ବାର୍ଦ୍ଧକ୍ୟ ଭତ୍ତା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’
ଅଣାଅଶୀ ବର୍ଷ ବୟସରେ ଆରପାରିକୁ ଚାଲିଗଲା ମହାପାତ୍ର ଘରର ବୁଢ଼ୀ ତିଳୋତ୍ତମା । ବୁଢ଼ୀ ମଲାଦିନ ସବୁଠୁ ବେଶି ଖୁସି ହୋଇଥିଲା ତାର ଏକମାତ୍ର ବୋହୂ ତ୍ରିପୁରସୁନ୍ଦରୀ । ନାଁ ଟା ସିନା ତ୍ରିପୁରସୁନ୍ଦରୀ, ହେଲେ ଦେଖିବାକୁ ସାକ୍ଷାତ ମାଆ ଚିକଲଖଣ୍ଡୀ କାଳୀ । ଗୁଣ ବଖାଣି ବସିଲେ ଫକୀର ମୋହନଙ୍କ ଛ’ ମାଣ ଆଠଗୁଣ୍ଠ ଉପନ୍ୟାସର ଚମ୍ପା ଚରିତ୍ରଠୁ ଦି ପଇସା ଅଧିକ ହେବ ସିନା ଉଣା ହେବାର ପ୍ରଶ୍ନ ଉଠୁନି । ଜୀବନ ତମାମ ଶାଶୂ ବୁଢ଼ୀଟାକୁ ଦହଗଞ୍ଜ କରି ଖାଇଛି । କାହିଁକି ବା ନ କରିବ? ଶାଶୂବୁଢ଼ୀର ତମ୍ବାକାଠି ଭଳି ଗୋରା ତକତକ ଦିହ ଦେଖିଲେ ତ୍ରିପୁର ସୁନ୍ଦରୀର ଦେହ ଜଳିଉଠୁଥିଲା । ସେଥିପାଇଁ କେବେ ତାକୁ ମୁଠାଏ ଭଲରେ ଖାଇବାକୁ ଦେଇନି । ସେହି କାରଣରୁ ବୁଢ଼ୀକୁ ବାର ଦୁଆର ହେବାକୁ ପଡ଼ିଛି । କେବେ କେମିତି ଗାଁର ଅନ୍ୟ ସ୍ତ୍ରୀଲୋକଙ୍କ ଆଗରେ ଏହି କଥା କହୁ କହୁ କାନ୍ଦି ପକାଇଛି ତିଳୋତ୍ତମା । ତାର ପୁରୁଣା ଦିନ ମନେ ପଡ଼ିଗଲେ ତା ବୁକୁ କୋହରେ ଫାଟିପଡ଼ିଛି । ଯୁବା ବୟସରେ ବିଧବା ହୋଇଯାଇଥିଲା ତିଳୋତ୍ତମା । ପୁଅ ସୁରେନ୍ଦ୍ରକୁ ସେତେବେଳେ ମାତ୍ର ଚାରି ବର୍ଷ । ଆଉ ଝିଅକୁ ଦେଢ଼ ବର୍ଷ । ଏମିତି ସ୍ଥିତିରେ ଦୁଇ ଦୁଇଟି ବାପ ଛେଉଣ୍ଡ ପିଲାଙ୍କୁ ନେଇ ବଡ଼ କରିବା ପାଇଁ ତାକୁ ଅନେକ କଷ୍ଟ ସହିବାକୁ ପଡ଼ିଛି । କେବେ କାହା ବିଲରେ ମୂଲ ଲାଗିବାକୁ ଯାଇଛି ତା ଆଉ କାହା ଘରେ ବାସନ ମାଜି ଖାଇବା ଗଣ୍ଡାକ ଯୋଗାଡ଼ କରିଛି ତିଳୋତ୍ତମା । ତେବେ କେବେ ବି ଅବାଟକୁ ଯାଇନି । ତେଇଶି ବର୍ଷ ବୟସରେ ବିଧବା ହୋଇଥିବା ତିଳୋତ୍ତମାର ଚରିତ୍ର ଉପରେ କେବେ କେହି ଅଙ୍ଗୁଳି ଉଠାଇନାହାନ୍ତି । ସବୁ ସଣ୍ଠଣା ଭିତରେ ସେ ପିଲା ଦୁହିଙ୍କୁ ବଡ଼ କରିଛି । ପୁଅକୁ ରୋଜଗାରକ୍ଷମ କରିଛି । ଝିଅକୁ ଉଚିତ ବରପାତ୍ର ଦେଖି ବାହା ଦେଇଛି । ଆଉ ଯେତେବେଳେ ପୁଅକୁ ବାହାକରାଇ ଘରକୁ ବୋହୂ ଆଣିଛି, ସେଇଠୁ ଆରମ୍ଭ ହୋଇଛି ତା ଜୀବନର ଦୁର୍ଦ୍ଦଶା । ପୁଅ ବାହାଘରର ମାସେ ନପୂରୁଣୁ ଆରମ୍ଭ ହୋଇଛି ତିଳୋତ୍ତମା ଉପରେ ବୋହୂର ନିର୍ଯାତନା ।

ତଥାପି ସବୁ କଷ୍ଟକୁ ସହି ନିଜ ନାତି ନାତୁଣୀଙ୍କୁ ଦେଖି ଦିନ କାଟିଛି ତିଳୋତ୍ତମା । ଯେଉଁଦିନ ସୁରେନ୍ଦ୍ରର ଦୁଇପୁଅ ବାହା ହେଲେ ସେଦିନ ବୁଢ଼ୀର ଆନନ୍ଦ କହିଲେ ନସରେ । ଚାଲିବାକୁ ବଳ ନଥିବା ବୁଢ଼ୀ ଘର ଘର ବୁଲି ଲୋକଙ୍କୁ ଡାକିଛି । ଘରକୁ ନାତୁଣୀ ବୋହୂ ଆସୁଥିବା ଖୁସିରେ ଫୁଲିଉଠିଛି ତା ମନ । କେଉଁଠି ନା କେଉଁଠି ତା ମନରେ ଆଶା ଉଙ୍କିମାରିଛି ଯେ, ନାତୁଣୀ ବୋହୂମାନେ ଅନ୍ତତଃ ତାକୁ ଦି ମୁଠା ଖାଇବାକୁ ଦେବେ । ଜୀବନର ଶେଷ ଦିନଗୁଡ଼ିକ ହରିସ୍ମରଣରେ ଚାଲିଯିବ । କିନ୍ତୁ ତିଳୋତ୍ତମାର ସେହି ଆଶା କେବଳ ଆଶାରେ ହିଁ ରହିଯାଇଛି । ତ୍ରିପୁରସୁନ୍ଦରୀର ନାଲିଆଖିକୁ ଡରି ନୂଆ ନାତୁଣୀବୋହୂମାନେ ବି ବୁଢ଼ୀକୁ ଦି ମୁଠା ଖାଇବାକୁ ଦେଇନାହାନ୍ତି । ଭୋକ ବିକଳରେ ଗାଈ ଡୋଙ୍ଗାରୁ ଢକ ଢକ କରି କୁଣ୍ଡା ତୋରାଣୀ ପିଇଯାଇଛି ତିଳୋତ୍ତମା । ରାତି ପାହିଲା ବେଳକୁ ଦାଣ୍ଡବାରଣ୍ଡାରେ ପଡ଼ିଛି ତିଳୋତ୍ତମାର ନିଶ୍ଚେତ ଶରୀର । ଗାଁ ଦାଣ୍ଡରେ ଯାଉଥିବା କେହି ଜଣେ ନିରେଖି ଦେଖିଲା ବେଳକୁ ପ୍ରାଣବାୟୁ ଉଡ଼ିଯାଇଛି ତିଳୋତ୍ତମାର । ତିଳୋତ୍ତମାର ମୃତ୍ୟୁରେ ବି ସାମାନ୍ୟତମ ଅନୁଶୋଚନା ନାହିଁ ତ୍ରିପୁରସୁନ୍ଦରୀ ମନରେ ।

ଗାଁ ସ୍ତ୍ରୀଲୋକମାନେ, ନିକଟ ସମ୍ପର୍କୀୟ ଯିଏ ଯେତେ କହିଲେ ବି ଶାଶୂର ମଲାଦେହରେ ହାତଟିକିଏ ଲଗାଇଲାନାହିଁ ତ୍ରିପୁରସୁନ୍ଦରୀ । ଆଖିରୁ ଦି ଧାର ଲୁହ ବି ଗଡ଼େଇଲା ନାହିଁ । ଲୋକେ ଛି ଛାକର କଲେ । ତଥାପି କିଛି ଫରକ୍ ପଡ଼ିଲାନି । ସମାନ ଅବସ୍ଥା ତିଳୋତ୍ତମାର ପୁଅ ସୁରେନ୍ଦ୍ରର । ଜୀବନ ସାରା ସ୍ତ୍ରୀର ନିର୍ଦ୍ଦେଶରେ ବସଉଠ ହୋଇଥିବା ସୁରେନ୍ଦ୍ର ଆଜି ବି ସ୍ତ୍ରୀ କଥା ହିଁ ମାନିଛି । ତା ଆଖିରେ ବି ଟୋପାଏ ଲୁହ ନାହିଁ ।

ତିଳୋତ୍ତମାର ଶୁଦ୍ଧିକ୍ରିୟା ସରିବା ପରେ ସୁରେନ୍ଦ୍ରର ଦୁଇପୁଅଙ୍କ ଏକଜିଦ୍ ଘରକୁ ଦୁଇଭାଗ କର । ଜମିବାଡ଼ି ଭାଗବଣ୍ଟାଯାଉ । ଶେଷରେ ସେଇଆ ହିଁ ହୋଇଛି । ଘର ମଝିରେ କାନ୍ଥ ଉଠିଛି । ହେଲେ ତ୍ରିପୁରସୁନ୍ଦରୀ କିମ୍ବା ସୁରେନ୍ଦ୍ର ପାଖରେ ମୁଣ୍ଡଗୁଞ୍ଜିବାକୁ ଚାଳଖଣ୍ଡେ ନାହିଁ । ଦୁଇ ପୁଅ ଘରକୁ ମାଡ଼ି ବସିବା ପରେ ଏବେ ଦାଣ୍ଡପଟ ବାରଣ୍ଡାରେ ପୋଷା କୁକୁର ଭଳି ପଡ଼ିରହିଛି ସୁରେନ୍ଦ୍ର । ମୁଖରା ତ୍ରିପୁରସୁନ୍ଦରୀ ଆଉ ଦାଣ୍ଡରେ ମୁହଁ ଦେଖାଉନି । ପୁଅ ବୋହୂ ତାର ବିଷଦାନ୍ତ ଭାଙ୍ଗି ଦେଇଛନ୍ତି । ବାରିପଟ ବାରଣ୍ଡାରେ ପଡ଼ି ରହୁଛି ତ୍ରିପୁରସୁନ୍ଦରୀ । କିଏ ଦୟାକରି ମୁଠାଏ ଦେଲେ ଖାଉଛି, ନହେଲେ ଉପାସରେ ପଡ଼ିରହୁଛି । ସୁରେନ୍ଦ୍ରର କଥା କିନ୍ତୁ ଅଲଗା । ତାକୁ ତା ବଡ଼ବୋହୂ କହିଛି, ଏ ବୁଢ଼ା, ଆଉ ଦି ମାସ ଅପେକ୍ଷା କରିଯା । ଯେବେ ଷାଠିଏ ବର୍ଷ ହେବ, ସେତେବେଳେ ସରକାର ବୁଢ଼ାବୁଢ଼ୀ ଟଙ୍କା (ବାର୍ଦ୍ଧକ୍ୟଭତ୍ତା) ଦେବେ । ସେଇ ଟଙ୍କାଟା ମତେ ଦେଲେ, ମୁଁ ତତେ ଦି ଦିନରେ ଥରେ ଖାଇବାକୁ ଦେବି । ବାସ୍, ସେଇ ବାର୍ଦ୍ଧକ୍ୟଭତ୍ତା ଆଶାରେ ଅନେଇ ପଡ଼ିଛି ସୁରେନ୍ଦ୍ର । ସେତିକି ବେଳେ ତା ଆଖିଆଗରେ ନାଚି ଉଠୁଛି ଚାରିବର୍ଷର ବାପଛେଉଣ୍ଡ ସୁରେନ୍ଦ୍ରର କାନ୍ଦୁରା ମୁହଁଟାକୁ ପଣତକାନିରେ ପୋଛି ଦେଇ ତା ପାଟିରେ ଭାତଗୁଣ୍ଡା ପୂରେଇ ଦେଉଥିବା ତା ମାଆ ତିଳୋତ୍ତମାର ହସ ହସ ମୁହଁ ।

ବିଭାଗୀୟ ମୁଖ୍ୟ,
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ, ଫୋନ୍- ୯୯୩୭୨୫୨୪୬୪