିଆରେ ସେୟାର ବି କଲି । ଲୋକଙ୍କ ବାହାବା ବି ସାଉଁଟିଲି । ସେପଟେ କିନ୍ତୁ ସେଦିନ ଗୋଡ଼ହାତ ବିନ୍ଧା ହେଲା । ଅଫିସରେ ନିଦ ଆସିଲା । ତଥାପି ଚାଲିବାକୁ ଗଲି ତା ପରଦିନ । ହେଲେ ଏଥର ପଇଁଚାଳିଶ ବଦଳରେ ପଇଁତିରିଶ ମିନିଟ ଚାଲି ବଳକା ସମୟ ପାର୍କରେ ବସିପଡ଼ିଲି । ତା ପରଦିନ ପଇଁତିରିଶରୁ ପନ୍ଦର ମିନିଟକୁ ଓହ୍ଲାଇ ଆସିଲା ଅଭ୍ୟାସ । ଚତୁର୍ଥ ଦିନକୁ ଜୋଶ ଜୁଆରରେ ଭଟ୍ଟା ପଡ଼ିଯାଇଥିଲା । ଆଉ ଗଲିନି । ଆଲାର୍ମ ବନ୍ଦ କରି ସାଢ଼େ ସାତଟାରେ ଉଠିଲି । ହେଲେ କେଜାଣି କାହିଁକି ଟିକିଏ ଅସୁସ୍ଥ ଅନୁଭବ ହେଉଥିଲା । ସକାଳୁସକାଳୁ ଫାଷ୍ଟିଂ ସୁଗାର ଚେକ୍ କଲାବେଳକୁ ୨୧୦ ପଏଣ୍ଟ୍ । ମୋତେ ସେତେବେଳେ ଡାକ୍ତରଙ୍କ କଥା ମନେ ପଡୁନଥିଲା । ବରଂ ମନେ ପଡୁଥିଲା ବାପାଙ୍କ କଥା । ଗବ ଗରଗଡ଼ ତେଟେଙ୍ଗେ .. ମନ ପଡ଼ିଗଲେ ଉଠେଙ୍ଗେ ।

ହଁ, ନିରନ୍ତରତା ବା ନିୟମିତତାର ଅଭାବରୁ କେବଳ ମୁଁ ନୁହେଁ, ମୋ ଭଳି ଅନେକ ଲୋକ କଷ୍ଟ ଭୋଗୁଛନ୍ତି । ଆମେ ସମସ୍ତେ ଯୋଜନା ତ ଅନେକ କରନ୍ତି । ଏଇଆ କରିଦେବୁ, ସେଇଆ କରିଦେବୁ । କିନ୍ତୁ ସେହି କାମ କରିବା ପାଇଁ ଯେଉଁ ମନଯୋଗ ଦରକାର, ତାହା ଆମେ କରିପାରୁନା । ଯାହା ଫଳରେ ଆମ କାମ ହୋଇପାରେନି । ଆମେ ବିଫଳ ହେଉ । ଆଉ ଆମ ବିଫଳତା ପ୍ରମାଣ କରେ, ଯେ ସଫଳତା ପାଇବା ପାଇଁ ଆମେ ପୂର୍ଣ୍ଣ ପ୍ରାଣରେ ଯେତିକି ପ୍ରୟାସ କରିବା କଥା, ସେତକ କରିନୁ । ବାସ୍ .. ଆଉ କଣ?

ବିଭାଗୀୟ ମୁଖ୍ୟ, ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍, ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ । ଫୋନ୍- ୯୯୩୭୨୫୨୪୬୪