Latest Odisha News

BREAKING NEWS

ଛୋଟମୋଟ ଘଟଣା ଓ ଲଘୁ-ପରିହାସକୁ ନେଇ ବି ଗୀତ ହୋଇପାରେ…

ସୂର୍ଯ୍ୟ ଦେଓଙ୍କ ‘ଗୀତ ପଛର ଗପ’…

‘ଘର ବାହୁଡ଼ା’

ମୋ ସାଙ୍ଗେ ଲାଗନାରେ

ଛୋଟମୋଟ ଘଟନାକୁ ନେଇ, କେବେ ଘଟିଥିବା ଲଘୁ ପରିହାସକୁ ନେଇ ବି ଗୀତ ହୋଇପାରେ । ହୋଇପାରେ ନୁହେଁ, ହୋଇଛି । ସେମିତିକା ଅଧିକ ଘଟନା ଅନେକଙ୍କ ଅଲକ୍ଷ୍ୟରେ ଅଗୋଚରରେ ରହିଛି, ଆଉ କିଛିକୁ ହୁଏତ କେହି କେହି କେହି ଜାଣନ୍ତି । ଯେଉଁମାନେ ଜାଣନ୍ତି, ସେମାନେ ଘଟନାକୁ ବେଶି ପ୍ରଘଟ କରନ୍ତି ନାହିଁ । ଯେଉଁମାନେ ପ୍ରଘଟ କରନ୍ତି, ସେମାନେ ହିଁ ଇତିହାସର ମୋଡ଼କୁ ବୁଝନ୍ତି । ଏକଥା ସତଯେ ସବୁ ଗୀତ ପଛରେ ଅଛି ଗପ । ଗୀତ ଲେଖିବା ଲୋକ ହୁଏତ ସେ ଗପକୁ ଭୁଲି ଯାଇଛନ୍ତି ବା ଗୁରୁତ୍ୱ ଦେଇ ନାହାନ୍ତି ।

ଏଥର ‘ଗୀତ ପଛର ଗପ’ରେ ଅଛି ଏକ ସାଧାରଣ ଲଘୁ ପରିହାସ ଓ ତାହାର ଗୀତିମୟ ପ୍ରଭାବ । ‘ଘର ବାହୁଡ଼ା’ ସିନେମାରେ ସ୍ଥାନିତ ଗୀତର ଦୃଶ୍ୟାୟନ ଗପ ମଧ୍ୟ କିଛି ଚମକଦାର ନୁହେଁ । ସୁଟିଂ ହେଉଥାଏ କଲିକତାରେ । ଗୁରୁ ଗଙ୍ଗାଧର ପ୍ରଧାନ ‘ଘର ବାହୁଡ଼ା’ର ନୃତ୍ୟ ନିର୍ଦ୍ଦେଶନା ଦେଉଥିଲେ । ସେତେବେଳକୁ ସେ ଓଡ଼ିଶୀ ନୃତ୍ୟ ଜଗତରେ ବେଶ୍ ଜଣାଶୁଣା । ତେବେ ବମ୍ବେର ଜଣେ ନୃତ୍ୟାଙ୍ଗନା ସୁଜାତାଙ୍କ ସହ ଡୁଏଟ୍ ନାଚିବା ପାଇଁ କଟକରୁ ଜଣେ ଯୁବ ନୃତ୍ୟଶିଳ୍ପୀ ମଧ୍ୟ କଲିକତା ଆସିଥିଲେ । ସୁଜାତାଙ୍କ ନାଚ ଦେଖି ସେ କଟକୀ ବାବୁ ରାତିରେ ଟ୍ରେନ୍ ଧରି କଟକ ଚମ୍ପଟ୍ ମାରିଲେ । ସୁଟିଂ ପାଇଁ ସେଟ୍ ରେଡି । କ’ଣ ହେବ? ସମୟ କମ୍ । ପୁଣି ସୁଜାତାଙ୍କ ବମ୍ବେ ଫେରିଯିବା କଥା । ସୁଜାତାଙ୍କ ସହ ନାଚିବା ପାଇଁ ଗଙ୍ଗାଧର ପ୍ରଧାନଙ୍କୁ ଅନୁରୋଧ କରାଗଲା । ସୁଜାତା, ଗଙ୍ଗାଧର ପ୍ରଧାନଙ୍କଠାରୁ ଅଧିକ ଉଚ୍ଚ । ସୁଜାତାଙ୍କ ନାଚର ଛଇ ଛଟକା ତାଙ୍କୁ ବଡ଼ ହଇରାଣରେ ପକାଇଲା । ବହୁ ଟଣା ଓଟରା, ହଁ ନାଇଁ ପରେ ‘ମୋ ସାଙ୍ଗେ ଲାଗନାରେ, ମୋତେ ତୁ ଛୁଁ ନାରେ’ ଗୀତ ସୁଟିଂ ଶେଷ ହେଲା ।

ଏବେ ପଢ଼ନ୍ତୁ ସେହି ଗୀତ ଲେଖା ପଛର ଗପ, ଯାହା ଦେବଦାସ ଛୋଟରାୟ କହିଥିଲେ । ଏହି ସ୍ତମ୍ଭରେ ଲେଖା ସହ ଅଛି ‘ଘର ବାହୁଡ଼ା’ ମୂଳ ପୋଷ୍ଟର, ଯେଉଁଥିରେ ବମ୍ବେ ସୁଜାତାଙ୍କୁ ସ୍ଥାନିତ କରାଯାଇଥିଲା ଓ ଏହି ପୋଷ୍ଟର ଆଙ୍କିଥିଲେ ଅସୀମ ବସୁ ।

ରାତି ତମାମ ଜର

ଦେବଦାସ ଛୋଟରାୟ ଯାହା କହିିଥିଲେ…

୧୯୬୬ ମସିହାରେ, ମୁଁ ବାଣୀବିହାରରେ ରାଜନୀତି ବିଜ୍ଞାନ ପଢିଲା ବେଳକୁ, କ୍ୟାମ୍ପସ୍ ମାତ୍ର ୩/୪ ବର୍ଷର ହୋଇଥିଲା । ହଷ୍ଟେଲ, ଲାଇବ୍ରେରୀ, ରାସ୍ତା, ପାଣିଟାଙ୍କି, ସବୁକିଛି ନୂଆ ଥିଲା, ଆଉ ଥିଲା ଅପେକ୍ଷାକୃତ ଜନବିରଳ । ବାଣୀବିହାର ଆଉ ମାଷ୍ଟର କ୍ୟାନ୍ଟିନ୍ ଭିତରେ କେବଳ କନ୍ଭେଂଟ ସ୍କୁଲକୁ ଛାଡି ଆଉ କିଛି ନଥିଲା, ଏକ ଲମ୍ବା ନିରୋଳା ରାସ୍ତା ଛଡା । ରାତି ୮ଟାରେ ଶେଷ ଟାଉନ୍ ବସ୍ ଚାଲିଗଲା ପରେ, ବାଣୀବିହାର ଗୋଟାଏ ସମ୍ପର୍କବିହୀନ ଦ୍ୱୀପ ପାଲଟି ଯାଉଥିଲା । ଆମେ ଯେଉଁମାନେ କଟକର, ଆଉ ଯାଇ ସେଠାକାର ହଷ୍ଟେଲରେ ରହୁଥିଲୁ, ଆମକୁ ରାତିହେଲେ ସେଠି ସଂପୂର୍ଣ୍ଣ ନିର୍ବାସିତ ହୋଇଗଲା ପରି ଲାଗୁଥିଲା । କଟକରେ ତ ରାତି ସରେନି । ତେଣୁ ବାଣୀବିହାର ରାତିର ଏକୁଟିଆ ପଣ ଦୂର କରିବା ଲାଗି, ବଏଜ୍ ହଷ୍ଟେଲର ଦଳଦଳ ପିଲା, ଡିନର୍ ସରିଲା ପରେ, କ୍ୟାମ୍ପସ୍ର ରାସ୍ତାରେ ଘୂରି ବୁଲୁଥିଲେ । ସବୁଠୁ ବେଶୀ ଭିଡ ହେଉଥିଲା ପାଣିଟାଙ୍କି ପାଖରେ । କାରଣ ଥିଲା ପାଣିଟାଙ୍କି ପାଖରେ ପାନ ଓ ସିଗ୍ରେଟ ମିଳୁଥିବା ଦୁଇ ଚାରୋଟି ଚାଳି ଦୋକାନ ଘର ଓ କହିବା ବାହୁଲ୍ୟ, ଅନତି ଦୂରର ନୂଆ ଲେଡିଜ୍ ହଷ୍ଟେଲ । ବେଳେବେଳେ ଖରାଦିନର ଗୁମୋଟ୍ ରାତିରେ ପବନ ଖାଇବା ପାଇଁ ବା ନିଚ୍ଛକ୍ ବାହାଦୂରି ଦେଖାଇବା ପାଇଁ କିଛିପିଲା ସବୁବେଳେ ପାଣିଟାଙ୍କିର ସବା ଉପରକୁ ଚଢି ଯାଉଥିଲେ । ନୂଆ ପାଣିଟାଙ୍କିର କଂକ୍ରିଟ୍ ଓ ଲୁହାରେ ତିଆରି ସିଡି ସବୁ ମଧ୍ୟ ନୂଆ ଓ ମଜ୍ବୁତ୍ ଥିଲା ।

ଥରେ ରାତିରେ ଜହ୍ନ ପଡିଥିଲା, ଆଉ ଲାଇଟ୍ ବି ଜଳୁଥିଲା ଚାରିଆଡେ, ସମୟ ସାଢେ ଏଗାରଟାରୁ ବେଶୀ ହୋଇଥିବ, ହଠାତ୍ ବିଜୁଳି ଚାଲିଗଲା । ଚାରିଆଡେ ଅନ୍ଧାର ହୋଇଗଲା, କିନ୍ତୁ କିଟିକିଟି ନୁହେଁ, ଜହ୍ନ ଆଲୁଅରେ ଛାପିଛାପିକା । ପାଣିଟାଙ୍କି ଉପରକୁ ଉଠିଥିବା ଆଠଦଶଟି ପିଲା ହଠାତ୍ ସିଲ୍ହଏଟ୍ ହୋଇଗଲେ । ବିଜୁଳି ଚାଲିଗଲେ ସଚରାଚର ଯାହା ହୁଏ, ପାଣିଟାଙ୍କି ତଳେ ରୁଣ୍ଡ ହୋଇଥିବା ପିଲାମାନେ କୁକୁର ବିଲୁଆଙ୍କ ପରି ବୋବେଇବାରେ ଲାଗିଲେ । ଏଇ ସମୟରେ ହଠାତ୍, ପାଣିଟାଙ୍କି ଉପରର ସିଲ୍ହଏଟଙ୍କ ଭିତରୁ ଜଣେ କିଏ (ବୋଧ ହୁଏ ବିଚିତ୍ର ତ୍ରିପାଠୀ), ଖୁବ୍ ଜୋରରେ ଚିକ୍ରାର କରି ଡାକିଲା, ‘ନତ୍ୟାନନ୍ଦ, ନିତ୍ୟାନନ୍ଦ, ତୁମେ କୋଉଠି ଅଛ?’ ତଳର ବୋବାଳି ଫଟ୍କରି ବନ୍ଦ ହୋଇଗଲା । ପୁଣି ଉପରୁ ଶୁଭିଲା, ‘ନିତ୍ୟାନନ୍ଦ, ନିତ୍ୟାନନ୍ଦ’ । ଆଉ ଗୋଟିଏ ସିଲ୍ହଏଟ୍ ପଚାରିଲା, ‘ତମେ କୋଉଠି?’ ସବୁ ପୁଣି ଚୁପ୍ଚାପ୍ ହୋଇଗଲା । ପୁଣି ପାଣିଟାଙ୍କି ଉପରୁ ଶୁଭିଲା ଆହୁରି ଗୁରୁ ଗମ୍ଭୀର ସ୍ୱରରେ ‘ନିତ୍ୟାନନ୍ଦ, ନିତ୍ୟାନନ୍ଦ’ । ଓ ପୁଣି ବାରମ୍ବାର ‘ନିତ୍ୟାନନ୍ଦ, ନିତ୍ୟାନନ୍ଦ’ । ପାଣିଟାଙ୍କି ତଳର ଲୋକ ହକାବକା ହୋଇଗଲେ । ଠିକ୍ ଏତିକିବେଳେ ଅନ୍ଧକାର ଗଳି ରାସ୍ତାରୁ ବାହାରି କିଏ ଜଣେ ସାଇକଲ୍ରେ ପାଣିଟାଙ୍କି ପାଖଦେଇ ଯାଉଯାଉ, ଲହରିଆ ଗଳାରେ କହିକହି ଗଲା, ‘ମତେ ତୁ ଆଉ ଡାକ୍ନାରେ, ମତେ ରାତି ତମାମ୍ ଜର!’ କିଏ ବୁଝିଲା ପୂର୍ବରୁ, ସେ ଚାଲିଯାଇଥିଲା ବ୍ୟାଙ୍କ ଆଡେ, ପୁଣି ଅଫିସ୍ ଆଡେ, ଆଉ ସେ ନିସ୍ତବ୍ଧ ରାତିରେ, ଦୂରରୁ ପୁଣି ଶୁଭୁଥିଲା ‘ରାତି ତମାମ୍ ଜର’, ‘ରାତି ତମାମ୍ ଜର’ । କିଛି ସମୟ ସ୍ତବ୍ଧ ହୋଇଗଲା ପରେ, ପୁଣି ହସରେ ଫାଟିପଡିଲା ପାଣିଟାଙ୍କି । ଏ କଥା ଆସି କଟକର ବକ୍ସିବଜାର ପାନ ଦୋକାନ୍ ପାଖେ କହିଲାବେଳେ, ସବୁବେଳେ କ୍ଷୁଧାର୍ତଙ୍କ ପରି ଫାଷ୍ଟ ଲାଇନ୍ ଖୋଜୁଥିବା ଅକ୍ଷୟ ମହାନ୍ତି, ହଠାତ୍ ଝାମ୍ପିପଡି କହିଲେ ‘ସାବାସ୍ ଦେବଦାସ୍, ଆମ ଗୀତ ହେଇଗଲା, ତମେ ସାଙ୍ଗେସାଙ୍ଗେ ଲେଖିଦିଅ ।’

ସେଇଦିନ ରାତିରେ ଲେଖାହେଲା ‘ମୋ’ ସାଙ୍ଗେ ଲାଗ୍ନାରେ, ମତେ ତୁ ଛୁଁନା, ମତେ ସାରାରାତି କାଲି ଜର/ ତୁ ଛାଡ଼ିଗଲୁ ତମାମ ରାତି , ଦେହ ସାରା ମୋର ଭୀଷଣ ତାତି ।’ କହିବା ଅନାବଶ୍ୟକ, ଏହାକୁ ସିନେମା ଉପେଯାଗୀ କରିବାପାଇଁ, ଏଥିରେ ବିସ୍ତାର ସଂଶୋଧନ ସେ କରିଥିଲେ ।

ମୋ ସାଙ୍ଗେ ଲାଗ୍ନା’ରେ
ଘରବାହୁଡ଼ା, ୧୯୭୨
ପ୍ରଯୋଜନା: ଏକାମ୍ର ଚିତ୍ରମ୍
ସଂଗୀତ: ଅକ୍ଷୟ ମହାନ୍ତି
ଗୀତ: ଦେବଦାସ ଛୋଟରାୟ
ଗାୟନ: ଅକ୍ଷୟ ମହାନ୍ତି ଓ ସିପ୍ରା ବୋଷି

ନାୟିକା: ମୋ ସଙ୍ଗେ ଲାଗ୍ନା’ରେ
ମୋ ସଙ୍ଗେ ଲାଗ୍ନା’ରେ
ମୋତେ ଛୁଁ’ନା’ରେ
ମୋତେ ତୁ ଛୁଁ’ନା’
ମୋତେ ସାରାରାତି କାଲି ଜର
ଏ ମୋତେ ସାରାରାତି କାଲି ଜର
ସାରାରାତି କାଲି ଛଟପଟ ହେଲି
ସାରାରାତି କାଲି ଛଟପଟ ହେଲି
ଚାହିଁ ଚାହିଁ ବାଟ ତୋର
ଏ ମୋତେ ସାରାରାତି କାଲି ଜର
ନାୟକ: ଏମିତି ରାଗ୍ନା’ରେ
ଏମିତି ରାଗ୍ନା’ରେ
ଏମିତି ହ’ନା’ କାଲି
ଏମିତି ହ’ନା’ ବୁଲି ଆସିଲି ତୋ ବାପଘର
ଏ ବୁଲି ବୁଲି ଆସିଲି ତୋ ବାପଘର
ଖିଲିପାନେ ଦେଲା ନିଦର ଓଷଦ
ଖିଲିପାନେ ଦେଲା ନିଦର ଓଷଦ
ସାନ ଭଉଣୀଟି ତୋର
ଏ ସେ’ତ ସାନ ଭଉଣୀଟି ତୋର

ନାୟିକା: କହନା କହନା ଜାଣେ ଫିକର
ତୋ ମିଠା କଥାରେ ବାଙ୍କ ସତର
ନାୟକ: ତୋ ମନ ପାପ ଖାଉଛି ତତେ
ଉଲୁଗୁଣା ମିଛେ ଦେଉଛୁ ମତେ
ଦଉଛୁ ମତେରେ ଦେଉଛୁ ମତେ
କଥାରେ ପକାଇ ସର
ନାୟିକା: ତୁ ଯାହାପାଇଁ
ତୁ ଯାହାପାଇଁ ନସର ପସର
ସେ’ତ ସାତସାନ ହେବ ତୋର
ଏ ସେ’ତ ସାତସାନ ହେବ ତୋର
ନାୟକ: ଖିଲିପାନେ ଦେଲା ନିଦର ଓଷଧ
ଖିଲିପାନେ ଦେଲା ନିଦର ଓଷଧ
କେମିତି ଭଉଣୀ ତୋର
କହୁଛୁ ସାତସାନ ହେବ ମୋର

ନାୟକ: ତୋ ସାନ ଭଉଣୀ ଲବଙ୍ଗଲତା
ମଥାରେ ନାଇଛି ରେଶମୀ ଫିତା
ନାୟିକା:ଏଣେ ମୁଁ ପଡ଼ିଛି ଘରେ ତ ଏକା
ତେଣେ ଯେ ତୋହର ପୀରତି ବିକା
ପୀରତି ବିକାରେ ପିରତୀ ବିକା
ଲୁଚାଇ କାଟୁଛୁ ଚେର
ନାୟକ: ବାହାନା କରି ତୁ
ବାହାନା କରି ତୁ ବାଟ ଯା’ ଚାହିଁଲୁ
ବାଟ ଯା’ ଚାହିଁଲୁ
ତତେ ହୋଇଥିଲା ଭାଲୁଜର
ଏ ତତେ ହୋଇଥିଲା ଭାଲୁଜର
ନାୟିକା: ସାରାରାତି କାଲି ଛଟପଟ ହେଲି
ସାରାରାତି କାଲି ଛଟପଟ ହେଲି
ଚାହିଁ ଚାହିଁ ବାଟ ତୋର
ଏ ମୋତେ ସାରାରାତି କାଲି ଜର

ନାୟିକା: ତୁ ଛାଡ଼ିଗଲୁ ତମାମ ରାତି
ଦେହସାରା ମୋର ବିଷମ ତାତି
ନାୟକ: ପଡ଼ିଶା ଘରେ ତ ଧନୀ ବଇଦ
ବିନା ପଇସାରେ ଦିଏ ଓଷଦ
ଦିଏ ଓଷଦରେ ଦିଏ ଓଷଦ
ଦେଖିଥାନ୍ତା ନାଡ଼ି ତୋର
ନାୟିକା: ବଇଦ ଫଇଦ
ବଇଦ ଫଇଦ କି ଲୋଡ଼ା କହନି
କି ଲୋଡ଼ା କହନି
ତୁ ତ ନିଜେ ମୋ ଡାକତର
ଏ ତୁ’ ତ ନିଜେ ମୋର ଡାକତର
ନାୟକ:ଖିଲିପାନେ ଦେଲା ନିଦର ଓଷଦ
ଖିଲିପାନେ ଦେଲା ନିଦର ଓଷଦ
ସାନ ଭଉଣୀଟି ତୋର
ଏ ସେ’ତ ସାନ ଭଉଣୀଟି ତୋର

 

Leave A Reply

Your email address will not be published.