Latest Odisha News

BREAKING NEWS

ନୀରଜଙ୍କ ଅନୁରୋଧ ରଖିଲେନି ପାକିସ୍ତାନର ଜାଭେଲିନ ଥ୍ରୋୟର

ନୂଆଦିଲ୍ଲୀ: ବେଙ୍ଗାଲୁରର କାନ୍ତିରାୱା ଷ୍ଟାଡିୟମରେ ମେ ୨୪ରେ କ୍ଲାସିକ ଜାଭେଲିନ ଥ୍ରୋ ପ୍ରତିଯୋଗିତା ଆୟୋଜିତ ହେବ । ୨ ଥର ଅଲିମ୍ପିକ ପଦକ ବିଜେତା ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ପାକିସ୍ତାନର ଅର୍ଶାଦ ନଦୀମଙ୍କୁ ଏଥିପାଇଁ ଆମନ୍ତ୍ରଣ କରିଥିଲେ । ଅର୍ଶାଦ ଏଥର ଅଲିମ୍ପିକ୍ସରେ ନୀରଜଙ୍କୁ ପଛରେ ପକାଇ ଚାମ୍ପିୟନ ହୋଇଥିଲେ । ରିପୋର୍ଟ ମୁତାବକ ନଦୀମ ଭାରତ ଆସିବା ପାଇଁ ମନା କରି ଦେଇଛନ୍ତି । ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଘଟଣା ଏହାର କାରଣ ଭାବେ ବିବେଚନା କରାଯାଉଛି । ଏପ୍ରିଲ ୨୨ରେ ଜମ୍ମୁ-କଶ୍ମୀରରେ ହୋଇଥିବା ନାରକୀୟ କାଣ୍ଡରେ ୨୭ ଲୋକଙ୍କ ଜୀବନ ଚାଲି ଯାଇଛି । ଏଥିରେ ୨ ବିଦେଶୀ ନାଗରିକ ମଧ୍ୟ ସାମିଲ ।

ପୂର୍ବରୁ ନୀରଜଙ୍କୁ ଆମନ୍ତ୍ରଣ ନେଇ ନଦୀମ ଧନ୍ୟବାଦ ଜଣାଇଥିଲେ । ଏବେ ମୁଁ ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ଯୋଗୁ ଭାରତ ଯାଇପାରିବି ନାହିଁ ବୋଲି ସେ କହିଛନ୍ତି । ସେ ଏବେ ମେ ୨୭ରୁ ଦକ୍ଷିଣ କୋରିଆରେ ହେବାକୁ ଥିବା ଏସୀୟ ଆଥଲେଟିକ୍ସ ଚାମ୍ପିୟନଶିପ ପାଇଁ ପ୍ରସ୍ତୁତି କରୁଛନ୍ତି । ବେଙ୍ଗାଲୁରରେ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଆଣ୍ଡରସନ ପିଟର୍ସ, ୨୦୧୬ ଅଲିମ୍ପିକ ଚାମ୍ପିୟନ ଥମାସ ରୋହଲର, ପୂର୍ବ ବିଶ୍ୱ ଚାମ୍ପିୟନ ଜୁଲିୟସ ୟେଗୀ, ଆମେରିକାର କାର୍ଟିସ ଥମ୍ପସନଙ୍କ ପରି ଷ୍ଟାର ଖେଳାଳି ଅଂଶଗ୍ରହଣ କରିବେ ।

Comments are closed.